Unknown

 

 

 

 

 

 

 

 

 

ମହାସ୍ନାନ

ସାତକଡ଼ି ହୋତା

 

ତିରିଶ ବର୍ଷ କେତେଶୀଘ୍ର ଅତିବାହିତ ହୋଇଗଲା ସେ ଭଲ ଭାବରେ ଜାଣି ବି ପାରିଲେ ନାହିଁ । ପାଣି ସୁଅ ପରି ବହିଗଲା ସମୟ । ଆଇ:ଏ: ଫେଲ ହୋଇ କିଲଟରୀ ଅଫିସରେ କିରାଣୀ ଚାକିରୀ ଆରମ୍ଭ କରିଥିଲେ । ତିରିଶ ବର୍ଷ କିପରି କେଉଁଆଡ଼େ ଖର୍ଚ୍ଚ ହୋଇଗଲା ହିସାବ କରିବାପାଇଁ ସମୟ ପାଇଲେ ନାହିଁ । ଅଥଚ ଏବେ ତିରିଶଟା ଦିନ ସରୁ ନାହିଁ ଯେ ପ୍ରତିଦିନ ମନକୁ ମନ ପ୍ରାୟ ପାଞ୍ଚଥର ହିସାବ କରନ୍ତି । ଚାକିରୀ କାଳ ସମୟର ଦିନଗୁଡ଼ାକ ଖୁବ ଛୋଟ ଛୋଟ, ଚାକିରୀ ପରେ ଅବସର ଗ୍ରହଣର ପରବର୍ତ୍ତୀ ଦିନଗୁଡ଼ାକ ଖୁବ୍‌ଲମ୍ବା । ଦିନ ସରିବାକୁ ଚାହେଁ ନାହିଁ । ଘଣ୍ଟାର କଣ୍ଟାଟା ଏଡ଼େ ଧୀରେ ଧୀରେ ବୁଲେ ଯେ ଦିନ ବା ରାତିର ଲମ୍ବ ଅସରନ୍ତି ମନେ ହୁଏ । ରାତିଟା ଆହୁରି ଲମ୍ବା ମନେ ହୁଏ । ସେଥିପାଇଁ ଶୋଇ ଶୋଇ କ୍ଳାନ୍ତି ଲାଗିଲେ ଉଠି ବସି ଘର ଭିତର ଚାଲବୁଲ କରନ୍ତି ବା ତକିଆ ଉପରେ, ପିଠିରଖି ମଥାକୁ କାନ୍ଥ ଉପରେ ଲଦି ଦେଇ ଅନ୍ଧାର ଭିତରେ କିଛି ଖୋଜନ୍ତି ଯେପରି । ଟିକିଏ ଦୂରରେ ସାବିତ୍ରୀ । ପକ୍ଷ ଘାତ ରୋଗରେ ସଢ଼ୁଛନ୍ତି । ଜୀବନଟା ଅଥର୍ବ ହୋଇ ଯାଇ ତିଳ ତିଳ ହୋଇ କ୍ଷୟ ହେଉଛି । ସେ ପାଖର କୋଠରୀରେ ପୁଅ, ଝିଅ, ପୁଅଟା ବଡ଼ ଡ଼େରିରେ ତାଙ୍କର ପଡ଼ନ୍ତ ବୟସରେ ଆସିଲା ବୋଲି ଏ ଯାଏ ଦୁର୍ବଳ ଅଛି । ବଳ ପାଉନି କିଛି କରିବାପାଇଁ । ବାର ବର୍ଷର ପିଲାଟିର ବୟସ ଆଉ ବଢ଼ୁନାହିଁ ଯେପରି । ସେ ଏକା ପରି ରହି ଯାଇଛି । ଖାଇବା ପିଇବାର ସୁବିଧା ଆଉ କରି ହୁଏନାହିଁ । ଔଷଧ କିଣିବା ପାଇଁ ଏଡ଼େ ଟାଣଟୁଣ ହୁଏ ଯେ ବେଳେବେଳେ ବିନା ଔଷଧରେ କେବଳ ପାଣି ଟୋପେ ସାବିତ୍ରୀଙ୍କ ମୁହଁ ଭିତରେ ଢାଳିଦେଇ କୁହନ୍ତି, ଖାଇଦିଅ, ଭଲ ହୋଇଯିବ । ଔଷଧ ଖାଇ ଖାଇ ଜିଭର ସୁଆଦ ଚାଖିବା ଗୁଣଟା ବୋଧହୁଏ ନଷ୍ଟ ହୋଇ ଯାଇଛି । ସେଥିପାଇଁ ଔଷଧ ଏବଂ ପାଣିର ଫରକଟା ବାରି ପାରନ୍ତି ନାହିଁ ସାବିତ୍ରୀ । ଭଲ ହୋଇ ଯିବାର ସାନ୍ତ୍ୱନା ଟିକକ ତାଙ୍କ କାନରେ ପଡ଼େ । ସେ ଟିକେ ସଳଖି ଉଠି ସ୍ୱାମୀ ମଳି ଦେଉଥିବା ପାଣିକୁ ବି ଔଷଧ ମନେକରି ପିଇ ଦେଇ ଅସ୍ପଷ୍ଟ କଣ୍ଠରେ କୁହନ୍ତି, ପିଲାମାନଙ୍କୁ ଦେଖ, ମୋ ପାଇଁ ଆଉ ଖର୍ଚ୍ଚ କର ନାହିଁ । ମୋଦିନ ସରିଯାଇଚି । ପିଲାମାନଙ୍କର ଦିନଗୁଡ଼ା ଉଜ୍ଜ୍ୱଳ ହେଉ । ତଥାପି ତାଙ୍କୁ ସାହସ ଦେଇ କୁହନ୍ତି ପର୍ଶୁରାମ ବାବୁ, ତୁମେ ଭଲ ହୋଇଗଲେ ସମସ୍ତଙ୍କର ଦିନ ଆପେ ଆପେ ଉଜ୍ଜ୍ୱଳ ହୋଇଯିବ ସାବିତ୍ରୀ, ଅନେକ ଲୋକ ବର୍ଷ ବର୍ଷ ଭୋଗି ପୁଣି ତ ଭଲ ହୋଇଯାଉଛନ୍ତି । ଦମ୍ଭ ରଖ । ବିଶ୍ୱାସ ହରାଅନାହିଁ । ସାହସ ନଥିଲେ ସଂକଟର ମୁକାବିଲା କରିହୁଏ ନାହିଁ ।

ସାବିତ୍ରୀଙ୍କ ଆଖି ଆଗରେ ପୃଥିବୀଟା ଟିକେ ମନୋରମ ହୋଇ ଉଠେ । ସବୁ ଯନ୍ତ୍ରଣା ଭୁଲି ସେ ପୁଣି ଭଲ ହୋଇଯିବାର ଆଶାକୁ ଲାଳନ କରନ୍ତି । ଆଉ ପାଞ୍ଚବର୍ଷ ପରମାୟୁ ଦେବାପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରି ନିବେଦନ କରନ୍ତି, ଏଇ ପାଞ୍ଚବର୍ଷ ଭିତରେ ଝିଅକୁ ବିଭା ଦେବି, ପୁଅକୁ ଗୋଟେ ରାସ୍ତାରେ ଚଳାଇବା ପାଇଁ ବ୍ୟବସ୍ଥା କରିବି ଆଉ ସ୍ୱାମୀଙ୍କ ମୁହଁ ଚାହିଁ ଚାହିଁ ଅହ୍ୟସୁଲକ୍ଷଣୀ ହୋଇ ହସି ହସି ଅନ୍ୟପୁରକୁ ଚାଲିଯିବି । ସମୟ ମାଗିବି ନାହିଁ । ଆପତ୍ତି କରିବି ନାହିଁ ।

କଡ଼ ମୋଡ଼େ ସମୟ ।

ପର୍ଶୁରାମ ବାବୁ ଜୀବନର ସେହି ସହଜ ଏବଂ ସୁଖକର ଦିନଗୁଡ଼ାକ ମନେ ପକାନ୍ତି ।

କିଲଟରୀ ଅଫିସରେ ଅଢ଼େଇ ଶହ ଟଙ୍କାର କିରାଣୀ ହୋଇଛି, ସେ ଖୁବ୍‌ଖୁସି ଥିଲେ । ଦିନଗୁଡ଼ା ସୁବିଧା, ଅସୁବିଧା ମଧ୍ୟରେ ସରି ଯାଇଥିଲ ଯେ ସେ ଜାଣି ବି ପାରୁ ନଥିଲେ । ଚାକିରୀଟା ଯେତେବେଳେ ବେଶି ପ୍ରୟୋଜନ ସେତିକିବେଳେ ଯଦି ସରିଯାଉନଥାନ୍ତା, ତା’ହେଲେ ତାଙ୍କ ପରି ଅନେକ ଏତେ ଭୋଗନ୍ତେ ନାହିଁ, ଯନ୍ତ୍ରଣାରେ ଦହଗଞ୍ଜ ହୁଅନ୍ତେ ନାହିଁ । ପଞ୍ଚାବନ ବର୍ଷ ବୟସରେ ଅବସର ନେଲେ । ଅଠାବନ ହବ ହବ ବୋଲି ହଉଥିଲା, ଅଠାବନ ଦେଖିବା ପାଇଁ ହାତରେ ସମୟ ରହିଲା ନାହିଁ । ବୟସଟା ଯେ ପ୍ରତିଦିନ ବଢ଼େ ଏକଥା ସେ ଜାଣୁଥିଲେ ବି ଅବସର କଥା ଦିନେ ହେଲେ ଭାବି ନଥିଲେ । ବୟସର ବଳ ତାଙ୍କୁ ବେପାରୁଆ କରି ଦେଇଥିଲା । କେବେ ଅବସର ନେବେ ନଭାବି କେତେ ଶୀଘ୍ର କାମଗୁଡ଼ା କରିପାରିବେ, ସେଇ ଯୋଜନାରେ ବ୍ୟସ୍ତ ରହୁଥିଲେ ସେ । ଅବସର ନବାଦିନଯାଏ ସେ ଫାଇଲ ଦେଖୁଥିଲେ, ଶୀଘ୍ର ଫଏସଲା କରିବାପାଇଁ ଅଫିସରଙ୍କ ପାଖକୁ ନୋଟ ଲେଖି ପଠାଇ ଦେଉଥିଲେ ।

ନିଜର ବିଦ୍ୟା ବୁଦ୍ଧି ଖର୍ଚ୍ଚ କରି କାମ କରୁଥିଲେ ପର୍ଶୁରାମ । ନିଜର ସମସ୍ତ ଶକ୍ତି ଖଟାଇ ନିଷ୍ଠାର ସହିତ କାମ କରୁଥିଲେ । ସକାଳୁ ସନ୍ଧ୍ୟା ଫାଇଲ ଭିତରେ ପୃଥିବୀରେ କେତେ ସମସ୍ୟା ଏବଂ ସମାଧାନ, ଅସଂଖ୍ୟ ଚରିତ୍ରର ବେଚିତ୍ୟମୟ କାହାଣୀ ଏବଂ କେତେ ଆଶା ଓ ଦୀର୍ଘଶ୍ୱାସ ଭିତରେ ସେ ବି ବୁଡ଼ି ରହୁଥିଲେ । ଦିନ ଦଶଟାବେଳେ ଅଫିସକୁ ଆସି, କେତେବେଳେ ପାଞ୍ଚଟା ବାଜି ଯାଉଥିଲା । ଜାଣିବାପାଇଁ ଡ଼େରିହୋଇ ଯାଉଥିଲା । ସେଥିପାଇଁ ଘରକୁ ଫେରିବାବେଳକୁ ସାତଟା ବାଜି ଯାଉଥିଲା । ଫାଇଲ ପଢ଼ିବାବେଳେ ସଂପୃକ୍ତ ଘଟଣାରୁ ପ୍ରଧାନ ନାୟକ ସହିତ ସେ ଏକାତ୍ମହୋଇ ତାହାରି ଭାଷା ବୁଝୁଥିଲେ ଏବଂ କହୁଥିଲେ, ଜଟିଳ କେସ୍‌ ଗୋଟେ ସମାଧାନ ହୋଇନପାରି ଦିନଦିନ ପଡ଼ି ରହିଲେ ଅସ୍ଥିର ଅଶାନ୍ତି ମନରେ ସେ ଦଶରଥ ବଡ଼ବାବୁ ଏବଂ ବଡ଼ ସାହେବଙ୍କ କୋଠରୀକୁଯାଇ ଦେଖି ଆସୁଥିଲେ । ଫାଇଲଟାର ସମାଧାନ ହେଲା କି ନାହିଁ ଏବଂ ମନକୁ ମନ କହୁଥିଲେ, ଏତେ ବିଳମ୍ବ କାହିଁକି ? ଏତେ ଅନ୍ୟାୟ ମଣିଷ ସହିଛି କିପରି ? ଅନ୍ଧାର ପରେ ଆଲୁଅ ଆସିବା ପାଇଁ ଏତେ ଅପେକ୍ଷା କରିବାକୁ ହୁଏ କାହିଁକି ?

ଆଜି କିନ୍ତୁ ଆଲୁଅ ପାଇଁ ଅପେକ୍ଷାଟା ଅନନ୍ତ ଯୁଗର ଅପେକ୍ଷା ପରି ପ୍ରତୀତ ହଉଥିଲା । ମାସକୁ ଦେଢ଼ଶହ ଟଙ୍କାର ପେନସନ ପାଇଁ ଅଧର ଉତ୍କଣ୍ଠାର ସହିତ ଅପେକ୍ଷା କରିବାକୁ ହୁଏ । ତାପରେ ତିନି ଚାରିଦିନ ବି ଯାଏ ନାହିଁ, ପୁଣି ଅପେକ୍ଷା, ପୁଣି ପେନ୍‌ସନ ପାଇବା ଅଧୀର ଆଗ୍ରହ । ମାସଟା ପୂର୍ବେ କେଡ଼େ ଚଞ୍ଚଳ ଶେଷ ହୋଇ ଯାଉଥିଲା । ଏବେ ଦିନଟାଏ ଶେଷହବା ପାଇଁ ଏତେ ଡେରି ।

ପର୍ଶୁରାମ ବାବୁଙ୍କ ସଞ୍ଚୟ ଖାତାରେ ସେପରି କିଛି ନଥିଲେ ବି ଘରଟିଏ ବହୁ କଷ୍ଟରେ ତୋଳିଥିଲେ । ମାଟିଘର । ଟାଇଲ ଛାତ । ତିନିବର୍ଷ ପୂର୍ବେ ଦୁର୍ଗାପୂଜା ବେଳକୁ ଚୂନ ପଲସ୍ତରା କରିଥିଲେ ଯେ ତାହା ମଇଳା ପଡ଼ିଗଲାଣି । ଠାଏ ଠାଏ ପିଲାଏ କଅଣ ସବୁ ଲେଖିଛନ୍ତି । କେଉଁଠାରେ ବା ଛାତରୁ ଗଳିଥିବା ବର୍ଷା ପାଣିର ଦାଗ । ଯାହେଉ ଗଛତଳେ ତ ଆଶ୍ରା ନେଇ ନାହାନ୍ତି । ପୃଥିବୀରେ ଏତେ ବଡ଼ ଭାଗ୍ୟ କେତେଜଣଙ୍କର ଅଛି ?

ଦେଢ଼ଶହ ଟଙ୍କା ଅଣ୍ଟେ ନାହିଁ । ଗାଆଁରେ ତିନିମାଣ ଜମି ଥିଲା । ବର୍ଷକୁ ମାଣେ ମାଣେ ବିକ୍ରୀ କରି ଦେଇଥିଲେ ଚାକିରୀରୁ ଅବସର ନବାପରେ । ଆଉ ହାତରେ ଗୁଣ୍ଠେ ବା ବିଶ୍ୱେ ନାହିଁ । କଳା ଡ଼ିହ ଖଣ୍ଡକ ପଡ଼ି ରହିଛି କେବଳ । ପତୃପୁରୁଷର ଭିଟାମାଟି ମାୟା ହୁଏ ବୋଲି ବିକି ପାରିନାହାନ୍ତି ।

ପର୍ଶୁରାମ ବାବୁ ସେହି ଅନ୍ଧାର ଭିତରେ ଜୁଳୁଜୁଳିଆ ପୋକର ଆଲୋକ ପରି କଅଣ ଦେଖି ଚମକି ପଡ଼ି ମନେ ପକାନ୍ତି ସୁପର୍ଣ୍ଣା କଥା । ସୁପର୍ଣ୍ଣାର ବୟସଟା ଖୁବ୍‌ବଢ଼ି ଯାଉଚି ଯେପରି । ଏଡ଼େ ଶୀଘ୍ର ସେ କେମିତି ଶାଳଗଜା ପରି ବଢ଼ି ଉଠିଲା, ତାହା ଦେଖି ସେ ଆଶ୍ଚର୍ଯ୍ୟ ହେଲେ । ସେଇ ଅନ୍ଧାର ଭିତରେ ଖଟ ଉପରୁ ଉଠି କବାଟ ଖୋଲି ପିଲାମାନେ ଶୋଇଥିବା କୋଠା ଭିତରକୁ ଗଲେ । ଯଦି ସେ ନ ଜାଣୁଥିଲେ ଯେ ସେମାନେ ନିରୁଦ୍‌ବେଗ ମନରେ ଶୋଇଥିବେ, ତଥାପି କାହିଁକି ଯେ ସେମାନଙ୍କୁ ଦେଖି ଆସିବାପାଇଁ ଇଚ୍ଛା ହେଲା ତାହା ବୁଝି ପାରିଲେ ନାହିଁ ।

ଅନ୍ଧାର ଭିତରେ ବେଳେ ବେଳେ ବେଶି ଦେଖାଯାଏ । ତାଙ୍କର କାହିଁକି ମନେ ହେଲା ଯେ ସୁପର୍ଣ୍ଣା ସେଠାରେ ନାହିଁ । ଆଲୁଅ ଜାଳିବା ପାଇଁ ସାହସ ହେଲା ନାହିଁ । ହାତ ବଢ଼ାଇ ଅଣ୍ଡାଳିଲେ । ସୁକାନ୍ତ ଏକା ଶୋଇଥିଲା । ତା ଦେହରେ ହାତ ବାଜିବାରୁ ସେ ଚମକି ପଡ଼ିଲା ବୋଧ ହୁଏ, କିନ୍ତୁ ତା ପିଠିରେ ହାତ ବୁଲାଇ ଦେଇ କହିଲେ ପର୍ଶୁରାମ, ଶୋଇପଡ଼, ଶୋଇପଡ଼ ।

ସୁକାନ୍ତ ଶୋଇ ପଡ଼ିଲା, କିନ୍ତୁ ସୁପର୍ଣ୍ଣା କେଉଁଠାରେ ଶୋଇଥିଲା ସେ ବିଷୟରେ ସେ ତାକୁ କିଛି ପଚାରି ପାରିଲେ ନାହିଁ । ଛାତି ଭିତରର ସ୍ପନ୍ଦନ ଦୃଢ଼ତର ହେଲା ଏବଂ ରାତିର ସେହି ନୀରବତାରେ ସେ ନିଜ ହୃଦୟର ସ୍ପନ୍ଦନ ନିଜେ ଶୁଣିପାରିଲେ । ତା’ପରେ ଧିରେ ଧିରେ ସାବିତ୍ରୀଙ୍କ ପାଖକୁ ଆସିଲେ । ତାଙ୍କର ନିଦ ହୁଏ ନାହିଁ ରାତିରେ । କେତେ ଶୋଇବେ ! ଦିନ ରାତି ଶୋଇ ଶୋଇ ଦିନ ଓ ରାତିର ଫରକଟା ଜଣାପଡ଼େ ନାହିଁ । ତଥାପି ସେ ସ୍ୱାମୀଙ୍କୁ ଆସି ପାଖରେ ଛିଡ଼ା ହବାର ଅନୁମାନ କରି କହିଲେ, ନ ଶୋଇ ଭୂତ ପରି ଅନ୍ଧାର ଭିତରେ ଅଣ୍ଡାଳି ହଉଚ କାହିଁକି ? ପର୍ଶୁରାମ କହିଲେ, ପିଲାମାନେ ନିରାପଦରେ ଶୋଇଛନ୍ତି କି ନାହିଁ ଦେଖୁଥିଲି । ଟିକେ ତୀକ୍ଷ୍‌ଣ କଣ୍ଠରେ କହିଲେ, ସାବିତ୍ରୀ, ସବୁ କଥା ଜାଣିବା ପାଇଁ ଏତେ ଚେଷ୍ଟା କର କାହିଁକି ? ସବୁ ବିଷୟରେ ଏତେ ଆଗ୍ରହ କାହିଁକି ଦେଖାଅ ? ପିଲାମାନଙ୍କ କଥା ପିଲାମାନେ ବୁଝିବେ । ତୁମେ ଶୋଇପଡ଼–

ପର୍ଶୁରାମ ବାବୁ ଭାବିଲେ ଯେ ସାବିତ୍ରୀ ବୋଧହୁଏ ସବୁ ଜାଣନ୍ତି । ତଥାପି କହିଲେ ନା, ନା, ସେମାନେ ଶୋଇଛନ୍ତି କି ନାହିଁ ଦେଖୁଥିଲି । ଗୋଟେ ଦୁଃସ୍ୱପ୍ନ ଦେଖି ମନଟା ଅଶାନ୍ତ ହୋଇ ଉଠିଥିଲା ।

ଦୁଃସ୍ୱପ୍ନ ସାବିତ୍ରୀ ବି ଦେଖନ୍ତି; କିନ୍ତୁ କାହାକୁ କହିବେ, କିଏ ଶୁଣିବ । ସମଗ୍ର ଜୀବନଟା ଏକ ଦୁଃସ୍ୱପ୍ନ ପରି ମନେହୁଏ । ପକ୍ଷାଘାତ ରୋଗୀପରି ଶୋଇଥିବା ରାସ୍ତାକଡ଼ର ପୃଥୀବୀଟାକୁ ଉଠାଇ ଦେଇ ପଚାରିବାକୁ ଇଚ୍ଛା ହୁଏ, ଆଉ ଏଇ ରାସ୍ତାରେ କାହାକୁ ଯିବାର ଦେଖିଚ, ସେ କେତେ ଆଗରେ ଅଛି ଜାଣିଚ ।

ପର୍ଶୁରାମ ସାବିତ୍ରୀଙ୍କୁ କହିଲେ, ତୁମେ ଶୋଇବାକୁ ଚେଷ୍ଟା କର । ନିଦ ହେଲେ ଟିକିଏ ଆରାମ ପାଇବ ।

ସାବିତ୍ରୀ କହିଲେ, ତୁମେ ଶୁଣି ପାରୁନ, କିଏ ଡାକିଲା ଯେପରି ।

ପର୍ଶୁରାମ କହିଲେ, ଏତେ ରାତିରେ ଡାକିବ କିଏ ? ରାତି ଗୋଟେ ହେବ ପ୍ରାୟ ।

ସାବିତ୍ରୀ କହିଲେ, ରାତି ବାଆରଟାରୁ ଗୋଟାକ ଭିତରେ ସେ ଫେରି ଆସେ । ଯାଅ, ଦରଜା ଖୋଲିଦିଅ ।

ସବୁ ସ୍ପଷ୍ଟ ହୋଇ ଆସିଲେ ବି ପର୍ଶୁରାମ ସାହସ କରି ଆଉ କିଛି ପଚାରି ପାରିଲେ ନାହିଁ । ସତ କଥାଟାକୁ ବେଳେ ବେଳେ ଜାଣିବା ପାଇଁ ଇମିତି ଭୟ ହୁଏ । ସେ ଆଉ କିଛି ନକହି ଦରଜା ଖୋଲିଦେଲେ ।

ଅନ୍ଧାର ଭିତରେ ସୁପର୍ଣ୍ଣା ପରି କିଏ ଜଣେ ଧୀରେ ଧୀରେ ଘର ଭିତରେ ଅଦୃଶ୍ୟ ହୋଇଗଲା ।

ସାବିତ୍ରୀ ପଚାରିଲେ, ଖାଇଛୁ ?

ସେ କିଛି ଉତ୍ତର ଦେଲା ନାହିଁ ।

ସୁପର୍ଣ୍ଣା !

ପର୍ଶୁରାମ ଆଲୁଅ ଲଗାଇବା ପାଇଁ ଦିଆସିଲି ଖୋଜିଲେ । ତାଙ୍କୁ ବାରଣ କରି କହିଲେ ସାବିତ୍ରୀ, ଆଲୁଅ କାହିଁକି ? ଝିଅର ବାହାଘର ହଉନାହିଁ ଯେ ଆଲୁଅ ଜାଳିବ । ଅନ୍ଧାରର ବି ଆଖି ଅଛି । ଚୁପ ହୋଇ ଶୋଇପଡ଼ ।

ପର୍ଶୁରାମ ନିର୍ବାକ ହୋଇ ଖଟ ଉପରେ ବସି ପଡ଼ିଲେ ।

ଆସନ୍ତା କାଲି ମହାସପ୍ତମୀ ।

ସକାଳ ହେଲେ ଜାଗି ଉଠିବ ସବୁଜ ପୃଥିବୀ ଜଗତ୍‌ଜନନୀଙ୍କୁ ବରଣ କରିବା ପାଇଁ ।

ସେ ଚାକିରୀ କଲାଦିନୁ ଦୁର୍ଗାପୂଜା ଆରମ୍ଭ କରିଥିଲେ । ଦୁଇତିନି ଶହ ଟଙ୍କା ଖର୍ଚ୍ଚ କରି ଆଡ଼ମ୍ବର ସହକାରେ ପୂଜା କରୁଥିଲେ । ଦଶ କୋଡ଼ିଏ ଜଣ ସାଙ୍ଗ ସାଥୀଙ୍କୁ ନିମନ୍ତ୍ରଣ କରି ଖୁଆଉଥିଲେ । ଚାକିରୀ ଶେଷ ହୋଇଯିବା ପରେ ଏସବୁ ଆଉ ନାହିଁ । ଫଳେ ପୁଷ୍ପେ କୌଣସି ପ୍ରକାରେ ପୂଜାଟି ଚଳାଇ ନିଅନ୍ତି । ତଥାପି ବର୍ଷର ଏଇ ପାଞ୍ଚଟି ଦିନକୁ ଅଧୀର ଆଗ୍ରହର ସହିତ ଅପେକ୍ଷା କରନ୍ତି । ଷଷ୍ଠିଠାରୁ ଦଶମୀ । ଏଇ ପାଞ୍ଚଦିନ ସେ ଅନ୍ୟ ରକମ ହୋଇଯାଆନ୍ତି, ହଜିଲା ଦିନ ଗୁଡ଼ା ମନେ ପଡ଼େ, ଦେହର ଶକ୍ତି, ମନର ସଜୀବତା ଫେରି ଆସେ ।

କାଲି ସପ୍ତମୀ ବୋଲି ତାଙ୍କର ମନେ ନଥିଲା । ଷଷ୍ଠୀ ପୂଜା ଅଲଗା ନକରି ସପ୍ତମୀ ଦିନ ଏକାସାଙ୍ଗରେ କରିବେ ବୋଲି ଆଗରୁ ମନସ୍ଥ କରିଥିଲେ । ଆଶ୍ଚର୍ଯ୍ୟ ହେଲେ ପର୍ଶୁରାମ କିପରି ସବୁ ପାସୋରି ଗଲେ ବୋଲି । ଆଜି କାଲି ଅନେକ କଥା ଇମିତି ପାଶୋରି ଯାଆନ୍ତି । ଭୁଲି ଯାଆନ୍ତି ଅନେକ କିଛି ।

କୋଡ଼ିଏ ବର୍ଷ ପୂର୍ବ ଦିନେ ଏଇ ସପ୍ତମୀ ଦିନ ସୁପର୍ଣ୍ଣା ଜନ୍ମ ହୋଇଥିଲା । ସେଥିପାଇଁ ସେଇ ଦିନଟା ବେଶ୍‌ମନେପଡ଼େ ତାଙ୍କର । ହଠାତ୍‌ କାହିଁକି ଏବଂ କିପରି ସେହି ଦିନଟାକୁ ଭୁଲିଗଲେ ସେ କିଛି ଠିକ୍‌ କରିପାରିଲେ ନାହିଁ ।

ସକାଳ ହେଲେ ବାଜା ବାଜିବ, ଶଙ୍ଖ ଶବ୍ଦ ଭାସି ଆସିବ । ଆନନ୍ଦ କଳରୋଳରେ ପୁର ଓ ପରିବାର ପୂରି ଉଠିବ । ଏବର୍ଷ ସେ କିଛି ଆୟୋଜନ କରି ପାରିବେ ନାହିଁ । ବେଲ ବରଣ ଷଷ୍ଠୀଦିନ ହୋଇ ପାରିଲା ନାହିଁ । ଷଷ୍ଠୀ ଓ ସପ୍ତମୀର ପୂଜା ଏକା ସାଙ୍ଗରେ କରିବେ ବୋଲି ଆଗରୁ ସ୍ଥିର କରିଥିଲେ । ଖର୍ଚ୍ଚ କିଛି କମିଯିବ । ଆଗରୁ ଗାଆଁରୁ ଚୁଡ଼ା, ଚାଉଳ ଆସୁଥିଲା । ଆଉ ସେ ସବୁ କିଛି ନାହିଁ । ଜମି ବିକ୍ରୀ ହୋଇଯାଇଚି, ହାତରେ ପୁଞ୍ଜି ଶେଷ ହୋଇଯାଇଛି । ମାସକୁ ମାତ୍ର ଦେଢ଼ଶହ ଟଙ୍କା ସମ୍ବଳ । ସମଗ୍ର ପୃଥିବୀର ଓଜନ ଯିମିତି କାନ୍ଧ ଉପରେ ଝୁଲୁଥିଲା ଏୟା ଅନୁଭବ କଲେ ପର୍ଶୁରାମ ।

ସୁପର୍ଣ୍ଣା ଶୋଇପଡ଼ିଲା କି ବସିଥିଲା କିଛି ଜାଣି ପାରିଲେ ନାହିଁ । କାନ ପାତି ଶୁଣିବାକୁ ଚେଷ୍ଟା କଲେ । ତା ପାଖକୁ ଯାଇ ପଚାରିବାକୁ ଇଚ୍ଛା ହେଲା, ଏତେ ରାତିଯାଏ କୋଉଠି ଥିଲୁ, କଅଣ ଖାଇଲୁ, ଆସିଲୁ କିମିତି ? କିନ୍ତୁ କୌଣସି ଶବ୍ଦ ଶୁଭିଲା ନାହିଁ କାନକୁ । ତାଙ୍କ ପ୍ରଶ୍ନର ଉତ୍ତର ନୀରବତାହିଁ ଦେଲା ବୋଧ ହୁଏ । ସେ ଅସ୍ଥିର ହୋଇ ଉଠିଲେ ।

ସୁପର୍ଣ୍ଣାକୁ ପିଲାଦିନେ ସେ ଗୀତ ଓ ନାଚ ଶିଖାଇଥିଲେ । ସେ ଦୁଇଥର ଭଞ୍ଜ ଜୟନ୍ତୀରେ ସାରା ଓଡ଼ିଶାରେ ଓଡ଼ିଶୀ ନୃତ୍ୟରେ ପ୍ରଥମ ହୋଇ କପ୍‌ ପାଇଥିଲା । ଝିଅକୁ ଦେଖାଇ ଗର୍ବ କରି କହୁଥିଲେ ପର୍ଶୁରାମ, ଏଇ ମୋର ବଡ଼ ପୁଅ । ସୁକାନ୍ତଟା ସିନା ଛୋଟ, ସୁପର୍ଣ୍ଣା ତ ନୁହେଁ-। ପୁଅ ପରି ଝିଅ ବି ଘରର ସମ୍ପଦ । ଲୋକେ ସଞ୍ଚୟ କଲେ ବ୍ୟାଙ୍କରେ ଜମା ରଖନ୍ତି । ମୋର ବ୍ୟାଙ୍କ ଏଇ ସୁପର୍ଣ୍ଣା ଏବଂ ସୁକାନ୍ତ ।

ସୁପର୍ଣ୍ଣା ତାଙ୍କ ହାତକୁ ଯେଉଁଦିନ ଶହେଟଙ୍କାର ଗୋଟିଏ ନୋଟ ବଢ଼ାଇ ଦେଲା ସେ ଅବାକ୍‌ହୋଇ ଯାଇଥିଲେ । ଆନନ୍ଦ ଓ ବିସ୍ମୟରେ ସବୁ କଥା ଭୁଲି ଯାଇ କେବଳ କହିଥିଲେ, ଶହେଟଙ୍କା ! ମୋ ପେନ୍‌ସନ୍‌ସଙ୍ଗେ ପ୍ରାୟ ସମାନ ।

ସୁପର୍ଣ୍ଣା ତାଙ୍କୁ ଭରସା ଦେଇ କହିଥିଲା, ଆହୁରି ବେଶି ଦେବେ ବୋଲି କହିଚନ୍ତି । ନୂଆ ନୂଆ ଟିକେ ଅସୁବିଧା ହବ ବାପା, ପରେ ଦେହସୁହା ହୋଇଯିବ । ଦୁଇଟିପିଲାଙ୍କୁ ପଢ଼ାଇବା ପାଇଁ ଆଉ ଅଧିକ ଟଙ୍କା କିଏ ଦବ ଯେ ?

ପର୍ଶୁରାମ ସଦିନ ଗଦ୍‌ଗଦ୍ ହୋଇ ନିଜକୁ ନିଜେ ସାହସ ଦେଇ କହିଥିଲେ, ଆଉ ତ ଉପାୟ ନଥିଲା । ମା’ ଅସମର୍ଥ । ମୁଁ ଘର ଚଳାଇବାପାଇଁ ଅକ୍ଷମ । ପେନ୍‌ସନ୍‌ଟଙ୍କାଟା ପ୍ରାୟ ଔଷଧ ଖର୍ଚ୍ଚକୁ ନିଅଣ୍ଟ । ଭଲ ହେଲା, ଘରେ ନବସି ତାଙ୍କ ଘରେ ଦୁଇଘଣ୍ଟା ବସିବୁ । ବାପ ବୟସର, ବଡ଼ ଭଲ ଲୋକ । ପ୍ରକୃତ ବଡ଼ ଲୋକମାନେ ଭଲ ଲୋକ, ଏକଥା ମନେ ରଖିବୁ ମା’ ।

ସୁପର୍ଣ୍ଣା ତା ପରଦିନଠାରୁ ଶ୍ରୀକାନ୍ତ ଚୌଧୁରୀଙ୍କର ଦୁଇଟି ପିଲାଙ୍କୁ ପଢ଼ାଇବାର ଦାୟିତ୍ୱ ନେଇଥିଲା ଏବଂ କର୍ତ୍ତବ୍ୟ ପାଳନ କରିବାରେ ଅନୁରକ୍ତି ଏବଂ ନିଷ୍ଠା ଢାଳି ଦେଇଥିଲା ।

ଦିନେ ଅଧେ ଶ୍ରୀକାନ୍ତ ଚୌଧୁରୀ ନିଜ ଗାଡ଼ିରେ ତାକୁ ଆସି ଘରେ ଛାଡ଼ି ଦେଇ ଯାଉଥିଲେ । ସୁପର୍ଣ୍ଣା ଓହ୍ଲାଇ ପଡ଼ି ତର ତର ହୋଇ ଦିନେ ଚାଲିଯିବାର ଦେଖି ସେ ଟିକେ ବିରକ୍ତ ହୋଇଥିଲେ । ଶ୍ରୀକାନ୍ତ ଚୌଧୁରୀଙ୍କୁ ସମୀହ କରି କହିଥିଲେ, ଟିକେ ଲାଜୁଆ । କମ୍‌କଥା କୁହେ, କିନ୍ତୁ ଅମାନ୍ୟ ନୁହେଁ, ଅସାଧ୍ୟ ନୁହେଁ । ସଦିନ ଶ୍ରୀକାନ୍ତ ଚୌଧୁରୀ ଟିକେ ହସିଦେଇ କହିଥିଲେ, ନା, ନା ଭଲ ଝିଅ । ବେଶ୍‌ ଶାନ୍ତ, ସୁବୋଧ ।

ଝିଅର ପ୍ରଶଂସା ଶୁଣି ସେଦିନ ପାଦ ଆଉ ତଳେ ଲାଗିଲା ନାହିଁ ପର୍ଶୁରାମ ବାବୁଙ୍କର । ସେ ଲମ୍ବ ଲମ୍ବ ପାଦ ପକେଇ ଘର ଭିତରକୁ ପଶିଯାଇ କହିଥିଲେ, ଏଡ଼େ ବଡ଼ ଝୁଅ, ହେଲେ କଅଣ ହବ, ବୁଦ୍ଧି ନାହିଁ । ନିଜେ ଚୌଧୁରୀ ମହାଶୟ ଆସିଥିଲେ । ଇମିତି ସୁଯୋଗ ମିଳେ ? ବସିବାପାଇଁ ଟିକେ କହିଲୁନି ?

ସୁପର୍ଣ୍ଣା ତାଙ୍କ ମୁହଁକୁ ଚାହିଁ କଅଣ କହିବ କହିବ ବୋଲି ଚେଷ୍ଟାକରି ବି ଭରସି କରି କହିପାରି ନଥିଲା । ସାବିତ୍ରୀ ସେଦିନ ତାଙ୍କୁ ଦୋଷ ଦେଇ କହିଥିଲେ, ଝିଅକୁ ଦୋଷ ଦଉଚ ଯେ ତୁମେ କଅଣ କରୁଥିଲ ? ତୁମର ଅକଲ ଟିକିଏ ହେଲା ନାହିଁ, ତାଙ୍କୁ ଘର ଭିତରକୁ ଡାକି ଆଣିବା ପାଇଁ । ବଡ଼ଲୋକ । ଆମ ଘରେ ପାଦ ନ ପକାଇ ଚାଲିଗଲେ...।

ସେଦିନର କଥାଗୁଡ଼ା କେଜାଣି କାହିଁକି ବାରମ୍ବାର ମନେ ପକେଇଲେ ପର୍ଶୁରାମ ବାବୁ ଏବଂ ତାପରେ ଝିଅକୁ ଉତ୍ସାହ ଦେଲେ ଏବଂ ସେ କାହିଁକି ଲପଲବ୍‌ଧି କଲେ ଯେ ଝିଅ ତାଙ୍କ ଉତ୍ସାହ ପାଇଁ ଅପେକ୍ଷା ନକରି ବହୁଦୂର ଆଗେଇ ଯାଇଥିଲା ।

ସୁପର୍ଣ୍ଣା ଆଉ ଛୋଟ ନୁହେଁ । ତା ପାଇଁ ସେ କିନ୍ତୁ କିଛି କରିପାରି ନ ଥିଲେ । ବୟସ ହେଲା, ବିଭା ଦେଇପାରିଲେ ନାହିଁ । ବରଂ ବାପ ହୋଇ ବିବାହ ପ୍ରସ୍ତାବ ଆସିଲେ ଅନ୍ୟ ପ୍ରସଙ୍ଗକୁ ଚାଲିଗଲେ । ବିଭାଦେଲେ ଚଳିବି କିପରି ? ପେନ୍‌ସନ୍‌ ଟଙ୍କାରେ ଏତେ ବଡ଼ ଘର ଚଳିବ ? ସାବିତ୍ରୀଙ୍କୁ ତ ତଣ୍ଟିଚିପି ହତ୍ୟା କରି ପାରିବେ ନାହିଁ । ବଳ ବୟସ ଥିବାଯାଏଁ ସେ ସବୁ କରୁଥିଲେ, ଅଳିଅନ୍ଧଳି ସମ୍ଭାଳୁଥିଲେ ଏବଂ ନିଜକୁ ପଳ ପଳ କରି ଆହୁତି ଦେଇ ଏବଂ କ୍ଷୟ କରି ଅନ୍ୟମାନଙ୍କୁ ପୂର୍ଣ୍ଣ କରିବା ପାଇଁ ଅବିରାମ ଉଦ୍ୟମ କରୁଥିଲେ । ଆଜି ସେ ଅକ୍ଷମ, ଅସମର୍ଥ । ଖୁଆଇ ଦେଲେ ଖାଆନ୍ତି, କଡ଼ ଲେଉଟାଇବା ପାଇଁ ସାହାଯ୍ୟ ଦରକାର ହୁଏ । ତାଙ୍କୁ ବଞ୍ଚାଇ ରଖିବା ପାଇଁ ହବ । ସୁକାନ୍ତ ଯଦି ପାଠ ପଢ଼ି ମଣିଷ ହୁଏ, କିନ୍ତୁ ସେତେବେଳ ଯାଏ ସମୟ ତ ଅପେକ୍ଷା କରି ବସି ରହିବ ନାହିଁ । ସମୟର ଦାବୀ ଅଛି ।

ସେ କାହାରି ଦାବୀ ପୂର୍ଣ୍ଣ କରିପାରିଲେ ନାହିଁ । ଅସହାୟ ବ୍ୟକ୍ତିପରି କେବଳ ହାୟ ହାୟ କରିବାକୁ ଲାଗିଲେ ।

ସୁପର୍ଣ୍ଣା ଶୋଇଥିଲା କି ନାହିଁ କେଜାଣି, ଆଲୁଅ ନ ଜାଳି ଅନ୍ଧାର ଭିତରେ ଉଁକି ମାରି ଦେଖିଲେ ପର୍ଶୁରାମ । ଏତେବେଳେ ଭୁରୁ ଭୁରୁ ସୁଗନ୍ଧ ଆସି ନାକରେ ବାଜିଲା । ଏମିତି ସୁବାସ ଆଉ କେବେ ନାକରେ ବାଜି ନଥିଲା । ନାକଟା ଲମ୍ବିଗଲା । ସୁପର୍ଣ୍ଣା ଏତେ ଦାମିକା ଅତର କେଉଁଠାରୁ ପାଏ ବୋଲି ମନକୁ ମନ ବାରମ୍ବାର ପ୍ରଶ୍ନ କଲେ । ଶହେ ଟଙ୍କାର ଟିଉସନ କରି ଏସବୁ କିଣେ କିପରି ? ମାସ ନ ପୁରୁଣୁ ତାଙ୍କ ହାତକୁ ଆଉ ଦୁଇ ତିନିଶହ ଟଙ୍କା ଉଠାଇ ଦିଏ କିପରି ? ଏହା ପରେ ପୁଣି ନୂଆ ନୂଆ ଶାଢ଼ୀ ସାୟା, ସେମିଜ ଅଛି । କିଏ ଏବଂ କୋଉଥି ପାଇଁ ତାକୁ ଟଙ୍କା ଦିଏ ?

ଏତେଗୁଡ଼ାଏ ପ୍ରଶ୍ନ କିପରି ଯେ ତାଙ୍କ ମନରେ ଏଯାଏ ଜାଗି ନଥିଲା ସେଥିପାଇଁ ସେ ଆଶ୍ଚର୍ଯ୍ୟ ହୋଇଗଲେ । ଆଜି ସବୁ ପ୍ରଶ୍ନଗୁଡ଼ା ଏକାବେଳେ ଚମକି ଉଠିଲେ ମନ ଭିତରେ । ସେ କେବଳ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଗଲେ, ଉତ୍ତର ପାଇଲେ ନାହିଁ । ଆଉ କେହି ଶୁଣୁବା ନଶୁଣୁ ଉତ୍ତର ନିଜକୁ ଦବାକୁ ହବ । ପୃଥିବୀରେ କନ୍ୟାର ପିତା ହୋଇ ଜୀବନର କେତେ ଅଭିଜ୍ଞତା ସଞ୍ଚୟ କରି ମଧ୍ୟ କେତେଗୁଡ଼ିଏ ସରଳ ସତ୍ୟକୁ ସେ କିପରି ଭୁଲିଯାଇ ପାରିଲେ, ଏକଥା ଆଜି ମନକୁ ଆସିଲା । ଉତ୍ତର ଦବା ପାଇଁ ବଳ ନଥିଲା ଆଉ, ବରଂ ପ୍ରଶ୍ନଗୁଡ଼ାକର ଲମ୍ବା ବେକକୁ ମୋଡ଼ି ଦେଇ ନୀରବ କରିଦେବା ପାଇଁ ଚେଷ୍ଟା କଲେ ପର୍ଶୁରାମ ।

ସୁପର୍ଣ୍ଣାର ବିଛଣା ଆଡ଼କୁ ହୁଏତ ପାଦ ବଢ଼ାଉଥିଲେ; କିନ୍ତୁ ଚାପା ସ୍ୱରରେ କହିଲେ ସାବିତ୍ରୀ, କିଛି ନଜାଣିଲା ପରି ଏତେ ବେଲି କାଢ଼ନି । ତାକୁ ଆକଟ କଲେ ଦାନା ମୁଠେ ମିଳିବ ନାହିଁ । ଚାରି ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଆହାର ଦଉଚି ସେ । ଭଗବାନ ଆମ ଡାକ ଶୁଣିଲେ ନାହିଁ । ସେ ଶୁଣୁଚି । ଏଇ ପୋଡ଼ା କପାଳରେ ଆଉ ଦେଖିବାକୁ କିଛି ବାକୀ ରହିଲା ? ସବୁ ଦେଖିବାପାଇଁ, ସବୁ ସହିବା ପାଇଁ ପଡ଼ି ରହିବାକୁ ହବ । ପାପ ସହଜରେ ତ କ୍ଷୟ ହୁଏନାହିଁ ।

ଏତେଗୁଡ଼ାଏ କଥା କହିସାରି ଯେପରି ଦମ୍‌ନବା ପାଇଁ ରହିଗଲେ ସାବିତ୍ରୀ । ତାଙ୍କ ଖଟ ପାଖକୁ ଆସି ଖଟ ଧାରରେ ବସି ପଡ଼ିଲେ ପର୍ଶୁରାମ । ତା’ପରେ ଧୀରେ ଧୀରେ କହିଲେ, ତୁମେ ଜାଣିଚ ସବୁ ?

ସାବିତ୍ରୀ ଉତ୍ତର ନଦେଇ ଅନ୍ୟପ୍ରସଙ୍ଗ ଆଣି କହିଲେ, କାଲି ପରା ସପ୍ତମୀ । କାନ୍ଥ ପାଖରେ ଯେଉଁ ଥଳିଟା ଅଛି ଦେଖ ସେଥିରେ କଣ ଅଛି.....କଅଣ ଆଣିଚି ।

ପର୍ଶୁରାମ ବାବୁଙ୍କ ହାତଯୋଡ଼ିକ ଲମ୍ବିଗଲା ସେଇଆଡ଼େ । ଥଳିଟାକୁ ଉଠାଇ ଆଣି ଗୋଟି କରି ବାହାର କଲେ ସବୁ । ଅନ୍ଧାର ଭିତରେ ଅନୁଭବ ଦ୍ୱାରା ଜାଣିବା ପାଇଁ କଷ୍ଟ ହେଲାନି ତାଙ୍କୁ । ସୁପର୍ଣ୍ଣା କାହାରି କଥା ଭୁଲିନାହିଁ । ସେ ପୂଜାର ସରଞ୍ଜାମ ସହିତ ତାଙ୍କପାଇଁ ଧୋତି, ସାବିତ୍ରୀଙ୍କ ପାଇଁ ଶାଢ଼ୀ, ଭାଇ ପାଇଁ ପେଣ୍ଟ ଜାମା ଆଣି ରଖି ଦେଇଚି ।

ସହସା ପର୍ଶୁରାମଙ୍କ ଆଖିଯୋଡ଼ିକ ସଜଳ ହୋଇ ଆସିଲା, କଣ୍ଠ ପୂରି ଉଠିଲା ।

ଦୁର୍ଗାପୂଜା ତ ଆଉ ବନ୍ଦ ହବ ନାହିଁ । ଗରିବ ହୋଇଗଲେ ବି ମନ ଅଛି । ମାଆର ପୂଜା ଫଳେ ପୁଷ୍ପେ କଲେ ବି ଫଳ ମିଳେ । ପରମହଂସଙ୍କ କଥା ମନେ ନାହିଁ ତୁମର ? କହିଲେ ସାବିତ୍ରୀ-

ପର୍ଶୁରାମ ବାବୁ ଦୁର୍ଗାପୂଜା କଥା, କିନ୍ତୁ ଭୁଲି ଯାଇଥିଲେ । ସେ ସାହସ ପାଇ କହିଲେ, ମୋର ମନେ ନଥିଲା । ଡର ଲାଗୁଥିଲା ମନେ ପକାଇବା ପାଇଁ । ଚାକିରୀ ଆରମ୍ଭ କଲା ବର୍ଷ ଆରମ୍ଭ କରିଥିଲି ।

ସାବିତ୍ରୀ କହିଲେ; ତୁମେ ସିନା ଭୋଳା ମହାଦେବ, ସେ କିନ୍ତୁ ସମସ୍ତଙ୍କ କଥା ମନେ ରଖିଛି ।

ପର୍ଶୁରାମ ବେଦନା ଜଡ଼ିତ ସ୍ୱରରେ କହିଲେ, ଏତେ ଟଙ୍କା କିଏ ଦିଏ ? ଏତେ ଜିନିଷ ଟିଉସନକରି କିପରି ଆଣେ ସୁପର୍ଣ୍ଣା ?

କହିଦେଇ ନିଜ ପାଖରେ ନିଜେ ଛୋଟ ହୋଇଗଲା ପରି ମନେ କଲେ ପର୍ଶୁରାମ । ଅନେକ ସମୟରେ ଉତ୍ତରଟା ମୁହଁ ଦେଇ କହିବାକୁ ପଡ଼େ ନାହିଁ, ଆପେ ଆପେ ମୁହଁରୁ ବାହାରି ଆସେ । ଯେଉଁ ପ୍ରଶ୍ନ ଏବଂ ଯାହାର ଉତ୍ତରଗୁଡ଼ାକୁ ଏଡ଼ିଯିବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ ସେଗୁଡ଼ା ଏଭଳି ନିର୍ମମ, ନିଷ୍ଠୁର ଭାବରେ ତାଙ୍କ ମୁହଁ ଉପରେ ଢେଉ ଭାଙ୍ଗିବେ ବୋଲି ସେ କଅଣ ଜାଣିଥିଲେ ?

ସାବିତ୍ରୀ କହିଲେ, ବାପ ହୋଇଛ କିନ୍ତୁ ବାହା ନ ହେଲା ପରି କଥା କହୁଚ ।

ପର୍ଶୁରାମ ବିମୂଢ଼ ହୋଇ ସେଇ ଅନ୍ଧାର ଭିତରେ ପଥ ଅଣ୍ଡାଳିବାକୁ ଚେଷ୍ଟା କଲେ ।

ସାବିତ୍ରୀ ପୁଣି କହିଲେ, କାଲି ମହାସପ୍ତମୀ । ବେଲ ବରଣ କରି ପୂଜା ଆରମ୍ଭ କର । ସକାଳୁ ସକାଳୁ ସବୁ ସଜାଡ଼ି ନବ ।

ପର୍ଶୁରାମଙ୍କର ସର୍ବାଙ୍ଗ ଶୀତେଇ ଉଠିଲା । ତାଙ୍କ ତୁଣ୍ଡରୁ ଗୋଟିଏ କଥା ବାହାରି ପାରିଲା ନାହିଁ । ସେ ବଡ଼ ଅସ୍ୱସ୍ତି ଅନୁଭବ କଲେ । ତାପରେ ଧୀରେ ଧୀରେ ଯାଇ ନିଜର ଖଟ ଉପରେ ଶୋଇବା ପାଇଁ ଚେଷ୍ଟା କଲେ ।

ଆଗପରି ଆଉ ଆଜିକାଲି ନିଦ ହୁଏନାହିଁ । ବୟସ ହୋଇଚି । ଆଖିରେ ନିଦ ନଥାଇ ଅନେକ ସମୟ ଶୋଇ ରହନ୍ତି କେବଳ । ଦୁଇଟା ବାଜିଲା । ବାହାରୁ ଝରକାର ଫାଙ୍କ ଦେଇ ଅଶିଣ ରାତିର ଶୀତଳ ପବନ ପଶି ଆସିଲା ଘର ଭିତରକୁ ।

ସେ ଶୋଇ ପଡ଼ିଲେ ।

ଜୀବନ ପରି ସ୍ୱପ୍ନ କେଡ଼େ ଅଦ୍ଭୁତ, କେତେ ବିଚିତ୍ର । କେତେ କଥା ଧରାଦିଏ ଅଚେତନ ମାନସ ପଟରେ ।

ଦଳ ଦଳ ହୋଇ ଲୋକ ଆସୁଥିଲେ ମେଳା ଦେଖିବାପାଇଁ । ଭୁବନେଶ୍ୱର ଅଶୋକାଷ୍ଟମୀ ରଥଯାତ୍ରା । ସେଇ ମେଳା ଭିଡ଼ରେ ହଜିଗଲା ସୁପର୍ଣ୍ଣା । ବହୁ ଚେଷ୍ଟା କଲେ ତାକୁ ଠାବ କରିବ ପାଇଁ । ସବୁ ଚେଷ୍ଟା ବ୍ୟର୍ଥ ହେଲା । ସୂପର୍ଣ୍ଣା କିନ୍ତୁ ମିଳିଲା ନାହିଁ ।

ଅଶୋକାଷ୍ଟମୀର ରଥ ଆଗେଇ ଆସୁଥିଲା । ହରିବୋଲ ଦେଇ ଲୋକେ ମହା ଉତ୍ସାହର ସହିତ ଟାଣୁଥିଲେ ରଥର ଦଉଡ଼ି । ରଥ ଦଉଡ଼ୁଥିଲା । ରଥର ଚକତଳେ ପଡ଼ିଯିବା ଆଗରୁ କିଏ ଟାଣିନେଲା ଯେପରି । ତା’ପରେ ସେ ହଠାତ୍‌ ଦେଖିଲେ ଯେ ଭିଡ଼ ଭିତରୁ ଅଲଗା ହୋଇଯାଇ ଗୋଟେ ନୂଆ ଚକ୍‌ଚକିଆ ନୀଳ ମୋଟରଗାଡ଼ି ଭିତରେ ଚାଲିଗଲେ ସୁପର୍ଣ୍ଣା ଏବଂ ଶ୍ରୀକାନ୍ତ ଚୌଧୁରୀ । ସୁପର୍ଣ୍ଣାର ମଥା ଝୁଲି ପଡ଼ିଥିଲା ଚୌଧୁରୀଙ୍କ କାନ୍ଧ ଉପରେ । ପଛରୁ ଡାକିଲେ ପର୍ଶୁରାମ, ସୁପର୍ଣ୍ଣା କିନ୍ତୁ ଶୁଣିପାରିଲା ନାହିଁ । ଗାଡ଼ିଟା ଅଦୃଶ୍ୟ ହୋଇଗଲା ସାମ୍ନାରେ ।

ନିଦ ଭାଙ୍ଗିଗଲା ।

ଦୂରରୁ ପାହାନ୍ତରେ ସ୍ୱର ସହିତ ମିଶାଇ ଭାସି ଆସୁଥିଲା ଆକାଶବାଣୀରୁ ପ୍ରଚାର କରାଯାଉଥିବା ଚଣ୍ଡୀସ୍ତବ । ହାତଯୋଡ଼ି ନମସ୍କାର କଲେ ପର୍ଶୁରାମ । ବିଳମ୍ବ ହୋଇଗଲା ବୋଧହୁଏ । ମହାସପ୍ତମୀ ପୂଜାର ସବୁ ଆୟୋଜନ ଏ ଯାଏ ହୋଇନାହିଁ । ଫୁଲ, ଫଳ ଆଣିବାକୁ ହେବ । ଧୂପ, ଦୀପ, ନୈବେଦ୍ୟର ବ୍ୟବସ୍ଥା ଆବଶ୍ୟକ । ହଠାତ୍‌ ତାଙ୍କର ମନେ ପଡ଼ିଲା ଯେ ଦେବୀଙ୍କର ମହାସ୍ନାନ ପାଇଁ ସବୁ ଉପକରଣ ଏଯାଏ ଆସିନାହିଁ ।

ସାଗର ଜଳ, ଶିଶିର ଜଳ, ଗଙ୍ଗାଜଳ...ସପ୍ତମୃତ୍ତିକା । ରାତିର ଏଇ ଶେଷ ଯାମରେ କୁଆଡ଼େ ଯିବେ ବେଶ୍ୟା ଦ୍ୱାରା ମୃତ୍ତିକା ସଂଗ୍ରହ କରିବାପାଇଁ । ସହରର ଉପକଣ୍ଠରେ କେତକୀ ସାହି । ସେଠାରେ ପର ପୁରୁଷକୁ ରଞ୍ଜେଇ ଦବା ପାଇଁ ହସରେ ଲହରୀ ଓ ମୁହଁରେ ଭଉଁରୀ ଫୁଟେ-। ଏତେ ବାଟ ଯିବାବେଳକୁ ସକାଳ ହୋଇଯିବ ।

ତଥାପି ବାହାରି ପଡ଼ିଲେ ପର୍ଶୁରାମ । ଅନ୍ଧାର ଏହି କାମ ପାଇଁ ସହଜ । ଚାଦର ପକେଇ ଦେହଟାକୁ ଡାଙ୍କିଦେଲେ । ସଡ଼କ ଉପରକୁ ଉଠିଲା ବେଳକୁ ପାହାନ୍ତିଆ ତାରାମାନେ ମୁଚୁମୁଚୁ ହସୁଥିଲେ ।

ବୁଲା କୁକୁର ଗୋଟେ ଭୁକି ଭୁକି ପଥକାଟି ଚାଲିଗଲା ।

ହଠାତ୍‌ କଅଣ ଭାବି ଆଉ ଆଗକୁ ନଯାଇ ପଛକୁ ଫେରିଲେ ପର୍ଶୁରାମ । ଅନ୍ଧାର କଟି ଯିବାକୁ ଆରମ୍ଭ କରିଥିଲା ।

ବଡ଼ ଅଡ଼ୁଆରେ ପଡ଼ିଲେ ପର୍ଶୁରାମ । କେତକୀ ସାହି ଅନେକ ଦୂରରେ । ସେଠାରୁ ବେଶ୍ୟାଦ୍ୱାର ମୃତ୍ତିକା ଆଣିବା ପାଇଁ ଆଉ ସମୟ ନାହିଁ ହାତରେ । କେଉଁଠୁ ଆଣିବେ ମୃତ୍ତିକା । ଦେବୀଙ୍କ ମହାସ୍ନାନ ହବ କିପରି ? ସାହିର ସବୁ ଘରର ଲୋକେ ଏହି ସମୟରେ ସଚେତନ, କାଳେ କିଏ ଘର ସାମ୍ନାରୁ ମାଟି ଉଠାଇ ନବ । ପ୍ରତ୍ୟେକ ଘର ସାମ୍ନାରେ ଚାଲିଗଲା ବେଳେ ଆବାଜ ଶୁଣିଲେ ପର୍ଶୁରାମ । ଲୋକମାନେ ଜଗି ବସିଥିଲେ । ନିରାଶ ହେଲେ ସେ ।

ପୂର୍ବର ଆକାଶ ପରିଷ୍କାର ହୋଇ ଆସୁଥିଲା । ସମୟ ଉତ୍ତୀର୍ଣ୍ଣ ହୋଇଯାଉ ଥିଲା, ଦେବୀଙ୍କର ମହାସ୍ନାନର ଉପକରଣ ଏଯାଏ ଯୋଗାଡ଼ ହୋଇପାରିଲା ନାହିଁ । ହଠାତ୍‌ସ୍ଥିର ହୋଇ ଛିଡ଼ା ହୋଇଗଲେ ପର୍ଶୁରାମ । ତାପରେ ସତର୍କ ଦୃଷ୍ଟି ଦ୍ୱାରା କିଏ କାଳେ ତାଙ୍କ ଉପରେ ନଜର ରଖିଚି କି ନାହିଁ ଦେଖିନେଲେ ।

ସାମ୍ନାରେ ନିଜ ଘର । ଟାଇଲ ଘରଟା ଶ୍ରାନ୍ତ କ୍ଳାନ୍ତ ହୋଇ ଶୋଇଥିଲା । ସେ ପୁଣି ଥରେ ଚାରିଆଡ଼କୁ ଚକିତ ନୟନରେ ଚାହିଁ ନେଇ ହଠାତ୍‌ ନଇଁ ପଡ଼ି ନିଜ ଘର ଦ୍ୱାର ମୁହଁରୁ ପୁଳାଏ ମାଟି ଉଠାଇ ନେଲେ ।

କାହାର ଅସ୍ପଷ୍ଟ ଚିତ୍କାର ଭାସି ଆସିଲା ଘର ଭିତରୁ । ଚମକି ପଡ଼ିଲେ ପର୍ଶୁରାମ ।

ଆଉ ବିଳମ୍ବ ନକରି ତରତର ହୋଇ ଦରଜା ଠେଲି ଭିତରକୁ ପଶିଯିବା ବେଳେ ସେ ଦେଖିଲେ ଯେ ଦରଜାର ଟିକିଏ ଦୂରରେ ଅନ୍ଧାରୁଆ କୋଣରେ ଛିଡ଼ା ହୋଇଥିଲା ସୁପର୍ଣ୍ଣା ।

ସେ ତାଙ୍କ ଛାତି ଉପରେ ଲୋଟି ପଡ଼ି ବାହୁନି ଉଠିଲା, ଶେଷରେ ଏୟା କଲ, ଆମ ଘରଦ୍ୱାର ପାଖରୁ ମହାସ୍ନାନ ପାଇଁ ମାଟି ଉଠାଇ ନେଲ ବାପା !

ବିସ୍ମୟବିମୂଢ଼ ହୋଇ ଛିଡ଼ା ହୋଇ ରହିଲେ ସେ । ତା’ପରେ ସେହି ସ୍ତବ୍‌ଧତା ନରମି ଆସିଲା । ସୁପର୍ଣ୍ଣାକୁ ଛାତି ଉପରେ ଜାକି ଧରି ବାଷ୍ପାକୁଳ କଣ୍ଠରେ କହିଲେ ପର୍ଶୁରାମ, ଦେବୀଙ୍କର ମହାସ୍ନାନରେ ଏଇ ମାଟିର ପ୍ରୟୋଜନ ହୁଏ ମା । ଡ଼େରିରେ ଶୋଇଥିଲି । କେତକୀ ସାହିକୁ ଯିବାପାଇଁ ଆଉ ସମୟ ପାଇଲି ନାହିଁ ।

ସଙ୍କୁଚିତ ହୋଇ ଆସୁଥିବା ପର୍ଶୁରାମଙ୍କ ଛାତି ଉପରେ ମଥା ରଖି କେବଳ ବାହୁନି ବାହୁନି କାନ୍ଦୁଥିଲା ସୁପର୍ଣ୍ଣା ।

ଅପୁ

ଘଣ୍ଟି ବାଜିବା ଆଗରୁ ଉଠି ବସେ ଅପୁ । ମୁହଁ ହାତ ଧୋଇ ସେ ଚାଲିଯାଏ ବଗିଚା ଭିତରକୁ । ସକାଳର ଶୀତଳ ପବନ, ପାଖ ଗଛରୁ ଉଡ଼ି ଯାଉ ଥିବା ପକ୍ଷୀର କୁଜନ ଏବଂ ନରମ ଆଲୋକର ପ୍ରଥମ ସ୍ପର୍ଶ ବଡ଼ ଭଲ ଲାଗେ ତାକୁ । ଆହୁରି ଭଲ ଲାଗେ ସକାଳର ଫୁଲମାନଙ୍କୁ ଦେଖିବାପାଇଁ, ଜୁଇ, ମଲ୍ଲୀ, ରଜନୀ ଗନ୍ଧା ଓ ଆହୁରି ଅନେକ । ରାତିର ତପସ୍ୟା ପରେ ସିଦ୍ଧିଲାଭ କରି ସମସ୍ତେ ଯେପରି ଉଷାର ପ୍ରଥମ ଆଲୋକକୁ ବରଣ କରି ନବାପାଇଁ ଚଞ୍ଚଳ ହୋଇ ଉଠନ୍ତି । ଅପୁ ବି ଚଞ୍ଚଳ ହୁଏ । ଶୀଘ୍ର ଶୀଘ୍ର ଏପାଖରୁ ସେପାଖ ବୁଲି ଆସି ଆମ୍ବଗଛ ମୂଳେ ସିମେଣ୍ଟ ବେଞ୍ଚ ଉପରେ ବସିପଡ଼ି ନୂଆହୋଇ ମଞ୍ଜୁରୁଥିବା ରକ୍ତାଭ କିଶଳୟମାନଙ୍କୁ ଲକ୍ଷକରେ । ମୁଗ୍‌ଧ ହୁଏ ସେ-। ପୃଥିବୀର ଚାରିଆଡ଼େ ରାଗ ଓ ରଙ୍ଗର ସୁଷମା, ତା ମନ ଭିତରେ ଅନୁପମ ଆନନ୍ଦର ମେଳା-। ସେ ପ୍ରଭୁଙ୍କୁ ପ୍ରଣାମ କରେ ଫାଦର କହିଥିବା କଥା ସ୍ମରଣ କରି କହେ, ହେ ପରମ ପିତା, ଏ ସୃଷ୍ଟି କେଡ଼େ ସୁନ୍ଦର ଓ ସରସ, ମୋତେ ବି ସୁନ୍ଦର କର ପ୍ରଭୁ । ମୁଁ ବି ଯୋଗ୍ୟ ହୁଏ, ତୁମ ସୃଷ୍ଟିର ଛନ୍ଦରେ ମୁଁ ବି ବିଶ୍ୱର ପଦଧ୍ୱନି ଶୁଣେ ।

ଏହାର ସବୁ ଅର୍ଥ ବୁଝେନାହିଁ ଅପୁ । କିନ୍ତୁ ଏତିକି ବୁଝେ ଯେ, ଏପରି ଆଉ କେହି ଜଣେ ଅଛନ୍ତି, ଯାହାଙ୍କର ନିର୍ଦ୍ଦେଶରେ ଫୁଲଫୁଟେ, ପବନ ବହେ, ପକ୍ଷୀମାନେ ଉଡ଼ନ୍ତି ଏବଂ ଆଲୋକ ପୃଥିବୀ ଉପରେ ଅବତରଣ କରେ । ସେ ପରମ ପିତା, ଅଖିଳର କର୍ତ୍ତା ଏବଂ ସମସ୍ତ ଶକ୍ତିର ମୂଳାଧାର ।

ଅପୁ ଆଉ ଭାବେନାହିଁ । ଆଖି ଆଗରେ ଫୁଟିଥିବା ରଜନୀଗନ୍ଧାକୁ ଲକ୍ଷ୍ୟ କରେ, ପକ୍ଷି ଝାଡ଼ି ଉଡ଼ି ଯାଉଥିବା ପକ୍ଷିକୁ ଅନାଇ ରହେ ।

ସେ କେବେ ଏହି ଆଶ୍ରମକୁ ଆସିଲା ତାର ମନେ ନାହିଁ, କିଏ ତାକୁ ଆଣି ଏଠାରେ ଛାଡ଼ିଦେଇ ଗଲା ସେ ଜାଣେ ନାହିଁ । ତାର ଟିକେ ଟିକେ ବୁଝିବାର ଶକ୍ତି ହେଲାଦିନୁ ସେ ଦେଖି ଆସିଛି ଫାଦରଙ୍କୁ ଏହି ଆଶ୍ରମରେ ଏବଂ ଏହି ଆଶ୍ରମରେ ଥିବା ଅନ୍ୟମାନଙ୍କୁ । ସମସ୍ତେ ଗୋଟିଏ ପରିବାରର ଲୋକ । ଅପୁ ଗର୍ବ ଅନୁଭବ କରେ ମନରେ,; ଫାଦରଙ୍କ କରୁଣା ଓ ସ୍ନେହ ପାଇଁ ଅବନତ ହୁଏ ।

ସେଣ୍ଟ ଫ୍ରାନସିସ୍‌ଙ୍କ ଗପ ଶୁଣାଇ ଦିନେ କହିଥିଲେ ଫାଦର, ପ୍ରକୃତି ସହିତ ନିଜକୁ ମିଶାଇ ଦେଇଥିଲେ ସେହି ଋଷି । ପ୍ରକୃତିର କୋଳରେ ନିଜକୁ ନିଃସଙ୍କୋଚ ଓ ନିର୍ଦ୍ଦଦ୍ୱନ୍ଦରେ ଛାଡ଼ିଦେଇ ପ୍ରକୃତି ଓ ମଣିଷର ସମନ୍ୱିତ ଜୀବନ ଧାରାରେ ଶୁଣୁଥିଲେ କେବଳ ଅଫୁରନ୍ତ ଆନନ୍ଦର ଧ୍ୱନୀ । ଗୀର୍ଜାର ପ୍ରାଙ୍ଗଣରେ ପକ୍ଷୀମାନଙ୍କୁ ଆହାର ଦେଇ ସେମାନଙ୍କର କିଚି ମିଚିର ଶବ୍ଦ ଶୁଣି ଶୁଣି ସେମାନଙ୍କ କଥା ସେ ବୁଝୁଥିଲା ପରି କାହକୁ ଆଉଁସି ଦେଉଥିଲେ କାହାର ପକ୍ଷୀରେ ଲାଗିଥିବା ଭଙ୍ଗା କାଠିଟିକୁ ବାହାର କରି ଦଉଥିଲେ, ଆଉ କାହାକୁ ଉଡ଼ିବା ପାଇଁ ସାହାଯ୍ୟ କରିବାକୁ ଯାଇ ହାତ ଟେକି ଉପରୁ ଉଠାଇ ଦେଇ କରତାଳି ଦେଇ ଛୋଟ ଶିଶୁ ପରି ଖୁସିରେ ନାଚୁଥିଲେ । ସେହି ପକ୍ଷିମାନେ ଥିଲେ ତାଙ୍କର ପ୍ରେରଣାର ଉତ୍ସ, ସେମାନଙ୍କ ମଧ୍ୟରେ କାହାରି ଦେହରେ କ୍ଷତହେଲେ, କେହି ବାର୍ଦ୍ଧକ୍ୟ ଯୋଗୁ ଅକ୍ଷମ ହୋଇ ଆସିଲେ ସେ ବୁଝି ପାରୁଥିଲେ, ସେମାନଙ୍କୁ କୋଳ ଉପରେ ରଖି ସେମାନଙ୍କର ସେବା କରି ଧିରେ ଧିରେ ନରମ ସ୍ୱରରେ କହୁଥିଲେ, ତୋତେ କହୁଥିଲିନା ଝଡ଼ ସମୟରେ ସାବଧାନ ହବୁ ବୋଲି, ତୁ କିନ୍ତୁ ମୋ କଥା ମାନିଲୁ ନାହିଁ, ଆଉ ଜଣକୁ କହିଲେ, ତୋତେ ମନା କରିଥିଲି ରାତିରେ ବାହାରକୁ ନ ବାହାରି ଗଛର କୋଟର ଭିତରେ ଶୋଇବୁ ଦେହକୁ ଉଷୁମ କରିବା ପାଇଁ, କିଛି ତୁ କଥା ନମାନି ବରଫ କେତେ ପଡ଼ିଛି ଦେଖିବା ପାଇଁ ବାରମ୍ବାର ବାହାରକୁ ଆସିଲୁ । ହଉ ହଉ ଆଉ ଏପରି ହବ ନାହିଁ । ଟିକେ ସାବଧାନ ହବ । ମୋ କଥା ମନେ ପକେଇବ, ଆହତ ପକ୍ଷିର ଡେଣାରେ ଔଷଧ ଲଗାଇ ଦବାପରେ ତାକୁ ତା ବସା ପାଖରେ ଛାଡ଼ିଦେଇ କହୁଥିଲେ, ଆଜି ଆଉ ଯାଆନା କାହିଁ । ବିଶ୍ରାମ କର, କାଲିକୁ ସବୁ ଠିକ୍ ହୋଇଯିବ । ଛୋଟ ପକ୍ଷି ଶାବକକୁ କୋଳରେ ବସାଇ କହୁଥିଲେ, ତୁ ବଡ଼ହେଲେ ଏଇ ବିରାଟ ସଂସାରକୁ ଦେଖି ମୁଗ୍‌ଧ ହୋଇଯିବୁ, ଚାରିଆଡ଼େ ଆଲୋକ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କୋଳାହଳ ଶୁଣି ପରମ ପିତାଙ୍କ କଥା ସ୍ମରଣ କରିବୁ, କାରଣ ସେ ସବୁ ସୃଷ୍ଟିର ଉତ୍ସ, ସବୁ ଆଧାରର ମୂଳାଧାର ।

ସେଣ୍ଟଫ୍ରାନସିସଙ୍କର ଛବି ମନେ ପଡ଼ିଲା ଅପୁର । ସେ ସ୍ମରଣ କଲା ଫାଦର କହିଥିବା ତାଙ୍କର ପ୍ରାର୍ଥନାର ମନ୍ତ୍ର । ସକାଳର ସ୍ନିଗ୍‌ଧ ପରିବେଶରେ ସେ ସିମେଣ୍ଟ ବେଞ୍ଚ ଉପରେ ଆଣ୍ଠୁ ମାଡ଼ି ବସି ପ୍ରାର୍ଥନା କଲା ।

ହେପରମ ପିତା !

ହେ ପ୍ରଭୁ ଯେଉଁଠାରେ ଅନ୍ଧକାର

ସେଠାରେ ଆଲୋକ ଭାବରେ

ସନ୍ଦେହ ସ୍ଥାନରେ ବିଶ୍ୱାସ ଭାବରେ

ଦୁଃଖ ସ୍ଥାନରେ ଆନନ୍ଦ ଭାବରେ

ଘୃଣା ସ୍ଥାନରେ ପ୍ରେମ ଭାବରେ

ଦ୍ୱନ୍ଦ ସ୍ଥାନରେ ଐକ୍ୟ ଭାବରେ

ଏବଂ ହତାଶା ସ୍ଥାନରେ ଆଶା ଭାବରେ

କାର୍ଯ୍ୟ କରିବା ପାଇଁ ମୋତେ ତୁମର

ଅସ୍ତ୍ର ଭାବରେ ବ୍ୟବହାର କର ।

ହେ ପରମ ପିତା !

ମୁଁ ତୁମର, କେବଳ ତୁମର ।

ଅରୁ ହୁଇସିଲ ବଜାଇଲା ତିନିଥର । ଡ୍ରିଲ କରିବାର ସମୟ ହୋଇଗଲା ବୋଲି ତର ତର ହୋଇ ପଡ଼ିଆକୁ ଦଉଡ଼ିଲା ଅପୁ । ସକାଳେ ଡ୍ରିଲ କଲେ ଦେହ ଓ ମନ ସତେଜ ହୁଏ । ସ୍ୱାସ୍ଥ୍ୟ ଭଲ ରହେ ବୋଲି ଫାଦର କହନ୍ତି । ସେ ପ୍ରତିଦିନ ଠିକ୍ ସମୟରେ ପଡ଼ିଆରେ ଉପସ୍ଥିତ ହୋଇ ଡ୍ରିଲ୍‌କରେ । ଅନ୍ୟପିଲାମାନେ ବି ଜମା ହୁଅନ୍ତି ସେଠାରେ । ସମସ୍ତଙ୍କ ଦେହରେ ଏକପରି ପୋଷାକ ! ହାଫ୍‌ଧଳା ପ୍ୟାଣ୍ଟ୍‌ ଓ ଗେଞ୍ଜି । ଖାଲି ପାଦ । ଫାଦର କହନ୍ତି ଖାଲି ପାଦରେ ସକାଳେ ପୃଥିବୀକୁ ସ୍ପର୍ଶ କଲେ ଈଶ୍ୱର ସହ୍ୟକରିବାର ଶକ୍ତି ଶିଖାଇ ଦିଅନ୍ତି । ପୃଥିବୀ ଏତେ ଭାର ବହନ କରି ବି ଦବିଯାଇ ନାହିଁ, ଦେହ ଉପରେ ଏତେ ଆଘାତ ସହି ମଧ୍ୟ ମରିଯାଇ ନାହିଁ, ବରଂ ତାକୁ ଖୋଳି ତାଡ଼ି ତା ଭିତରୁ ରତ୍ନ ଆହରଣ କରି ଜୀବନକୁ ସୁଷମା ମଣ୍ଡିତ କରିଛି ମଣିଷ ।

ଏକ, ଦୁଇ, ତିନି.....

ତାଳଦେଇ ଡ୍ରିଲ କରୁଥିଲେ ପିଲାମାନେ । ଆଶ୍ରମର ପ୍ରାୟ ଦୁଇଶହ ବାଳକ ବାଳିକା ସୂର୍ଯ୍ୟୋଦୟ ପୂର୍ବରୁ ଡ୍ରିଲ କରନ୍ତି ସମବେତ ଭାବରେ । ଫାଦର ପାଖରେ ଛିଡ଼ାହୋଇ ଶିଖାଇ ଦିଅନ୍ତି, କେହି ଭୁଲ କଲେ ବତାଇ ଦିଅନ୍ତି ।

ନୂଆ ହୋଇ ପିଲାଟିଏ ଆସିଥାଏ । ନାମ ତାର ଅନୁ । ହାତ ସିଧା ହଉ ନଥାଏ ।

ଫାଦର ତା ହାତ ଦୁଇଟିକୁ ସିଧା କରିଦେଇ କହିଲେ, ତୋ ସାମ୍ନାରେ ଅପୁ ଛିଡ଼ା ହୋଇଛି, ସେ ଯେପରି କରୁଛି, ସେପରି କର, ମନଯୋଗୀ ହେଲେ ଆଉ ଭୁଲ ହେବନାହିଁ ।

ଅପୁ ଆହୁରି ସୁନ୍ଦର ଭାବରେ ଡ୍ରିଲ କଲା । ଫାଦର ଚାଲିଗଲା ପରେ ଫିସ୍‌ ଫିସ୍‌ କରି କହିଲା, ମୁଁ ବି ଆଗେ ଭୁଲ କରୁଥିଲି, ଚେଷ୍ଟା କଲେ ବି ହାତ, ପାଦ ସିଧା ହଉ ନଥିଲା । ଏବେ କିନ୍ତୁ ବେଶ୍‌ ପାରୁଛି । ଭୁଲ ସମସ୍ତଙ୍କର ହୁଏ । ତୁ ମୋ ପରି କରିବାକୁ ଚେଷ୍ଟା କର, ‘ମୁଁ ତୋତେ ସାହାଯ୍ୟ କରିବିଫାଦର ବଡ଼ ଦୟାଳୁ, ସେ ତୋତେ ଶିଖେଇ ଦେବେ ଯେ ।

ଅପୁ ଅଳ୍ପ କେତେ ଦିନ ମଧ୍ୟରେ ଅନୁର ଆପଣାର ହୋଇଯାଇଥିଲା । ଆଶ୍ରମକୁ ଆସୁଥିବା ପରିଚୟହୀନ ଶିଶୁମାନେ ପରସ୍ୱରର ସାନ୍ନିଧ୍ୟ ପାଇ, ଆଶ୍ରମର ଶୃଙ୍ଖଳା ସହଯୋଗ ଏବଂ ଫାଦରଙ୍କର ସ୍ନେହାଶୀଷ ପାଇ ବଢ଼ି ଉଠୁଥିଲା ଗୋଟିଏ ଗୋଟିଏ ଅଭିନ୍ନ ବ୍ୟକ୍ତିତ୍ୱ ନେଇ ଭିନ୍ନତାର ସ୍ୱର ହଜିଯାଇ ଏକତାର ପ୍ରଣବ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ଶାଳଗଜା ଏବଂ ଅପୁପରି କେତେ ପିଲାଙ୍କର ହଜିଯାଇଥିବା ପରିଚୟ ଫେରିଆସେ ପୁଣି ନୂତନ ପରିଚୟ ନେଇ ।

ସେହିଦିନ ଟିକିଏ ସମୟ ପାଇ ବାଉଁଶ ବଣ ପାଖରେ ଏକୁଟିଆ ବସି ଛାଡ଼ି ଆସିଥିବା ସ୍ନେହ ସ୍ନିଗ୍‌ଧ ସଂସାରର କଥା ମନେପକାଇଲା ଅନୁ ।

ଅପୁ ତାକୁ ଏକୁଟିଆ ବସିଥିବାର ଦେଖି ପାଖକୁ ଆସି କହିଲା, ଏକା ଏକା ମନ ମାରି ବସିଛୁ ଯେ.....

ଅନୁ କାନ୍ଦି ପକେଇଲା ପଦେ ମନଛୁଆଁ ମିଠା କଥା ଶୁଣି ।

ତା କାନ୍ଧ ଉପରେ ହାତ ରଖି କହିଲା, ଅପୁ, ତୋତେ କିଏ କିଛି କହିଲା, କାନ୍ଦନା ଭାଇ, ଫାଦର ଜାଣିଲେ ମନ କଷ୍ଟ କରିବେ । ନୂଆ ହୋଇ ଆସିଛୁ ବୋଲି ମନ ଖରାପ ହଉଛି, କିଛିଦିନ ରହିଲେ ସବୁ ଦେହସୁହା ହୋଇଯିବ । ମୁଁ ତୋ ପାଖେ ପାଖେ ଅଛି, ଅସୁବିଧା କିଛି ହଉନି ତ !

ଅନୁ ଆଖିରୁ ବହି ପଡ଼ୁଥିଲା ଲୁହ । ନିଜ ହାତରେ ପୋଛି ଦେଇ କହିଲା ଅପୁ ଆମେ ତୋର କେତେ ସାଙ୍ଗ, ଆମ କଥା ମନେପକା ଅନୁ, ସାଙ୍ଗ ହୋଇ ଖେଳିବା, ବୁଲିବା, ପଢ଼ିବା, ଦୁଃଖ କି ?

ଅନୁ ବୁଝାଇପାରେ ନାହିଁ ଅପୁର ସାନିଧ୍ୟ ପାଇ କହେ, ବାପା ବଞ୍ଚିଥିଲେ ମୋତେ ଛାଡ଼ିଥାଆନ୍ତେ ? ମା’ ର ଉପାୟ ନଥିଲା, ଖାଇବା ପାଇଁ ଘରେ ଥିଲାନି କିଛି, କଅଣ ଖାଇ ବଞ୍ଚିନ୍ତା ଯେ.....

ବାପା, ମା ନଥାନ୍ତୁ, ଫାଦର ଅଛନ୍ତି ପ୍ରବୋଧ ଦିଏ ଅପୁ ।

କିଛି ସମୟ ପରେ ଅନୁର ମନ, ବଦଳିଯାଏ । ଅପୁ ସାଙ୍ଗରେ ଘେରାଏ ବୁଲି ଆସିଲା ବେଳକୁ ସନ୍ଧ୍ୟାହୁଏ, ହାତମୁହଁ ଧୋଇ ପ୍ରାର୍ଥନା କରିବାକୁ ଚାଲି ଯାଆନ୍ତି ସଭିଏଁ ।

ଅପୁ ସେଦିନ ରାତିରେ ଆଉ ଭଲକରି ଶୋଇ ପାରିଲା ନାହିଁ । ଅନୁର କଥା ମନେ ପଡ଼ିଲା, ମନେ ପଡ଼ିଲା ତା ବାପ ମାଆଙ୍କ କଥା । କିଏ ସେହି ବାପା ମା, ଦେଖିବାକୁ କିପରି ? ବାପା ନାହାନ୍ତି ବୋଲି ଅନୁର ଏତେ ଦୁଃଖ, ମାଆର ସମ୍ବଳ ନାହିଁ ବୋଲି ସେ ଆଶ୍ରମକୁ ଚାଲିଆସିଛି । ବାପା ମାଆ ଥିଲେ, ହୁଏତ ଆସି ନଥାନ୍ତା । ନିଜ ଭାଇଭଉଣୀ ମାନଙ୍କ ସହିତ ଦାଣ୍ଡରେ ଦଉଡ଼ି ଥାଆନ୍ତା, ଗାଁ ସ୍କୁଲରେ ପାଠ ପଢ଼ିସାରି ଗଛଉଠା ଶିଖନ୍ତା, ଘରକୁ ଫେରି ଆସିଲେ ତା’ଦେହରୁ ଧୂଳି ଝାଡ଼ି ମା କହନ୍ତେ, କୋଉ ଆଡ଼େ ଏତେ ବୁଲୁଥିଲୁ ଯେ, ବେଳ ଏତେ ହେଲାଣି, ମୁହଁ କଳାକାଳ ପଡ଼ିଗଲାଣି । ଆ, ବାପା ଖାଇବୁ ଆ । ସେ ତା ବାପ, ମାଆକୁ କେବେହେଲେ ଦେଖିନାହିଁ ସେମାନଙ୍କ ସ୍ନେହ ସୋହାଗ ପାଇନାହିଁ କିମ୍ବା ସେମାନଙ୍କର କଥା ଭାବିପାରି ନାହିଁ ।

ମନଟା ଆକୁଳ ହେଲା ଅପୁର । ବାପା, ମାଆଙ୍କୁ ଚିହ୍ନିବା ପାଇଁ ଓ ଦେଖିବାପାଇଁ ଇଚ୍ଛା ହେଲା ଏବଂ ସେ ସେଇ ଅନ୍ଧାର ଭିତରେ ଖଟ ଉପରେ ବସି ପ୍ରାର୍ଥନା କଲା, ହେ ପରମପିତା, ମୋର ବାପା କାହିଁ, ମୋର ମାଆ କାହିଁ; ମୋତେ ଟିକେ ଚିହ୍ନାଇ ଦିଅ, ମୋତେ ଟିକିଏ ଦେଖାଇ ଦିଅ ।

ଅପୁର, ନିଜକଥା ଭାବିବାପାଇଁ ଇଚ୍ଛା ହୁଏ । ସେ କେବେ ଆଶ୍ରମକୁ ଆସିଲା ମନେ ପକେଇବା ପାଇଁ ଚେଷ୍ଟା କରେ । କିନ୍ତୁ ମନେ ପଡ଼େନି, ଭାବି ବସିଲେ ସବୁ ଗୋଳମାଳ ହୋଇଯାଏ । ହେତୁ ହେଲାଦିନୁ ଏଇ ଆଶ୍ରମ ଭିତରେ ନିଜକୁ ଦେଖି ଆସୁଛି । ଏଇ ଆଶ୍ରମକୁ ଘର ଭାବରେ ବୁଝି ଆସିଛି ଏବଂ ଫାଦର ଯେ ତାର ବାପ ମାଆ ଏସବୁ କଥା କେହି ନ ନେଲେବି ସେ ବୁଝି ପାରିଛି ।

ଫାଦରଙ୍କୁ କେବେ ସେ ନିଜ ବାପ ମାଆ କଥା ପଚାରିନାହିଁ, ପଚାରିବା ଆବଶ୍ୟକତା ମଧ୍ୟ ଅନୁଭବ କରିନାହିଁ । ଆଜି କାହିଁକି ତାର ମନେ ହେଲା ଯେ, ସେ ତାଙ୍କୁ ନିଜ କଥା ପଚାରନ୍ତା, ନିଜବାପା ମାଆ ଭାଇ, ଭଉଣୀ କଥା ତାଙ୍କ ଠାରୁ ଶୁଣି ନିଅନ୍ତା । ହେଲେ ପଚାରିବ ପଚାରିବ ହୋଇ ପଚାରିପାରେ ନାହିଁ ।

ଫାଦରଙ୍କୁ ପଚାରିବା ପାଇଁ ତାଙ୍କ ପାଖକୁ ନାନା କଥାର ଆଳରେ ପାଞ୍ଚ ଥର ଗଲେବି ପଚାରି ନପାରି ଫେରିଆସେ । ମନର କଥା ମନରେ ରହିଯାଏ । ପେଟ ଭିତରଟା ଗୋଳେଇ ଘାଣ୍ଟି ହୁଏ ।

ସେଦିନ ସକାଳର କଥା ମନେ ପଡ଼ିଯାଏ ।

ସକାଳୁ ଉଠି ବଗିଚା ଚାରିପାଖରେ ଥରେ ବୁଲିଆସି ଆମ୍ବଗଛ ମୂଳେ ସିମେଣ୍ଟ ବେଞ୍ଚରେ ବସି ଦେଖିଲା, ଗୋଟିଏ ଛୋଟ ବଣି ଚଢ଼େଇ ଗଛରେ ଥିବା ବସା ଭିତରୁ ତଳେ ଖସି ପଡ଼ିଛି, ଉଠି ନପାରି ଡାକୁଛି ସାହାଯ୍ୟ ପାଇଁ, ସେ ଛୋଟ ପକ୍ଷୀ ଶାବକକୁ ହାତରେ ଉଠାଇ ଆଣି ତା ପକ୍ଷରେ ଲାଗିଥିବା ଧୂଳି ବାଲି ଝାଡ଼ି ଦେଇ ସିମେଣ୍ଟ ବେଞ୍ଚ ଉପରେ ରଖିଲା । ଏତିକିବେଳେ ଆଉ ଗୋଟେ ବଡ଼ ବଣୀ ଚଢ଼େଇ କିଚିର୍‌ କିଚିର୍‌ କରି ଧାଇଁଆସି ପାଖରେ ବସିଲା ଯାଇ, ଛୋଟ ପକ୍ଷୀ ଶାବକଟି ସାହସ ପାଇ ଯୋରରେ ପାଟିକଲା ତ ମା’ ହେବ ତୋ ହୁଏ, ପାଖରୁ ଉଠି ଆସିଲା ଅପୁ । ବଣି ଚଢ଼େଇ ଛୋଟ ଚଢ଼େଇଟିକୁ ପରମ ଯତ୍ନରେ ଉଠେଇ ନେଇ ଉଡ଼ିଗଲା ଗଛ ଉପରକୁ-

ଅଭିଭୂତ ହୋଇଲା ଅପୁ ।

ଅନୁ ଦିନେ କହୁଥିଲା, ତା ମା ତାକୁ ରାତିରେ ନିଦ ପାରି ଦବାପାଇଁ ଗୀତ ଗାଇ ଶୁଆଇ ଦଉଥିଲା ତାକୁ । ତାକୁ କାନ୍ଧରେ ବସାଇ ତା ବାପ ଥରେ ନେଇ ଯାଇଥିଲେ ବଜାରକୁ ସର୍କସ ଦେଖିବାପାଇଁ । ସେଇ ବାପମାଆର କଥା ଭୁଲି ପାରେନା ଅନୁ । ସେମାନଙ୍କୁ ଖୋଜିବାକୁ ଯାଇ ଏକୁଟିଆ ଥିଲେ କାନ୍ଦେ ।

ଆଉ ଦିନକର କଥା ।

କାନ୍ଦିବାକୁ ଇଚ୍ଛାହେଲା ଅପୁର । ଦିନ ହୋଇ ନଥିଲା । ଦିନହବା ଆଗରୁ ବିଛଣା ଛାଡ଼ି ବାହାରକୁ ଯିବାର ନିୟମ ନାହିଁ । ଛଟପଟ ହେଇ ସେ ଭାବିଲା କେବଳ ତାର ବାପ ଆସି ତାକୁ ଦିନେ କାନ୍ଧରେ ବସାଇ ସର୍କସ ନେଇ ଯାନ୍ତେକି, ତା ମା ତାକୁ ଦିନେ ଗୀତ ଗାଇ ନିଦ ପାରି ଦିଅନ୍ତେ କି ।

କିନ୍ତୁ କିଏ ସେହି ବାପା, ମା କେଉଁଠାରେ ରହନ୍ତି ସେମାନେ, ସେମାନଙ୍କର ପରିଚୟ କଅଣ, ନାମ ଠିକଣା କେଉଁଠାରେ, ଦେଖିବାପାଇଁ କିପରି, କଳା କି ଗୋରା, ଲମ୍ବା କି ଗେଡ଼ା, ପତଳା କି ମୋଟା, ଯାହା ହେଲେବି ତାର ମାଆ ବାପ ସତରେ କେଡ଼େ ଭଲ, କେଡ଼େ ସୁନ୍ଦର ହୋଇ ନଥିବେ ସତେ । ବାପା ମାଆ ପରି ଆଉ କିଏ ହବ, ବାପ ମାଆ ପରି ଆ କିଏ ତା କଥା ଭାବିବ ?

ଫାଦର ଭାବନ୍ତି । ସେ ଅନାଥାଶ୍ରମରେ ସାତବର୍ଷ ରହିଛି ବୋଲି ଫାଦର କୁହନ୍ତି । ତା ଆଗରୁ କେଉଁଠି ଥିଲା ବୋଲି ଦିନେ ଫାଦରଙ୍କୁ ପଚାରିବାରେ ସେ ହସିଦେଇ କହିଥିଲେ, ଈଶ୍ୱରଙ୍କର ରାଜ୍ୟ କଥା ଶୁଣିଛୁ ଅପୁ, କେଡ଼େବଡ଼ ସେ ରାଜ୍ୟ, କେତେ ପବିତ୍ର ସେହି ସ୍ଥାନ, ସବୁୠତୁରେ ସେଠାରେ ଫୁଲ ଫୁଟେ, ଦୁଃଖ ସୁଖ ବଦଳରେ ମଣିଷ ସେଠାରେ ଅମୃତର ଶିଶୁ ହୋଇ ଅମର ହୋଇଯାଏ, ସେଇଠି.....ସେଇଠି ତୁ ଥିଲୁ ଅପୁ ।

ଅବାକ ହୋଇ ଶୁଣିଥିଲା ଅପୁ । ସେହିଦିନୁ ସେହି ପରମପିତାଙ୍କର ସେଇ ମନୋରମ ରାଜ୍ୟକୁ ଦେଖିବାପାଇଁ ନୀରବରେ କେତେଥର ପ୍ରାର୍ଥନା କରିଥିଲା । ସକାଳେ ବଗିଚାରେ ବସି ଏହାର ଶୋଭା ଦେଖିଲେ, ପକ୍ଷୀମାନଙ୍କର ପ୍ରଥମକାକଳି ଶୁଣିଲେ, ଶୀତଳ ପବନର ପରଶ ପାଇଲେ ଏବଂ ଉଷାର ପ୍ରଥମ ଆଲୋକ ଆଡ଼କୁ ଉନ୍ମୁଖ ହୋଇ ଅନାଇଲେ ସେ ଯେଉଁ ପ୍ରସନ୍ନତା ପାଉଥିଲା ତାହାହିଁ ଈଶ୍ୱରଙ୍କର ଆଶୀର୍ବାଦ ଭାବି ଏହାକୁ ତାଙ୍କର ପରମ ପବିତ୍ର ରାଜ୍ୟ ସହିତ ତୁଳନା କରି ଉତ୍‌ଫୁଲ୍ଲ ହେଉଥିଲା ।

କିନ୍ତୁ ଅନୁ ପାଖରୁ ତା ବାପା ମାଆଙ୍କ କଥା ଶୁଣିବାପରେ, ଭାଇଭଉଣୀଙ୍କର ମାନ ଅଭିମାନ ବିଷୟରେ ଜାଣିବାପରେ, ଆଶ୍ରମ ଛାଡ଼ିଦେଇ ଯିବାପାଇଁ ଇଚ୍ଛା ନ ହେଲେ ମଧ୍ୟ, ସେମାନଙ୍କୁ ଦେଖିବା ପାଇଁ ଇଚ୍ଛା ହୁଏ, ସେମାନଙ୍କର ସହିତ ଟିକେ ହସଖୁସି ହବା ପାଇଁ ମନ ଆଉଟୁ ପାଉଟୁ ହୁଏ ।

ସେ ବିଛଣାରୁ ଉଠି ଝରକା ପାଖକୁ ଆସି ବାହାରକୁ ଚାହିଁଲା । ରାତି ସରି ନଥିଲା । ଦିଗନ୍ତର କେତୋଟି ନକ୍ଷତ୍ର ତା ଆଖି ଆଗରେ ଦେଖାଦେଲେ କେବଳ । ସେହି ନକ୍ଷତ୍ର ମାନଙ୍କ ବିଷୟରେ ସେ ଆହୁରି ଜାରିବା ପାଇଁ ଇଚ୍ଛାକଲା । ସେମାନଙ୍କ ସହିତ ଆଳାପ କରିବାପାଇଁ ମନକଲା । ରାତିରେ ତାରା ଦିନରେ ନଥାଏ, ଦିନର ଆଲୋକ ରାତିରେ ରହେନାହିଁ । ଏଇ ହସ ହସ ସହସ୍ର ତାରକାଙ୍କ ମେଳରେ ସେ ଯେଉଁ ଦିନ ଚନ୍ଦ୍ରଙ୍କୁ ଦେଖେ ସେଇଦିନ ଉଲୁସି ଉଠି କହେ, ହେ ପରମପିତା ତୁମେ କେଡ଼େ ମହାନ୍ ! ତୁମର ସୃଷ୍ଟି କେଡ଼େ ସୁନ୍ଦର ! ଆଜି କିନ୍ତୁ ତାଙ୍କୁ ପ୍ରାର୍ଥନା କରି ସେ କହିଲା ହେ ପ୍ରଭୁ ! ତୁମେ ଥରେ ହେଲେ ମୋତେ ଆଶୀର୍ବାଦ କରି ମୋ ମାଆ ବାପ କୁ ଦେଖେଇ ଦିଅ ସେମାନଙ୍କ ସହିତ ଥରେ ହେଲେ କଥା କହିବାକୁ ସୁଯୋଗ କରିଦିଅ ।

ଦିନେ ଗପ କହିଲା ବେଳେ ମଦର କୋଳ ଉପରେ ଆଉଜାଇ କହିଥିଲେ ସମସ୍ତେ ଈଶ୍ୱରଙ୍କ ସନ୍ତାନ । ସମସ୍ତଙ୍କୁ ସେ ସର୍ବଦା ରକ୍ଷା କରନ୍ତି ।

ସେହିଦିନ ଆହୁରି ଛୋଟଥିଲା ଅପୁ । ସେ ଅଳି କରିଥିଲା ନିଜର ବାପ ମାଆଙ୍କୁ ଦେଖିବାପାଇଁ । ମଦର ଆକାଶର ଦ୍ୟୁତିମୟ ରୂପକୁ ଦେଖେଇ ଦେଇ କହିଥିଲେ, ସେମାନେ ଅଛନ୍ତି ଅପୁ, ବାପ ମାଆ ବ୍ୟତୀତ ସୃଷ୍ଟି ତ ସମ୍ଭବ ନୁହେଁ ।

ତେବେ ସେମାନେ ପରିଚୟ ଦେଉନାହାନ୍ତି କାହିଁକି ମଦର, ଆଖିରେ ଅଶେଷ ପ୍ରଶ୍ନ ତୋଳି ପଚାରିଥିଲା ଅପୁ ।

ତାକୁ କୋଳ ଭିତରେ ଆହୁରି ଏକାନ୍ତ ଓ ଆପଣାର କରି ତା ମୁହଁରେ ଦୁମାଟିଏ ଦେଇ କହିଥିଲେ ମଦର, ତୁ ବଡ଼ହେଲେ ଦିନେ ଅବଶ୍ୟ ସେଇମାନଙ୍କର ।

ପାଇବୁ ଅପୁ । ପ୍ରଭୁଙ୍କର ଅସୀମ ଦୟା, ତାଙ୍କୁ ସ୍ମରଣକର, ତାଙ୍କୁ ମନ ପ୍ରାଣ ଦେଇ ଡାକ, ସେ ଦିନେ ନିଶ୍ଚୟ ତୋର ପ୍ରାର୍ଥନା ପୂର୍ଣ୍ଣ କରିବେ–

ସେଇଦିନ ପ୍ରାୟ ପ୍ରତିଦିନ ରାତି ଶୋଇବା ପୂର୍ବରୁ ସେ ପ୍ରାର୍ଥନା କରି କୁହେ; ହେ ଈଶ୍ୱର, ମୁଁ ତୁମର ଅଧମ ସନ୍ତାନ, ମୋତେ ଯଦି ତୁମେ ଭଲପାଅ ମୋର ବାପ ମାଆଙ୍କୁ ଟିକିଏ ଦେଖିଇ ଦିଅ ପ୍ରଭୁ ।

ଶିଶୁର ମନରେ ସ୍ୱପ୍ନର ବି ଫୁଲ ଫୁଟେ, ସେଇ ସ୍ୱପ୍ନର ଫଲମାନଙ୍କର ଅନେକ ରଙ୍ଗ, ଅନେକ ହସ । ଫୁଲପରି ପବିତ୍ର ଓ ପତନ ପରି ସଂପ୍ରସାରଣଶୀଳ ଶିଶୁର ମନ । ସେ ନୂତନ ଅଙ୍କୁର ପରି ଊର୍ଦ୍ଧ୍ୱମୁଖୀ ।

ବେଳେ ବେଳେ ବାପ ମାଆଙ୍କ ଗହଣରେ ମଧ୍ୟ କେହି କେହି ଆସନ୍ତି ସେମାନେ ଫାଦରଙ୍କ ସହିତ ନିଭୃତରେ କଅଣ ଆଲୋଚନା କରି ଛାଡ଼ି ଯାଆନ୍ତି ନିଜ ନିଜର ସନ୍ତାନମାନଙ୍କୁ । ଫାଦର ନବାଗତ ଶିଶୁର ମଥା ଉପରେ ହାତରଖି ଅଭୟ ଦେଲାବେଳେ, ଧିରେ ଧିରେ ଅନ୍ତର୍ହିତ ହୋଇ ଯାଆନ୍ତି ସେମାନେ । କେବଳ ଅନେକ ସମୟ ଧରି ଶିଶୁର ବେଦନା ଝରା ଦୃଷ୍ଟି ସହିତ ମାଆ ବାପର ମମତାଭରା ଦୃଷ୍ଟି ଭାସିବୁଲେ ଆଶ୍ରମର ଚତୁର୍ଦ୍ଦିଗରେ ।

ଫାଦର ପୃଥିବୀର ଜଟିଳତା ଦେଖି ବେଳେ ବେଳେ ଅବାକ୍‌ ହୋଇ ଯାଆନ୍ତି କିନ୍ତୁ କିଛି ଯେପରି ଅପ୍ରତ୍ୟାଶିତ ନୁହେଁ, ସେ ଯେପରି ସବୁ ଘଟଣାବଳୀର ପ୍ରତୀକ୍ଷା କରୁଥିଲେ ପରମ ଆଗ୍ରହରେ ।

ଏଇ ବିଶାଳ ପୃଥିବୀରେ ଏପରିବି ଲୋକ ଅଛନ୍ତି ଯେଉଁମାନେ ପିତାମାତାର ଗୌରବ ଅର୍ଜନ କରି ମଧ୍ୟ ତାକୁ ହରାଇ ବସନ୍ତି କ୍ଷଣିକ ଭ୍ରନ୍ତି ଓ ପାର୍ଥିବ ମୋହର ଆକର୍ଷଣକୁ ଏଡ଼ିଯାଇ ନପାରି । ଅନେକ ଶିଶୁକୁ ଓ ଫାଦର ରାସ୍ତାକଡ଼ର ଡଷ୍ଟବିନ୍‌ ଭିତରୁ ତୋଳି ଆଣିଛନ୍ତି ପରମ ନିର୍ଭରତା ଦେଇ ପୃଥିବୀରେ ସୃଷ୍ଟିକୁ ସଜୀବିତ କରିବା ପାଇଁ ।

ପାହାନ୍ତର ମନୋରମ ଅନ୍ଧକାର ଦ୍ୱାରା ପରିବ୍ୟାପ୍ତ ପୃଥିବୀକୁ ବାରମ୍ବାର ଲକ୍ଷ କଲାବେଳେ ଅପୁ ଭାବିଲା ସେଇ ଦୂର ଦିଗନ୍ତର ଆଲୋକ ଲୁଚି ରହିଥିଲା ପରି, ତାର ମାଆ ବାପା ସେହିପରି ହୁଏତ ଅପେକ୍ଷା କରୁଛନ୍ତି ସମୟର । ସେମାନେ ନିଶ୍ଚୟ ଆସିବେ ଦିନେ, ନିଜର ଜନ୍ମ ବୃତ୍ତାନ୍ତ ସହିତ ବ୍ୟକ୍ତିତ୍ୱ ଫେରି ପାଇ ସେଦିନ ସେ ଧନ୍ୟ ହୋଇଯିବ, ତାର ପରିଚୟ ସେହିଦିନ ପୂର୍ଣ୍ଣ ହେବ, ସେହି ଦିନ ପ୍ରାର୍ଥନା ସଭାରେ ସେ ଲୋତକ ଝରାଇ କହିବ ଈଶ୍ୱରଙ୍କୁ, ତୁମେ ପରମ ଦୟାଳୁ, ତୁମର ଅନନ୍ତ କରୁଣା.....

ଅପୁ ଅନୁକୁ ଯେତିକି ଦେଖିଲା, ତାର ବି ଯେ ବାପ ମାଆ ଅଛନ୍ତି ଏଇ କଥା ଉପରେ ପ୍ରତ୍ୟେୟ ସେତିକି ଦୃଢ଼ ହେଲା । ସେ ପ୍ରଥମ କରି ଆଜି ନିଶ୍ଚିତ ହୋଇ ଗଲା ଯେ ପ୍ରତ୍ୟେକ ଶିଶୁର ପିତା ମାତା ଅଛନ୍ତି, ସେ ବି ଅପରିଚିତ ନୁହେଁ ।

ବାପ ମାଆଙ୍କୁ ଖୋଜିବା ପାଇଁ ତାର ଇଚ୍ଛା ହେଲା । ଏଇ ଆଶ୍ରମର ଚତୁର୍ଦ୍ଦିଗରେ ଚୋରୋଟି ପଥ ଲମ୍ବି ଯାଇଛି ଚାରିଦିଗକୁ । ସେହି ପଥମାନଙ୍କର ଶେଷ ନାହିଁ । ସେ ଯଦି ଗୋଟି ଗୋଟି କରି ପ୍ରତ୍ୟେକ ପଥକୁ ଅନୁସରଣ କରିଯାଆନ୍ତି ନିଶ୍ଚୟ ବାପ ମାଆଙ୍କ ସହିତ କେଉଁଠାରେ ସାକ୍ଷାତ ହୋଇ ଯାଆନ୍ତା । ସେ ଦିନ ପାଠ ପଢ଼ାଇଲା ବେଳେ ଶିକ୍ଷକ କହୁଥିଲେ, ପୃଥିବୀ ଦେଖିବାକୁ ଗୋଲାକାର, ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରୁ ବାହାରି ଯଦି ଜଣେ ଗତି କରେ ପୁଣି ବହୁବର୍ଷ ପରେ ଯୋଜନ ପଥ ଅତିକ୍ରମ କରି ସେହି ବିନ୍ଦୁକୁ ସେ ପୁଣି ଫେରି ଆସିବ ।

କିନ୍ତୁ ବେଦନାର୍ତ୍ତ ଚିତ୍ତରେ ପ୍ରଥମ କରି ଗୋଟିଏ ପ୍ରଶ୍ନ ତାକୁ ବିହ୍ୱଳ କରି ଦେଇଗଲା । ତାହା ହେଉଛି ଯଦି କେହି ନିଶ୍ଚିତ ଭାବରେ ତାର ବାପ ଏବଂ ମା, ତାହେଲେ କାହିଁକି ସେମାନେ ତାକୁ ପରିତ୍ୟାଗ କରି ଅପରିଚିତ ରହିବା ପାଇଁ ଉଚିତ ମନେ କଲା ।

ମଦର ଦିନେ କହୁଥିବା ଶୁଣିଥିଲା ସେ ଅନେକ ଲୋକ ଦୁର୍ବଳ ଓ ଭୀରୁ । ସେମାନଙ୍କ ପାଖରେ ସତ୍ୟକୁ ଗ୍ରହଣ କରିବାର ଶକ୍ତି ନାହିଁ ।

ରାତିର ଅନ୍ଧକାର ପରି ତାର ଛୋଟ ଜୀବନର ଅନ୍ଧକାର ଅଙ୍କନକୁ ଅନାଇଲା ଅପୁ, କିଛି ଜାଣି ପାରିଲା ନାହିଁ । କ୍ଳାନ୍ତ ଲାଗୁଥିଲା ସେତେବେଳକୁ, ସେ କୌଣସି ଉପାୟ ନପାଇ ବିଷର୍ଣ୍ଣ ମନରେ ଶୋଇ ପଡ଼ିଲା ପୁଣି ।

ସ୍ୱପ୍ନ ଦେଖିଲା ଅପୁ ।

ଗୋଟିଏ ମନ୍ଦିର ଚାରିପାଖରେ ମେଳା ବସିଥାଏ । ହଜାର ହଜାର ଲୋକଙ୍କର ଭିଡ଼ ଜମିଥାଏ ମେଳା ଦେଖିବା ପାଇଁ । ସେଇ ମେଳାରେ ଜଣେ ତରୁଣୀର ଦେଖା ହୋଇଗଲା ସୁକାନ୍ତ ସହିତ । ସୁନୀତା ହସିଦେଇ କହିଲା, ତୁମେ ଯେ ସତରେ କଥାରଖି ଆସିବ ଏହା ମୁଁ ବିଶ୍ୱାସ କରୁ ନଥିଲି ସୁକାନ୍ତ ।

ଏବେ ବିଶ୍ୱାସ ହେଲା ନୀତା । ମୁଁ ତୁମକୁ କଥା ଦେଇଥିଲି ହାତୀକି ଦାନ୍ତ, ମରଦ କି ବାତ୍‌ । ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ପ୍ରାଣପାତ ବି କରିପାରେ । କହିଲା ସୁମନ୍ତ ।

ଦୁହେଁ ହାତ ଧରାଧରି ହୋଇ ଆଳାପ ଆଲୋଚନା କରୁ କରୁ ମେଳା ଭିତରୁ ଅନ୍ତର୍ହିତ ହୋଇଗଲେ । ବିହଙ୍ଗମ ପରି ମୁକ୍ତ ଓ ସ୍ୱାଧୀନ ହୋଇଗଲେ ସେମାନେ । ଆଶ୍ଚର୍ଯ୍ୟ ହୋଇ ଦେଖିଲା ଅପୁ, ସେଇ ଦୁଇଜଣଙ୍କ ଦେହରେ ପକ୍ଷୀର ପର ଲାଗିଛି, ସେମାନେ ନୀଳ ଆକାଶରେ ଝଲମଲ ଆଲୋକର ବକ୍ଷ ଚିରି ଉଡ଼ି ଉଡ଼ିଯାଇଛି ଯୋଜନ ଯୋଜନ ପଥ । ସୁନାର ଦେଶରେ ସୁନେଲି କଳ୍ପନା । ଋତୁରାଜ ବସନ୍ତ ସେଠାରେ ନିତ୍ୟ ବିରାଜିତ ।

ଚାରିଆଡ଼େ କେବଳ ଫୁଲର ହସନ୍ତ ରୂପ, ଆଶ୍ରମର ଫୁଲପରି ସେ ଫୁଲମାନେ ନାନା ରଙ୍ଗର, କିନ୍ତୁ ଆକାରରେ ଅନେକ ବଡ଼ ବଡ଼ ଆଶ୍ରମର ଫୁଲ ଫୁଟି ସାରି କିଛି ସମୟ ପରେ ମଉଳି ଯାଏ, ନନ୍ଦନ କାନନର ଫୁଲ କିନ୍ତୁ ମଉଳେ ନାହିଁ । ସମୟ ଓ ସୀମାର ସକଳ ବନ୍ଧନକୁ ଅତିକ୍ରମ କରି ସେମାନେ କିଛି ସମୟ ପାଇଁ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ ଗୋଟିଏ ବିନ୍ଦୁରେ ।

ଆବାକ୍‌ ହୋଇ ଦେଖିଲା ଅପୁ । ବେଳ ବେଶୀ ହେବା ସଙ୍ଗେ ସଙ୍ଗେ ପୃଥିବୀର ଉତ୍ତାପ ବଢ଼ିଲା, ସଂଗ୍ରାମରତ ମଣିଷର ପଦଶବ୍ଦ ଓ ପୃଥିବୀ ପୃଷ୍ଠର ଧୂଳି ଉପରକୁ ଉଠିଲା ଏବଂ ସେଇ କୋଳାହଳରେ ସେ ଦୁହେଁ ପୁଣି ସେଇ ବିନ୍ଦୁର କକ୍ଷ ଭିତରୁ ଛିଟିକି ପଡ଼ି ଅନ୍ତର ହୋଇଗଲେ ବଳୟ ଭିତରୁ ।

ସେହି ବିନ୍ଦୁରେ ଅଳ୍ପ ସମୟରେ ଅବସ୍ଥିତ ମଧ୍ୟରେ ସେମାନଙ୍କର ସଭା ଭିତରୁ ଏକ କ୍ଷୁଦ୍ର ଆଲୋକ, ପିଣ୍ଡ, ଯାହାକି ସକାଳର ସୂର୍ଯ୍ୟପରି ଲାଲ ଓ ଅଭିରାମ ଛିଟିକି ପଡ଼ିଥିଲା ଅନ୍ତରୀକ୍ଷରେ । ଫୁଟବଲ ପରି କକ୍ଷରୁ କକ୍ଷାନ୍ତର, ଗ୍ରହରୁ ଗ୍ରହାନ୍ତର ବୁଲିବା ପରେ ମଧ୍ୟ ତାକୁ ହାତରେ ତୋଳି ନେଇ ଟିକିଏ ମମତାଭରା ଦୃଷ୍ଟିରେ ଦେଖିବାପାଇଁ କେହି ରହିଲେ ନାହିଁ ।

ସେହି ଦୁଇଟି ମୁହଁ ସହିତ ତାର ସମ୍ପର୍କ ଯେପରି କାଳାନ୍ତରକୁ ଭେଦ କରି ଅକ୍ଷୟ ହୋଇ ଯାଇଥିଲା, କିନ୍ତୁ ସେମାନେ ସମୟରେ ଓ ସରହଦ ମଧ୍ୟରେ ତାର ପରିଚୟକୁ ଗୋପନରଖି କେଉଁଆଡ଼େ ଗଲେ ସେ ଜାଣିପାରିଲା ନାହିଁ । କେବଳ ସେ ମନେ ରଖିଥିଲା, କକ୍ଷ୍ୟଚ୍ୟୁତ ହେଲା ବେଳେ ସେଇ ପୁରୁଷ ଓ ନାରୀ ମଧ୍ୟରୁ ନାରୀର ମମତାଭରା ଦୁଇଟି ଆୟତ ଲୋଚନର ସ୍ନିଗ୍‌ଧ ଚାହାଣୀ ତାର ସର୍ବାଙ୍ଗ ଲେହନକରି ତା ଆଡ଼କୁ ଯେପରି ହାତ ବଢ଼ାଇଥିଲା ତାକୁ ଗୋଟାଇ ନବାପାଇଁ । ସେଇ ନାରୀକୋଳର ଅଭୟ ଆଶ୍ରୟ ପାଇଁ ସେ ବଡ଼ ଲାଳାୟିତନଥିଲା, ମହାଶୂନ୍ୟର ଅଜଣା ଅପୁଣା । ପଥରେ ଏକାକୀ ବୁଲିବାପାଇଁ ସେ ଭୟ କରୁଥିଲା ଏବଂ ତାର ଭୟ ବିହ୍ୱଳ ଦୃଷ୍ଟିରେ ଭରି ରହିଥିଲା ନିଜକୁ ସଂରକ୍ଷିତ କରିବାର ଅନନ୍ତ ଆବେଦନ । କିନ୍ତୁ ସେଇ ନାରୀର ପ୍ରସାରିତ ହାତକୁ ସେ ଧରିବା ପୂର୍ବରୁ ଏକ ପ୍ରବଳ ଝଡ଼ ବେଗରେ ସେ କେଉଁଆଡ଼େ ଅଦୃଶ୍ୟ ହୋଇଥିଲା । ଏବଂ ଯେତେବେଳେ ସେ ଜାଣିଲା ଯେ, ସେ ସେମାନଙ୍କଠାରୁ ଅନେକ ଦୂରରେ, ସେତେବେଳକୁ ସ୍ୱପ୍ନ ତାର ଭାଙ୍ଗି ଯାଇଥିଲା । ସେ କେବଳ ଭିତରେ ଅନୁଭବ କରୁଥିଲା । ଏକ ଅନ୍ତର୍ଭେଦୀ କରୁଣ ବେଦନା । ଅପୁ ମନକୁ ସ୍ଥିର ରଖି ପାରିଲା ନାହିଁ ।

ସେତେବେଳକୁ ପ୍ରଥମ ଘଣ୍ଟି ବାଜି ସାରିଥିଲା । ଆଶ୍ରମର ପ୍ରାୟ ପ୍ରତ୍ୟେକ ପିଲା ବିଛଣା ପରିତ୍ୟାଗ କରି ନିତ୍ୟକର୍ମ କରିବାପାଇଁ ଉଠି ସାରିଥିଲେ । ସେ ବିଛଣା ଛାଡ଼ି ମୁହଁ ହାତ ଧୋଇ ଆଉ ବଗିଚା ଭିତରକୁ ବୁଲିବାପାଇଁ ଗଲାନାହିଁ, ଗୋଟିଏ କରୁଣ ରାଗିଣୀର ଅସହ୍ୟ ତାଡ଼ନା ସହି ନପାରି ଆଶ୍ରମର ଫାଟକ ପାରହୋଇ ସେ ଏକ ମୁହାଁ ହୋଇ ଦଉଡ଼ିବାକୁ ଲାଗିଲା । ତା’ ଆଗରେ କେବଳ ଗୋଟିଏ ପଥ ଲମ୍ବି ଯାଇଥିଲା, ତା ପ୍ରାଣରେ କେବଳ ଗୋଟିଏ କାମନା ବାରମ୍ବାର ତାକୁ ଆଗକୁ ଯିବାକୁ ଉତ୍ସାହ ଦେଉଥିଲା, ସେ ଚାହୁଁଥିଲା ସକଳ ପଥ ଅତିକ୍ରମ କରି ସବୁ ନଦ ନଦୀ, ଶିଳା ଓ ଶଇଳ, ନଗର ଓ ଜନପଦ ପାରହୋଇ ସେ ଏଭଳି ଏକ ସ୍ଥାନରେ ପହଞ୍ଚିବ, ଯେଉଁଠି ସେମାନଙ୍କ ସହିତ ସେ ମିଳିତ ହେବ ଏବଂ ସେହି ଜନନୀର କୋଳ ଭିତରେ ଲୁଚିଯାଇ ପାଇବ ପରମ ସାନ୍ତ୍ୱନା ।

ସାମ୍ନାରୁ ମୋଟର ଆସୁଥିବାର ଶବ୍ଦ ଶୁଣି ଅଟକିଗଲା ଅପୁ ।

ଗାଡ଼ି ଛିଡ଼ା କରି ତଳକୁ ଓହ୍ଲାଇ ଆସି ଅପୁକୁ କୋଳକୁ ଟେକି ନେଇ କହିଲେ ଫାଦର, ଦିନେ ସେମାନେ ନିଶ୍ଚିତ ଭାବରେ ଆସିବେ, ତୁ ଆଗାମୀରେ ବିଶ୍ୱାସ ରଖ ବାବା, ପରମ ପ୍ରଭୁଙ୍କର କରୁଣାର ଅନ୍ତ ନାହିଁ, ସେ କେବଳ ତୋର ନୁହଁ, ଯେଉଁମାନଙ୍କର ପିତାମାତା ହଜି ଯାଇଛନ୍ତି ସେ ସମସ୍ତଙ୍କୁ ଖୋଜି ଆଣିବେ ।

ଅପୁ ଫାଦରଙ୍କର କୋଳର ଅଭୟ ଆଶ୍ରୟ ସତ୍ୱେ କେବଳ ଫୁଲି ଫୁଲି କାନ୍ଦି କହୁଥିଲା, ଫାଦର ମୋ ବାପ, ମା କିଏ ଫାଦର, ସେମାନେ କେଉଁଠି ଅଛନ୍ତି ଫାଦର, ସେମାନଙ୍କୁ ଥରେ ଦେଖାଇଦିଅ ଦେଖାଇଦିଅ ।

ଫାଦରଙ୍କର କରୁଣାର୍ଦ୍ର ଚକ୍ଷୁ ଆହୁରି କରୁଣ ହୋଇ ଉଠିଲା ଏବଂ ସେ ଛାତି ଉପରେ ଝଲସୁଥିବା କ୍ରସକୁ ନେଇ ଅପୁର ମସ୍ତକରେ ଛୁଆଇଁ କହିଲେ, ନିଶ୍ଚୟ ଈଶ୍ୱର ତୋତେ ବାପ ମାଆ ଦେଖାଇଦେବେ ବାବା..... । ସେ ପରମ ଦୟାଳୁ..... ତାଙ୍କ ଉପରେ ବିଶ୍ୱାସ ରଖ ଅପୁ ।

•••

 

ଦିଲ୍ଲିକା ଲଡ଼ୁ

 

ସେ ଦିଲ୍ଲୀ ଦେଖିନି, ଲଡ଼ୁବି ଖାଇନି; ମାତ୍ର ଦିଲ୍ଲୀର ନାମ ଶୁଣିଛି, ଛବି ଦେଖିଛି । ଭାରତବର୍ଷର ରାଜଧାନୀ । ଷାଠିଏ କୋଟି ଲୋକଙ୍କର ଶାସନକେନ୍ଦ୍ର । ଦେଶରୁ ସାହେବମାନେ ପଳେଇବା ପରେ ନିଜ ଲୋକେ ଶାସନ ଗାଦୀ ମାଡ଼ି ବସିଲେ । ତୋପ ଫୁଟିଲା, ବାଣରୋଷଣୀ ହେଲା; ଆନନ୍ଦ ମହୋତ୍ସବ ମଧ୍ୟରେ ଭାରତବର୍ଷର ସ୍ୱାଧୀନତା ଦିବସ ପାଳିତ ହେଲା । ସେ ବି ଆନନ୍ଦରେ କୁରୁଳି ଥିଲା; କିଛି ବୁଝୁ ବା ନବୁଝୁ ଆଉ ଦଶଜଣଙ୍କ ସହିତ ରାସ୍ତାରେ ନାଚିଥିଲା, ଗାନ୍ଧୀ ମହାତ୍ମାଙ୍କଜୟଧ୍ୱନୀ କରିଥିଲା ଏବଂ ଦେଶକୁ ଦୀର୍ଘଜୀବି କରିବାପାଇଁ ପ୍ରାର୍ଥନା କରିଥିଲା । ସେତେବେଳେ ସେ ଏତେକଥା ଜାଣି ନଥିଲା ପରେ ଜାଣିଲା । ଲମ୍ବା ନିଳିଆ ପାଚିଲା ଆମ୍ବ ପରି ଗୋରା ତକ ତକ ଲୋକମାନଙ୍କ ସ୍ଥାନରେ କଳା, ଗେଡ଼ା ରୋଗ ଲୋକମାନେ ଏତେବଡ଼ ଦେଶର ଶାସନ ଭାର ହାତକୁ ନବାର ଦେଖି ଆତ୍ମବିଶ୍ୱାସ ବଢ଼ିଗଲା, ନିଜର ସାମାଜିକ ବା ଆର୍ଥିକ ସ୍ଥିତି ସେଭଳି ନଥିଲେ ବି ଏତେ ନୂତନ ଅହଂକାର ଏବଂ ମର୍ଯ୍ୟାଦାବୋଧ ତକୁ ସଚେତନ କରି ଦେଇଗଲା । ସେ ଭାବିଥିଲା ଯେ ସେ ଆଉ ପରାଧୀନ ଦେଶର ନାଗରୀକ ନୁହେଁ, ସେ ସ୍ୱାଧୀନ, ସାର୍ବଭୌମ ରାଷ୍ଟ୍ରର ନାଗରିକ ।

 

ଲୋକେ କହୁଥିଲେ ସ୍ୱାଧୀନତା ଆସିଲେ କେବଳ ନିଜ ଲୋକ ଶାସନ ଗାଦୀରେ ବସିବେ ନାହିଁ, ଦେଶ ଘିଅ ମହୁରେ ଭାସିବ, ଅଭାବ ଅନାଟନ ସ୍ୱପ୍ନ ହୋଇଯିବ, ସ୍ୱପ୍ନର ରାମରାଜ୍ୟ ବାସ୍ତବରେ ପରିଣତ ହେବ । ଦିଲ୍ଲୀ ଭାରତବର୍ଷର କେବଳ ରାଜଧାନୀ ନୁହେଁ, ପ୍ରାଣକେନ୍ଦ୍ର ।

 

ସ୍ୱାଧୀନ ଭାରତରେ ରାଜା ମହାରାଜାମାନଙ୍କ ଦିନ କାଳ ସରିଗଲା । ସେମାନେ ହଠାତ୍ ପ୍ରଜା ହୋଇଗଲେ । ପ୍ରଜାମାନେ ରଜାମ୍ମେଲେ । ରାଜ ରାଜୁଡ଼ା ଶାସନ ସ୍ଥାନରେ ଗଣତନ୍ତ୍ର ଶାସନ ଜାରୀହେଲା । ଲୋକପ୍ରତିନିଧିମାନେ ସଂସଦ ଭବନରେ ବସି ମସୁଧା ବିଚାର ବିମର୍ଷ କରି ଆଇନ ପାସ କଲେ । ନଖାଇ ନପିଇ ଦୁଃଖକଷ୍ଟ ସହି ବ୍ରିଟିଶ ଶାସନର ବେତମାଡ଼ ସହି ଜେଲ ଭିତରେ ସଢ଼ୁଥିବା ଲୋକ କେତେଜଣ ମନ୍ତ୍ରୀ ହୋଇଶାସନ ଚଳାଇଲେ । ସବୁ ପୂର୍ବଜନ୍ମର ତପସ୍ୟା । ଭାଗବତ ମିଛ କହିନାହାନ୍ତି । ପୁଣ୍ୟ ଫଳ ଏହି ଜନ୍ମରେ ଭୋଗ ହୁଏ । ଦେଶକୁ ସ୍ୱାଧୀନ ଶାସକ ସହିତ ଯେଉଁମାନେ ଜୀବନପଣ କରି ଲଢ଼ୁଥିଲେ ସେମାନଙ୍କ ମଧ୍ୟରୁ ଅନେକ ମରିହଜି ଗଲେ ଏବଂ ଆଉ ଯେଉଁମାନେ ବର୍ତ୍ତିଗଲେ ସେହିମାନେ ହେଲେ ଲୋକଙ୍କର ପ୍ରତିନିଧି, ବକ୍ତା ଏବଂ ଶାସକ ।

 

କେତେ ତପସ୍ୟାର ତ୍ତିଳ । ସେମାନେ ବି ଅନେକ ତାହାରି ପରି ସାଧାରଣ ଓ ନଗଣ୍ୟ-। ସାଧନା ବଳରେ ଦେଶର ଶାସକ । ଦେଶପାଇଁ ଓପାସ ରହି ଜେଲଯାଇ ମାଡ଼ ଖାଇଥିଲେ ବୋଲି ଆଜି ଜଗନ୍ନାଥେ ସେମାନଙ୍କୁ ଆଡ଼ ନୟନରେ ଚାହିଁଲେ । ସେତ ନିଜକାମ ଛାଡ଼ି ଦିନେ ଦେଶର କାମ କରିପାରିଲା ନାହିଁ । ସବୁ ପ୍ରାରବ୍‌ଧ । ସେ ଘରୁ ଗୋଡ଼ କାଢ଼ି ପାରୁନାହିଁ, ଅଥଚ ସେମାନେ ନିଜ ପିଲା ମାଇପକୁ ପଛରେ ପକେଇ ପାଖ ପଡ଼ୋଶୀଙ୍କ ପରି ନିଜ ସ୍ୱାର୍ଥରେ ନମାତି ଜନସାଧାରଣଙ୍କ ହିତ ପାଇ ଜୀବନ ପଣ କଲେ, ଦେଶର ସମୃଦ୍ଧି ଫେରାଇ ଆଣିବାପାଇଁ ପ୍ରତିଶ୍ରୁତି ଦେଲେ । ସେମାନଙ୍କର ଭୀଷ୍ମ ପ୍ରତିଜ୍ଞା ।

 

ଶଙ୍କରା ବି ପ୍ରତିଜ୍ଞା କରିଥିଲା । ସେ ସିନା ଏତେ ବଡ଼ ହୋଇପାରିଲା ନାହିଁ, ସେ କିନ୍ତୁ ଯାହା ପାରେ କରିଗଲା । ଲୁଗା ସତ୍ତାକରି କୁଟୁମ୍ବ ପୋଷିପାରେ ନାହିଁ ବୋଲି ମାଣେ ଜମି ଭାଗରେ ଚାଷ କରୁଥିଲା । ଏତକରେ ବି ସବୁ ସମାଧାନ ହୁଏନାହିଁ, ନିଅଣ୍ଟ ପଡ଼େ । କରଜ କରେ-। ଜଙ୍ଗଲ ଭାଙ୍ଗି ଆଉ ମାଣେ ଜମି ତିଆରି କଲା ।
 

ଶଙ୍କରା ସେଠୀ ଧୋବା ହେଲେବି ଦେଶର ଖବର ରଖେ, ଦେଶପାଇଁ ସ୍ୱପ୍ନ ଦେଖେ । ଗାନ୍ଧୀ ମହାତ୍ମା ଓଡ଼ିଶାରେ ପଦଯାତ୍ରା କଲାବେଳେ ସେ ତାଙ୍କ ଆଶ୍ରମର ସେବା କରିଥିଲା । ବିନୋବାଙ୍କ ଭୂଦାନ ଯଜ୍ଞକୁ ସଫଳ କରିବାପାଇଁ ଶ୍ରମ ଯଜ୍ଞରେ ନିଜର ଶ୍ରମ ଦାନ କରିଥିଲା ।

 

ସଙ୍କରା ସେଠୀ ସ୍ୱପ୍ନ ଦେଖିଥିଲା ଗୋଟିଏ ନୂଆ ରାଜ୍ୟର । ସେଠାରେ ଦୁଃଖ, ଦୈନ୍ୟ, ନୈରାଶ୍ୟ ରହିବ ନାହିଁ । ନିର୍ଯ୍ୟାତନା, ନିପୀଡ଼ନ ଲୋକେ ଜାଣିବେ ନାହିଁ । ଅଥର୍ବ, ଅରକ୍ଷିତ ଅବହେଳାରେ ମରିଯିବେ ନାହିଁ । ବଡ଼ ସୁଖ ଲାଗୁଥିଲା ସେଇ ରାମ ରାଜ୍ୟର କଥା ଭାବିବା ପାଇଁ-। ପରାଧୀନ ଦେଶରେ ସିନା ଜନ୍ମିଥିଲା, ମରିବ କିଂତୁ ସ୍ୱାଧୀନ ଦେଶର ନାଗରିକ ଭାବରେ । ଏହା ଛୋଟ କଥା ନୁହେଁ, କମ୍‌ ଗୌରବ ନୁହେଁ ।

 

ଦେଶ ସ୍ୱାଧୀନ ହବା ତିନି ତାକୁ ତିରିଶ ବରଷ ହୋଇଗଲା । ଏବେ ସେ ବାଆଷଠି ପାରିହୋଇ ତେଷଠିରେ ପାଦଦେଇଛି । ପଚାଷ ବର୍ଷ ହେଲା ସେ ଲୁଗା ସଫା କରୁଛି, ଅସନା, ମଇଳା ଧୋଇ ଅନ୍ୟମାନଙ୍କୁ ସଫାସତୁରା ରଖିବାର ଜାତୀୟ କାର୍ଯ୍ୟ କରି ଆସୁଛି । ତା ବାପ ଏଇ କାମ କରୁଥିଲା, ଗୋସେଇଁ ବାପ ବି କରୁଥିଲା । ସେ କରନ୍ତା ନାହିଁ ? ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲାବେଳେ ପୋଥିରେ ଡୋର ବାନ୍ଧିଲା ବାପକୁ ସାହାଯ୍ୟ କରିବାପାଇଁ । ବାପ ବୁଝେଇଥିଲା; ଆଉ ବେଶୀ ପାଠ ପଢ଼ି କଅଣ ହବରେ ପୁଅ, ଆମ କୂଳ ବେଉଷା ଛାଡ଼ିବାର ଦୁଆର ଶୁଣ୍ଢିପିଣ୍ଡା ହୋଇ ବୁଲିବୁ ଚାକିରୀ ପାଇଁ । କୂଳ ବେଉଷା ଧର, ତୋ ପେଟ ଅପୋଷା ରହିବ ନାହିଁ ।

 

ସେଇଦିନୁ ଶଙ୍କରା ସେଠୀ ନିଜର ଲୁଗା ସଫା କରିବା ଆଗରୁ ଅନ୍ୟର ଲୁଗା ସଫା କରି ଆସିଛି, ନିର୍ବିକାର ଚିତ୍ତରେ ଧୂଳିମଳି ଧୋଇଛି, ସେ ସଫା କରି ଥିବା ଲୁଗାପିନ୍ଧି ରାସ୍ତାରେ କେହି ଚାଲିଗଲେ, ବାହା ବା ଯାନି ଯାତ୍ରା କୁ ଗଲେ ତାହାରି ହାତ ଲାଗି ଟଗର ଫୁଲପରି ଗୋରା ଦିଶୁଥିବା ପରିଧାନକୁ ଚାହିଁ ଗର୍ବରେ ଛାତି ଫୁଲାଇଛି । ସେମାନେ ତା ଆଡ଼କୁ ନ ଚାହିଁଲେ ବି ସେମାନଙ୍କ ଆଡ଼କୁ ନିରେଖି ନିରେଖି ଚାହିଁଛି । ସମୟ ସହିତ ତାଳ ଦେଇ ଇସ୍ତ୍ରୀ ବ୍ୟବହାର କରିଛି ଏବଂ ମଣ୍ଡ ବ୍ୟବହାର କରି ଲୁଗାକୁ ଟାଣ କରିଛି ।

 

ସେ ବଦଳି ନାହିଁ ।

 

କିଂତୁ ଦେଶ ବଦଳି ଗଲା, ସଂସାରଟାବି ବାଦ ଗଲା ନାହିଁ । ସେଦିନର ସେଇ ଗାଳିମାଡ଼ ଖାଇ ଦେଶସେବା କରୁଥିବା ଲୋକଗୁଡ଼ା ବି ବଦଳିଗଲେ ସେ ଚିହ୍ନି ହଉନାହିଁ । ଆଖି ପାଉନାହିଁ କଳନା କରିବାକୁ ।

 

ଶଙ୍କରା ସେଠୀ ଆଶ୍ଚର୍ଯ୍ୟ ହୁଏ । ଆଗରେ ଯାଇଥିବା ଦୁନିଆଟାକୁ ବୁଝି ନ ପାରି ବଲବଲ କରି ଅନାଏ । ସେ ପଛରେ ପଡ଼ିଗଲା ବୋଲି ଅନୁତାପ କରେ ।

 

ଲୁଗା ସଫା କରି ଫେରୁଥିଲା ଶଙ୍କରା । ପାଠଶାଳାର ଅବଧ୍ୟାନେ ସେଇ ବାଟ ଦେଇ ଫେରୁଥିଲେ । ଦେଖା ହୋଇଗଲା । ଓଳଗି ହୋଇ କହିଲା ଶଙ୍କରା, ଆଜି ଏଡ଼େ ସଅଳ ଯେ ଛୁଟି ହୋଇଗଲା ପରା । ଅବଧାନେ ତାକୁ ବୁଝାଇଲେ ଛୁଟି ହୋଇନାହିଁରେ ଶଙ୍କରା ସ୍କୁଲରେ ଧର୍ମଘଟ ଚାଲିଛି । ଶିକ୍ଷକମାନେ ଧର୍ମଘଟ କରିଛନ୍ତି । ସରକାର ବନାମ ଶିକ୍ଷକ । ଶିକ୍ଷକମାନଙ୍କର ଦାବୀ ପୁରଣ ନହେଲେ ଏହି ଧର୍ମଘଟ ଚାଲୁ ରହିବ ।

 

ଅବାକ୍‌ ହୋଇଗଲା ଶଙ୍କରା ସେଠୀ । ଗାନ୍ଧୀମହାତ୍ମା ସତ୍ୟାଗ୍ରହ, ଧର୍ମଘଟ କରୁଥିଲେ ବିଲାତି ଶାସନକୁ ତଡ଼ିବା ପାଇଁ, ଅନଶନ କରୁଥିଲେ । ନିଜକୁ ଆହୁରି ନିର୍ମମ କରିବା ପାଇଁ । ଶିକ୍ଷକମାନେ ଧର୍ମଘଟ କଲେ ପିଲାଗୁଡ଼ା କଅଣ କରିବେ କୁଆଡ଼େ ଯିବେ । ଶିଖିବେ କଣ ? ସେମାନେ ପୋଥିରେ ଡୋରବନ୍ଧା ପଡ଼ିଆରେ ଫୁଟବଲ ଖେଳିବେ ।

 

ସେ କହିଲା, ଅବଧାନେ ଏ କିନ୍ତୁ ଭଲକାମ କଲ ନାହିଁ । ପିଲାଗୁଡ଼ାକୁ ଭସାଇ ଦିଅ ନାହିଁ ।

 

ଅବଧାନେ କହିଲେ, ସ୍ୱାଧୀନତାର ତିରିଶ ପୁରିଗଲାରେ ଶଙ୍କରା, ହେଲେ ଆମ ଦୁର୍ଦ୍ଦଶା ମୋଚନ ହେଲା ନାହିଁ । କେବଳ ପ୍ରତିଶ୍ରୁତିଦ୍ୱାରା ପେଟ ପୁରେ ନାହିଁ । ପଇସା ନଥିଲେ ସଂସାର ଅଚଳ । ସମସ୍ତେ ନିଜ ନିଜର ଦରମା, ଭତ୍ତା ବଢ଼ାଇ ଦେଲେ । ସେଥିପାଇଁ ଅଭାବ ହେଲା ନାହିଁ । ଶିକ୍ଷକମାନେ କଅଣ ଦୋଷ କଲେ ? ସେମାନେ ଭୋକରେ ରହି ଆଉ କେତେ ଦିନ ଭିକ ମାଗିବେ ?

 

ଶଙ୍କରା ସେଠୀ କହିଲା, ସବୁ ତକ ଅବଧାନେ ହେଲେ ଆମ ପରି ମଳିମୁଣ୍ଡିଆଙ୍କ କଥା ବିଚାର । ଆମପାଇଁ କେହି ଧର୍ମଘଟ କରୁନାହିଁ, ପଦେ ତୁଣ୍ଡରେ କହୁ ନାହିଁ ।

 

ଅବଧାନେ ଆଗେଇ ଗଲେ । ପଛରେ ପଡ଼ିଲା ଶଙ୍କରା । ପୋଖରୀ ତୁଠରେ ଦଣ୍ଡେ ଛିଡ଼ା ହୋଇ କଇଁଫୁଲମାନଙ୍କୁ ଦେଖିଲା । ମେଘ ଢଙ୍କା ଆକାଶରୁ କଣେଇ କରି ଚାହିଁଲା ସୂର୍ଯ୍ୟ । ପୋଖରୀର ପାଣି ଉପରେ ଲୀଳାକଲା ଆଲୁଅ ।

 

ଦିଲ୍ଲୀ ଯିବାପାଇଁ ମନ ହେଲେ କଅଣ ହବ ଯାଇପାରୁ ନାହିଁ । ଅନେକ ଦୂର । ଅନେକ ପଇସା ଦରକାର । ମନ ହୁଏ ମନ୍ତ୍ରୀ ମହାଶୟମାନଙ୍କୁ ଦେଖି ଆସିବା ପାଇଁ । ସେମାନେ କଅଣ ଭାବୁଥିବେ କେଜାଣି । ତା ଛୋଟ ବୁଦ୍ଧିରେ ସେ ତ ସବୁ ବୁଝିପାରୁ ନାହିଁ । ତେଲିଆ ମୁଣ୍ଡକୁ ଆଉ ଚିକ୍‌କଣ ନ କରି ନୁଖୁରା ମୁଣ୍ଡକୁ ଟିକିଏ ତେଲ ଦିଅ ବାବୁ ! ଯିଏ ତୁଣ୍ଡ ଖୋଲି କିଛି କହିପାରୁନି ତା କଥା ଶୁଣିବା ପାଇଁ ଟିକେ ସମୟ ଦିଅ ।

 

ଶଙ୍କରା ସେଠୀର ମନଟା ମରିଯାଏ । କେତେ ସ୍ୱପ୍ନ ସେ ଦେଖିଥିଲା, କେତେ ଆଶା ସେ କରିଥିଲା । କିଛି ପୂର୍ଣ୍ଣ ହେଲା ନାହିଁ । ସବୁ ପ୍ରତିଶ୍ରୁତିରେ ରହିଗଲା ।

 

ସେ ଦିଲ୍ଲୀ ଦେଖି ନାହିଁ । ଦିଲ୍ଲୀର ଲଡ଼ୁ ଖାଇନାହିଁ । ତଥାପି ଦେଶର ନାଭିକେନ୍ଦ୍ର ଯେ ଦିଲ୍ଲୀ ଏକଥା ତୁହାଇ ତୁହାଇ ମନକୁ ଆସେ । ସେ ଅଗଣିତ ମାନଙ୍କ ମଧ୍ୟରୁ ଜଣେ । ଦେଶପାଇଁ ସେ ବି ଭାବେ, ଗୁଣ୍ଡୁଚି ମୂଷା ପରି ଦେଶ କାମରେ କାନ୍ଧ ଲଗାଏ । ତଥାପି ଦେଶର ମୂଳଦୁଆ ଟାଣ ହେଉ ନଥିବାରୁ ଖେଦ ହୁଏ ମନରେ । ହାକିମ ହୁକୁମା, ଶିକ୍ଷକ, ଛାତ୍ର, ମାଲିକ, ଶ୍ରମିକ, ବୁଢ଼, ଯୁବା ସମସ୍ତେ ଅସନ୍ତୁଷ୍ଟ । ସମସ୍ତଙ୍କର ସ୍ୱତନ୍ତ୍ର ଦାବୀ ଅଛି । ସେହି ସବୁ ପୁରଣ ହବା ଚାହି । ସେଥିପାଇଁ ଧାରଣା ଧର୍ମଘଟ ଘେରାଉ ଅନେକ ଚାଲିଛି । ପାରୁପର୍ଯ୍ୟନ୍ତ ଯିଏ ଯାହା ପାରୁଛି ଆଦାୟ କରି ନଉଛି, ଅନ୍ୟମାନେ ପାଇଲେ କି ନାହିଁ । ସେମାନଙ୍କ ପାଇଁ କିଛି ରହିଲା କି ନାହିଁ ତାହା ଭାବିବା ସେମାନଙ୍କର କାମ ନୁହେଁ । ନିଜ ଭାଗବଡ଼ ଅନ୍ୟର ଭାଗ ଯେମିତି ହେଲାବି ଚଳିବ ।

 

ଗାନ୍ଧୀ ମହାତ୍ମା ପାଦରେ ଚାଲି ଚାଲି ଗଲାବେଳେ କେତେକଥା କହିଥିଲେ । ଆଜିବି ପାଶୋରି ଯାଇନାହିଁ ସେ । ଅମୃତ ପରି ବଚନ । ଆଣ୍ଠୁ ଲୁଚେନାହିଁ ଧୋତି ଖଣ୍ଡେ ପିନ୍ଧିଥାଆନ୍ତି ଯେ ଅଧା ଲଙ୍ଗଳା କହିଲେ ଚଳେ । ଦେହରେ ହାଡ଼ କେତେ ଖଣ୍ଡ ଏହିପରି ଦୁର୍ବଳିଆ ଲୋକଟାର ଏତେବଳ ବୋଲି ମହାବଳ ବିଲାତି ସରକାର ଜାଣି ନଥିଲା ବୋଲି ସାପ ଗାତରେ ହାତ ପୁରାଇଥିଲା । ଚୋଟ ଖାଇ ଗାଦି ଛାଡ଼ି ଚାଲିଗଲା ।

 

ଶଙ୍କରା ସେଠୀର ଆଖିକୁ ହୁଏ ନାହିଁ । ଦେଖି ନଦେଖିଲା ପରି ରହିଯାଏ ନାଆଁରେ ସରପଞ୍ଚ ଚାଳଘର ଭାଙ୍ଗି ଟିଣ ଘର କଲେ ଅଦାଲତରେ ହାକିମଙ୍କ ପାଖରେ ପିଆଦା କାମ କରୁଥିବା ପଞ୍ଚୁ ନାଏକ ପଞ୍ଚାନନ ବାବୁ ହୋଇ ପାଞ୍ଚମାଣ ଜମିର ମାଲିକ ହେଲା, ସଦର ବଜାରର ରାମଦୟାଲ ନୂଆ ନୂଆ କୋଠା ତିଆରି କରି ସହରଟାଯାକର ମାଲିକ ହୋଇଗଲା ଠିକାଦାର ନବଘନ ମହାନ୍ତି ନିଜ ଝିଅ ବିଭାଘରକୁ ପାଞ୍ଚହଜାର ଲୋକଙ୍କୁ ଖୁଆଇବା ପାଇଁ ଅଢ଼େଇ ହଜାର କିଲୋ ମାଛ ଆଣିଥିଲା । କାହାରି କିଛି ଅଭାବ ରହୁ ନାହିଁ, ଅଥଚ ସେ ଲୁଗା ସଫା କରି କରି ହାତରେ ବିଣ୍ଡି ବସିଗଲେବି ଚାରିପ୍ରାଣୀ କୁଟୁମ୍ବକୁ ପୋଷି ପାରୁନାହିଁ । ନାଥପ୍ରଧାନ ଔଷଧ ନ ପାଇ କ୍ଷୟ ରୋଗରେ ମରିଗଲା । ସନେଇ ମଲିକ ଯୌତୁକ ଦେଇ ନ ପାରିବାରୁ ଝିଅଟା ଅଭିଆଡ଼ୀ ହୋଇ ରହିଗଲା । ଶଙ୍କରାର ମନ ଆକୁଳ ହୁଏ । ଅବସନ୍ନ ହୁଏ ଶରୀର । ହଠାତ୍‌ ସେ ଆବିଷ୍କାର କରେ ଯେ ସେ ଅନେକ ବୁଢ଼ା ହୋଇଯାଇଛି ।

 

ଦିଲ୍ଲୀ ଗଲେ ହୁଏତ ବୁଦ୍ଧି ଦିଶନ୍ତା ସମାଧାନର ସୂତ୍ର ଗୋଟେ ବାହାରକରି ପାରନ୍ତା । ସମସ୍ତଙ୍କର ବଡ଼ତି ହେଲେ ସେ ସତରେ ଖୁସି ହେବ, କିନ୍ତୁ ବେଶୀ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ସଢ଼ୁଥିଲା ବେଳେ ସମ୍ପଦଶାଳୀର ବିଳାସ ଓ ଆଡ଼ମ୍ବର କଦର୍ଯ୍ୟ ଦେଖାଯାଏ । ଶଙ୍କରା ଭାବିଲା ଯେ ବୋଧହୁଏ ପ୍ରକୃତ କଥା କେହି ଜାଣୁନାହିଁ । ଉପରେ ଉପରେ ଭାସୁଛନ୍ତି ସମସ୍ତେ । ଯେଉଁମାନେ ଦେଶକୁ ବଡ଼ କରିବାପାଇଁ ଜେଲ ଜୋରିମାନା ସହିଥିଲେ ସେମାନେ ନିଶ୍ଚୟ ଜାଣୁ ନଥିବେ ଜାଣିଲେ ଅବସ୍ଥା ଅନ୍ୟ ପ୍ରକାର ହୁଅନ୍ତା ।

 

ଶଙ୍କରା ଭାରିଜାକୁ ଡାକିଲା, ପୁଅ ବୋହୂକୁ ବି ପାଖରେ ବସାଇ ପରାମର୍ଶ କଲା । ଗାନ୍ଧୀ ମହାତ୍ମାଙ୍କଠାରୁ ଆଜିଯାଏ ଯାହା ଘୋଟିଥିଲା ଟିକେ ଟିକେ କହି ସେମାନଙ୍କର ମତାମତ ଲୋଡ଼ି କହିଲା, ଘର ଭିତରେ ବସି ରହିଲେତ ଚଳିବନିରେ ପିଲେ । ବାହାରକୁ ବାହାରିବାକୁ ହବ । ଦେଶର କାମରେ ପାଞ୍ଚଜଣଙ୍କ କାନ୍ଧି ସହିତ କାନ୍ଧ ମିଶାଇ କିଛି କରିବାକୁ ହବ । ସମସ୍ତେ ଭାଷଣ ଦେଲେ ଦେଶ ବଡ଼ ହୋଇଯିବ ନାହିଁ । ଦେଶରେ ମଣିଷର ଅଭାବରେ ପୁଅ ! ଭଲ ମଣିଷ କେତେଜଣ ଉତୁରିଲେ ସବୁ ସମସ୍ୟାର ସମାଧାନ ହୋଇଯିବ ।

 

ପୁଅ କହିଲା, କାହା କଥା କିଏ ଶୁଣୁଛି । ସମସ୍ତେ ନିଜ ହାତରେ ଚଉଦ ପା । ତଥାପି ଭଲ ଲୋକ କେତେଜଣ ନିଶ୍ଚୟ ଅଛନ୍ତି, ନୋହିଲେ ସଂସାର ଚଳନ୍ତା ନାହିଁ । ଧର୍ମ ଅଛି, ବିଶ୍ୱାସ ଅଛି ।

 

ଭାରିଜା ମୂରୁଖ ହେଲେ ବି କହିଲା, ଏତେ ଦୂର ଆଖି ପାଏନି । ଆଖି ଆଗରେ ନଥିଲେ ସବୁ ଅନ୍ଧାର ।

 

ଶଙ୍କରା ସେଠୀ ବୁଝେଇଲା, ଏତିକିରେ ଡ଼ରିଯାଉଛ । ମୁଁ ତ ଜେଲ ଯାଇନାହିଁ ଜୋରିମନା ଦେଇନାହିଁ । ଭୋକ ଉପାସରେ ରହି ଫିରିଙ୍ଗି ସାଙ୍ଗରେ ଲଢ଼ିନାହିଁ । ଆଜି ଶେଷ ଜୀବନରେ ଦେଶର ରଥ ଚକ ଅଟକି ଯିବାର ଦେଖି ଅଣ୍ଟା ଭିଡ଼ି ବାହାରିବା ପାଇଁ ମନ ହଉଛି । ଯଦି ହାତ ଲଗାଇ ଦେଲେ ଚକେ ଚାଲିଯାଏ ।

 

ପୁଅ, ବୋହୂ ଓ ଭାରିଜା ରାଜିହେଲେ । ସମାଧାନ ହଉ ବା ନହଉ ବୁଢ଼ା ଟିକେ ବୁଲିଆସୁ, ମନଟା ଉଷତ ହବ, ସେବି ଖୁସି ହେବ ।

 

ଶଙ୍କରା ଚୂଡ଼ା, ଲୁଣ, ଲଙ୍କାମରିଚ, ଗୁଡ଼ କିଛି ବାନ୍ଧିଲା । ନିଜର ଲୁଗା ଓ ଚାଦରକୁ ମିଶାଇ ଗୋଟେ ଗଣ୍ଠିଲି କଲା । ଅଣ୍ଟାରେ ଝୁଲୁଥିବା ଗାଞ୍ଚିଆ ଭିତରେ ପଚିଶ ଟଙ୍କା ରଖି କମର ଆଣ୍ଟିଲା ଏବଂ ତା’ପରେ ରେଳଗାଡ଼ି ଧରିବା ପାଇଁ ବାହାରିପଡ଼ିଲା ।

 

ସେ ଏକା ଯିବନାହିଁ । ଶହେ ସରିକି ଚାଷୀ କୃଷକ ମେଳାରେ ଯୋଗଦେବାପାଇଁ ଯାଉଛନ୍ତି । ସେମାନଙ୍କ ସାଙ୍ଗରେ ଚାଲିଯିବ । ସେମାନଙ୍କର ସେବା କରିବ । ଭଡ଼ା ଆଉ ପଡ଼ିବ ନାହିଁ । କୃଷି ଅଫିସର ତାହାରିପରି ଜଣକୁ ପାଇ ଖୁସି ହୋଇ କହିଲେ, ସବୁ ଆଡ଼କୁ ପାଇବ । ଚାଷିଭାଇମାନଙ୍କ ସାଙ୍ଗରେ ଶଙ୍କରା ବି ମିଶିଯିବ ।

 

ଗୋଟେ ପୁରା ରେଳଡବା ରିଜର୍ଭ କରାହୋଇଥାଏ । ପ୍ରାୟ ଶହେ ଜଣ କୃଷକ ଡବାରେ ବସିଲେ । ବଡ଼ ବଡ଼ ଅଫିସରମାନେ ମନ୍ତ୍ରୀଙ୍କ ଗହଣର ଆସି ଷ୍ଟେସନରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଲେ, ଫଟୋ ଉଠିଲା । ଟେଲିଭିଜନରେ ବି ସେମାନଙ୍କ ଛବି ବାହାରିଲା ।

 

ଗାଡ଼ି ବଡ଼ ବଡ଼ ଷ୍ଟେସନରେ ଛିଡ଼ା ହୁଏ । ଶଙ୍କରା ନୂଆ ନୂଆ ଯାଗା ଦେଖି ପିଲାଙ୍କ ପରି ନାମ, ଠିକଣା, ପରିଚୟ ବୁଝେ । ସ୍ଥାନୀୟ ଲୋକ ଦେଖିଲେ ଭାବ କରିବାପାଇଁ ଚେଷ୍ଟା କରେ, ମତ ବିନିମୟ କରି ସେମାନଙ୍କ ଅଭାବ ଅସୁବିଧା ଜାଣିନିଏ । ରେଳପଥ ଉପରେ ଗାଡି ଦଉଡ଼ୁଥିଲା । ଗ୍ରାମ, ସହର ଅରଣ୍ୟ ପାରି ହୋଇଯିବା ସମୟରେ କେତେ ଦୃଶ୍ୟ ଆଖିରେ ପଡ଼ିଲା-। କେତେ ଶିକ୍ଷଣୀୟ ଜିନିଷ ଅଛି ଦୁନିଆରେ । ଯେତେ ଦେଖିଲେ ବି ଆହୁରି ଦେଖିବାପାଇ ଇଚ୍ଛା ହୁଏ । ଦେଶକୁ ଜାଣିବା ପାଇଁ ଆଗ୍ରହ ବଢ଼େ ।

 

ଶଙ୍କରା ସେଠୀ ମୁଗ୍‌ଧ ହୋଇ ସବୁଜ ଧାନ ଓ ଗହମ କ୍ଷେତକୁ ଦେଖେ । ବଡ଼ ବଡ଼ କଳ କାରଖାନାର ଚିମିନିରୁ ଧୂଆଁ ବାହାରିବାର ଦେଖି ଆବାକ୍‌ ହୋଇଯାଏ । କେଡ଼େ ବଡ଼ ବଡ଼ କଳକବ୍‌ଜା । କମ୍ପାନୀ କେତେ ବୁଦ୍ଧି ଖଟେଇ କରିଛି ସବୁ ରାସ୍ତା କଡ଼ର ବଡ ବଡ କୋଠା, କୋର୍ଟ ପ୍ୟାଣ୍ଟ ପିନ୍ଧା ମଣିଷ ଏବଂ ମୋଟର ଚଳାଇ ପବନ ପରି ଉଡ଼ି ଯାଉଥିବା ପୁଅ ଓ ଝିଅମାନଙ୍କୁ ଦେଖି ବିସ୍ମୟରେ କେବଳ ଚାହିଁରହେ ।

 

ପଲ୍ଲୀ ଗାଁ କଥା ମନେପଡ଼େ । ମନେପଡ଼େ ଭାରିଜା କଥା, ପୁଅ ଓ ବୋହୂ କଥା ।

 

ଷ୍ଟେସନ ପରେ ଷ୍ଟେସନ ଆସେ । ଦଳେ ଭିକାରୀ ଓହ୍ଳାଇ ଗଲେ ଆଉ ଦଳେ ଉଠନ୍ତି ଟ୍ରେନରେ । କାମ ନ କରି ପର ଉପରେ ନିର୍ଭର କରୁଥିବା ଲୋକମାନଙ୍କ ସଂଖ୍ୟା ଦେଖି ଛାତି ଦୁଲୁକି ଉଠେ । ଜାତିଟାଯାକ ଶେଷରେ ଭିକାରୀ ପାଲଟି ଯିବେ ବୋଲି ମନରେ ସଂଶୟ ହୁଏ ।

 

ଆବାକ୍‌ ହୋଇ ଦେଖେ ଶଙ୍କରା । ବଡ ବଡ କୋଠା ପାଖରେ ଛୋଟ ଝୁମ୍ପୁଡ଼ିମାନଙ୍କ ଭିତରୁ ବାହାରି ଆସୁଥିବା ଛୋଟ ବଡ଼ ମଣିଷମାନଙ୍କୁ ଲକ୍ଷ୍ୟ କରେ । ସହରକୁ ଛୁଇଁ ଗାଡ଼ି ଚାଲିଗଲା ବେଳେ ଅଇଁଟା ପତରରୁ ଖାଦ୍ୟ ଟିକେ ମୁହଁରେ ଲଗାଇବାପାଇଁ କୁକୁର ସହିତ ମଣିଷର ଯୁଦ୍ଧ ଦେଖେ । ଷ୍ଟେସନ ପ୍ଳାଟଫର୍ମ ଉପରେ ଶହେ ବ୍ୟାଣ୍ଡ ବାଜି ଉଠିଲେ ସେ ଚମକିପଡ଼ି ପଚାରେ ରାଜା ବିଜେ ହଉଛନ୍ତି ? ଆଉ ଜଣେ ବାବୁ ତାକୁ ବୁଝେଇ ଦିଅନ୍ତି, ରଜା ନୁହେଁ, ବର ଓ ବରଯାତ୍ରୀ ବିଜେ ହଉଛନ୍ତି ? ବ୍ୟାଣ୍ଡ ବାଲାଙ୍କ ପଗଡ଼ି, ବଜାଇବାର ଢଙ୍ଗ ଦେଖ ।

 

ଦେଶର ବହୁରୂପୀ ବେଶ । ଜଣଙ୍କଠାରୁ ଆଉଜଣେ ଭିନ୍ନ । ଭିନ୍ନତା ମଧ୍ୟରୁ ପୁଣି ଏକତାର ସ୍ୱର ଓ ସମନ୍ୱୟ ଭାସିଉଠେ । କାରଖାନାର କଳ ଚଳେବା ପାଇଁ ହିନ୍ଦୁ ଓ ପଠାଣ ଏକାସାଙ୍ଗରେ କାମ କରନ୍ତି, ମନ୍ଦିର ତୋଳା କାମରେ ମୁସଲମାନ ଓ ଖ୍ରୀଷ୍ଟାନମାନଙ୍କ ପାଖକୁ ବି ଚାନ୍ଦା ମିଳେ । ବୈଷମ୍ୟ ମଧ୍ୟରେ ଏକତ୍ୱର ଝଙ୍କାର ଗୁମୁରିଉଠେ ।

 

ଦୁଇରାତି ଦୁଇଦିନ ରେଳଗାଡ଼ିରେ ବସିବାପରେ ଦିଲ୍ଲୀ ସହରରେ ପହଞ୍ଚି ସମସ୍ତେ ହରିବୋଲ ଦେଲେ । ଯମୁନା ନଦୀର ସକାଳିଆ ନିସ୍ତବ୍‌ଧ ରୂପ ଦେଖି ଜଣାଣ ଗାଇଲେ ।

 

କେତେ ବଡ଼ ଦିଲ୍ଲୀ ସହର । ମହାନ ଦେଶର ମହାନ ରାଜଧାନୀ । ଉଚ୍ଚ କୋଠାବାଡ଼ି, ଲମ୍ବ ଓ ପ୍ରଶସ୍ତ ପିଚୂତଳା ରାସ୍ତା, ଅସଂଖ୍ୟ ଗଛ, ରାସ୍ତା ଆଲୋକିତ କରିବାପାଇଁ ଶହ ଶହ ବିଜୁଳି ବତୀ । ରାସ୍ତା ଉପରେ ଉନ୍ମତ୍ତ ମଣିଷର ଯିବାଆସିବା ଶହ ଶହ ଗାଡ଼ି ଓ ଘୋଡା, ସାଇକେଲ ଓ ଯାନ ବାହାନ । ଗାଆଁରେ ସିନା ଲୋକମାନେ ଫୁଙ୍ଗୁଳା ଦେହରେ ବୁଲନ୍ତି, ଖାଲି ପାଦରେ ଚାଲନ୍ତି, ଏଠାରେ ସବୁ ଦେହରେ ପୋଷାକ, ସବୁ ପାଦରେ ଯୋତା, ସବୁ ମଥା ଉପରେ ଛତା । ପଇସା ହାତକୁ ହାତ ଖେଳିବୁଲୁଛି । ବ୍ୟପ୍ତତାହିଁ ଜୀବନ । ଶାନ୍ତଶିଷ୍ଟ, ସରଳ ମଣିଷ ମରିଯାଇଛି ।

 

କୃଷି ଅଫିସର ଦିଲ୍ଲୀ ସହର ଆଡକୁ ଦେଖାଇ କହିଲେ, ପଇସା ଥିଲେ କିଛି ଅଭାବ ନାହିଁ, ବାପ ମାଆ ସବୁ ମିଳିବ ।

 

ଉପରଓଳି କୃଷକ ମେଳାକୁ ଗଲେ ସମସ୍ତେ । ମେଳା ସ୍ଥାନରେ ପ୍ରଦର୍ଶନୀ । ପଶୁପକ୍ଷୀ, ପନିପରିବା ଓ କୃଷିଯାତ ଦ୍ରବ୍ୟ, କୁଟୀର ଶିଳ୍ପ ଏବଂ ଗ୍ରାମୋଦ୍ୟୋଗର ବିରାଟ ପ୍ରଦର୍ଶନୀ । ସାଙ୍ଗ ହୋଇ ସମସ୍ତେ ବୁଲିଲେ କିଛି ବୁଝିଲେ, ଅନେକ କଥା ଅବୁଝା ରହିଗଲା ।

 

ସନ୍ଧ୍ୟାବେଳେ କୃଷକମାନଙ୍କ ମେଳାରେ ସେମାନଙ୍କୁ ସଙ୍ଖୋଳିବା ପାଇଁ ବହୁ ବଡ଼ବଡ଼ିଆ ଆସିଲେ । ଦଶ ହଜାର କୃଷକଙ୍କୁ ଘେରି ସହରର ବାବୁଭାୟମାନେ ଛିଡ଼ାହେଲେ । ସେମାନେ ମଫସଲକୁ ଆସି ଲୁଚାକୋଚା ବେଶରେ ଛିଡ଼ାହୋଇଥିବା କୃଷକମାନଙ୍କୁ ଦେଖିଲେ ଯେମିତି ଲୋକେ ଦେଖନ୍ତି ଚିଡ଼ିଆଖାନାର ପଶୁ, ପକ୍ଷୀମାନଙ୍କୁ । ଶଙ୍କରା ସେଠୀ ଭିଡ଼ି ଠେଲି ବାହାରି ଆସିବାପାଇଁ ଚେଷ୍ଟା କରି ବି ପାରିଲା ନାହିଁ ।

 

ଜଣେ ମହାନ୍‌ ନେତା ଉଦ୍‌ବୋଧନ ଦେଲେ, କୃଷକ ଦେଶର ମେରୁଦଣ୍ଡ । ମେରୁଦଣ୍ଡ ସଳଖ ଏବଂ ସୁସ୍ଥ ନ ରହିଲେ ବ୍ୟକ୍ତିପରି ସମାଜ ବି ଭୁଷୁଡି ପଡ଼ିବ । ଜମିକୁ ଯିଏ ଚାଷ କରେ ସେ ଜମିର ମାଲିକ । କୃଷିଜାତ ଦ୍ରବ୍ୟ ପାଇଁ କୃଷକକୁ ଉଚିତ୍‌ମୂଲ୍ୟ ଦିଆଯିବ । ଦେଶ ସମାନଙ୍କର । ସେମାନେ ଦେଶର କାମରେ ହାତ ଲଗାଇଲେ ହୁ ହୁ କରି ଦେଶଟା ଉନ୍ନତି କରିବ ।

 

ଶଙ୍କରା ଅନୁପ୍ରାଣିତ ହେଲା । ସେହି ଭାଷଣ ଶୁଣି ତାର ବିଶ୍ୱାସ ଦୃଢ଼ୀଭୂତ ହେଲା ଯେ ଏବେ ଭଲଲୋକ ଅଛନ୍ତି, ଚାଷୀ, ମଳିମୁଣ୍ଡିଆଙ୍କ କଥା ଭାବିବା ପାଇଁ ନେତା ବି ଅଛନ୍ତି ।

 

ଶଙ୍କରା ସେଠୀ ସେହିଦିନ ରାତିରେ ସ୍ୱପ୍ନ ଦେଖିଲେ ଯେ ସେ ଜମିର ମାଲିକ ହୋଇଚି-। ତା ପୁଅ ଜଙ୍ଗଲ କାଟି ଅମରୀ ବାଡ଼ ଦେଇଥିବା ମାଣେ ଜମି ତା ନାମରେ ଟିକଟ ହୋଇଛି । ଆହୁରି ସେ ଦେଖିଲା ଯେ ଧୂଳିମଳି ମଖା ଚାଷୀର ଦେହ କିଏ ସାବୁନ ଫେଣ ଲଗାଇ ସଫା କରି ଦେଇଛି । ଖଟିଖିଆମାନଙ୍କ ହାତରେ ଫୁଲ ଓ ଫଳର ଚାଙ୍ଗୁଡ଼ି । ସମସ୍ତେ ଧୋବାଘରୁ ଆସିଥିବା ସତେଜ ପୋଷାକ ପିନ୍ଧି ମେଳା ଦେଖିବା ପାଇଁ ଆସିଚନ୍ତି । ସେଇ ସଫା ଲୁଗାଗୁଡ଼ାକୁ ସେ ଓ ତା ପୁଅ ମିଶି ସଫା କରିଥିଲେ ବୋଲି ତାକୁ ପୁରସ୍କାର ବି ମିଳିଛି ।

 

ସ୍ୱପ୍ନ ସରିଗଲେ ବି ତାର ସୁଖକର ଆମେଜଟା ମନରୁ ଗଲାନାହିଁ । ଶଙ୍କରା ସକାଳଯାଏ ଅପେକ୍ଷା ନ କରି ପ୍ଳାଟଫର୍ମର ଗୋଟାଏ ପାଖରେ ରଖାଯାଇଥିବା ସେମାନଙ୍କର ରିଜର୍ଭ ବଗିରୁ ବାହାରି ଦିଲ୍ଲୀର ରାସ୍ତାଘାଟ ଟିକେ ବୁଲିଆସିବା ପାଇଁ ଏକା ଏକା ବାହାରି ପଡ଼ିଲା ।

 

ସକାଳ ହୋଇ ନ ଥିଲେ ବି ରାସ୍ତା ନଥିଲା । ମୋଟର ଗାଡି ମାଳ ମାଳ । ସାଇକେଲ ଏ ଟଣା ରିକ୍‌ସାର ଭିଡ଼ । ଷ୍ଟେସନ ଚାରିପାଖରେ ସଫା ନୀଳ ଆଲୁଅ । ଗୋଟେ ଦୂତଗାମୀ ଗାଡ଼ି ଆସି ପହଞ୍ଚିଲା ବୋଧହୁଏ । ଷ୍ଟେସନ ବାହାରେ ଘୋଡ଼ାଗାଡି, ରିକ୍‌ସା ଟ୍ୟାକସି ପାଇଁ ଭିଡ଼ ଜମିଲା-। ସେ ଛିଡ଼ାହୋଇ କିଛି ସମୟ ଦେଖିଲା ଏବଂ ତା ପରେ ଲାଲକିଲ୍ଲା ଆଡ଼କୁ ଆଗେଇଲା-

 

ରାସ୍ତା କଡ଼ରେ ଯିବାବେଳେ ହଠାତ୍‌ ପଛରୁ କାହାର ଧକ୍‌କା ଖାଇ ସେ ପଡ଼ିଗଲା । ଉଠି ବସିବା ଆଗରୁ ତା ଛାତି ଉପରେ ଛୁରାର ମୁନ ଜାକି ଜଣେ ବଳୁଆ ଲୋକ କହିଲା, ସହରକୁ ଆସିଛୁ ସଲାମି ଦେଇ ନାହୁଁ । ପାଖରେ ଯାହା ଅଛି ଦେଇ ଦେ-ଚିତ୍କାର କରି ଲାଭ ନାହିଁ । ତୋ ଡାକ ଶୁଣି କେହି ଆସିବେ ନାହିଁ । ଇଏ ତୋ ଗାଆଁ ନୁହେଁ, ଇଏ ଦିଲ୍ଲୀ ସହର-ଭାରତବର୍ଷ ର ରାଜଧାନୀ ।

 

ଗଞ୍ଜିଆ ଭିତରେ କେତୋଟି ଟଙ୍କା ଖର୍ଚ୍ଚ ନ ହୋଇ ଏବେ ବି ପଡ଼ିଥିଲା । ତା ପାଖରେ ଟଙ୍କା ଅଛି ଏହା ସେହି ଗୁଣ୍ଡା ଲୋକଟା କିପରି ଜାଣିଲା ବୋଲି, ଆଶ୍ଚର୍ଯ୍ୟ ହୋଇଥିଲା ଶଙ୍କରା । ଛଳନା ନକରି ସଙ୍ଗେ ସଙ୍ଗେ ଗାଞ୍ଜିଆ ଖୋଲି ତା ହାତକୁ ବଢ଼ାଇ ଦେଲା ନୋଟ କେତୋଟି । ଥଙ୍ଗେଇ ଥଙ୍ଗେଇ କହିଲା, ପାଖରେ ଆଉ କିଛି ନାହିଁ ବାପ.....ଘରକୁ ଖାଲି ହାତରେ ଫେରିଯିବି ?

 

ସେ ଗୁଣ୍ଡାଟା ତା କଥା ବୁଝିଲା କି ନାହିଁ କେଜାଣି, ତା ଉପରେ ଛେପ ଲେଣ୍ଡାଏ ପକେଇ ଦେଇ ଗାଳିଦେଇ କହି କହି ଗଲା, ପଳା ଶଳା ପଳା-ସଲମି ନଦେଇ ସହରକୁ ଆସିଛି-ପଳା-ପଳା ।

 

ଶଙ୍କରା ମୁହଁ ତଳକୁ କରି ଫେରିଲା । ରାସ୍ତାରେ ଲୋକ ଯାଉଥିଲେ ବି ତାକୁ ସେପରି ଅବସ୍ଥାରେ ଗୁଣ୍ଡାଟା ମାଡ଼ି ବସି ସବୁ ଲୁଟିନେଲେ ବୋଲି ପଦେ କେହି କହିଲେ ନାହିଁ, ଆହା କହି ତାକୁ ସାନ୍ତ୍ୱନା ଦେଲେ ନାହିଁ । ସେ ଯେପରି କେହି ନୁହେଁ, ଏହି ସହରରେ ତାର ଲୋଡ଼ାନାହିଁ ।

 

ସେ କାହାକୁ କିଛି କହିଲା ନାହିଁ । ନିଜର ଲୁଗାପଟାକୁ ଗଣ୍ଠିଲି ଭିତରେ ରଖି ଡବାର ଗୋଟାଏ କୋଣରେ ମୁହଁ ପୋତି ବସି ରହିଲା ।

 

ଆଜି ସେମାନଙ୍କର ଫେରିବା କଥା ।

 

ଗାଡି ଦିଲ୍ଲୀ ଛାଡ଼ିଯିବାବେଳେ ଲାଲକିଲ୍ଲା, ଇଣ୍ଡିଆଗେଟ, ରାଜପଥ, ରାଷ୍ଟ୍ରପତି ଭବନ, ପାର୍ଲିଆମେଣ୍ଟ ଏବଂ ରାଜଘାଟର ଦୃଶ୍ୟ ଆଖି ଆଗରେ ନାଚି ଉଠିଲା ସଲାମ କରି ସେ କହିଲା, ସଲାମି ଦେଇ ଦେଶର ସ୍ୱାଧୀନତା ରକ୍ଷା କରାଯାଇ ପାରେ ନାରେ ଭାଇ, ଏଥିପାଇଁ ପରିଶ୍ରମ କରିବାକୁ ହୁଏ । ପରର ଧନ ଲୁଟି ବଡ଼ ଲୋକ ହବ ?

 

ତା କଥା କେହି ଶୁଣିପାରିଲେ ନାହିଁ । ବିଗୁଲ ବଜାଇ ବାଡ଼ି ଯମୁନା ନଦୀ ପାରିହବା ବେଳେ ଦିଲ୍ଲୀର ବଡ଼ ବଡ଼ କୋଠା, ରାସ୍ତା ଓ ମଣିଷମାନଙ୍କୁ ମନେ ପକେଇଲା ଶଙ୍କରା । ସେଇ ଗୁଣ୍ଡାଟାବି ମନେ ପଡ଼ିଲା । ସେ ମନକୁ ମନ ଗୁଣ ଗୁଣୁ ହେଲା ଅନେକ ବିଶ୍ୱାସ ନେଇ ଆସିଥିଲି, ଖାଲି ହାତରେ ଫେରିଯାଉଛି । ତିରିଶ ବର୍ଷ ତଳର ପ୍ରତିଶ୍ରୁତିଟା ରାଜଘାଟର ଚାରିପାଖରେ ଦୀର୍ଘଶ୍ୱାସ ହୋଇ ଘୂରି ବୁଲୁଚି ।

 

ଦିଲ୍ଲୀ ସହର ପରି ଏଇ ଦେଶ । ଅନେକ ଭାବନ୍ତି ଯେ ସେମାନେ ଇତିହାସର ଶେଷ ଚରିତ୍ର । ସେମାନେ କିନ୍ତୁ ଭୁଲି ଯାଆନ୍ତି ଯେ ସେମାନଙ୍କ ପୂର୍ବରୁ ଅନେକ ଚରିତ୍ର ଇତିହାସର ପୃଷ୍ଠାମଣ୍ଡନ କରିଥିଲେ ଏବଂ ସେମାନଙ୍କ ପରେ ବି ଆହୁରି ଅନେକ ଇତିହାସର ପୃଷ୍ଠା ମଣ୍ଡିତ କରିବେ । ସମସ୍ତେ କେବଳ ସମୟର ଖେଳନା ମାତ୍ର ।

 

ଦିଲ୍ଲୀକୁ ଆସିଥିଲା ଦେଶକୁ ଦେଖିଯିବା ପାଇଁ, ଅସହାୟ ଅସମର୍ଥଙ୍କ ପାଇଁ କିଭଳି ସୁରକ୍ଷା ବ୍ୟବସ୍ଥା ହେଉଅଛି ତାହା ଦେଖିଯିବା ପାଇଁ । ହେଲେ କିଛି ଦେଖି ପାରିଲା ନାହିଁ । ହୁଏତ ସବୁ ହେଉଛି, ସେ ଗଣ୍ଡମୂର୍ଖ ବୋଲି କିଛି ଦେଖି ପାରିଲା ନାହିଁ, ହଜାର ହଜାର ନାଲିଫିତା ବନ୍ଧା ଫାଇଲ ପଢ଼ିପାରିଲା ନାହିଁ । ତାକୁ କେହି ଚିହ୍ନିଲେ ନାହିଁ କି ସେ କାହାକୁ ଆପଣାର କରି କଥା ପଦେ କହିପାରିଲା ନାହିଁ ।

 

ଏଇ ଦିଲ୍ଲୀରେ ମହାତ୍ମା ରହୁଥିଲେ ।

ଏଇଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ ।

 

ବର୍ଷକୁ ଥରେ ବଡ଼ବଡ଼ିଆ ତାଙ୍କ ସମାଧି ପୀଠରେ ରୁଣ୍ଡହୋଇ ଶପଥ ନିଅନ୍ତି ଦେଶକୁ ଗଢ଼ିବାପାଇଁ । ସେହି ସବୁ ସ୍ୱପ୍ନଗୁଡ଼ା ଦିନର ଆଲୋକରେ କୁହୁଡ଼ି ପରି ଅଦୃଶ୍ୟ ହୋଇଯାଏ ଦିଲ୍ଲୀର ଆକାଶରେ । ଦିଲ୍ଲୀର ରାଜପଥରେ ଶୋଇ ଶୋଇ ଦୀର୍ଘଶ୍ୱାସ ଛାଡ଼େ କୁଷ୍ଠରୋଗୀ, ଗଛମୂଳେ ବସି ମରଣକୁ ଅପେକ୍ଷା କରେ ସର୍ବହରା ।

 

ଦିଲ୍ଲୀ ବଦଳି ଯାଇଛି । ମଣିଷମାନେ ବି ବଦଳି ଯାଇଛନ୍ତି ମନକୁ ମନ କହିଲା ଶଙ୍କରା, ଦିଲ୍ଲୀ ଆସି ସଲାମି ଦେଇଗଲି ଆଉ ଆସିବା ଦରକାର ନାହିଁ, ଦିଲ୍ଲୀର ଲଡୁ ଦରକାର ନାହିଁ ।

•••

 

ଫୁଟିବାର ମୁହୂର୍ତ୍ତ

 

ପଦୋନ୍ନତି ପରେ ନୂଆ ପଦବୀରେ ଅଭିଷିକ୍ତ ହୋଇ ମନଟା ଯେତିକି ଉଲୁସି ଉଠିଥିଲା, ମୋର ବ୍ୟକ୍ତିଗତ ସହୟିକା (ପି.ଏ.) ଭାବରେ ମନୀଷା ଚୌଧୁରୀଙ୍କର ନିଯୁକ୍ତି ଶୁଣି ଛାତି ଭିତରଟା ତାହାଠାରୁ ଅଧିକ ଯୋରରେ ଦୁଲୁକି ଉଠିଲା ମିସେସ୍‌ ଚୌଧୁରୀଙ୍କୁ ରାସ୍ତାକଡ଼ର ମଇଁଷି ଠାରୁ ବି ଅଧିକ ଭୟ କରୁଥିଲେ ଅଫିସର ଲୋକମାନେ । କାହାକୁ କେତେବେଳେ କଅଣ କହି ଅପଦସ୍ତ କରି ଦେବେ ବୋଲି ନିତାନ୍ତ ପ୍ରୟୋଜନ ନ ହେଲେ ତାଙ୍କ ସହିତ କେହି କଥାଭାଷା ହୁଅନ୍ତି ନାହିଁ । ଆଳାପ ଆଲୋଚନା ତ ଦୂରର କଥା । ତାଙ୍କର ଚାଲି ଏବଂ ଆବଭାବ ଦେଖିଲେ ସମୟ ଯେ ପର୍ଯ୍ୟପ୍ତ ନୁହେ ଏହା ଜଣାପଡ଼େ । ସେ ସର୍ବଦା ବ୍ୟସ୍ତ ରହିବା ପରି ମନେହୁଏ । ବେଳେ ବେଳେ ବଡ଼ବାବୁ ବା ସାନ ସାହେବ ତାଙ୍କ ମୁହଁକୁ ଚାହିଁଦିଅନ୍ତି ବୋଲି ସେ ସମସ୍ତଙ୍କୁ ଶୁଣେଇ ଶୁଣେଇ କହନ୍ତି, ପର ମୁହଁକୁ ଅନେଇଚ କିଆ ମ ! ନିଜ ଘରଭିତରେ ମୁହଁ ନାହିଁ ଯଦି, ଫଟୋ ରଖୁନ । ପୁରୁଷମାନଙ୍କର ଆଖି ବିରାଡ଼ି ଆଖିଠାରୁ ବି ଅଧିକ ଜଳ ଜଳ କରେ ବୋଲି ମୁଁ କଅଣ ଜାଣିଥିଲି ! ବଡ଼ବାବୁ ବୟସ୍କ ଲୋକ । ଲାଜେଇଯାଇ କୁହନ୍ତି, ଛି, ଛି, ମୁହଁଟା ଖୁରପରି, ଲାଗିଲେ କଟିଯିବ । ଆଉ ଚାହିଁବା କଅଣ ପାପ ! ଭଉଣୀ ପରି, ଝିଅ ପରି ଦେଖିବା ପାଇଁ କଅଣ ମନା । ଏତେ ଛୁଆଁ ଦୋଷ ଥାଇ ଅଫିସକୁ ଆସ କାହିଁକି ବା !

 

ସାନ ସାହେବ ମୁରୁକି ହସିଦେଇ କୁହନ୍ତି-ପ୍ରମୋସନ ପାଇଲେ, ସିନିଅର ପି.ଏ. ମୁଁ ବି ପାଇବି । ସେତେବେଳେ ଇଚ୍ଛା ଥାଉ ବା ନ ଥାଉ ଚାହିଁବାକୁ ହବ । ଆଖିବୁଜିତ ଡିକେ୍‌ଟସନ ଦେଇଥିବା ନୋଟ ଆଉ ପଢ଼ିହବନି ।

 

ମନୀଷା ଚୌଧୁରୀଙ୍କୁ ଚାହିଁଲେ ତାଙ୍କ କପାଳ ଉପରେ ନୂଆପଇସା ଆକାରର ସିନ୍ଦୂର ବିନ୍ଦୁଟା ଆଖିକୁ ଆଗ ଦେଖାଯାଏ । ଦିନେ ଜଣେ ସହକର୍ମୀ ମନୀଷା ବୋଲି ଡାକିଦେଇ ଦଶରଥ କ୍ଷମାପ୍ରାର୍ଥନା କରିଥିଲେ । ମନୀଷା ବଡ଼ ପାଟିକରି ଶୁଣେଇ ଶୁଣେଇ କହିଲେ, ମୋ କପାଳ ଉପରେ ସିନ୍ଦୂର ବିନ୍ଦୁଟା ସମସ୍ତଙ୍କୁ ଦିଶୁଚି ତୁମକୁ ଦିଶୁନାହିଁ ? ମନୀଷା ନୁହେଁ ମିସେସ୍‌ ଚୌଧୂରୀ ବୋଲି ଡାକିପାରୁନ ।

 

ସ୍ୱାମୀଙ୍କ ଗର୍ବରେ ଗର୍ବିଣୀ ବୋଲି କଥା ଓ ବ୍ୟବହାରରେ ବାରମ୍ବାର ପ୍ରମାଣ କରିବାପାଇଁ ଚେଷ୍ଟା କରନ୍ତି ମିସେସ ଚୌଧୁରୀ । ତାଙ୍କ ସ୍ୱାମୀ ମିଷ୍ଟର ଚୌଧୁରୀ କେଉଁଠାରେ କଅଣ କରନ୍ତି ଏବଂ ରହନ୍ତି କେହି ଜାଣନ୍ତି ନାହିଁ । କିଏ ଭରସିକରି ପଚାରିବ ମିସେସ୍‌ ଚୌଧରୀଙ୍କୁ-। ତଥାପି ଦିନେ ଡରି ଡରି ବଡ଼ବାବୁ କହିଲେ, ପସନାଲ ଫାଇଲରେ ସ୍ୱାମୀଙ୍କର, ନାମ ଓ ଠିକଣା ରହିବା ଦରକାର ଟିକେ ଲେଖି ଦିଅନ୍ତେନ୍ତି ।

 

ମିସେସ୍ ଚୌଧୁରୀ ଅଗ୍ନିଶର୍ମା ହୋଇ କହିଲେ, ମୋ ନିଜ ଯୋଗ୍ୟତା ଯୋଗୁ କୋମ୍ପାନୀ ଚାକିରୀ ଦେଇଚି ଯେତେବେଳେ, ସ୍ୱାମୀର ଠିକଣା ପୟୋଜନ ହବ କାହିଁକି ? ଆଉ ସବୁ ମୋର ବ୍ୟକ୍ତିଗତ ବ୍ୟାପାର ଜାଣିବାପାଇଁ ଆପଣମାନଙ୍କର ଆଗ୍ରହ ବା କାହିଁକି ! ଆପଣ ଯେତିକି ଜାଣିଛନ୍ତି ଯଥେଷ୍ଟ, ମୁଁ ମିସେସ୍‌ମନୀଷା ଚୌଧୁରୀ, ବିବାହିତା ।

 

ବଡ଼ବାବୁ ଶଙ୍କିଯାଇ ମୋତେ ଆସି ରିପୋର୍ଟ କଲେ । ମୁଁ ଟିକେ ରହିଯାଇ କହିଲି, ହଉ ଥାଉ, ପଚାରିବେ ନାହିଁ । ସ୍ୱାମୀର ନାମ ନ ଦେଲେ ନାହିଁ । ନାରୀ ସ୍ୱାଧୀନତା ସମ୍ପର୍କରେ ଅଧିକ ସଚେତନ ମିସେସ୍‌ ଚୌଧୁରୀ ନିଜ ଯୋଗ୍ୟତା ବଳରେ ଚାକିରୀ କରିଚନ୍ତି ଯେତେବେଳେ, ସ୍ୱାମୀର ନାମ ଓ ଠିକଣା ନ ହେଲେ ବି ଚଳିବ ।

 

ସେ ବ୍ୟାଗ ଝୁଲାଇ ତ୍ୱରିତ ପାଦରେ ସକାଳ ଦଶଟା ବେଳେ ଅଫିସ ଭିତରକୁ ପ୍ରବେଶ କଲାବେଳେ ଏବଂ ପାଞ୍ଚଟାରେ ଅଫିସରୁ ବାହାରି ଗଲାବେଳେ ଇମିତି ବ୍ୟସ୍ତତା ଖେଳାଇ ଆସିବା ଯିବା କରନ୍ତି ଯେ ସମସ୍ତେ କେବଳ ତଟସ୍ଥ ହୋଇ ତଳଆଡ଼କୁ ଅନାଇ ରହନ୍ତି । ଠକ୍‌ ଠକ୍‌ ହୋଇ ହିଲ ଯୋତାର ଶବ୍ଦ କେବଳ କାନ ଭିତରକୁ ଭାସିଆସେ ।

 

ସେ ଚାଲିଗଲେ ସ୍ୱସ୍ତିର ନିଶ୍ୱାସ ମାରି ମଝିଆଁ ବାବୁ କହନ୍ତି–ଆଗଗଲି, ଆଗବୋଲି–ଏମାନଙ୍କୁ ବିଶ୍ୱାସ ନାହିଁ-ଆଲୋ ବୋପା ଲୋ ? କି ଚାହାଁଣୀ ।

 

ଆଉ କାହାକୁ ପି:ଏ: ଭାବରେ ପାଇଥିଲେ ମୁଁ ଅଧିକ ଖୁସି ହୋଇଥାନ୍ତି । କିନ୍ତୁ ବଡ଼ସାହେବ ହୋଇଥିବାରୁ ଆପତ୍ତି କରିବାର ଉପାୟ ନାହିଁ । ମିସେସ୍‌ ଚୌଧୁରୀ ସିନିଅର ଏବଂ ଯୋଗ୍ୟ, ତାଙ୍କୁ ବାଦ୍‌ ଦିଆଯାଇ ପାରେନା । କାମରେ ତାଙ୍କୁ କେହି ପରାସ୍ତ କରିପାରିବେ ନାହିଁ । ଡିକ୍ଟସନ ଅନୁସାରେ ନିର୍ଭୁଲ ଓ ନିର୍ମଲ ଟାଇପ୍‌ କରିବା ତାଙ୍କ ପରି ଆଉ କେହି ପାରିବ ନାହିଁ । ଏନଗେଜ୍‌ମେଣ୍ଟ ଗୁଡ଼ାକୁ ସମୟ ସୀମା ଭିତରେ ଇମିତି ସଜାଇ ଦିଅନ୍ତି ଯେ ସାଧୁବାଦ ନଦେଇ ରହିହୁଏନାହିଁ । କଥା ଅଳ୍ପ କାମ ବେଶୀ । ଏତେ ଗୁଣ ଭିତରେ ମୁଦ୍ରାଦୋଷ ସେହି ଗୋଟିଏ । ମିସେସ ଚୌଧୁରୀ ନ କହି ମନୀଷା ବା ଶ୍ରୀମତୀ ଚୌଧୁରୀ କହିଦେଲେ ଭଦ୍ରମହିଳାଙ୍କର ଆଖି ଜଳିଉଠେ, ତାଳୁରୁ ତଳିପା ଚହଲିଯାଏ ।

 

ଏଡ଼େ ସ୍ୱାମୀ ଗର୍ବଣୀ ଭଦ୍ରମହିଳାଙ୍କୁ ପି.ଏ. ଭାବରେ ପାଇ ଖୁସି ହବାର କଥା । ମୁଁ କିନ୍ତୁ ଟିକେ ଦବିଗଲି । ମହିଳା ପି:ଏ: ନିଯୁକ୍ତ ହେଲେ ମନର ଯେଉଁ ଉତ୍ସାହ ଟିକକ ସୃଷ୍ଟି ହୁଏ, ତାହା ହେଲାନାହିଁ । ତାଙ୍କୁ ଡାକିବି ନାହିଁ ଏଇକଥା ଭାବୁଚି ସେ ଭିତରକୁ ପଶିଆସି କହିଲେ ମୋ ବିଷୟରେ ସବୁ ଜାଣିଥିବେ, ସାର୍‌ । ଦଶଟାକୁ ଆସିବି ପାଞ୍ଚଟାକୁ ଯିବି । ବିଶେଷ ଦରକାର ହେଲେ ଆଉଘଣ୍ଟେ ରହିବା ପାଇଁ ଆପତ୍ତି ନାହିଁ । କିନ୍ତୁ ତାପରେ ନୁହେଁ । ଯାହା କାମ, ଅଫିସ ସମୟ ଭିତରେ କହିଦେବେ ।

 

ମୁଁ କିଛି କହିଲି ନାହିଁ । ଏମିତି ଟାଣୁଅକଥା ଶୁଣି ଆଗରୁ ଯାହା କଳ୍ପନା କରିଥିଲି ତାହା ଅଙ୍ଗେ ନିଭେଇଲି ବୋଲି ନିଜକୁ ସାହସ ଦେଲି ।

 

ସେ ଚାଲି ଯାଇଥିଲେ । କଅଣ ଭାବି ଫେରିଆସି ସିଧା ମୋ ମୁହଁ ଉପରକୁ ଚାହିଁ କହିଲେ, ମୁଁ କାମରେ ଠକେନାହିଁ । କିନ୍ତୁ ଟିକେ ଅନୁରୋଧ ସାର୍‌, ମୁଁ ସହାୟିକା ବ୍ୟକ୍ତିଗତ ନୁହେଁ । କହିସାରି ମୁହୂର୍ତ୍ତେ ମାତ୍ର ଅପେକ୍ଷା ନ କରି ଯେ ନିଜ କୋଠରୀକୁ ଫେରିଗଲେ ।

 

ମୁଁ ସ୍ଥାଣୁପରି କିଛି ସମୟ ଘୂର୍ଣ୍ଣାୟମାନ ଚୌକୀଟାରେ ବସିରହିଲି ।

 

ଏତେବେଳେ ନିଜ ଆଖି ଆଗରେ ମିସେସ୍‌ ଚୌଧୁରୀଙ୍କର ପ୍ରତିଛବି ପ୍ରଥମ ଥର ପାଇଁ ଭାସିଉଠିଲା । ସର୍ବାଙ୍ଗସୁନ୍ଦରୀ ନ କହି ଦେଲେ ବି ସୁନ୍ଦରୀ କହିବାରେ ବାଧା ନାହିଁ । ଆଖି ଯୋଡ଼ିକ ଟିକେ ଟଣାଟଣା ଦୃଷ୍ଟିରେ ଏକ ଅଦ୍ଭୁତ ଜିଜ୍ଞାସା; କିଛି ବୁଝିହୁଏ ନାହିଁ । ଅବୋଧ୍ୟ୍ୟ ହୋଇ ରହିଯାଉଥିବା ସେହି ନାରୀ ଚରିତ୍ରର କିନ୍ତୁ ଗୋଟେ ଦିଗ ବେଶ୍‌ ବୋଧଗମ୍ୟ । କପାଳ ଉପରେ ନୂଆପଇସା ଆକାରର ସିନ୍ଦୂର ବିନ୍ଦୁ । ମୋର କାହିଁକି ବାରମ୍ବାର ମନେ ହେଲା ମିସେସ୍‌ ଚୌଧୁରୀ ଭାଗ୍ୟବତୀ ନୁହନ୍ତି ଯେ ମିଷ୍ଟର ଚୌଧୁରୀ ସତରେ ଭାଗ୍ୟବାନ । ସ୍ୱାମୀର ସନ୍ତକ ବହନ କରି କେତେଜଣ ଆଜିକାଲି ପରିଚିତା ହେବାକୁ ଚାହାନ୍ତି ।

 

ମିସେସ୍‌ ଚୌଧୁରୀ ଆସିବା ପରେ କାମର କିନ୍ତୁ ଅନେକ ସୁବିଧା ହେଲା । ମତେ ଭଲ ମଣିଷ ମନେକରି କାମ ଥାଉ ବା ନଥାଉ ଅନେକ ଲୋକ ଆଗରୁ ଦେଖା କରିବାପାଇଁ ଆସି ଅଯଥା ଅନେକ ସମୟ ନଷ୍ଟକରୁଥିଲେ । ଅଫିସ୍‌ ସମୟରେ କାମ ଶେଷକରି ନପାରି ପ୍ରତିଦିନ ସାତଟା ଯାଏ ଅଫିସ ଭିତରେ କାମ କରିବାପାଇଁ ଅଟକି ଯାଉଥିଲି । ଏଥରୁ ସହସା ମୋତେ ମୁକ୍ତି ମିଳିଗଲା । ଜଏନ୍‌ କରିବାର ଦୁଇଦିନ ପରେ ସାକ୍ଷାତକାରୀମାନଙ୍କର ସଂଖ୍ୟା ହଠାତ୍‌ କମିଯିବାର ଲକ୍ଷ୍ୟ କଲି । ଆଉ ଗୋଟେ ବିଷୟ ମୋ ଦୃଷ୍ଟି ଏଡ଼ାଇ ପାରିଲା ନାହିଁ । ତଳ ଅଫିସର ମାନଙ୍କ ସ୍ତରରେ ବିଧି ଅନୁସାରେ ସିଧା ନନେଇ ଅନେକ ଫାଇଲ ମୋ ସିଦ୍ଧାନ୍ତ ପାଇଁ ଆସୁଥିଲା, ସେଗୁଡ଼ା ଆଉ ଆସିଲାନାହିଁ । ଯେଉଁ କେତେକ ଫାଇଲ ମୋ ଟେବୁଲକୁ ଆସିଲା ଲକ୍ଷ୍ୟକରି ଯେ ସେ ସବୁଥିରେ ନିର୍ଭୁଲ ଏବଂ ସବିଶେଷ ବିବରଣୀ ଥିବା ନୋଟ୍‌ । କିଛି ପ୍ରଶ୍ନ ପଚାରି ଫାଇଲ ଫେରସ୍ତ ଦେବାର ନାହିଁ ବା ଆଲୋଚନା କରି ଅଧିକ ଜାଣିବାର ଆବଶ୍ୟକତା ବି ନାହିଁ । ବେଶ ଖୁସି ହେଲେ ଏବଂ ସଙ୍ଗେ ସଙ୍ଗେ ଏତେଶୀଘ୍ର ଅଦ୍ଭୁତପୂର୍ବ ସଫଳତା କାହାର ଅବଦାନ ଯୋଗୁଁ ସମ୍ଭବ ହେଲା ତାହା ମୋ ଆଗରେ ସୁସ୍ପଷ୍ଟ ହୋଇଉଠିଲା ।

 

ମିସେସ୍ ଚୌଧୁରୀଙ୍କ ପ୍ରତି ସ୍ୱତଃ ମନ ଭିତରେ ସମ୍ମାନବୋଧର ସଂଚାର ହେଲା । ତାଙ୍କୁ ଡାକି ପାଖରେ ବସାଇ କପେ ଚାହା ଦେବାପାଇଁ ଇଚ୍ଛା ହେଲା । କିନ୍ତୁ ତାଙ୍କର ସେହି ପଦେ କଥା ‘‘ମୁଁ ସହାୟିକା, ବ୍ୟକ୍ତିଗତ ନୁହେଁ’’ ମନକୁ ହଠାତ୍‌ ହିମଶୀତଳ କରିଦେଲା । ମୁଁ ସେଥିରୁ ନିରସ୍ୱ ହୋଇ ବୋତାମ ଟିପିଲି ।

 

ସେ ଆସି ଟେବୁଲ ପାଖରେ ଛିଡ଼ାହେଲେ ।

 

ଥମଥମ ହୋଇ ମୁହଁ ତଳକୁ କରି କୌଣସି ପ୍ରକାରେ କହିଲି-କାମ ଭଲଭାବରେ ସଜେଇ ଦେଇଛନ୍ତି । ଅଶେଷ ଧନ୍ୟବାଦ !

 

ଆହୁରି କିଛି କହିଥାନ୍ତି । କିଂତୁ ତାଙ୍କର ପ୍ରତିକ୍ରିୟା କଅଣ ହେବ କିଏ ଜାଣେ ଭାବି ଲାଲ ପେନସିଲଟା ଟାଣିନେଇ କାଚ ଉପରେ ଗାରକାଟିଲି । ମନଟା ଭାଙ୍ଗିଗଲା ।

 

ମିସେସ ଚୌଧୁରୀ କହିଲେ–ସକାଳୁ କାଟି ରଖି ଯାଇଥିଲି । ଦିଅଂତୁ ଠିକ କରିଦେଉଚି-

 

ସେ ପେନ୍‌ସିଲଟା ନେଇ ମୋ କୋଠରୀ ଭିତରୁ ଚାଲିଗଲା ବେଳେ ମୁଁ ଧୀରେ ଧୀରେ ମୁହଁ ଉଠାଇ ଚାହିଁଲି ।

 

ସେ ବୁଲିପଡ଼ି କହିଲା–ତିନିଟା ବେଳେ ବୋର୍ଡ ମିଟିଂ । ପାଞ୍ଚଟା ବେଳେ ଟି ପାର୍ଟି । ମନେଥାଏ ଯେପରି ।

 

ମୁଁ ଧରା ପଡ଼ିଗଲି ବୋଲି ଡରିଗଲି ।

 

ଏଇ ପ୍ରଥମ ଥର ପାଇଁ ତାଙ୍କ ଆଖି ସହିତ ମୋ ଆଖିର ଭେଟ ହେଲା । ତାଙ୍କ ମୁହଁକୁ ଭଲଭାବରେ ମୁଁ ମୁହୂର୍ତ୍ତେ ଅନାଇଲି । ମୋର କାହିଁକି ସାହସା ମନେହେଲା ଯେ ଏଇ ମୁହଁଟା ନିହାତି ଅପରିଚିତ ବା ଦୂରର ନୁହେଁ । ନିକଟରେ କେଉଁଠି ଦେଖିଥିବି । ସ୍ମରଣ କରିବା ପାଇଁ ଚେଷ୍ଟାକରି ବ୍ୟର୍ଥହେଲି ।

 

ମିସେସ ଚୌଧୁରୀଙ୍କର ହସ ଚତୁର୍ଦ୍ଦଶୀର ଚାନ୍ଦ ପରି । କେହି ପ୍ରାୟ ଦେଖି ନାହାନ୍ତି । ମୁଁ ନ ଦେଖିବା ସ୍ୱାଭାବିକ । ତଥାପି ମୋର କାହିଁକି ମନେହେଲା ଯେ ସେଇ ଅଦ୍ଭୁତ ଆଖିର ଦୃଷ୍ଟିତଳେ ସୂତା ଖିଅପରି ଖିଏ ହସ ବାଟ ଖୋଜୁଚି ବାହାରକୁ ଆସିବା ପାଇଁ । ମିଷ୍ଟର ଚୌଧୁରୀ ସତରେ ଭାଗ୍ୟବାନ । ନିଜସ୍ୱ କେବଳ ନୁହେଁ, ତାଙ୍କୁ ମଧ୍ୟ ଦୁର୍ଗପରି ରକ୍ଷା କରୁଥିବା ମିସେସ ଚୌଧୁରୀଙ୍କର ମନକୁ ସହସ୍ରବାର ପ୍ରଶଂସା ରହିପାରିଲି ନାହିଁ ।

 

ପୂର୍ବରୁ ପ୍ରତ୍ୟେକ ଏନ୍‌ଗେଜମେଣ୍ଟର ସମୟ ରକ୍ଷା କରି ନପାରି ବିଳମ୍ବ କରୁଥିଲି ମୋର ଖ୍ୟାତି ଥିଲା । କିଂତୁ ମୋର ସବୁ କାର୍ଯ୍ୟନିର୍ଘଣ୍ଟ ପଛରେ ଛାଲଭଳି ମିସେସ ଚୌଧୁରୀଙ୍କର ହାତ କାର୍ଯ୍ୟ କରୁଥିଲା । ଏହା ଫଳରେ ମୋର କାମ ଯେ ଅନେକ କମିଗଲା ତାହା ନୁହେଁ, ମୁଁ ଅବସର ବିନୋଦନ ପାଇଁ ଯଥେଷ୍ଟ ସମୟ ପାଇଲି, କାମ ପଡ଼ି ନରହି ଶୀଘ୍ର ଶୀଘ୍ର ଫଏସଲା ହୋଇଗଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇ କୁହାକୁହି ହେଲେ, ବଡ଼ ସାହେବ ହେବା ପରେ ଦାସ ସାହେବ ବଦଳି ଗଲେଣି । ବଡ଼ ଲୋକଙ୍କର ବଡ କଥା ।

 

ମୋତେ କିଂତୁ ଭଲ ଲାଗିଲା ଏଇ ପରିବର୍ତ୍ତନ । ସମୟର ପ୍ରବାହରେ କାମ କଳଧ୍ୱନି ସୃଷ୍ଟିକରେ । ସମୟାନୁବର୍ତ୍ତିତା ସେହି କଳଧ୍ୱନିର ଛନ୍ଦ ଏବଂ ସ୍ପନ୍ଦନ ।

 

ମିସେସ ଚୌଧୁରୀ ଘଡ଼ିର କଣ୍ଟା ପରି କାମ କରିଯାଆନ୍ତି । କଥା ବି ମାପିଚୁପି କହନ୍ତି, ବେଶି ନୁହେଁ କି କମ ନୁହେଁ । ଯେତିକି ଦରକାର ।

 

ଏତେଗୁଡ଼ା ଭଲଗୁଣରେ ଅଧିକାରୀ ହେଲେ ମଣିଷ ଯେଉଁ ଲୋକପ୍ରିୟତା ଅର୍ଜନ କରେ ରାହା ତାଙ୍କର କିଂତୁ ଆଦୌ ନଥିଲା । ବରଂ ଲୋକମାନଙ୍କ ପାଖରୁ ଦୂରରେ ରହିବାପାଇଁ ଚେଷ୍ଟା କରୁଥିଲେ ବୋଲି ମୋର ମନେ ହେଉଥିଲା ସମୟାନୁବର୍ତ୍ତିତା, ଶୃଙ୍ଖଳା ଏବଂ ରୁକ୍ଷତାର ଆବରଣ ତଳେ ପ୍ରାଣ ଚାଞ୍ଚଲ୍ୟକୁ ଶିଥଳ କରି ନେବାପାଇଁ ମାତ୍ରାଧିକ ଭାବରେ ସେ ଯେପରି ଅହରହ ସଚେଷ୍ଟ ଥିଲେ, ଏୟା ମୋର ମନେ ହେଉଥିଲା ।

 

ମିଷ୍ଟର ଚୌଧୁରୀ ଯେ ନିଶ୍ଚୟ ଭାଗ୍ୟବାନ୍‌ ପୁତ୍ରଷ ଏକଥା ମୁଁ ମନକୁମନ ଯୁକ୍ତି କରୁଥିଲି-। ଏଭଳି ଜଣେ ଯୋଗ୍ୟା ଭଦ୍ରମହିଳାକୁ ପତ୍ନୀ ଭାବରେ ପାଇ ସେ ଯେ ନିଜେ ଅଧିକ ଯୋଗ୍ୟା ହୋଇଥିବେ ଏଥିରେ ସନ୍ଦେହ ନାହିଁ । କିଂତୁ ହସ ଖୁସି ନ ଥିବା ବ୍ୟକ୍ତିତ୍ୱକୁ ନେଇ ସେ କିମିତି ନିଜର ହାଲୁକା ଦିଗଟାକୁ ଲାଳନ କରୁଥିବେ ବୋଲି ମୁଁ ମନକୁମନ ପଚାରିଲି ।

 

ମିସେସ୍‌ ଚୌଧୁରୀ ନିମନ୍ତ୍ରଣ ରକ୍ଷା କରିବାର କେହି ଜାଣନ୍ତି ନାହିଁ । ସେ ବି କାହାକୁ କେବେ ନିମନ୍ତ୍ରଣ କରିନାହାନ୍ତି । ସାମାଜିକ ଦିଗଟା ଏକାବେଳକେ ନୀରବ । ପୂଜା ପାର୍ବଣ, ବିବାହ, ଅନ୍ନପ୍ରାସନ୍ନ, ଜନ୍ମ ଜୟନ୍ତୀର ଏତେ ବଡ଼ ତାଲିକାରେ ଗୋଟାଏ ତାରିଖରେ ବି ପ୍ରଗଲଭ ହୋଇ ସେ କାହାକୁ ଡାକି ଥିବାର କାହାରି ମନେ ନାହିଁ । ସେଥିପାଇଁ ମୁଁ ଯେତେବେଳେ ସମସ୍ତଙ୍କୁ ଜନ୍ମଦିନର ବନ୍ଧୁ ମିଳନକୁ ନିମନ୍ତ୍ରଣ କଲି ତାଙ୍କୁ ଜାଣିଶୁଣି କଲିନାହିଁ । କାଳେ କଅଣ ମନେକରିବେ-। ଦୁଇପଦ ଶୁଣାଇ ଦେଲେ ତାଙ୍କ ମୁହଁରେ ବାଡ଼ବତା ତ ଦେଇ ପାରିବି ନାହିଁ । ତାପରେ ବ୍ୟକ୍ତିଗତ ଦିଗଟା ସବୁବେଳେ ପ୍ରତ୍ୟୁତ୍ତରହୀନ, ନୀରବ ଓ ନିଶ୍ଚଳ । ସେହି ନୀରବତାର ସ୍ଥିର ସମୁଦ୍ର ଉପରେ ଲହରୀ ଉଠାଇବାପାଇଁ କୌତୁହଳ ଥାଇପାରେ । କିଂତୁ ସାହସ ମୋର ନଥିଲା ।

 

ଜନ୍ମଦିନ ସନ୍ଧ୍ୟାର ସବୁ ଆୟୋଜନ ନିଜେ କରିଥିଲି । ଆଉ କିଏ କରିବ ଯେ । ନିମନ୍ତ୍ରଣର ଡ୍ରାଫଟା ମିସେସ ଚୌଧୁରୀ କରି ଦେଇଥିଲେ । କିଂତୁ ସେତେବେଳେ ବି ଭାବହୀନ ମୂର୍ତ୍ତି । ପ୍ରସାରିତ ହେବାପାଇଁ ଯାଇ ସଙ୍କୁଚିତ ହୋଇଗଲି । ତାଙ୍କୁ ଜନ୍ମଦିନ କଥା କହିଲି କିଂତୁ ଆସିବା ପାଇଁ ଅନୁରୋଧ କରି ପାରିଲା ନାହିଁ ।

 

ଧୂମଧାମରେ ସନ୍ଧ୍ୟାଟା କଟିଗଲା । ଚାହା ଭୋଜିରେ ଅନେକ ବନ୍ଧୁ ଓ ବାନ୍ଧବୀ ଯୋଗ ଦେଇଥିଲେ । ଅନେକ ବନ୍ଧୁ ଆସି ନପାରି ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ । ଗୁଡ଼ାଏ ବାର୍ତ୍ତା ପଢ଼ିବା ପାଇଁ ସମୟ ନଥିଲା ମୋ ପାଖରେ । ମୋର ବସିବା ଘରର ସୋ କେଶ ଉପରେ ଗୁଛାଏ ଚିଠି ଥୁଆ ହୋଇଥିଲା ।

 

ସମସ୍ତେ ବିଦାୟ ନେଇଯିବା ପରେ ଆରାମରେ ଚେୟାର ଉପରେ ନିଜକୁ ଲମ୍ବାଇଦେଇ ସେଇ ଶୁଭେଚ୍ଛା ବାର୍ତ୍ତା ଗୁଡ଼ିକୁ ଗୋଟି ଗୋଟି କରି ପଢ଼ିବାକୁ ଲାଗିଲି । ଦେଶ ବିଦେଶର ବହୁ ବାର୍ତ୍ତା ଭିତରୁ ଗୋଟାଏ ବାର୍ତ୍ତା ଥିଲା ନିଜ ସହରର । ମିସେସ ଚୌଧୁରୀଙ୍କର ।

 

‘ଜନ୍ମଦିନରେ ଆମର ଶୁଭେଚ୍ଛା’

 

ଉତ୍ତାପ ନଥିଲା । ତଥାପି ସେଇ ରଙ୍ଗୀନ ଶୁଭେଚ୍ଛା ବାର୍ତ୍ତାଟିକୁ କେଇ ସେକେଣ୍ଡ ଅନାଇ ରହି ମିସେସ ଚୌଧୁରୀକୁ ଖୋଜିବାକୁ ଲାଗିଲି । ଅଗନା ଅଗନି ବନସ୍ତରେ ହଜିଗଲେ ମଣିଷକୁ ସହଜରେ ବାହାରକରି ହୁଏନାହିଁ । ମିସେସ ଚୌଧୁରୀଙ୍କୁ ମନ ଅରଣ୍ୟର ଅନେକ ଅଗମ୍ୟ ସ୍ଥାନରେ ଖୋଜିଲି କିଂତୁ ପାଇଲି ନାହିଁ ।

 

ଗୋଟାଏ ଆଶ୍ୱାସନା ମୋତେ ବଡ଼ ତୃପ୍ତି ହେଲା ଯେ ସେ ଯେତେ ନୀରସ ଏବଂ ଶୁଷ୍କ ବୋଲି ବାହାରେ ପରିଚିତା ଭିତରେ ସେତେ ନିର୍ଦ୍ଦୟ ନୁହନ୍ତି । ତାଙ୍କର ବି ଗୋଟେ ବ୍ୟକ୍ତିଗତ ଦିଗ ଅଛି ।

 

ସେଥିରେ ମୋର କିଛି ଯାଏଆସେ ନାହିଁ ବୋଲି ମୁଁ ଆଉ ସେଥିପ୍ରତି ଧ୍ୟାନ ଦେଲିନାହିଁ-। ତା ପରଦିନ ସକାଳୁ ଅଫିସ ଗଲି, ଦଶଟାରେ ଗୋଟେ ମିଟିଂ ଥିଲା । ଏଗାରଟାରେ ଇଣ୍ଟରଭିଉ । ବାରଟାରେ ଟିକେ ଫୁରୁସତ ପାଇ କପେ ଚା ପିଉଚି ମିସେସ ଚୌଧୁରୀ ଭିତରକୁ ପଶିଆସିଲେ ।

 

ମୁଁ ତାଙ୍କୁ ମୁହାଁମୁହିଁ ଚାହେଁ ନାହିଁ ବୋଲି ନା କଅଣ ତାଙ୍କ ମୁହଁର ଅଭିବ୍ୟକ୍ତି ବିଷୟରେ ସଂପୂର୍ଣ୍ଣ ଅନଭିଜ୍ଞ । ସେଦିନ ବି ଟେବୁଲ ଉପରେ ମୁହଁ ରଖି କହିଲି, ଆପଣଙ୍କ ଶୁଭେଛା ପାଇଁ ଧନ୍ୟବାଦ ।

 

ସେ କିଛି କହିଲେ ନାହିଁ କି କଥା ସରିଗଲା ପରେ ସଙ୍ଗେ ସଙ୍ଗେ ଯିମିତି ଚାଲିଯାଆନ୍ତି ସେମିତି ଚାଲିଗଲେ ନାହିଁ । ହଠାତ୍‌ ତାଙ୍କ ହାତରୁ ନୋଟ ବହିଟା ଖସିପଡ଼ିଲା । ସେ ତଳକୁ ନଇଁପଡ଼ିଲେ ଗୋଟେଇ ନେବାପାଇଁ । ତଳୁ ମୁହଁ ଉଠାଇ ନେବାବେଳେ ମୁଁ ତାଙ୍କ ମୁହଁକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି ।

 

କପାଳ ଉପରେ ନୂଆପଇସା ଆକାରର ସିନ୍ଦୂରବିନ୍ଦୁ ବଦଳରେ ତିଳ ପ୍ରମାଣ ଏକ ସବୁଜ ଟୀକା ଚହଟି ଉଠିଥିଲା । ମୁଁ ସିନ୍ଦୂରଟୋପା ବଦଳରେ ସବୁଜ ଟୋପା ଦେଖିବି ବୋଲି ଆଶା କରି ନଥିଲି ବୋଲି ଚମକି ପଡ଼ିଲି ।

 

ସେ କିଂତୁ ଦୃଷ୍ଟି ଫେରାଇ ନନେଇ ରହିଗଲେ ଏବଂ ତାପରେ ତର ତର ହୋଇ ଫେରିଗଲେ ନିଜ କୋଠରୀକୁ ।

 

ଅଫିସରେ ଏହି ସାମାନ୍ୟ ପରିବର୍ତ୍ତନ ବି ଗୁଞ୍ଜନ ସୃଷ୍ଟି କଲା ।

 

ଦିନେ ସବୁଜ, ଦ୍ୱିତୀୟ ଦିନ ବାଇଗଣୀ, ତୃତୀୟ ଦିନ ନାରଙ୍ଗୀ ଏବଂ ଚତୁର୍ଥ ଦିନ ଘନନୀଳ..... ।

 

ସମସ୍ତେ ଖୋଜିବାକୁ ଲାଗିଲେ ସେଇ ପୂର୍ଣ୍ଣଚନ୍ଦ୍ର ପରି ସିନ୍ଦୂରଟୋପାକୁ ।

ସମସ୍ତେ ଫୁସ୍‌ଫୁସ୍‌ହେଲେ କାରଣ ଖୋଜିବାକୁ ଯାଇ ।

Unknown

 

ମିସେସ ଚୌଧୁରୀ କେବେ ଛୁଟି ନେବାର କେହି ଦେଖିନାହିଁ । ସେଦିନ ତାଙ୍କର ଛୁଟି ଦରଖାସ୍ତଟା ପାଇ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ।

 

ଦୁଇ ସପ୍ତାହ ଛୁଟି ।

 

ଉପାୟ ନଥିଲା । ଛୁଟି ମଞ୍ଜୁର କରିଦେଲି । ଦୁଇ ସପ୍ତାହ ପରେ କିଂତୁ ଅଫିସରେ ଯୋଗ ନଦେଇ ଯେଉଁ ଚିଠିଟା ଡାକରେ ପଠାଇଥିଲେ ମିସେସ ଚୌଧୁରୀ, ତାହା ପଢ଼ି ମୁଁ ସ୍ତବ୍‌ଧ ହୋଇଗଲି ।

 

ସେ ଲେଖିଥିଲେ :

 

ପୁରୁଷଗୁଡ଼ା ଏତେ ଭୀରୁ ବୋଲି ମୁଁ ଜାଣି ନଥିଲି । ସେମାନେ ସହଜରେ ସବୁ ହୋଇଯାଉ ବୋଲି କେତେ ପ୍ରତ୍ୟାଶା ନ କରନ୍ତି ! କିନ୍ତୁ ପ୍ରତ୍ୟାଶା କରି ପରିଶ୍ରମ ନକଲେ କୌଣସି କାର୍ଯ୍ୟ ହୁଏନାହିଁ । ଭୋକିଲା ପେଟର କରୁଣ କାହାଣୀ କହି କହି ଏଡ଼େ ନଗ୍ନ ଏବଂ ନିର୍ଲଜ ଭାବରେ ଚାହାଁନ୍ତି ଯେ ସେମାନଙ୍କ ଆଗରେ ପଡ଼ିଗଲେ କଞ୍ଚା ଖାଇଯାଆନ୍ତେ ? ସେଇ କଞ୍ଚାଖିଆ ସର୍ବନାଶୀ ଦୃଷ୍ଟିରୁ ନିଜକୁ ରକ୍ଷା କରିବା ପାଇଁ ମଥାରେ ସିନ୍ଦୂରଟୋପା ଲଗାଇ ମୁଁ ମିସେସ ଚୌଧୁରୀ ହୋଇଥିଲି ? ମୋର ରୁକ୍ଷ ରସହୀନ ବେଶଟା ସମସ୍ତେ ଦେଖି ବାଟ ଛାଡ଼ିଦେଲେ । ତୁମେ ବି ଜଣେ ପୁରୁଷ ନା ନା ! ତୁମେ ସେମାନଙ୍କ ଭିତରୁ ବାଦ ପଡ଼ନ୍ତି କିପରି ? ତୁମେ କିନ୍ତୁ ନିଜକୁ ଖୋଜିବାକୁ ଯାଇ ଅନ୍ୟ ସେମାନଙ୍କୁ ଭୁଲିଯିବ ବୋଲି କିଏ ଜାଣିଥିଲା କୁହ । କଲେଜର ଶେଷବର୍ଷର ସେଇ ଲାଜୁଆ ଛାତ୍ରଟି ଆଜି ହୁଏତ ମନୀଷାକୁ ଦେଖିବ ପାଇଁ ମନର ଗଳିରେ ଅପେକ୍ଷା କରୁଥିବ । କିନ୍ତୁ କେବଳ ଅପେକ୍ଷା କରିବାହିଁ ଯଥେଷ୍ଟ ।

 

ମିସେସ ମନୀଷା ଚୌଧୁରୀକୁ ଅନ୍ୟ କେହି ନ ଚିହ୍ନନ୍ତୁ, ତୁମେ ତ ଚିହ୍ନି ପାରିଥାଆନ୍ତ । ସେତେବେଳେ ବି ତୁମେ ଅନାଉ ନଥିଲ । ଏବେ ବି ଅନାଥ ନାହିଁ, କିଂତୁ ନ ଅନାଇବି ଯେଉଁମାନେ ଦେଖିବାପାଇଁ ଚେଷ୍ଟା କରନ୍ତି ସେମାନଙ୍କ ପାଇଁ ରଙ୍ଗ ବଦଳାଇବାକୁ ହୁଏ । ନୁହେଁ ?

 

ମୁଁ ରଙ୍ଗ ବଦଳାଇ ଥିଲି ନିଜକୁ ରକ୍ଷା କରିବା ପାଇଁ । କିଂତୁ ବାହାରେ ଦୁର୍ଗ ଭେଦକରି ଅରକ୍ଷିତ ଅନ୍ତଃସ୍ଥଳରେ ତୁମେ କିପରି ଏବଂ କେତେବେଳେ ଅନୁପ୍ରବେଶ କଲ ତାହା ଯଦି ମୁଁ ଜାଣିପାରି ଥାଆନ୍ତି । ସମସ୍ତ ସତର୍କତା ସତ୍ତ୍ୱେ ଜଉଗଡ଼ରେ ଅଗ୍ନିସଂଯୋଗ ହୋଇଯାଇଚି ।

 

ମୁଁ କେବଳ ମନୀଷା ଚୌଧୁରୀ, ମିସେସ ମନୀଷା ଚୌଧୁରୀ ନୁହେଁ । ଏବେ ଆଉ ସହାୟିକା ଭାବରେ ନୁହେଁ କେବଳ ବ୍ୟକ୍ତିଗତ ଜୀବନର ନାୟିକା ହେବା ପାଇଁ ଦରଖାସ୍ତ କରୁଛି । ମଞ୍ଜୁର କରିବ ନାହିଁ ?

 

ମୋ ଆଖି ଆଗରେ ମିସେସ ଚୌଧୁରୀଙ୍କର ନୂଆପଇସା ଆକାରର ସିନ୍ଦୂରବିନ୍ଦୁଟି କ୍ରମଶଃ ପୂର୍ଣ୍ଣିମାର ଚନ୍ଦ୍ର ପରି ମୁକୁଳିତ ହେବାକୁ ଲାଗିଲା ।

 

ଏବଂ ମୋର ବାରମ୍ବାର ମନେହେଲା ମିସେସ ଚୌଧୁରୀ ହାରିଗଲେ ବି ମନୀଷା ଚୌଧୁରୀ ଜିତିଗଲା ।

•••

 

ରାବଣ ମରିଛି

 

ଏହି ପୃଥିବୀ କେଡ଼େ ସୁନ୍ଦର । ଏଥିରେ ବାସ କରୁଥିବା ମଣିଷମାନେ ଆହୁରି ବେଶୀ ସୁନ୍ଦର ଏବଂ ତାଠାରୁ ଅଧିକ ଲୁଚିଛପି ବନ ଉପବନ, ନଗର ଓ ଜନପଦ ଭିତରେ ରହିଥିବା ଗୋଟିଏ ଦୁଇଟି ମୁହଁ । ସୃଷ୍ଟିର ସମସ୍ତ ଲାବଣ୍ୟ ଯେପରି ଠୁଳ ହୋଇଚି ଗୋଟିଏ ଦେହରେ । ଅପରୂପ ଏବଂ ଅନୁପମ ସେହି ଛବି ।

ସୀତାର ସ୍ୱୟମ୍ୱରବି ସ୍ୱୀକାର କଲା ନାହିଁ ରାବଣ ।

ପୃଥିବୀର ଏହି ଅସାମାନ୍ୟ ସୌନ୍ଦର୍ଯ୍ୟର ଅଧିକାରୀ ସାଧାରଣ ବ୍ୟକ୍ତି ହୋଇ ନପାରେ । ଦୁର୍ଲଭ ସମ୍ପଦ କେବଳ ଅସାଧାରଣର ।

ସୀତା ପାଇଁ ଅଥୟ ହେଲା ମନ । କଳେ ବଳେ କୌଶଳେ ତାକୁ ଅଧିକାର କରିବାକୁ ହେବ । ସେ ନିଜେ ଧରାଦବ ନାହିଁ । ତାକୁ ଧରି ଆଣିବାକୁ ହେବ । ଧରି ଆଣିବାରେ ଦୋଷ ନାହିଁ-। ଶହ ଶହ ବର୍ଷର ପରମ୍ପରା ଅନୁସାରେ ପ୍ରଥମ ଯୌବନର ସ୍ନାନ ପରେ କନ୍ୟା ହୁଏ ରାଜଭୋଗ୍ୟା-। ବୀର ଭୋଗ । ବସୁନ୍ଧରା । ସୁନ୍ଦରୀ ସୀତା ସମ୍ରାଟର । ଅର୍ବାଚୀନ ରାମଚନ୍ଦ୍ର ଚଉଦ ବରଷ ନୁହେଁ ଚଉଦ ପୁରୁଷ ଘୂରିବୁଲୁ ବଣରେ । ସେଥିରେ କିଛି ଯାଏ ଆସେ ନାହିଁ । ବଣର ଫଳମୂଳ, ଝରଣାର ପାଣି, ବନସ୍ପତିର ଛାୟା ସବୁ ତାହାରି । ଗୋଟିଏ କୁଟୀର କେବଳ ସେ ଛାଡ଼ିଦବ ରାମଚନ୍ଦ୍ରର ବସବାସ ପାଇଁ । ଅରଣ୍ୟର ସବୁ ଫସଲ ତାହାରି । ସବୁ ପଶୁ, ସରୀସୃପ ଓ କୀଟ ପତଙ୍ଗ ମଧ୍ୟ ତାହାରି । ସେଥିରେ ଭାଗ ବସାଇବା ପାଇଁ ଅଧିକାର ନାହିଁ କାହାର, ତଥାପି କିଛି ଉଦ୍‌ବୃତ୍ତ ଶସ୍ୟ ଫଳମୂଳ ରାମଚନ୍ଦ୍ର ନେଇ ନିଜର ଭରଣ ପୋଷଣ କରିପାରେ ।

ଯେଉଁମାନେ ବଣ ଜଙ୍ଗଲ ଶିଳା ଓ ଶୈଳ ଗୁମ୍ଫା ଭିତରେ କାଳ ଯାପନ କରନ୍ତି ସେହି ପ୍ରଜାମାନଙ୍କୁ କରୁଣାର ପାତ୍ର ବୋଲି ମନେ କରେ ରାବଣ ।

ସୂର୍ଯ୍ୟର ଦୀପ୍ତି ପଦ୍ମ ପାଇଁ ।

ଚନ୍ଦ୍ରର ଶୀତଳତା କଇଁ ପାଇଁ ।

ସେ ବ୍ୟାକୁଳ ହୃଦୟରେ ଅନୁସନ୍ଧାନ କରିବାକୁ ଲାଗିଲା ।

କଲେଜ ଛକ ନିର୍ଜନ ମଶାଣି ଭଳି ମନେ ହେଉଥିଲା । ସବୁ ଶୂନସାନ । ସମସ୍ତେ ଯେପରି ମରି ଯାଇଛନ୍ତି ।

କୁଆଡ଼େ ଗଲେ ସବୁ । ଏତେ କୋଳାହଳ ଏବଂ ହସ ପରିହାସ ଗଲା କୁଆଡ଼େ ।

ଛୁଟି ।

ହଠାତ୍‌ ମନଟା କ୍ଷୁର୍ଣ୍ଣ ହେଲା ।

ସତକଥା ଜାଣିଲେ ଅନ୍ୟ ଉପରେ ଦୋଷ ଲଦିଦେଇ ନପାରି ମନ କ୍ଷୁର୍ଣ୍ଣ ହୁଏ ।

ରାବଣ ଭାବିଲା ଏତେ ବଡ଼ ଭୁଲ କିପରି ହେଲା । ଛୁଟି ଦିନରେ ସେ ଆସି କଲେଜ ଛକରେ ସୀତା ପାଇଁ ଅପେକ୍ଷା କରୁଥିଲା । କେଉଁ ଦୁଃଖରେ । ଛି, ଛି, ନିଜକୁ ଗାଳିଦେଲା ସେ । ତାପରେ ତଳେ ଗଡ଼ି ଯାଉଥିବା ଯୁଗଯାନ ଉପରେ ଚଢ଼ି ବସି ପ୍ୟାଡ଼େଲ ଘୂରେଇଲା ।

ସାଇକେଲରେ ଏଣେ ତେଣେ ଘୂରିଲା । ନଦୀ ସେ ପାଖରେ ନରାଜ ପାହାଡ଼ । ପାହାଡ଼ର ପାଦଦେଶରେ ଘସି ହୋଇ ଗେହ୍ଲ ହୁଏ ନଦୀ ଯିମିତି ସେ ଗେହ୍ଲ ହବାପାଇଁ ଚାହେଁ ନିଶୂନ ନିଝୁମ ମଧ୍ୟରାତ୍ରିରେ ।

ସେଇ ବଣରେ କେବଳ ଶିଳା ଏବଂ ବନସ୍ପତି ନାହାନ୍ତି, ସେଥିରେ ଅଛନ୍ତି ମୃଗ ଓ ମୃଗନୟନୀ ।

ରାମଚନ୍ଦ୍ର କାଠ କାଟିବା ପାଇଁ ଯାଇଥିବ । ଦିନଯାକ କାଠ କାଟି ମଥା ଉପରେ ବୋଝେ କାଠ ନେଇ ଫେରିବ ସନ୍ଧ୍ୟାକୁ । ଦିନଯାକର ହାଡ଼ଭଙ୍ଗା ପରିଶ୍ରମ ପରେ ସେ ବଞ୍ଚିବ ଦିନଟିଏ ।

ହିଃ ହିଃ ହୋଇ ହସି ଉଠିଲା ରାବଣ ।

ତାର କରତ କଳରେ ଯାହା ହବାପାଇଁ ମିନିଟିଏ ବି ଲାଗେ ନାହିଁ ସେୟା କରିବା ପାଇଁ ଦିନଟିଏ ଝାଳ ନାଳ ହୋଇ ଖଟେ ରାମଚନ୍ଦ୍ର ।

ଦୟାର ପାତ୍ର ।

ତାକୁ ସେ କରୁଣ ଦୃଷ୍ଟିରେ ଦେଖିଲା । ରାମଚନ୍ଦ୍ରର ପାଞ୍ଚଫୁଟ ପାଞ୍ଚଇଞ୍ଚର ଦେହଟା ଆହୁରି ଛୋଟ ଦେଖାଗଲା ତାକୁ । ଇସ୍‌! କି ମିଚି ମିଚି କଳା । ଅରଣ୍ୟର ସମସ୍ତ ଅନ୍ଧକାର ଯେପରି ଠୁଳ ହୋଇଚି ତା ଦିହରେ । ଏଇ ଲୋକଟାର ବ୍ୟକ୍ତିତ୍ୱ ସେ ଖୋଜି ବି ପାଇଲା ନାହିଁ ।

ରାମଚନ୍ଦ୍ର ସପ୍ତାହରେ ଥରେ ସହରକୁ ଆସେ । ତେଲ ଲୁଣ ନେଇ ବାହୁଡ଼ି ଯାଏ ।

ବଜାରରେ ଏତେ ଲୋଭନୀୟ ପଣ୍ୟଦ୍ରବ୍ୟ ତାକୁ ଆକର୍ଷଣ କରେ ନାହିଁ । ତାକୁ କେବଳ ଭଲ ଲାଗେ ସେହି ବନାନୀ । ବନାନୀର ନିଶ୍ୱାସ ପରି ତାର ଏକାନ୍ତ ଆପଣାର ସେହି ଅପରୂପା ଐଶ୍ୱର୍ଯ୍ୟମୟୀ ସୀତା । ସୀତା ପାଖରେ ଥିଲେ ସେ ସବୁ ଦୁଃଖ ଭୁଲିଯାଏ ଏବଂ ସବୁ ଶାନ୍ତି ପାସୋରି ଯାଏ ।

ରାବଣର ଈର୍ଷା ହେଲା ।

ଏତେ ଥିବା ଭିତରେ ତାର ନଥିବା ସ୍ୱରୂପଟା ବାରମ୍ବାର ମନେ ପଡ଼ିଲା ।

ରାମଚନ୍ଦ୍ରର ପ୍ରଶାନ୍ତି ଟିକକ ଛଡ଼ାଇ ଆଣିବା ପାଇଁ ମନ ହେଲା ।

ପୃଥିବୀର ସବୁ ଐଶ୍ୱର୍ଯ୍ୟ ତାହାରି ।

ସବୁ ସମ୍ଭୋଗର ସେ ଅଧିକାରୀ ।

ସୀତାକୁ ସେ ସ୍ୱୟମ୍ବର ସଭାରେ ଦେଖିଥିଲା । ତାପରେ ଆଉ ଭେଟ ହୋଇ ନାହିଁ । ଏଇ କେତେ ବର୍ଷର ବ୍ୟବଧାନ ତାର ଶ୍ରୀ ଏବଂ ସୁଷମାକୁ ଆହୁରି ସୁନ୍ଦର ଏବଂ ଅନନ୍ୟ କରିଥିବ । ବିବାହର ପ୍ରଲେପ ପାଇ ସର୍ବାଙ୍ଗର କ୍ଳାନ୍ତି ଆହୁରି ସୁଷମ ଏବଂ ଦୁର୍ଗମ ବି ହୋଇଥିବ ।

ନିଜ ପ୍ରସାଦକୁ ଚାହିଁଲା ରାବଣ ।

ଏତେ ବଡ଼ ଅଟ୍ଟାଳିକାରେ ଏତେ ସମ୍ପଦ, ମଣି ମାଣିକ୍ୟ ଅଛି । କିନ୍ତୁ ଜୀବନ କାହିଁ ? ଆକର୍ଷଣ ନାହିଁ ? ଅବସାଦରେ ପୁରିଗଲା ମନ ।

ସାଇକେଲ ଖଣ୍ଡିଏ ଚଢ଼ି ଆଉ କେତେଦିନ ବୁଲିବ ସେ ମୋଟର ସାଇକେଲ ଖଣ୍ଡିଏ ଲୋଡ଼ା । ସେ ପକ୍ଷୀଠାରୁ ଅଧିକ ବେଗରେ ଯାଇ ପାରିଲେ ତାକୁ ସମସ୍ତେ ଦୃଷ୍ଟି ଦେଇ ଦେଖିବେ । ବର୍ତ୍ତମାନ କେହି ଚାହୁଁ ନାହାନ୍ତି । ହଜାରକ ଭିତରେ ଜଣେ ନହୋଇ ଜଣକ ଭିତରେ ହଜାରଙ୍କୁ ଦେଖିଲେ ସିନା ମନର ଚଞ୍ଚଳତା ଆସେ ।

ବହୁତ ବୁଲିଲା ରାବଣ । ଗ୍ରାମ, ନଗର ବନ ଉପବନ ଅନେକ ଘୂରିଲା । ସେ କେତେବେଳେ ମୋଟର ସାଇକେଲ ଛାଡ଼ି ମୋର ଗାଡ଼ିର କୋମଳ ଦେହ ଉପରେ ଆଉଜି ପଡ଼ି ଆରାମରେ ପୁଣି ଆକ୍ଷି କୋଣରେ ଅସରନ୍ତି ଲୋଭ ନେଇ ସୀତାଙ୍କୁ ଖୋଜିବା ପାଇଁ ବାହାରିଥିଲା, ଜାଣି ବି ପାରିଲା ନାହିଁ ।

ବର୍ଷା ଅସରାଏ ହୋଇଯାଇଛି ।

ପାଣି ଜମିଛି ଠାଏ ଠାଏ ।

ମ୍ୟୁନିସିପାଲଟିର ରାସ୍ତା ଅସମତଳ ଜୀବନ ପରି । ପାଣି ଉପରେ ଚାଲିଗଲା ବେଳେ ଝଲକାଏ କାଦୁଅ ପାଣି ଛିଟିକି ପଡ଼ିଲା ଶାଢ଼ୀ ଉପରେ ।

ଇସ୍‌କି ଅଭଦ୍ର !

ହସି ଦେଲା ରାବଣ । ତା ମୋଟର ଗାଡ଼ିର ଗତି କମାଇ ସେ ଅବାକ୍‌ହୋଇ ଦେଖିଲା ହୋରି ଖେଳର ରଙ୍ଗ ପରି ସଡ଼କର ଦଲକାଏ ଲାଲପାଣି ଚକତଳୁ ଛିଟିକି ତରୁଣୀର ଉପରେ । ଏତେ ରୂପ ଆଉ କେବେ ଦେଖି ନଥିଲା ସେ । ସେହି ରୂପର ଆକର୍ଷଣ ବଢ଼ିଗଲା ଅନେକ ବେଶୀ-। ସେ ଗାଡ଼ିରୁ ଓହ୍ଲାଇ ପଡ଼ି କହିଲା-ସରି । କ୍ଷମା କରିବ ।

ଲଜ୍ୟାରେ ଲାଲ ପଡ଼ି ଯାଇଥିଲା ଲାବଣ୍ୟ ମୁଖଶ୍ରୀ । ସେ ଧୀରେ ଧୀରେ ରାସ୍ତା ଉପରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା ।

ସମ୍ମୋହିତ କରି ଦେଇଥିଲା ରାବଣ । ସେ ଭୁଲିଗଲା ନାମ ଓ ଠିକଣା ପଚାରିବା ପାଇଁ-। ଆତ୍ମସ୍ଥ ହେଲାପରେ ସେ ସ୍ୱଗତୋକ୍ତି କଲା ବଡ଼ ଭୁଲ ହୋଇଗଲା ଯେ । ନାମ ଧାମ ନଜାଣି କେଉଁଠି ସେ ଖୋଜିବ ସୁନ୍ଦରୀକୁ ।

ଏହି ପୃଥିବୀ ଅନେକ ଛୋଟ ହୋଇ ଯାଇଛି । ଯେଉଁ ଅଚିହ୍ନା ଅଜଣା ରାଜ୍ୟକୁ ଯିବାପାଇଁ କେବଳ ପାଦ ଉପରେ ନିର୍ଭର କରୁଥିଲା ମଣିଷ ଏବେ ସେଠାକୁ ବ୍ୟୋମଯାନରେ ଅଳ୍ପ ସମୟ ମଧ୍ୟରେ ପହଞ୍ଚିଯାଇ ପାରୁଛି ।

ପୁଷ୍ପକ ବିମାନ ନେଇ ସେ ବି ଅନେକ ହଜାର ବର୍ଷତଳେ ଯାଇଥିବା ସୀତାକୁ ନେଇ ଆସିବା ପାଇଁ ।

ରାସ୍ତା ଉପରେ ଭିଡ଼ ଜମିଗଲା କ୍ଷଣକରେ । ଏତେ ବଡ଼ ଚୌଡ଼ା ରାସ୍ତାକୁ ଅବରୋଧ କରି ଛିଡ଼ା ହୋଇଥିଲା ରାବଣର ଗାଡ଼ି । ତା ପାଖରେ ପାଞ୍ଚ ସାତଜଣ ଲାଗିଆସି କହିଲେ-କଅଣ ହେଲା ? ଗାଡ଼ି ଠେଲିବା ପାଇଁ ଯଦି ସାହାଯ୍ୟ ଦରକାର ଆମେ ପ୍ରସ୍ତୁତ । ଆପଣା ଗାଡ଼ିରେ ବସନ୍ତୁ–ଆମେ ଠେଲୁଛୁ ପଛରୁ ।

ରାବଣ ସ୍ତମ୍ଭିତ ହୋଇଗଲା ସେମାନଙ୍କର କଥାଶୁଣି । ସେ ଭାବିଥିଲା ସେମାନେ ତାର କୈଫତ ଚାହିଁବେ ପଥ ଅବରୋଧ କରିଥିବାରୁ କିମ୍ବା ଅପମାନ କରିବେ ବେପରୁଆ ଭାବରେ ଗାଡ଼ି ଚଳାଇ ଥିବାରୁ ଯେଉଁ କାରଣରୁ ରାସ୍ତା ଉପରେ ଜମିଥିବା ବର୍ଷା ପାଣି ଛିଟିକି ପଡ଼ିଥିଲା ଜଣେ ତରୁଣୀ ଛାତ୍ରୀ ଉପରେ । କିନ୍ତୁ ସେ ସବୁ କେହି କିଛି କହିଲେ ନାହିଁ ବରଂ ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ସାତଜଣ ।

ସେହି ଲୋକମାନଙ୍କର ମୁହଁ ଉପରକୁ ଭଲକରି ଆଉଥରେ ନିରୀକ୍ଷଣ କଲା ରାବଣ । ଏଟା କେଉଁଯୁଗ ଠିକ ସେ ବୁଝି ପାରିଲା ନାହିଁ ।

ତ୍ରେତୟା ଯୁଗରେ ମଣିଷ ଅନେକ ବଡ଼ ହୋଇଥିଲା କିନ୍ତୁ ସମାଜରେ ପରସ୍ପର ସହଯୋଗ ଏବଂ ଶ୍ରଦ୍ଧା ଏତେ ପ୍ରବଦ୍ଧ ହୋଇ ନଥିଲା । ଏଥର ସମାଜ ମଣିଷକୁ ସୁଖୀ କରିବାକୁ ଯାଇ ତାର ଦୁଃଖ ଏବଂ ସୁଖକୁ ପରସ୍ପର ସାହାଯ୍ୟ, ସହଯୋଗ ଦ୍ୱାରା ଅଧିକ ସମାଜୀକରଣ କରି ପାରିଛି ।

କିନ୍ତୁ ସୀତାକୁ ଠାବ ନକଲେ ଜୀବନ ବୃଥା । ସୀତାଙ୍କୁ ତାର ଏକାନ୍ତ ଆବଶ୍ୟକ । ନହେଲେ ଏତେ ଐଶ୍ୱର୍ଯ୍ୟର ମୁଖ ସେ ଉପଲବ୍‌ଧି କରିପାରିବ ନାହିଁ । ସେଇ ଗଳି ଆଡ଼କୁ ଦୃଷ୍ଟି ପ୍ରସାରିତ କରି ଚାହିଁଲା ରାବଣ ।

ସେହି ଲୋକମାନେ ପୁନର୍ବାର କହିଲେ କିଛି ହଜି ଯାଇଛି କି ? ଆମକୁ କୁହ ଖୋଜି ଦବୁ । କେହି ଆତ୍ମୀୟ ସ୍ୱଜନ ଯଦି ଅନ୍ୟ କୌଣସି କାମରେ ବଜାରକୁ ଯାଇଥାଆନ୍ତି ତାଙ୍କର ବିବରଣୀ ଦେଲେ ତାଙ୍କୁ ଠାବ କରି ଡାକିଦବୁ ।

ରାବଣ ଚକିତ ହୋଇଗଲା ସେମାନଙ୍କର ବ୍ୟବହାର ଦେଖି । କିନ୍ତୁ ମୁହଁ ଖୋଲି ସେ ସେମାନଙ୍କୁ କିଛି କହିପାରିଲା ନାହିଁ । ବରଂ ସେମାନଙ୍କର ଗହଣରୁ ଶୀଘ୍ର ଖସିଯିବା ପାଇଁ ଗାଡ଼ିର ଏକ୍‌ସଲେଟର ମାଡ଼ିଲା ଯାଇ ।

ଚଉଡ଼ା ରାସ୍ତା ଉପରେ ଗଡ଼ିଗଲା ଗାଡ଼ି ପ୍ରଣତୀର ସ୍ୱାକ୍ଷର ବହନ କରି ।

ବେଗହିଁ ତ ଉନ୍ନତିର ଲକ୍ଷଣ ।

କାଠଯୋଡ଼ି ପୋଲ ଉପରେ କିଛି ସମୟ ବସିଲା ରାବଣ । ସମୟ ଗୋଟିଏ ଜାଗାରେ ଅଟକି ଯାଇନାହିଁ । ସମୟର ବାଲିଶେଯ ଉପରେ ଅନେକ ଅମର ସନ୍ତାନ ସେମାନଙ୍କର ପାଦ ଚିହ୍ନ ରଖି ଯାଇଛନ୍ତି । ଏଇ କାଠଯୋଡ଼ି ପଥର ବନ୍ଧର ନିର୍ମାଣ ରହିଛି ଜଣେ ରାଜାର ସ୍ୱାକ୍ଷର । ଯେଉଁମାନେ ପ୍ରକୃତରେ ପଥର କାଟିଥିଲେ ମାଟି ବୋହିଥିଲେ ବା କାମ କରୁ କରୁ ଦଳି ଚକଟି ହୋଇ ମରି ଯାଇଥିଲେ ସେମାନଙ୍କ ନାମ କେହି ଜାଣେ ନାହିଁ । ସେମାନଙ୍କର କଥା ସେହି ଦିନ ଭୁଲି ଯାଇଚି ମଣିଷ । ବର୍ଷାପାଣି ଯୋଗେ ନଦୀର ବାଲି ଖୋଜ ଦିଶୁ ନଥିଲା ସଂପୁର୍ଣ୍ଣ ଭାବରେ ।

କିଂତୁ ସେହି ବାଲିର ବ୍ୟାପ୍ତ ଦେଖିବା ପାଇଁ ଅନେକ ସମୟ ବସିରହିଲା ସେଠାରେ ।

ଏହି ବାଲି ଉପରେ ମଧୁର ଭାବରେ ସଂକୀର୍ତ୍ତନ କରି କରି ବିଭୋର ହୋଇ ଯାଇଥିଲେ ଚୈତନ୍ୟ ।

ପ୍ରେମ ହିଁ ସତ୍ୟ ।

ସେହି ହେଉଛନ୍ତି ସବୁ ପ୍ରେମର ଉତ୍ସ । ତାଙ୍କୁ ଅନ୍ତର ଦେଇ ଭଲ ପାଅ । ତାଙ୍କ ପାଇଁ ହସ ଏବଂ କାନ୍ଦ ତାଙ୍କରି ସତ୍ତା ଭିତରେ ଲୀନ ହୋଇ ପରମପଦ ଲାଭ କରିବା ପାଇଁ ହେଲେ ତାଙ୍କୁ ପତି ଭାବରେ ହୃଦୟର ସମସ୍ତ ଅର୍ଘ୍ୟ ଦେଇ ମିନତି କର । ନିଜର ସବୁ ଐଶ୍ୱର୍ଯ୍ୟ ତାଙ୍କର ଦ୍ୱିଧାହୀନ ହୋଇ ସମର୍ପଣ କର ।

ରାବଣ ଅଭିଭୁତ ହୋଇ ଆଖି ବନ୍ଦ କଲା ଏବଂ ସେହିକ୍ଷଣି ସେ ମାନସ ରାଜ୍ୟରେ ଦେଖିଲା ଦଳ ଦଳ ଲୋକ ।

ଭାବରେ ବିଭୋର ହୋଇ କୀର୍ତ୍ତନ କରି ଚାଲିଛନ୍ତି ଅପ୍ରାକୃତ ପରମ ସୁଖ ଲାଭ କରିବା ପାଇଁ । ସମସ୍ତେ ବୋକା । ନିହାତି ବୋକା ଭାବିଲା ରାବଣ ।

ଶଳା ରସିକକୁ ଦେଖୁଛ କିରେ ଚଇନି । ଗାଡ଼ି ଛିଡ଼ା କରିଦେଇ ଶଳା, ନଦୀ କୂଳରେ ବସି ହାୱା ଖାଉଛି ।

ଚଇନି ପାଟି କରି କହୁଥିଲା-ଆମ ମାଇପମାନଙ୍କୁ ଦେଖିବା ପାଇଁ ଆସିଛି ବେ ଶଳା । ନହେଲେ ଗାଧୁଆ ତୁଠ ପାଖରେ ବସନ୍ତା କାହିଁକି ? ଦେଖନ୍ତୁ କେଡ଼େ ତରାଟି ତରାଟି ଚାହୁଁଛି ସିଆଡ଼େ । ଭିଜାଲୁଗା ଦେହରେ ଥିଲେ ସୀମା ସରହଦ ସବୁ ଉଜ୍ୱଳି ଉଠେନା-ଶଳା ରସିକ ପାଲଟିଛି । ଶ୍ୱଶୁର ପୁଅକୁ ପାନେ ଦବା କିବେ ନିତେଇ ।

ରାବଣ ବୁଝିପାରିଲା ନାହିଁ । ସେ ସେମାନଙ୍କର ପାଖକୁ ଯାଇ କହିଲା-ଟିକେ ବସି ଯାଇଥିଲି ଭାଇ ନିର୍ମଳ ପବନ ସେବନ କରିବା ପାଇଁ । କିଛି ମନେ କଲକି ?

ଚଇନି ନିତେଇର କାନ୍ଧ ଉପରେ ହାତରଖି କହିଲା–ଖାଣ୍ଟି ସୋରିଷତେଲ ଆଉ ଯେପରି ମିଳେ ନାହିଁ ବାବୁ ନିର୍ମଳ ପବନ କଟକ ସହରରେ ସେହିପରି ଅମଳ । ସବୁ ଭେଜାଳ ହୋଇଗଲା । ମଣିଷ ବି ଆଉ ଖାଣ୍ଟି ରହିଲା କୋଉଠି ଯେ ।

ସେମାନଙ୍କ ସହିତ ଆଉ ତର୍କ ନକରି ସେ ଗାଡ଼ିରେ ବସି ଷ୍ଟିଅରିଂ ମୋଡ଼ିଲା ।

ଗଣେଷ ମାର୍କା ସୋରିଷ ତେଲ ଟିଣେ ନେଇଗଲେ ଗୃହିଣୀ ବଡ଼ ଖୁସି ହୁଅନ୍ତି । ପକେଟ ଅଣ୍ଡାଳିଲା ରାବଣ । ଅନେକ ଟଙ୍କା ଅଛି । ଠିକ ଦରରେ ତ ମିଳିବ ନାହିଁ..ପାଞ୍ଚ ଟଙ୍କା ଅଧିକ ଦେଇଦେଲେ ଟିଣଟିଏ ଆପେ ଆପେ ହାତକୁ ଆସିଯିବ ।

ଦୋକାନ ଆଡ଼କୁ ଗାଡ଼ି ଚଳେଇ ଗଲାବେଳେ ସେଇ ଝିଅଟି ପୁଣି ମନେ ପଡ଼ିଲା ତାର-

ଯିବା ବେଳର ଲାଜମିଶା ସବୁ ହସ ଟିକେ ଝୁଲି ପଡ଼ିଥିଲା ମୁହଁ ଉପରେ ।

ସେ ତାର ଅନୁସନ୍ଧାନ କରିବ । ଯଦି ପାଇଯାଏ ତାହାର ଅନୁସରଣ କରିବ ।

ମୋଡ଼ ଭାଙ୍ଗି କଚେରୀ ପାଖ ହବା ବେଳକୁ ଗାଡ଼ି ରୋକି କିଏ ଜଣେ ହାତ ପାତିଲା ।

କଅଣ ଦରକାର ?

କଚେରୀ ରାସ୍ତାରେ ଯାଉଛ । କୋର୍ଟ ଚାଲିଛି ଯେ । ଏ ରାସ୍ତା ଦେଇ ଯାଇ ପାରିବ ନାହିଁ ।

ସ୍ତମ୍ଭିତ ହୋଇଯାଇ ଛିଡ଼ା ହୋଇଗଲା ରାବଣ । ଏ ଯୁଗର ଲୋକମାନଙ୍କର ମୁହଁ ବହୁତ ବଢ଼ିଗଲାଣି ତ । ତାକୁ ଚିହ୍ନି ନପାରି ରୋକି ଦେଲା ଜଣେ । ସେ ତ ଯିଏ ସିଏ ନୁହେଁ ଯେ ରାସ୍ତା ଭାଙ୍ଗି ବୁଲି ବୁଲି ଯିବ ।

ସିଧା ଯିବା ପାଇଁ ହେଲେ ସିଧା ଉପାୟ କରିବା ଆବଶ୍ୟକ ।

ତା ହାତକୁ ଟଙ୍କାକିଆ ନୋଟଟିଏ ଫୋପାଡ଼ି ଦେଇ ଷ୍ଟାର୍ଟକଲା ରାବଣ ।

ହସି ଦେଇ କହିଲା ସିଏ-ଏଇକଥା ପ୍ରଥମରୁ କରିଥିଲେ ମୁଁ କଅଣ ଅଟକାଇ ଥାଆନ୍ତି ତୁମକୁ ।

ସେ ଅଟକି ନଯାଇ ଚାଲିଆସିଛି ବୋଲି ନିଜକୁ ଧନ୍ୟବାଦ ଦେଲା ।

ମଧ୍ୟାହ୍ନରେ ଜନଗହଳି କମି ଯାଇଥିଲା । ଏଇ ସମୟଟି ନିଜ କାମପାଇଁ ଉପଯୁକ୍ତ । ମଧ୍ୟାହ୍ନ ସମୟରେ ପୁରୁଷମାନେ କାମକୁ ଯାଇଥିବେ ଗୃହିଣୀମାନେ ମସିଣା ପକେଇ ଟିକେ ଆରାମ କରୁଥିବେ ।

ସେ ଯଦି ଏକା ପହଞ୍ଚିଯାଏ ତା ଘରେ ।

ଠିକଣାଟି ନରଖି ବଡ଼ ମୂର୍ଖାମୀ କଲା ସତରେ ।

ନାମ ଠିକଣା କିନ୍ତୁ ମିଳି ବି ଯାଇପାରେ । ଟଙ୍କା ପାଖରେ ଅଛି । ହାତ ଗୁଞ୍ଜା ଦେଲେ କିଏ ମନା କରିବ ? ଅର୍ଥ ପାଇଲେ ପାତାଳ ଖୋଳି ବାସୁକୀକୁ ବି ଏ ଯୁଗର ଲୋକେ ବାହାର କରି ଆଣିବେ ।

ଜଣେ କିଏ ଚାଲି ଯାଉଥିଲା । ତାକୁ ଡାକିଲା ରାବଣ ।

ଏଇ ରାସ୍ତା ଉପରେ ପଦ୍ମ ଫୁଟାଇ ଜଣେ ନିତି ଯିବା ଆସିବା କରେ । ତାର ଚାଲିରେ ଛନ୍ଦ, କଥାରେ ସଙ୍ଗୀତ ଏବଂ ସାନ୍ନିଧ୍ୟରେ ଫୁଲର ସୁରଭି । ତାକୁଇ ମୁଁ ଖୋଜି ବାହାରିଛି । ତାକୁ କେହି ଦେଖିଛ ଭାଇ ?

ଟିକିଏ ସବୁ ଜାଣିବା ହସି ହସି ଦେଇ କହିଲା ଲୋକଟି ହଁ, ହଁ । ସେ ପ୍ରତିଦିନ ଏଇ ରାସ୍ତାରେ ଯାଏ । ବେଳେ ଚାଲି ଚାଲିତ ଆଉ କେତେବେଳେ ରିକ୍‌ସାରେ ବା ଟାଉନ ବସରେ । ତୁମେ ତାକୁ ପାଉନ ।

ନା ଖୋଜୁଛି ଟିକେ ସାହାଯ୍ୟ କରନ୍ତ କି ।

କରିବି, ନିଶ୍ଚୟ କରିବି । ମୋତେ ବଡ଼ ଭୋକ ହେଲାଣି । କଚେରୀରୁ ଫେରୁଛି ।

ଏତେ ଆଗରୁ ଯେ..ପାଞ୍ଚଟା ବାଜିବାପାଇଁ ଆହୁରି ତିନିଘଣ୍ଟା ବାକୀଅଛି ।

ଫେ କିନା ହସି ଦେଇ ସେ କହିଲା-ହାଜିରା ପକେଇ ଗୋଟେ ଫାଇଲରେ ନୋଟ ଲେଖି ପୁଟଅପ କରିଦେଇ ଚାଲି ଆସିଛି । ପ୍ରମାଣ ରହିଲା କାମ କରିବାର । ଏତିକି ଦରମାରେ ଥାଇ ଖଟନ୍ତି କେତେ ଯେ ପଳେଇ ଆସିଲି । ପ୍ରତିଦିନ ଏହିପରି ପଳେଇ ଆସେ ।

ବେଶ ଭଲ କର । ହାତରେ ଅପୁରନ୍ତ ସମୟ ତୁମର । ତୁମେ ନିଶ୍ଚୟ ପାରିବ । କିନ୍ତୁ ତୁମର ପରିଚୟ ପାଇଲି ନାହିଁ ତ !

ବଡ଼ ଆଶ୍ଚର୍ଯ୍ୟ କଥା କହୁଛ । କିଏ ନଚିହ୍ନେ ମତେ କହିପାରିବ । ଲାଲି ଫିତାର ବନ୍ଧନ ଖୋଲେ ମୁଁ । ପୁଣି ବାନ୍ଧେ ମଧ୍ୟ ମୁଁ । ମୋତେ ଚିହ୍ନି ପାରୁନ ।

ଅବାକ ହୋଇ ଚାହିଁଲା ରାବଣ । ତାର ଏତେ ବଡ଼ ସିରସ୍ତା ଛାଡ଼ି ତା’ହେଲେ ଏହି ଲୋକଟା ପଳେଇ ଆସିନିତ ।

ସେ ପଚାରି ଦେଲା କାମ ନକଲେ କେହି କହନ୍ତି ନି ।

ଉତ୍ତର ପାଇଲା-କାମ କଲେ ଆମକୁ ପଚାରିବ କିଏ । କୁଢ଼ କୁଢ଼ଫାଇଲ ଭିତରେ କେତେ ସମସ୍ୟା ଏବଂ କେତେ ମଣିଷର ଜୀବନ କାହାଣୀ ଲୁଚାଇ ନଦେଲେ କାମ ହବ ନାହିଁ । କାମ କରିବା ଆଗରୁ କାମ ଜମେଇ ଦବାକୁ ହୁଏ । ବୁଝିଲ ।

ହଁ ହଁ କାମ ଜମିଲେ ସମସ୍ତେ ଆସନ୍ତି । କାମ ନଥିଲେ ତ କେହି ଶଳେ ମୁହଁକୁ ଚାହିଁବେ ନାହିଁ । ହାତ ଚିକ୍‌କଣ ନହେଲେ ଗୁଲାମୀ କରିବା ସାର ହୁଏ ସିନା ।

ଠିକ କହିଛ ବାବୁ । ତୁମେ ବଡ଼ ଭଲ ଦରଦୀ ଲୋକ ଦେଖୁଛି । ଆମ ବଡ଼ ସେହେବଙ୍କ ପରି ।

ବଡ଼ ସାହେବ ବଡ଼ ବଢ଼ିଆ ଲୋକ ନା ।

ହଁ ହଁ ତାଙ୍କ ହାତରେ ସୁନା ଫଳେ । ସାତବରଷ କାମକରି ସାତମାଣ ଜମି ଏବଂ ଦୁଇଟି କୋଠା ତୋଳିଛନ୍ତି ।

ରାବଣ ଖୁସି ହେଲା ଏତେ ଅଜଣା କଥା ଜାଣିବା ଯୋଗୁ ।

ସେ ବି ଅନେକ କୋଠାର ଅଧିକାରୀ । ବାହୁ ବଳରେ ତ୍ରିଭୁବନର ଅନେକ ସମ୍ପଦ ଏବଂ ରାଜ୍ୟ ଅଧିକାର କରିଛି । ଲକ୍ଷ୍ମୀ ନିଜେ ତାର ରାଜ୍ୟରେ ଆବିର୍ଭାବ ହୋଇଛନ୍ତି । ଧନଧାନ୍ୟରେ ଭରା ସେହି ରାଜ୍ୟରେ ସୌନ୍ଦର୍ଯ୍ୟ ଲହରୀ ମାରୁଚି । ରତ୍ନଗର୍ଭା ମହୋଦଧି ତାର ଐଶ୍ୱର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଦିବାନିଶି କାତର ପ୍ରାର୍ଥନା କରୁଛି । ସେ ସମ୍ରାଟ । ସମସ୍ତ ପ୍ରତିଦ୍ୱନ୍ଦୀ ପରାଭୁତ । ସେ ସମସ୍ତ ଧନ ଓ ଯୌବନର ଭୋକ୍ତା ।

କିଂତୁ ଏହିପରି ରାସ୍ତାରେ ରାସ୍ତାରେ ଘୁରି ବୁଲିଲେ ସୀତା ମିଳିବ ନାହିଁ । ଏତେ ଲାବଣ୍ୟ କିପରି ଆଜିଯାଏ ଲୁଚି ରହିଥିଲା ତାହା ଜାଣିବାପାଇଁ ସେ ଯେତିକି ଇଚ୍ଛା କଲା ସେତିକି ମନ ବିଦ୍ରୋହ କରି ଉଠିଲା । ନିଶ୍ଚୟ ତାକୁ କିଏ ଧୋକା ଦେଇଛି । ନିଶ୍ଚୟ କେହି ଷଡ଼ଯନ୍ତ୍ର କରି ସମ୍ଭୋଗରେ ସୁରାପାତ୍ର ପୂର୍ଣ୍ଣ କରିବାକୁ ଦଉ ନାହିଁ ।

ଗର୍ଜନ କରି ଉଠିଲା ରାବଣ ।

ସେହି ଗର୍ଜନରେ ତ୍ରିଭୁବନରେ କମ୍ପନ ଜାତ ହେଲା । ଜଡ଼ ଓ ଜୀବ ଜଗତରେ ଲୋକେ ପ୍ରମାଦ ଗଣିଲେ ।

ହୁଙ୍କାର କଲା ସେ–କିଏ କେଉଁଠି ଅଛି ବାହାରି ଆସି ଯାହାର ଯାହା ଅଦେୟ ଅଛି ଦେଇ ଯାଅ । କଅଣ ମଣି ମାଣିକ୍ୟ କିଏ ଆଜିଯାଏ ଗୋପନ କରି ରଖିଛ ତାହା ଘୋଷଣା କର । ସେସବୁ ସମ୍ରାଟର ।

ସିଏ ଏକାକୀ ରାସ୍ତା ଉପରେ ଗାଡ଼ି ଚଳେଇ ଯିବାବେଳେ ହଠାତ୍‌ ଗତିକୁ ଶିଥିଳ କରିଦେଇ ଭାବିଲା ସତେତ । ସେ ବି ଇନକମ୍‌ଟିକସ ରିଟର୍ଣ୍ଣ ଦବାପାଇଁ ଅନେକ କାଳ ହେଲା ଭୁଲି ଯାଇଛି । ଆଉ ମନେ ପଡ଼ିଲେ ବି ସେ କଅଣ ଦେଇ ପାରିବ ଆଜି । ଅନେକ ରିଟର୍ଣ୍ଣ ନଦେଇ କି ବେଶ ମଜାରେ ଅଛନ୍ତି । ସେମାନଙ୍କର ସାମାଜିକ ପ୍ରତିପତ୍ତି ବରଂ ବଢ଼ିଛି କମି ନାହିଁ । କିନ୍ତୁ ଯଦି ପରେ କେହି ପ୍ରଶ୍ନ କରେ ଏବଂ ଆଇନ ଯଦି କୈଫିୟତ ମାଗେ ।

ସେ ଆଇନକୁ ଫାଙ୍କି ଦବା ପାଇଁ ନୂଆ ନୂଆ ଉପାୟ ଉଦ୍ଭାବନ କରିବାକୁ ଲାଗିଲା ।

ଦୂତ ଆସି ନିବେଦନ କଲା-ହଜୁର ଧର୍ମାବତାର । ସେ ଅନ୍ୟ ଜଣକର ସ୍ତ୍ରୀ । ପର ସ୍ତ୍ରୀ ଅପହରଣ କରିବା ଅନ୍ୟାୟ, ଅନୁଶାସନ ବିରୁଦ୍ଧ ।

ତାକୁ ପଦାଘାତ କରି ଗର୍ଜନ କଲା ରାବଣ-ନୀତିଶିକ୍ଷା ଅନ୍ୟମାନଙ୍କ ପାଇଁ-ମୋ ପାଇଁ ନୁହେଁ ମୋର ଇଚ୍ଛା ହିଁ ଶାସନ । ମୋର ପ୍ରୟୋଜନହିଁ ଅନୁଶାସନ । ମୋର ଆବଶ୍ୟକ ।

ଅଭିଯାନ ଆରମ୍ଭ ହୋଇଗଲା ସୀତା ହରଣ ପାଇଁ । ଦୂତମାନଙ୍କୁ ଚାରି ଦିଗକୁ ପଠାଇ ଦେଇ ରାବଣ ବାହାରି ପଡ଼ିଲା ଛଦ୍ମ ବେଶରେ ସୀତାକୁ ଚୋରାଇ ଆଣିବା ପାଇଁ ।

ଟ୍ରାଫିକ ପୋଲିସ ଲାଲ ସଙ୍କେତ ସତ୍ତ୍ୱେ ଆଗେଇ ଯାଉଥିଲା ଗାଡ଼ି ।

ପଥ ଅବୋରଧ କରି ପ୍ରଶ୍ନ କଲା ପୋଲିସ ତୁ କିଏ ସେ । ଆଇନ ଅମାନ୍ୟ କରିବା ପାଇଁ ସାହସ କରିଛୁ । ତୁ ଶାସ୍ତି ପାଇବୁ ।

ଏଯାଏ ରାବଣ ଭାବିଥିଲା ଆଇନ ଓ ଅନୁଶାସନ ଅନ୍ୟମାନଙ୍କ ପାଇଁ । ସର୍ବସାଧାରଣଙ୍କ ପାଇଁ ଶାସନର ସମସ୍ତ ନିୟମ । ଯେଉଁମାନେ ଅସାଧାରଣ ସେମାନେ ଅନୁଶାସନର ବାହାରେ ।

କନେଷ୍ଟବଳ ତାକୁ ସାବଧାନ କରାଇ ଦେଇ କହିଲା-ସେ ଯୁଗ ବଦଳି ଯାଇଛି । ଅନୁଶାସନ ନ ମାନିଲେ ଶ୍ରେଣୀ ନିର୍ବିଶେଷରେ ସମସ୍ତେ ଦଣ୍ଡନୀୟ ।

ଚମକି ପଡ଼ି ଗାଡ଼ି ବନ୍ଦ କରିଦେଇ ସଙ୍କେତ ପାଇଁ ଅପେକ୍ଷା କଲା ସେ ।

ସୀତାର ଲାବଣ୍ୟମୟୀ ରୂପ ବାରମ୍ବାର ମନେ ପଡ଼ିଲା ଆସି ।

ଏଇ ସହର ବା ସହରର ଉପକଣ୍ଠରେ ସେ ନିଶ୍ଚୟ ଅଛି । ତାକୁ ବାହାର କରିବାକୁ ହବ-। ସବୁ ସମ୍ପଦ ସମ୍ରାଟର । ସବୁ ମଣିଷ ରାଜଦଣ୍ଡର ଅନୁଗତ । ସେ ସବୁ ସୌନ୍ଦର୍ଯ୍ୟର ଭୋକ୍ତା-

ନଗର ଓ ଜନପଦ ଅତିକ୍ରମ କରି ଆହୁରି ଦୂରକୁ ଚାଲିଗଲା ରାବଣ । ବନ ଉପବନ ପାରି ହୋଇ ନିଘଞ୍ଚ ଅରଣ୍ୟ ଭିତରେ ସେ ଯାଇ ଅବାକ୍‌ ହୋଇ ଦେଖିଲା ଫୁଲ, କେବଳ ଫୁଲ । ପ୍ରସ୍ଫୁଟିତ ନାନା ରଙ୍ଗର ଫୁଲର ଶୋଭା ଏବଂ ସୁରଭିରେ ଅରଣ୍ୟ ବିକଶିତ ।

ସେହି ଫୁଲ ବଣ ଭିତରେ ଗୋଟିଏ କ୍ଷୁଦ୍ରକୁଟୀର ସମ୍ମୁଖରେ କିଏ ଜଣେ ବିଚରଣ କରୁଥିଲା ।

ଇସ ! ଆଖିରେ ପଲକ ପଡ଼ିଲା ନାହିଁ ରାବଣର । ଏତେ ସୁଷମା ଅନୁପମ ଲାବଣ୍ୟ ଏବଂ ଐଶ୍ୱର୍ଯ୍ୟ ଲୋକ ଲୋଚନର ଅଗୋଚରରେ ସଂସାରରେ ଥାଇପାରେ ଏହା ପ୍ରଥମ ଜାଣିଲା ସେ ।

ଯୋଗୀଙ୍କୁ ଭିକ୍ଷା ଦେବା ପାଇଁ ଆଗେଇ ଆସିଲା ସୀତା ।

ଶହସ୍ର ବ୍ୟକ୍ତିର ଅନ୍ନଦାନ ଗ୍ରହଣ କରି ପୁଷ୍ଟ ହୋଇ ବି ସନ୍ତୁଷ୍ଟ ହେଲା ନାହିଁ ରାବଣ । ସେ ଇନକମ ଟିକସ ରିଟର୍ଣ୍ଣ ଦବା ପାଇଁ ବାଧ୍ୟ ନୁହେଁ । କିନ୍ତୁ ତାର ଯାହା ପ୍ରାପ୍ୟ ତାହା ଅବଶ୍ୟ ତାର ଆବଶ୍ୟକ ।

ସେ ଟ୍ରାଫିକ ସଙ୍କେତ ପାରି ହୋଇ ଗୋଟିଏ ଛୋଟ ଗଳିରେ ଯିବାବେଳେ ଦେଖିଲା ଚକିତ ନୟନରେ ପୃଥିବୀରେ ସବୁ ଚମତ୍କାରିତା ଯେପରି ଠୂଳ ହୋଇଛି ଗୋଟିଏ ବିନ୍ଦୁରେ ।

ସୀତା ଛିଡ଼ା ହୋଇଥିଲା ।

ଗାଡ଼ିର ଦରଜା ଖୋଲି ଦେଇ କହିଲା ସେ-ଧନ, ଜନ ସମ୍ପଦ, ଦାସ, ଦାସୀ ସବୁ ପାଇବ ତୁମେ । ଭିତରକୁ ଆସ । ବିଳମ୍ବ କର ନାହିଁ ।

ତୁ କିଏ । ଅଯାଚିତ ଦାନ ଅନ୍ୟର ଦାରିଦ୍ର୍ୟକୁ ଉପହାସ କରିବା ପାଇଁ ତୋତେ କିଏ ଅଧିକାର ଦେଇଛି ।

ପ୍ରଥମେ ଥତମତ ହୋଇ ପରେ ଜବାବ ଦେଲା ସେ-ମୁଁ କୁବେର । ମୁଁ କେବଳ କୁହେ.....ଉତ୍ତର ଦିଏ ନାହିଁ ।

ଆଜି କିଂତୁ ଉତ୍ତର ଦେବାକୁ ବେଳ ଆସିଛି । ତୁ ଅନୁଶାସନର ଅଧୀନ-ବାହାରେ ନୁହେଁ-

ରାବଣ ସୀତାର ଭିକ୍ଷା ଦେଉଥିବା ସୁନ୍ଦର ମସୃଣ ହାତଟିକୁ ଟାଣି ଆଣି କହିଲା-ଜଟାଧାରୀ ପାଖରେ ଏତେ ସୌନ୍ଦର୍ଯ୍ୟ ପାଇଁ ସ୍ଥାନ ନାହିଁ ତିଳୋତ୍ତମା ମୋ ସାଙ୍ଗରେ ଆସ ।

ଅରଣ୍ୟ ଶ୍ୱାପଦ ଓ ସରୀସୃପ ରୋଦନ କଲେ ସୀତା ପାଇଁ । ପୁଷ୍ପକ ବିମାନରେ ବସାଇ ତାଙ୍କୁ ଅପହରଣ କରି ଲଙ୍କାକୁ ଫେରିଗଲା ରାବଣ ।

ରାମଚନ୍ଦ୍ର ଫେରିବା ବେଳକୁ ଶୂନ୍ୟଗୃହ ହାହାକାର କରୁଥିଲା ।

ଅନୁଶାସନ ସମସ୍ତଙ୍କ ପାଇଁ । ତୋତେ ତାହା ଭଙ୍ଗ କରିଥିବାରୁ ଉପଯୁକ୍ତ ଶାସ୍ତି ଭୋଗିବାକୁ ହେବ ।

ରାବଣ ସୀତାକୁ ଏକାକୀ ଦେଖି ଗାଡ଼ି ଭିତ‌ରେ ପାଇଁ ବସାଇ ଗାଡ଼ି ଗଢ଼ାଇ ଦେଲା ।

ସହରର ସବୁ ରାସ୍ତା ପାରି ହୋଇ ରାଜପଥ ଉପରେ ଅନିର୍ଦ୍ଦିଷ୍ଟ ଭାବରେ ଗଡ଼ିଚାଲିଲା ଗାଡ଼ି ।

ଆଗରେ ଫାଟକ । ଅର୍ଗଳ ପକାଇ ପଥ ଅବରୋଧ କରି ଛିଡ଼ା ହୋଇଛି ଫାଟକବାଲା-

ରାମ ଏବଂ ରାବଣ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲା । ପଳାୟନର ସମସ୍ତ ପଥ ବନ୍ଦ-। ବଞ୍ଚିବାର କୌଣସି ଉପାୟ ନାହିଁ । ଶେଷ ପ୍ରହାର ପଡ଼ିବା ପୂର୍ବରୁ କାକୁତି କଲା ରାବଣ-କ୍ଷମାକର ମୋତେ ଥରେ କ୍ଷମାକର ଭାବଗ୍ରାହୀ ।

ଅନୁଶାସନ ଭଙ୍ଗ କରିଥିବାରୁ କାରାଦଣ୍ଡ ପାଇଲା ସେ ।

ଜେଲର ଛୋଟ କୋଠରୀ ଭିତରେ ସବୁ ମନେ ପଡ଼ିଲା–ସେ କେବଳ ପର ନାରୀ ଅପହରଣ କରିନାହିଁ । ସେ ବହୁ ଅନ୍ୟାୟ ଏବଂ ଅବିଚାର କରିଛି । ଅନେକ ଆଇନ ଓ ଅନୁଶାସନ ଭଙ୍ଗ କରିଛି । ଇନକମ ଟିକସ ରିଟର୍ଣ୍ଣ ଦେଇନାହିଁ, ଚୋରା ଏବଂ ଭେଜାଲ କାରବାର କରିଛି, ମଣିଷକୁ ହତ୍ୟା କରିବାର ଷଡ଼ଯନ୍ତ୍ର କରିଛି ।

କ୍ଷୁଦ୍ର ସେହିଁ ପ୍ରକୋଷ୍ଠ ଭିତରେ ପଥର କାନ୍ଥରେ ମଥା ପିଟି ପିଟି ସେ କେବଳ ପ୍ରାର୍ଥନା କଲା-ମୋତେ ଶେଷଥର ପାଇଁ କ୍ଷମାକର ପ୍ରଭୁ । ଆଉ ଥରେ ବଞ୍ଚିବା ପାଇଁ ସୁଯୋଗ ଦିଅ ।

ସକାଳର ପ୍ରଚୁର ଆଲୋକରେ ଝଲମଲ କରୁଥିଲା ନୂତନ ଏବଂ ସୁନ୍ଦର ପୃଥିବୀ ।

ଅଯୋଧ୍ୟାକୁ ବାହୁଡ଼ିଗଲେ ରାମଚନ୍ଦ୍ର ଏବଂ ସୀତା ।

•••

 

ଶୁଭ ମୁହୂର୍ତ୍ତର ଅପେକ୍ଷାରେ

 

ସେଦିନ ସନ୍ଧ୍ୟାରେ ଗୁମ୍ଫାକୁ ଫେରିଆସି ଅନେକ ସମୟ ବସି ବସି ଭାବିଲେ ସୁଧାମୟ କେତେବେଳେ ରାତି ହେଲା ସେ ଜାଣିବି ପାରିଲେ ନାହିଁ । ବାହାରେ ଯେପରି ଏକ ବିରାଟ ଅନ୍ଧକାରମୟ ଜଗତ ଲୁଚି ରହିଥିଲା ଅରଣ୍ୟ ଭିତରେ ତାଙ୍କର ଗୁମ୍ଫା ଭିତରେ ବି ସେହିପରି ଠୁଳ ହୋଇଥିଲା ଅନ୍ଧକାର । ଆଲୁଅ ଜାଳିବାପାଇଁ ଇଚ୍ଛା ହେଲାନି । ଆଲୋକ ଏବଂ ଆନନ୍ଦର ଅନ୍ୱେଷଣ କରି ଅନେକ ପଥ ଚାଲିବା ପରେ ସେ ପହଞ୍ଚି ଯାଇଥିଲେ ଶିମିଳିପାଳର ଏକ ନିଘଞ୍ଚ ଅରଣ୍ୟ ଭିତରେ । କାହିଁକି ଏବଂ କିପରି ଏଠାକୁ ଟାଣିହୋଇ ଆସିଲେ ଆଜି ଭାବିଲେ ସେ ବି ବିସ୍ମିତ ହୁଅନ୍ତି ।

 

ଆଶ୍ରମରେ ରହି ତାହାକୁ କେନ୍ଦ୍ରକରି ଏକାବେଳେ ଜନସେବା ଏବଂ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାପାଇଁ ସିଦ୍ଧାନ୍ତ କରିଥିଲେ ସେ । ସହରର ଆଶ୍ରମ ତାଙ୍କୁ କିଛିଦିନ ବାନ୍ଧି ରଖିଥିଲା ସତ, କିନ୍ତୁ କେଉଁ ଏକ ଅଜଣା ଯାଗାର ଆକର୍ଷଣ ତାଙ୍କୁ ସର୍ବଦା ଅସ୍ଥିର କଲା ଆହୁରି ଆଗକୁ ଯିବାପାଇଁ । ସ୍ୱାମୀଜୀଙ୍କର ଆଦେଶ ବ୍ୟତୀତ କାହିଁ ଯିବାର ଅବକାଶ ନଥିଲା । ସ୍ୱାମୀଜୀ ଶୁଦ୍ଧ ଏବଂ ପୂଣ୍ୟବନ୍ତ ପୁରୁଷ । ବୟସ ସତୁରୀରୁ ବେଶୀ ହେବ । ରାମକୃଷ୍ଣ ମଠର ପ୍ରାଦେଶିକ ସଭାପତି ସେ । ଦିନେ କଲେଜ ପ୍ରାଙ୍ଗଣରେ ତାଙ୍କ ସହିତ ହଠାତ୍‌ ସାକ୍ଷାତ ହୋଇଗଲା । ସ୍ୱାମୀଜୀ କଲେଜକୁ ଆସିଥିଲେ ଶିକ୍ଷକ ଏବଂ ଛାତ୍ରମାନଙ୍କୁ ଦିବ୍ୟ ଜୀବନର ସଂପର୍କରେ ଭାଷଣ ଦେବାପାଇଁ । ତାଙ୍କୁ ଏକାନ୍ତରେ ଦର୍ଶନ କରି ଅନ୍ତର ଭିତରେ କଅଣ ଆଲୋଡ଼ନ ହେଲା କେଜାଣି ସେ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିବାର ଇଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଆଶୀର୍ବାଦ କରି କହିଲେ ଭଗବାନଙ୍କ ରାଜ୍ୟରେ ସେବାର ଖୁବ୍‌ପ୍ରୟୋଜନ ବାବା, ତୁମେ ସେବା କରିପାରିଲେ ଭଗବାନଙ୍କର ନିକଟବର୍ତ୍ତୀ ହୋଇ ପାରିବ । ସୁଧାମୟ ଭଗବାନଙ୍କ ନିକଟବର୍ତ୍ତୀ ହବାପାଇଁ ଯେତେ ଚାହୁଁ ନଥିଲେ ସେତିକି ଚାହୁଁଥିଲେ ଲୋକମାନଙ୍କର ନିକଟବର୍ତ୍ତୀ ହବା ପାଇଁ ।

 

ଏଯାଏ ଭଗବାନଙ୍କ ପାଖରେ ବିଶ୍ୱାସ ଥିଲା ତାଙ୍କର । କିନ୍ତୁ ମଣିଷର ଭାଗ୍ୟ ଏବଂ ଅଭ୍ୟୁଦୟ ଉପରେ ତାଙ୍କର ଆସ୍ଥା ଥିଲା ଅପରିସୀମ । ହଠାତ୍‌ ଯେପରି ସ୍ୱାମୀଙ୍କର ପରଶ ପାଇ ସୁଧାମୟଙ୍କ ଅନ୍ତର ଭିତରେ ମୁହଁମାଡ଼ି ଶୋଇରହିଥିଲା କିଏ ଚେଇଁ ଉଠିଲା । ସେ ସ୍ୱାମୀଜୀଙ୍କର ଶିଷ୍ୟତ୍ୱ ଗ୍ରହଣ କରି ରହିଗଲେ ଆଶ୍ରମରେ । ସ୍ୱାମୀଜୀ ତାଙ୍କୁ ବାରମ୍ବାର କହୁଥିଲେ ଭଗବାନଙ୍କୁ ଏକ ନିଶୂନ ନିଛାଟିଆ ଜାଗାରେ ନୁହେଁ, ମଣିଷମାନଙ୍କ ମେଳରେ ପାଇବ । ମଣିଷର ସେବା କର, ତାକୁ ଅହଂକାର ଏବଂ କୁସଂସ୍କାର ମୁକ୍ତ କରିବାପାଇଁ ଚେଷ୍ଟା କର । ସେହିଦିନୁ ପୃଥିବୀର ସମସ୍ତ ପ୍ରଲୋଭନକୁ ପରିତ୍ୟାଗ କରିବାପାଇଁ ବ୍ରତ ପାଳନ କରିବା ସଙ୍ଗେ ସଙ୍ଗେ ମଣିଷର ସେବାକୁ ପରମ ଧର୍ମ ଭାବରେ ଗ୍ରହଣ କରିନେଲେ ସୁଧାମୟ । ବ୍ରହ୍ମଚାରୀ ହବା ସହଜ ନୁହେଁ ବ୍ରହ୍ମଙ୍କର ଦର୍ଶନ ଲାଭ ଆହୁରି ଦୁର୍ଲଭ । କିନ୍ତୁ ମଣିଷ ଭିତରେ ଈଶ୍ୱରଙ୍କର ଯେଉଁ ଜାଗ୍ରତ ସତ୍ତ୍ୱା ନିତ୍ୟ ଚଳମାନ, ସେହି ସତ୍ତାକୁ ପ୍ରଣାମ କଲେ ସୁଧାମୟ ।

 

କିନ୍ତୁ ମଠର ପରିସର ମଧ୍ୟରେ ତାଙ୍କର ଜୀବନଯାତ୍ରା ଶେଷ ହେଲାନାହିଁ । ସ୍ୱାମୀଜୀଙ୍କର ଆଜ୍ଞା ପାଇ ସେ ଚାଲିଲେ ଏକ ଦୁରୁହ ପଥର ଯାତ୍ରୀ ହୋଇ କାହିଁକି ଯେ ଆଶ୍ରମ ଛାଡ଼ି ସେ ସିମିଳିପାଳର ଘୋର ଅରଣ୍ୟ ଭିତରକୁ ଆସିଲେ ଏବଂ ତାହା ପଛରେ କେଉଁ ଆକର୍ଷଣ ଏବଂ କାହାର ପ୍ରେରଣା କାର୍ଯ୍ୟ କରୁଥିଲା ତାହା ଏଯାଏ ନିଶ୍ଚିନ୍ତ ଭାବରେ ଜାଣି ପାରିଲେ ନାହିଁ ।

 

ଅରଣ୍ୟର ପାଦଦେଶରେ ପହଞ୍ଚିବା ପରେ ସେ ଭଲକରି ଥରେ ଅନେଇଲେ ସିମିଳିପାଳର ପର୍ବତମାଳାକୁ । ମାଳ ମାଳ ପର୍ବତର ସମାବେଶରେ ଛିଡ଼ା ହୋଇଥିଲା ଉର୍ଦ୍ଧ୍ୱମୁଖୀ ସିମିଳିପାଳ । ତାର ଆକୃତିରେ ଥିଲା ରାଜଯୋଗୀର ମହିମା ଏବଂ ପ୍ରଶାନ୍ତି ବିହ୍ୱଳ ହୋଇଗଲେ ସୁଧାମୟ । ଏତେ ନୈସର୍ଗିକ ଶୋଭା ଏକତ୍ର ଠୁଳ ହେବାର ଆଉ କେବେ ସେ କେଉଁଠାରେ ଦେଖି ନଥିଲେ । ଯାହା ଅସୀମ ଓ ଅନନ୍ତ ତାହା ସବୁବେଳେ ଅନୁପମ ଏବଂ ଦୁର୍ଲଂଘ୍ୟ ତାହାର ଆକର୍ଷଣ-। ସିମିଳିପାଳର ସେହି ଆକର୍ଷଣକୁ ପରିତ୍ୟାଗ କରି ନପାରି ଆହୁରି ଭିତରକୁ ପ୍ରବେଶ କଲେ ସେ ।

 

ଗ୍ରାମ ପରେ ଗ୍ରାମ ଅତିକ୍ରମ କରିବା ପରେ ପାହାଡ଼ ଉପରେ ଗୋଟିଏ ଗୁମ୍ଫା ଦେଖି ସେହିଠାରେ ଅଟକିଗଲେ ସୁଧାମୟ । ଆଗକୁ ଯିବା ପାଇଁ ପାଦ ଚାହୁଁ ନଥିଲା । ସେ ପରିଶ୍ରାନ୍ତ ହୋଇଥିଲେ ଅନଭ୍ୟସ୍ତ ଦୀର୍ଘ ପଦାଯାତ୍ରା ଯୋଗୁ । ସନ୍ଧ୍ୟା ହେବା ମାତ୍ରେ ଚତୁର୍ଦ୍ଦିଗରୁ ପଶୁ ପକ୍ଷୀମାନଙ୍କର ନାନାପ୍ରକାର ଶବ୍ଦ ଭାସି ଆସିଲା । ନିବିଡ଼ ଅନ୍ଧକାର ଭିତରେ ଗୁମ୍ଫା ସହିତ ସେ ବି ହଜିଗଲେ କେଉଁଠାରେ । ଟିକିଏ ଆଲୋକ ଦେଖିବାପାଇଁ ବ୍ୟାକୁଳ ହୋଇ ଯେତେବେଳେ ଗୁମ୍ଫା ଉପରକୁ ଆସି ଆକାଶକୁ ଅନାଇଲେ ସେ-ଶାଳ, ପିଆଶାଳ, ମହୁଲ, କୁସୁମ, ଶିଶୁ ନାମରେ ଯୁଗ ଯୁଗ ଧରି ପ୍ରହରୀ ପରି ଛିଡ଼ା ହୋଇଥିବା ବନସ୍ପତିମାନଙ୍କର ଶୀର୍ଷଦେଶ ଅତିକ୍ରମ କରି ତାଙ୍କର ଦୃଷ୍ଟି ପ୍ରସାରିତ ହୋଇଗଲା ମୁକ୍ତ, ପରିବ୍ୟାପ୍ତ ନକ୍ଷତ୍ର ଖଚିତ ଆଲୋକିତ ଆକାଶରେ । ସେ ବିଭୋର ହୋଇଗଲେ ସେହି ଅନିର୍ବଚନୀୟ ଶୋଭା ଦେଖି । ତା’ପରେ ଧୀରେ ଧୀରେ ଭାସି ଆସିଲା ସମବେତ କଣ୍ଠର ଗୀତ ଏବଂ ମର୍ଦ୍ଦଳର ଶବ୍ଦ । ଝରଣା ସେପାଖରୁ ଜବାବ ଦେଇ ଭାସି ଆସିଲା ବାଘର ଗର୍ଜନ । ସୁଧାମୟ ଅନଭ୍ୟସ୍ତ ଥିଲେ ଏପରି ଏକ ପରିବେଶ ସହିତ ଶଙ୍କା ଜାଗିଲା ମନରେ । ଉଦ୍‌ବେଗ ଜାତ ହେଲା ନିଜର ନିରାପତ୍ତା ସମ୍ପର୍କରେ । ଅନେକ ସମୟ ଏକାଗ୍ର ହୋଇ ରହିବା ପାଇଁ ଚେଷ୍ଟା କରି ମଧ୍ୟ ବ୍ୟର୍ଥ ହେଲେ ସେ । ତଥାପି ଇଷ୍ଟ ନାମ ଜପ କରି ସେଇ ଅନାଗତ ମୁହୂର୍ତ୍ତକୁ ଅପେକ୍ଷା କରି ରହିଲେ ।

 

ସେହି ପ୍ରଥମ ରାତିର ଭୀତି ଆଉ କେବେତାକୁ ଅସ୍ଥିର କରି ନାହିଁ । ଆଶଙ୍କା ଏବଂ ଉତ୍କଣ୍ଠା ସେହି ରାତିର ଅନ୍ଧକାର ସହିତ ବୋଧହୁଏ ଚିରଦିନ ପାଇଁ ଗୁମ୍ଫା ସେପାଖର ପ୍ରସାରିତ ଇଲାକାରେ ଅଦୃଶ୍ୟ ହୋଇଗଲେ । ସେହିଦିନୁ ଆଜି ପର୍ଯ୍ୟନ୍ତ ଅନେକ ରାତିର ପ୍ରତ୍ୟକ୍ଷ ଦର୍ଶନ କରିଛନ୍ତି ସୁଧାମୟ । ମୁଗ୍‌ଧ ବିଭୋର ହୋଇ ଆଲୋକ ଏବଂ ଆନନ୍ଦ ପାଇଁ ଅନ୍ୱେଷଣ କରିଛନ୍ତି; କିନ୍ତୁ ଉଦ୍‌ବେଗ ଏବଂ ଆଶଙ୍କାର ଆଉ ଆତ୍ମବିସ୍ମୃତ ହୋଇ ନାହାନ୍ତି ।

 

ସେହି ପ୍ରଥମ ଦିନଠାରୁ ଆଜି ପର୍ଯ୍ୟନ୍ତ ଆଉ ଆଗକୁ ଯିବାର ଚେଷ୍ଟା ନ କରି ସେହିଠାରେ ରହିଗଲେ ସେ । ଈଶ୍ୱର କେବଳ ଜନବସତିର ବହୁଦୂରର ଅଧିବାସୀ ବୋଲି ଯେଉଁ ସାଧାରଣ ବିଶ୍ୱାସ ତାହାକୁ ସେ ହେତୁ ହେବା ଦିନୁ ବର୍ଜନ କରିଛନ୍ତି ସାନ୍ତାଳ, ଭୂମିଜ ପ୍ରଭୃତି ନଗ୍ନ ବା ଅର୍ଦ୍ଧନଗ୍ନ ଆଦିବାସୀମାନଙ୍କୁ ସେ ଯେତିକି ଦେଖିଲେ ଏବଂ ସେମାନଙ୍କର ସରଳ ତରଳ ନିର୍ବିକାର ଜୀବନ ସହିତ ଯେତିକି ସମ୍ପର୍କରେ ଆସିଲେ ସେତିକି ତାଙ୍କ ମନରେ ଗୋଟିଏ ଧାରଣା ବଦ୍ଧମୂଳ ହେଲା ଯେ ଈଶ୍ୱର ଅନ୍ୟତ୍ର ନୁହନ୍ତି ମଣିଷ ମଧ୍ୟରେ ହିଁ ବିଦ୍ୟମାନ । ସେ କେବଳ ଅନନ୍ତ ଆକାଶ, ଅଦୃଷ୍ଟ ଅନ୍ତରୀକ୍ଷ, ଦୃଶ୍ୟମାନ ସଂସାରର ଧରା ବା ଶ୍ୟାମଳ ଅରଣ୍ୟ ଭିତରେ ପ୍ରକାଶମାନ ନୁହନ୍ତି, ତାଙ୍କର ଲୀଳା ଖେଳା ଏହି ମଣିଷମାନଙ୍କ ମଧ୍ୟରେ, ସେମାନଙ୍କର ଅଶ୍ରୁବେଦନା, ହସ ଓ କାନ୍ଦ ଏବଂ ଜୀବନ ଓ ମୃତ୍ୟୁ ମଧ୍ୟରେ ।

 

ତା ପରଦିନ ଅନତି ଦୂରରେ ଥିବା ଏକ ସାନ୍ତାଳ ପଲ୍ଲୀରେ ପଦାର୍ପଣକରି ମାଟି ଓ ବାଉଁଶରେ ତିଆରି ଗୋଟିଏ କୁଡ଼ିଆର ଅପ୍ରଶସ୍ତ ପିଣ୍ଡା ଉପରେ ବସି ପଡ଼ିଥିଲେ ସୁଧାମୟ ।

 

ସେଇ କୁଡ଼ିଆକୁ ଲାଗି ଆଉ ଗୋଟେ କୁଡ଼ିଆ, ତାକୁ ଲାଗି ଏବଂ ବିକ୍ଷିପ୍ତ ଭାବରେ ଆହୁରି ଅନେକ । ଉଚ୍ଚତା ଅତି ଅଳ୍ପ, ଛଅ ସାତ ଫୁଟରୁ ବେଶୀ ନୁହେଁ । ଝାଟିମାଟିର କାନ୍ଥ । ଘାସ ଛପର । ଭିତରକୁ ଯିବାପାଇଁ ଗୋଟିଏ ରାସ୍ତା । ଖୁବ୍‌ ନଇଁ କରି ନଗଲେ ମୁଣ୍ଡରେ ଚାଳ ବାଜିବ । ଦରଜା ବନ୍ଦ କଲେ ସମଗ୍ର ପୃଥିବୀ ଅନ୍ଧକାର । ଦୁଇ ପାଖରେ ବଡ଼ ବଡ଼ ଢ଼ିମା ପଥରକୁ କାନ୍ଥ କରି ମଝିରେ ଥିବା ସାମାନ୍ୟ ଜାଗା ଉପରେ ବି କୁଡ଼ିଆ ତୋଳି ରହିଥିଲେ କେତେକ ।

 

ସେଇ ଗାଆଁଟିର ନାମ ଲଖଣପୁର । ସାନ୍ତାଳମାନେ ସୁଧାମୟଙ୍କୁ ଝରଣା ପାଖକୁ ଡାକିନେଇ ଗୋଟିଏ ବଡ଼ ପଥରକୁ ଦେଖାଇଲେ । ସେହି ପଥରଟି ଝରଣାର ସ୍ରୋତକୁ ବ୍ୟାହତ କରି ଠିକ୍‌ ମଝିରେ ଥିଲା । ଝରଣାର ପାଣି ପଥର ଚାରିପାଖରେ ପ୍ରଦକ୍ଷିଣ ଶେଷ କରି ପୁଣି ବହି ଯାଉଥିଲା ପର୍ବତର ପାଦଦେଶକୁ । ସେଇ ପଥର ଉପରେ ଗୋଟିଏ ଚିହ୍ନକୁ ଦେଖାଇ କେଇ କହିଲେ ସେମାନେ ଏଇ ପଥର ଉପରେ ଥିଲା ଲଖନ ଠାକୁର । ଏଇ ପାହାଡ଼, ପର୍ବତ, ଗଛବୃଛ, ପଶୁପକ୍ଷୀ, ଫଳମୂଳ ସବୁ ତାର । ଚଇତ ମାସର ସବୁ ରାତିରେ ପୂଜା ହୁଏ । ଆଦିବାସୀମାନେ ଭଲରେ ମନ୍ଦରେ ଆସି କୁକୁଡ଼ା, ପାରା, ବାର୍‌ହା, କୁଟୁରା, ହରିଣୀ ବା ଛେଳି ବଳି ଦିଅନ୍ତି ସେଠାରେ-। ପାଖରେ ଆଉ ଗୋଟିଏ ପଥର । ବଳିର ରକ୍ତ ଲାଗି ଲାଗି କଷରା ହୋଇ ଯାଉଥିଲା-। ଝରଣା ମଝିରେ ଭଗବାନଙ୍କ ପ୍ରତିମା ଭାବରେ ପଡ଼ି ରହିଥିବା ସେହି ପଥରକୁ କାହାରି ଛୁଇଁବା ମନା କେବଳ ପୂଜାରି ବ୍ୟତୀତ । ସର୍ଦ୍ଦାର ସେମାନଙ୍କର ପୂଜାରୀ । ତାହାରି ସବୁଥିରେ ଅଖଣ୍ଡ ଅଧିକାର-। ସବୁ ଘରର ଲୋକ ତା’ର ପ୍ରଜା, ସମସ୍ତଙ୍କ ମୁଣ୍ଡ ତାହାରି ହାତମୁଠାରେ । ତା’ର ଆଜ୍ଞା ହିଁ ଶେଷ ଆଦେଶ, ତାକୁ ଲଙ୍ଘନ କରିବାର ଆଧିକାର ଆଉ କାହାରି ନାହିଁ ।

 

ସେମାନଙ୍କର ଜୀବନ ବୃତ୍ତାନ୍ତ ଯେତିକି ଶୁଣିଲେ ଏବଂ ଜୀବନ ସହିତ ପ୍ରତି ମୁହୂର୍ତ୍ତରେ ମୁକାବିଲା କରିବାର ଯେତିକି ଜିଦ୍‌ ଏବଂ ଦୃଢ଼ତା ଦେଖିଲେ ସେଥିରେ ମୁଗ୍‌ଧ ହୋଇଗଲେ ସୁଧାମୟ । ପ୍ରାଣ ପ୍ରାଚୁର୍ଯ୍ୟରେ ପରିପୁର୍ଣ୍ଣ ଏହି ଆଦିବାସୀମାନଙ୍କର ଚଳଣିରେ ଉଦାରତା ଏବଂ ଜୀବନାଦଶର ସଂକୀର୍ଣ୍ଣତା ଏକାଧାରରେ ତାଙ୍କୁ ବିଭୋର ଏବଂ ବିସ୍ମିତ କଲା । ଆଲୋକ ଏବଂ ଆନନ୍ଦ ପ୍ରତି ସେମାନଙ୍କର ଯେତିକି ଥିଲା ଆଗ୍ରହ ଅନ୍ଧକାର, କୁସଂସ୍କାର ଏବଂ ଅନ୍ଧ ବିଶ୍ୱାସରେ ବୁଡ଼ି ରହି ବଞ୍ଚିବାରେ ସେତିକି ଥିଲା ଅଟଳ ସିଦ୍ଧାନ୍ତ । ସେମାନଙ୍କୁ ଦେଖି ଆଦିମ ଯୁଗର ଗୁମ୍ଫା ବା ଗଛ ଉପରେ ରହୁଥିବା ଆଦିବାସୀମାନଙ୍କ କଥା ମନେ ପଡ଼ିଲା ତାଙ୍କର । ସିମିଳିପାଳର ଗୁମ୍ଫା ଭିତରେ ସେମାନଙ୍କୁ ଦେଖି ପୃଥିବୀର ମଣିଷ ଯେପରି ହଜାର ହଜାର ବର୍ଷ ତଳୁ ଆଉ ଆଗକୁ ନଆସି ନିଶ୍ଚଳ ପରି ଗୋଟିଏ ବିନ୍ଦୁରେ ରହିଯାଇଛି ଏୟା ଅନୁଭବ କଲେ ସେ ।

 

ଏଠାକୁ ଆସିବାର ପାଞ୍ଚ ସାତ ମାସ ହେବ । ଚଇତ ପର୍ବ ପାଇଁ ଆୟୋଜନ ଚାଲିଥାଏ-। ଦିନେ ସର୍ଦ୍ଦାର ଆସି ତାଙ୍କୁ କହିଲା ଯେ ଆଗେ ପରବରେ ମଣିଷ ବଳି ଦିଆଯାଉଥିଲା-। ଏବେ ଏସବୁ ଚଳୁ ନାହିଁ । ମଣିଷମାନଙ୍କ ମନରୁ ଭୟ ଭକ୍ତି ବି କମି ଯାଇଛି । ଠାକୁର ତ ମଣିଷ ପାଖକୁ ଆସିବେ ନାହିଁ, ତା ପାଖକୁ ମଣିଷକୁ ଯିବାକୁ ହେବ । ସେଥିପାଇଁ ରାଗିଛି ଠାକୁର । ତାର କଥା ଶୁଣି ଅବାକ୍‌ ହୋଇଗଲେ ସୁଧାମୟ । ସେହି ବଳିଦାନ ପ୍ରଥାର ପ୍ରତିବାଦ ନକରି ସେ ଅନ୍ୟ ଭାବରେ ବୁଝାଇଲେ । ଏଇ ପଥର କେଡ଼େ ସୁନ୍ଦର, ଠାକୁର ଯେମିତି ଛିଡ଼ା ହୋଇଛି ସାମ୍ନାରେ । ଆଉ ଏଇ ସୁନୀଳ ଆକାଶ ଏବଂ ସବୁଜ ଅରଣ୍ୟର ଶୋଭା ଭିତରେ ଠାକୁର ପ୍ରକାଶିତ । ଲକ୍ଷ ଲକ୍ଷ ନକ୍ଷତ୍ରମାନଙ୍କର ଆଖି ମିଟିକା ଏବଂ ଅଜସ୍ର ଫୁଲ, ଫଳ ଓ ପତ୍ରର ବାସ୍ନା ମଣିଷର ଜୀବନକୁ ପ୍ରେରଣା ଦିଏ ବଞ୍ଚିବା ପାଇଁ । ଠାକୁର ସବୁଠାରେ ବିଦ୍ୟମାନ । ସର୍ଦ୍ଦାର ପ୍ରତିବାଦ କରିଉଠେ । ଠାକୁର ଗୋଟିଏ । ସବୁ ପଥର ଠାକୁର ନୁହେଁ, ସବୁଠାରେ ପ୍ରକାଶ ହୁଏ ନାହିଁ । ସୁଧାମୟ ତର୍କ ନକରି ନୀରବ ହୋଇଯାଆନ୍ତି ଆଉ ଗୋଟିଏ ସୁଯୋଗର ଅପେକ୍ଷାରେ । ସର୍ଦ୍ଦାରକୁ ଆଉ ଦିନେ କୁହନ୍ତୁ ସେଇ କଥା, ମଣିଷ ଭିତରେ ପ୍ରକାଶିତ ଠାକୁରର ଦିବ୍ୟ ବିଭୂତି କଥା-। ସର୍ଦ୍ଦାର କଅଣ ବୁଝେ କେଜାଣି ମୁଣ୍ଡ ହଲାଏ କେବଳ । ଆଗଭଳି ପାଟିକରି ଆଉ ପ୍ରତିବାଦ କରେ ନାହିଁ ।

 

ନିରକ୍ଷର ସେହି ସାନ୍ତାଳମାନଙ୍କୁ ଅକ୍ଷର ଶିକ୍ଷା ଦେବା ପାଇଁ ଇଚ୍ଛା ହୁଏ ତାଙ୍କର । ଦିନେ ଦଶକୋଶ ଦୂରର ହାଟକୁ ଯାଇ କିଣି ଆଣନ୍ତି ସିଲଟ ଓ ଖଡ଼ି ବର୍ଣ୍ଣବୋଧ । ପାଠ ପଢ଼ିଲେ ଆକାଶ ଓ ଅରଣ୍ୟ, ମଣିଷ ଓ ତାର ପରିବେଶ ଆଉ ଗୋପନୀୟ ହୋଇ ରହିବ ନାହିଁ । ଠାକୁର ବି ରହସ୍ୟ ଭିତରୁ ପଦାକୁ ଆସି ଆହୁରି ଆପଣାର ହୋଇଯିବେ ।

 

କିନ୍ତୁ ପାଠ ପଢ଼ାଇବା ପରି ପାଠ ପଢ଼ିବା ଏତେ ସହଜ ନୁହେଁ । କୁଟୁରା ପଛରେ ଗୋଡ଼ାଉଥିବା ପିଲାଗୁଡ଼ାକୁ ଗୋଟିଏ ସ୍ଥାନରେ ବସେଇ ରଖିବାକୁ କଷ୍ଟ ହୁଏ ବୋଲି ସେ ବି ବେଳେ ବେଳେ ଦଉଡ଼ନ୍ତି ସେମାନଙ୍କ ସାଙ୍ଗରେ । ଆଉ ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତ ଦେଖି କୁହନ୍ତି ସୂର୍ଯ୍ୟର ଇତିବୃତ୍ତ । ଗଡ଼ିଯାଉଥିବା ଝରଣାକୁ ଦେଖାଇ କୁହନ୍ତି ନଦୀର କାହାଣୀ । ପାହାଡ଼ ଉପରକୁ ସେମାନଙ୍କ ସାଙ୍ଗରେ ଯାଇ ଦେଖାଇ ଦିଅନ୍ତି ପାହାଡ଼ ସେପାଖରେ ପ୍ରସରି ଯାଇଥିବା ବିଶାଳ ପୃଥିବୀକୁ ଏବଂ ତା’ପରେ ସେମାନଙ୍କ ସହିତ ଏକ ସ୍ୱରରେ ଗାଆନ୍ତି, ‘‘ଆକାଶ ଦିଶେ କି ସୁନ୍ଦର, ତାହାକୁ ରଚିଲେ ଈଶ୍ୱର ।’’ ଦିନେ ଦିନେ ସୁବିଧା ହେଲେ ହାତଧରି ସିଲଟ ଉପରେ ମଣ୍ଡଳକାଟି କୁହନ୍ତି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର । ବର୍ଣ୍ଣବୋଧର ପୃଷ୍ଠାରେ ହାତୀର ଚିତ୍ରଦେଖି ପିଲାଗୁଡ଼ା ପ୍ରାୟ ଏକ ସ୍ୱରରେ କହି ଉଠନ୍ତି, ହାତୀଟା ଏତେ ଛୋଟ ନୁହେଁ, ଏଡ଼େ କୁନି ନୁହେଁ । ସୁଧାମୟ ସେମାନଙ୍କ ପିଠିରେ ହାତ ବୁଲାଇ ପଢ଼ାଇ ଦିଅନ୍ତି, କରେ ଆକାର କା, କରେ ହର୍ସଇ କି ।

 

ଅଳ୍ପ ଦିନର ଚେଷ୍ଟାରେ ବୋଲମନା ଅରଣା ମଇଁଷି ପରି ବେଶ୍‌ ନିରୀହ ଦେଖାଯାଆନ୍ତି ପିଲାଗୁଡ଼ା । ତାଙ୍କ ସହିତ ସ୍ୱର ଲମ୍ବାଇ ଗୀତ ଗାଆନ୍ତି; ଅରଣା ମଇଁଷି ରହିଛି ଅନାଇଁ, ମଇଁଷିର ପାଖ ନଯାଅ ଦନାଇ । ସିଲଟରେ ଆମ୍ବ ବା ପଣସର ଚିତ୍ର କାଟି ଦେଖାଇ ଦେଇ ବାହାବା ନିଅନ୍ତି ତାଙ୍କଠାରୁ । ଆଉ ପଚାରନ୍ତି ପାହାଡ଼ ସେପାଖର ମୁଲକର କଥା । ଶୀତ କାକରକୁ ଡରି ଦେହକୁ ଢଙ୍କଉଥିବା ମଣିଷମାନଙ୍କ କଥା । ଅନ୍ୱେଷଣର ଆଗ୍ରହ ଛିଟିକି ପଡ଼ିବା ଦେଖି ଆନନ୍ଦରେ ପରମ ହଂସଙ୍କ ପାଦତଳେ ମଥାରଖି ପ୍ରାର୍ଥନା କରନ୍ତି ସୁଧାମୟ ଏମାନଙ୍କୁ ଆହୁରି ସୁନ୍ଦର, ଆହୁରି ବିକଶିତ କର ଠାକୁର ।

 

ଚଇତ ପର୍ବ ସରିନଥାଏ । ସାତଦିନ ଧରି ଚାଲେ ଏଇ ପର୍ବ । ରାତି ଓ ଦିନ ଭିତରେ ଫରକ ରହେନାହିଁ । ମାଦଲ ବଜାଇ ନାଚନ୍ତି ମର୍ଦ୍ଦମାନେ, ଗୀତ ଗାଇ ଅଣ୍ଟାରେ ଅଣ୍ଟା ଲଗାଇ ସାଙ୍ଗ ଦିଅନ୍ତି ତିର୍ଲାମାନେ । ତାଳେ ତାଳେ ଝରିପଡ଼େ ଉଦ୍ଦାମ ଜୀବନର ଉଚ୍ଛଳ ତରଙ୍ଗ । ଆଦିବାସୀ ପାଦର ଶବ୍ଦ ଏବଂ ତୁଣ୍ଡର ଗୀତ ଶୁଣି ଦଉଡ଼ି ପଳେଇ ନଯାଇ ଦଣ୍ଡେ ଛିଡ଼ା ହୋଇ ରହନ୍ତି ହରିଣୀ ଏବଂ କୁଟୁରା, ମୟୂର ଏବଂ ଶୁଆ ଶାରୀ । ସୁଧାମୟ ଆଗରୁ ଏତେଟା ମିଶୁନଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ବୋଲି ଗଣା ହେବାପାଇଁ ସେ ବି ମିଶିଗଲେ ସେମାନଙ୍କ ସାଙ୍ଗରେ । ହାତତାଳି ଦେଇ ସେ ବି ମିଶି ଯାଆନ୍ତି ସେମାନଙ୍କ ଦଳରେ ।

 

ସେ ଦିନ ହାଟ ଥାଏ ବୋଲି କେତେ ଜଣ ଯାଇଥିଲେ ପାହାଡ଼ ତଳର ଗାଆଁକୁ ଦୋକତା, ଲୁଣ ଆଣିବା ପାଇଁ । ହାଟରୁ ଫେରି ଦୁଇଜଣ ଶୋଇଗଲେ ଲମ୍ବ ହୋଇ । ଜ୍ୱର । ଦେହ ଢାଙ୍କିବାପାଇଁ ଲୁଗା ନାହିଁ । ଖଜୁରୀ ପତ୍ରରେ ତିଆରି ପଟିର ଗୋଟୋ ଗୋଟେ ଘୋଡ଼ାଇ ଦେଇ ଦେହରେ ହାତଦେଇ ଚମକି ପଡ଼ିଲେ ସୁଧାମୟ । ଖଇ ଫୁଟିବ ଦେହର ତାତିରେ । ସାରା ଦେହରେ ବେଦନା । ତଥାପି କାତର ନହୋଇ କହିଲେ ସେମାନେ, ଆଜି ଠାକୁର ରାଗିଚି କାଲି ସବୁ ଠିକ୍‌ ହୋଇଯିବ ଯେ । ସେମାନେ କିନ୍ତୁ ଠିକ୍‌ ହୋଇଗଲେ ନାହିଁ । ଦିନର ଆଲୁଅରେ ସେମାନଙ୍କର ଦେହରେ ଫୁଲା ଫୁଲା ଦାଗ ଦେଖି ବସନ୍ତର ସୁସ୍ପଷ୍ଟ ଚିହ୍ନ ଦେଖି ସ୍ତବ୍‌ଧ ହୋଇଗଲେ ସେ ।

ସୁଧାମୟ ହୋମିଓପାଥି ଜାଣିଥିଲେ । ବାକ୍‌ସ ଖୋଲି କିଛି ଔଷଧ ନେଇ ଦେବାବେଳକୁ କହି ପକାଇଲା ସର୍ଦ୍ଧାର, କୋଉ ସାପର ଡିମ୍ବ ଅଜଗର ନା ମାଟି ବିରୁଡ଼ା-ଏତେ ଛୋଟ ଛୋଟ ।

ଦରକାର ହେଲେ ସାପ ବି ଖାଇଯାଆନ୍ତି ବଣର ଲୋକ । ସେଇ ସାପର ଡିମ୍ବ ଖାଇ ମଣିଷ ଭଲ ହୋଇଯିବ ରୋଗରୁ । ନିଶ୍ଚୟ ନୁହେଁ । ସର୍ଦ୍ଦାର ଖୁଆଇ ଦେଲାନାହିଁ । ସୁଧାମୟ ବହୁତ ବୁଝାଇଲେ, କିନ୍ତୁ କିଛି ମାନିଲା ନାହିଁ ସର୍ଦ୍ଦାର ।

ଠାକୁରେ ବିଜେ କରିଛନ୍ତି । ଔଷଧ ଖାଇଲେ ରାଗିବେ । ତାଙ୍କୁ ଶାନ୍ତ, ସନ୍ତୁଷ୍ଟ ନକଲେ ଆହୁରି ବ୍ୟାପିବ ରୋଗ । ଗାଆଁ ଯାକର ପିଲା ବୁଢ଼ା କେହି ବାଦ ଯିବେ ନାହିଁ । କେଉଁ ଅନୀତି, ଅନିୟମ ପାଇଁ ଏହା ହେଲା ବୋଲି ଅନେକ ତର୍ଜମା କଲା ସର୍ଦ୍ଦାର ତାପରେ ସୁଧାମୟଙ୍କୁ କହିଲା, ଇମିତି ବେଳେ ବେଳେ ହୁଏ ବାବାଜୀ । ଠାକୁରେ ବିଜେ କରେ ଘରେ ଘରେ । ଅନେକ ମରିଯାଆନ୍ତି, ଧୂପଝୁଣା ଦେଇ, ପୂଜାର୍ଚ୍ଚନା କରି କୁକୁଡ଼ା ବୋଦା ବା କୁଟୁରା ବଳିଦେଲେ ଠାକୁର ଶାନ୍ତ ହୁଏ । ଦାସୀ ମଥାରୁ ସିନ୍ଦୂର ଟିକେ ଟିକେ ନେଇ ରକ୍ଷା କବଚ ପରି ସମସ୍ତେ ଲଗାଇ ଦିଅନ୍ତୁ ମଥାରେ । ଆଉ ଭୟ ରୁହେ ନାହିଁ । ବସନ୍ତ ବା ମହାମାରୀ ଆସିଲେ ନିର୍ଭୟରେ ମୁକାବିଲା କରନ୍ତି ସାନ୍ତାଳମାନେ । ଔଷଧ, ପଥି ବଡ଼ଲୋକଙ୍କ ପାଇଁ, ସହର ପାଇଁ, ସେମାନଙ୍କର ଚିକିତ୍ସା ଅଲଗା ।

ଭୂଇଁ ଉପରେ ପଥର ବିଛଣା ଉପରେ ଶୋଇ କଷ୍ଟ ଭୋଗିଲେ ଦୁଇଜଣ । ସେମାନଙ୍କର କଷ୍ଟ ସହ୍ୟ କରିବାର ଶକ୍ତି ଦେଖି ବିସ୍ମିତ ହେଲେ ସୁଧାମୟ ।

ରୋଗରୁ ପଡ଼ିବାରୁ ରୋଜଗାର ରହିଲା ନାହିଁ, ବଣକୁ ଯାଇ କାଠ ବାଉଁଶ କାଟି ବିକି ପାରିଲାନାହିଁ । ସଂଚୟ ନାହିଁ ଯେ ତିରୋଟ ସମୟରେ ଖର୍ଚ୍ଚ କରିବ ଘରେ ବସି । ଆଜିଟା ବଡ଼ । ଆସନ୍ତାକାଲି ପାଇଁ ଉଦ୍‌ବେଗ ନାହିଁ । ଆଜି ପାଇଁ ସବୁ ଉଦ୍ୟମ । ହାତରେ ପଇସାଟିଏ ନାହିଁ ଫିକା ଦୋକତା ଆଣିବାପାଇଁ ଲଖନ ଶୋଇ ଶୋଇ ଜିଦ୍‌କରେ ଫିଙ୍କା ଟାଣିବା ପାଇଁ । ତାର ବୋହୁ କିଛି ଶାଳମଞ୍ଜି ବିକି ଯାହା ଆଣିଥିଲା ସେତକ ଦେଇ ହାଟରୁ ଟିକେ ଲୁଣ ଏବଂ ଆଉ କିଛି ଚାଉଳ ଆଣିଥିଲା । ତୋରାଣୀ ମୁନ୍ଦିଏ ପେଟରେ ନ ପଡ଼ିଲେ ରୋଗ ସହିତ ଯୁଝିବାପାଇଁ ଶକ୍ତି ଆସିବ ନାହିଁ । ଚାଳରେ ଦୋକତା ପତର ଗୋଟେ ଖୋସା ହୋଇଥିଲା କୋଉ ଦିନୁ । ମନେ ନଥିଲା ଲଖନାର । ସେଇଠୁ ଟିକେ ପଙ୍କା ଭିତରେ ଭର୍ତ୍ତିକରି ନିଆଁ ଲଗାଇ ଲଖନା ମୁହଁରେ ଲଗାଇ ଦେଲା ରସା । କଳେ ଧୂଆଁ ଛାଡ଼ି କହିଲା ଲଖନା ଏଇ ଧୂଆ ପରି ଜୀବନଟାକୁ ମୁହଁରେ ଫୁଙ୍କିଦବା ପାଇଁ ଇଚ୍ଛା ହୁଏ ରିସା । ତାପରେ ହଠାତ୍‌ ଚିର୍‌ଚିରେଇ ଉଠେ, ହାଣ୍ଡିଆ ଦେ-ମୋ ତଣ୍ଟି ଶୁଖି ଯାଉଛି-ଟିକେ ହାଣ୍ଡିଆ ଦେ- ।

ସବୁଚାଉଳ ହାଣ୍ଡିଆ ପାଇଁ ଖର୍ଚ୍ଚ ହୋଇଯାଏ । ନିଅଣ୍ଟ ହୁଏ ଭାତ । ପଖାଳ କଂସାଏ ଖାଇଦେଲେ ଦୁଇଦିନ ଚଳିଯାଏ । ଗଛର କେନ୍ଦୁ, ଜାମୁକୋଳି, ସଜନା ସାଗ, ବରକୋଳି ବଣ ଆଳୁ ଯାହା ମିଳେ ସେଇଥିରେ ଚଳିଯାଏ ଦିନ । କୁଟୁରା ବା ମୟୂର ଗୋଟେ ଶିକାର କରି ଆଣିଲେ ଭୋଜିଭାତ । ତେଲ ମସଲା ଦରକାର ହୁଏ ନାହିଁ । ଏତେ ପଇସା କାହିଁ ହାତରେ ବିଳାସପାଇଁ । ତେଲ ମସଲା ଦେଇ ତରକାରୀ କରିବା କାଏଦା କାହାକୁ ଜଣାନାହିଁ ସେଥିପାଇଁ ବଣରୁ ଗୋଟାଇ ଆଣିଥିବା ଶୁଖିଲା କାଠରେ ନିଆଁ ଲଗାଇ ଦେଲେ ହୁ ହୁ ହୋଇ ଜଳେ । ସେଥିରେ କୁଟୁରାଟାକୁ ପକେଇ ଦେଲେ ଶିଝିଯାଏ ଅଧଘଣ୍ଟାରେ । ତା ପରେ ଭିଡ଼ି ଓଟାରି ଖାଆନ୍ତି ସମସ୍ତେ ସାଙ୍ଗ ହୋଇ ।

ସୁଧାମୟ ବ୍ୟସ୍ତ ହୁଅନ୍ତି । ସକାଳ ସନ୍ଧ୍ୟା ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରନ୍ତି ।

ବସନ୍ତ ପାଚି ସେମାନଙ୍କର ଦେହ ଭୟାନକ ଦିଶୁଥାଏ । ଦେହ ଫୁଲି ଢୋଲ ପରି ହୋଇଥାଏ । ଅସହନୀୟ ଯନ୍ତ୍ରଣା କେବଳ ଆଖି ବୁଜି ନିଃଶବ୍ଦରେ ମଣିଷ କିପରି ସହି ଯାଇପାରେ ତାହା ଏଇ ପ୍ରଥମ ଦେଖିଲେ ସୁଧାମୟ । ଏହା ହିଁ ବୋଧ ହୁଏ ଅକ୍ଷମ ଓ ଅସହାୟର ଭାଷା । ଏହାହିଁ ବୋଧହୁଏ ଅସମର୍ଥ ପିଡ଼ିତର ସାଙ୍କେତିକ ପ୍ରତିବାଦ । ପାଖରେ ବସି ନିମ ଡାଳରେ ଆଉଁସି ଦିଅନ୍ତି ସୁଧାମୟ । ଆଖି ଖୋଲି ତାଙ୍କୁ ପାଖରେ ଦେଖି ଧୀରେ ଧୀରେ କୁହେ ଲଖନା, ଇସ୍‌ ! ତୁ ନଖାଇ ନପିଇ ମୋ ପାଖରେ ବସିଛୁ ଯେ ବାବାଜୀ..... ।

ସୁଧାମୟ ଗୁମୁରୁଥିବା ବାୟୁମଣ୍ଡଳକୁ ହାଲୁକା କରିଦେବା ପାଇଁ ଝୁଣାଧୂପ ଦବାପାଇଁ କୁହନ୍ତି । ରିସା ସବୁ କରିସାରି ମୃଣୟୀ ମୂର୍ତ୍ତିପରି ବେଳେ ବେଳେ ଏକ ଲୟରେ ଅନାଁଇ ରହେ । ଆଉ ସମୟ ଉଣ୍ଡି ପଚାରେ , ଲଖନା ଭଲ ହୋଇଯିବ ବାବାଜୀ ?

 

ଅଜ୍ଞତା ଏବଂ ଦାରିଦ୍ର୍ୟ ଭିତରୁ ଅସହାୟ ମଣିଷ କଲବଲ ହୁଏ ଜୀବନ ସହିତ ଯୁଝିବା ବେଳେ । କଥାରେ ଯେପରି କୁହନ୍ତି, ହାତନାହିଁ, ହତିଆର ନାହିଁ, ନିଧିରାମ ସର୍ଦ୍ଦାର । ଜୀବନ ସହିତ ଖାଲି ହାତରେ ଯୁଝି ହୁଏନାହିଁ । ଏଥିପାଇଁ ଲୋଡ଼ାହୁଏ ସଂଘର ପ୍ରୟୋଜନ । ପ୍ରତିକ୍ଷଣରେ ଲଡ଼ିଯାଏ ଲଖନା । ଆହୁରି ଅନେକ ଆଦିବାସୀ ପ୍ରତି ମୁହୂର୍ତ୍ତ ବଞ୍ଚିବା ପାଇଁ ଲଢ଼ନ୍ତି ଜୀବନ ସହିତ-। ବଣର ବାଘ ଭାଲୁ ସାପ ଓ ସୀରସୃପ ସହିତ ।

 

ସର୍ଦ୍ଦାର ସୁଧାମୟକୁ ଡାକିନେଇ କୁହେ ଠାକୁର ରାଗିଯାଇଛି ବାବାଜୀ । ଲଖନା ବୁଧୂକୁ ଛାଡ଼ି ଆହୁରି ତିନିଜଣ ବେମାର ପଡ଼ିଗଲେ । ଗୁଣିଆକୁ ଖବର ଦେଇଛି ଆସିବାପାଇଁ । ଫୁଙ୍କାଫୁଙ୍କି ଦରକାର । ରାତିରେ ଠାକୁର ପାଖରେ ନାଚ ଗୀତ ବି ହେବ । ଠାକୁର ଯାହାକୁ ଲାଗିବ ତାହାରି ମୁହଁରେ କଳାମେଣ୍ଢାର କଞ୍ଚା ରକତ ଢାଳିଦେଲେ ସନ୍ତୋଷ ହବ ଠାକୁର ।

 

ସୁଧାମୟ ସବୁ ଶୁଣନ୍ତି । ପ୍ରତିବାଦ କରନ୍ତି ନାହିଁ । ପ୍ରତିବାଦ କଲେ ଫଳ ହୁଏ ଓଲଟା । ଜିଦ୍‌ହୁଏ ସେମାନଙ୍କର ନିଜର ଆଚରଣ ଏବଂ ଅଭ୍ୟାସକୁ ଜାହିର୍‌ କରିବା ପାଇଁ । ଆଧୁନିକ ଚିକିତ୍ସା ବ୍ୟବସ୍ଥା ସହିତ ପରିଚୟ ନାହିଁ ସେମାନଙ୍କର । ପଚାଶ କୋଶ ଦୂରରେ ବି ଡାକ୍ତରଖାନାଟିଏ ନାହିଁ-। ଟୀକା ନେବାପାଇଁ ବହୁତ ବୁଝାଇଲେ ବି ରାଜି ହୁଅନ୍ତିନି କେହି । ଠାକୁର ବିଜେ କରିଛି । ତାକୁ ଅମାନ୍ୟ କରି ସିଏ ଯେଉଁ ଦେହରେ ବିଜେ କରିବ ସେହି ଦେହକୁ ଖଣ୍ଡିଆ କଲେ ଆହୁରି ଅନିଷ୍ଟ ହେବ । ଔଷଧ ଖାଇ ଠାକୁରଙ୍କୁ ସନ୍ତୁଷ୍ଟ କରି ହୁଏ ନାହିଁ । ସୁଧାମୟ ସୁଯୋଗରେ ଅପେକ୍ଷା କରନ୍ତି ଆହୁରି ଅନେକ ଆଗରୁ କାହିଁକି ସେ ଆସିଲେନି ବୋଲି କ୍ଷୋଭ କରନ୍ତି ।

 

ମହାମାରୀ ବ୍ୟାପିଯାଏ । ଦୟାମାୟା ନାହିଁ । ରୋଗର ପରିବେଶ ତାହାରି ଅନୁକୂଳ ।

 

ଲଖନାର ଅଣ୍ଟାରୁ କନାଟା ଖୋଲି ଦେଇଥିଲେ ସୁଧାମୟ ତା ଦେହ ଉପରେ ଘୋଡ଼ାଇ ଦେଇଥିଲେ ପଦ୍ମପତ୍ର । ପାଖରେ ବସି ନିମ ଡାଳିରେ କୁଣ୍ଡାଇ ଦିଅନ୍ତି, ରିସା ଝୁଣା ଦିଏ । ସୁଧାମୟ ପାଖରେ ଥିଲେ ସାହାସ ହୁଏ ଲଖନାର । ସେ ଅନ୍ୟ କାହା ଘରକୁ ଟିକେ ଚାଲିଗଲେ ଭିଜାକଣ୍ଟରେ କୁହେ ଚାଲିଗଲା ବାବାଜୀ ।

 

ସୁଧାମୟ ଭାତ ମଣ୍ଡରୁ ପାଟିରେ ଟିକେ ଦେଇ କୁହନ୍ତି, ଖାଇଦେ...ଖାଇଦେ । ତାଙ୍କରି ହାତରୁ ଭାତ ମଣ୍ଡ ଟିକେ ଖାଇବାପାଇଁ ଅପେକ୍ଷା କରେ ଲଖନା ।

 

ସବୁ ରୋଗୀମାନଙ୍କୁ ସେମାନଙ୍କର ପରିବାର ଓ ଅନ୍ୟ ଲୋକମାନଙ୍କ ପାଖରୁ ଯଥାସମ୍ଭବ ଅଲଗା କରି ଦିଅନ୍ତି ସୁଧାମୟ । ଦରକାର ବେଳେ ସେ ଯାଆନ୍ତି ସର୍ଦ୍ଦାର ଯାଏ । ପିଲାମାନଙ୍କୁ ଦୁରକୁ ପଠେଇ ଦେଇ କୁହନ୍ତି, କୁରୁଚି ଫୁଲ ଠାକୁର ଉପରେ ଲଦି ଦେଇ ନାଚିବ ଗାଅ..ଗୀତ ଗାଅ...।

 

ଗୁଣିଆ ଆସି ମନ୍ତ୍ର ଫୁଙ୍କିଲା, ଲୁଣ ଛାଟିଲା । ସର୍ଦ୍ଦାରକୁ ଡାକିନେଇ କାନେ କାନେ କହିଲା, ଏଇଥିରେ ମହାମାରୀ ଚାଲିଯିବ ନାହିଁ । ଠାକୁର ସପନେଇଛି-ବଳି ଦରକାର । ମେଣ୍ଢା ନୁହେଁ, ବୋଦା ବା କୁଟରା ନୁହେଁ, ମଣିଷ ହଁ ହଁ ମଣିଷ । ମଣିଷ ମାଂସ ଅନେକ ଦିନରୁ ଖାଇନାହିଁ ଠାକୁର । ସର୍ଦ୍ଦାର ଚମକି ପଡ଼େ । ଠାକୁରକୁ ସନ୍ତୁଷ୍ଟ ନକଲେ ସଭିଏଁ ମରିଯିବେ । ସେ ବି ମରିଯିବ-

 

ରିସା ସୁଧାମୟଙ୍କୁ ଏକା ପାଇ ସବୁ କହିଲା । ତା ଆଖିରେ ଲୁହ ଓ କଣ୍ଠରେ କୋହ ଦେଖି ଅବାକ୍‌ ହୋଇଗଲା ସେ । ରିସାକୁ ସାନ୍ତ୍ୱନା ଦେଲେ, ସାହସ ଦେଲେ । ମଣିଷର ବିଶ୍ୱାସ ଶୀଘ୍ର ବଦଳେ ନାହିଁ । କୁସଂସ୍କାର ଶୀଘ୍ର ବଦଳିଯାଏ ନାହିଁ । ପରିବର୍ତ୍ତନ ପାଇଁ ସମୟ ଦରକାର । ଯଦି ଆପେ ଆପେ ପରିବର୍ତ୍ତନ ଆସୁଥାଆନ୍ତା, ତାହାହେଲେ ଆଜିର କୁସଂସ୍କାର, ଅନ୍ଧବିଶ୍ୱାସ ଆଉ ବରଗଛର ଓହଳ ପରି ଚାରିପାଖରୁ ଜାବୁଡ଼ି ଧରି ନଥାନ୍ତା ମଣିଷକୁ ।

 

କାଳେ ବାବାଜୀର କେହି ଅନିଷ୍ଟ କରିପାରେ ବୋଲି ଭୟପାଏ ରିସା । ତାଙ୍କୁ ଆଖି ବଡ଼ ବଡ଼ କରି ଦେଖେ । ତାଙ୍କର ଅସୀମ ସାହସ ଏବଂ ଧୈର୍ଯ୍ୟ ଦେଖି କେବଳ ମୁକ ପରି ଅନେଇ ରୁହେ । କଥା ପଦେ କହିପାରେ ନାହିଁ । ବାବଜୀ ନଥିଲେ ଲଖନା ଯେ ବଞ୍ଚି ନଥାନ୍ତା ଏଇ କଥାଟା ମନକୁ ମନ ଘାରେ ରିସାର ।

 

ତାକୁ ଟିକେ ଶୋଇ ପଡ଼ିବାପାଇଁ କହି ଧୀରେ ଧୀରେ କୁଡ଼ିଆ ଭିତରୁ ବାହାରି ଯାଆନ୍ତି ସୁଧାମୟ ।

 

ରାତିରେ ଆକାଶର ଆଲୁଅ ବ୍ୟତିତ ଆଲୁଅ ନଥାଏ କାହିଁ । ଅରଣ୍ୟରେ ନିରନ୍ଧ୍ର ଅନ୍ଧକାର । ତଥାପି ଜଣକ ପରେ ଆଉ ଜଣକୁ ଯାଇ ଦେଖି ଆସନ୍ତି ସୁଧାମୟ । ରାତିରେ ରୋଗର ଯନ୍ତ୍ରଣା ବଢ଼େ, ରୋଗୀ ବେଶୀ ଛଟପଟ ହୁଏ ବୋଲି ତାକୁ ଟିକେ ସଙ୍ଗ ଦେବାପାଇଁ ଯାଆନ୍ତି ସେ । ସେଇ ଛୋଟ ଛୋଟ କୁଡ଼ିଆ ଭିତରେ ବି କୃତଜ୍ଞତାର ଅନ୍ତହୀନ ସମୁଦ୍ରର ଢେଉ ଦେଖି ସୁଧାମୟ ସୃଷ୍ଟିକର୍ତ୍ତାଙ୍କୁ ପ୍ରଣାମ କରନ୍ତି ।

 

ଲୁଣ, ତେଲ କିଣିବାକୁ ସମର୍ଥ ନୁହେଁ ସାନ୍ତାଳ । ତାର ପ୍ରୟୋଜନ ଖାତାର ତାଲିକାଟା ଅତି ସଂକ୍ଷିପ୍ତ । ପିଙ୍କା ଖାଇବା ପାଇଁ ଦୋକତା, ଲଜ୍ୟା ନିବାରଣପାଇଁ ଦୁଇ ହାତ କନା, ଖାଇବା ପାଇଁ ଲୁଣ । ଆଉ ସବୁ ଅନାବଶ୍ୟକ । ଜୀବନର ପ୍ରୟୋଜନ ତାଲିକାଟା ଏତେ ଛୋଟ ହୋଇଯାଇଛି ଯେ ସେଥିରେ ସ୍ୱାର୍ଥରକ୍ଷାର ବିଧାନ ନାହିଁ । ରୋଗର ନିଦାନ ନାହିଁ । ମନ ଓ ବୁଦ୍ଧି ଉତ୍କର୍ଷତା ପାଇଁ ଅନ୍ୱେଷଣ ନାହିଁ । ଅହଂକାର ଜାରି କରିବାପାଇଁ ଅଳଙ୍କାର ବା ଆଭରଣ ନାହିଁ ।

 

ଆଦିବାସୀ ଅରଣ୍ୟ ପରି ଶାନ୍ତ, ସରଳ, ଅକପଟ । ବଣର ବନସ୍ପତି ପରି ଖାଲି ଦେହ, ନଗ୍ନପାଦ ।

 

ରିସାକୁ ପାହାନ୍ତାରେ ଜ୍ୱର ହେଲା । ବରଡ଼ା ପତ୍ର ପରି ଥରିଲା ସେ ଜ୍ୱର ପ୍ରକୋପରେ । ସର୍ବାଙ୍ଗରେ ବେଦନା । ତା’ ପାଖରେ ବସି ବସି କପାଳରେ ହାତ ବୁଲାଇ ଦେଲା ସୁଧାମୟ । ପଟିଆ ଘୋଡ଼େଇ ହୋଇ ଭିତରୁ ଉଠୁଥିବା କମ୍ପକୁ ଅବରୋଧ କରିବା ପାଇଁ ଚେଷ୍ଟା କଲା ରିସା ।

 

ସୁଧାମୟ କହିଲେ, ଆଁ କର ରିସା । ରିସା ତାଙ୍କ ହାତ ଧରି ପକେଇ କହିଲା, ଠାକୁର ରାଗିବ ନାହିଁ ବାବାଜୀ ?

 

ସୁଧାମୟ କହିଲେ, ନା ଠାକୁର ରାଗିବ ନାହିଁ । ଠାକୁର ମୋତେ ତୁମ୍ଭ ମାନଙ୍କୁ ପଠେଇଛନ୍ତି ରିସା । ତାଙ୍କରି ଆଦେଶ ମାନି ମୁଁ ଯେତେ ଯାହା ଦେଉଛି ଖାଇନେ । ଆଉ ପ୍ରତିବାଦ ନକରି ଔଷଧ ଖାଇଲା ରିସା । ଜିଭ ଉପରେ ମିଠା ମିଠା ଔଷଧ ବଟିକାଗୁଡ଼ିକୁ ସେ ଚୂଶିବାକୁ ଲାଗିଲା ।

 

ବାବାଜୀଙ୍କୁ ଶ୍ରଦ୍ଧା କରେ ରିସା । ନିଜ ଲୋକ ନହେଲେ ବି ନିଜ ଲୋକ ଠାରୁ ବଡ଼ ଆପଣାର । ତାଙ୍କୁ ଦେଖିଲେ ହତାଶା ଓ ଅବସାଦରେ ସଢ଼ୁଥିବା ମନଟାରେ ଟିକେ ଆଶାର ସଞ୍ଚାର ହୁଏ, ଅବସାଦ କଟିଯାଇ ଚେଇଁ ଉଠେଦେହ । ଗଛ ସହିତ ବାବାଜୀଙ୍କୁ ତୁଳନା କରେ ସେ । ଗଛ ଛାଇ ଦିଏ; ଫୁଳ ଫଳ ଦିଏ ଏବଂ ପତ୍ର ଓ କାଠ ବି ଦିଏ । କିଂତୁ କିଛି ମାଗେ ନାହିଁ । ବାବାଜୀ ଠିକ୍‌ ସେହିପରି । ଦୁଇ ହାତ ପୂର୍ଣ୍ଣ କରିଦିଅନ୍ତି ଯାହା କରିଦିଅନ୍ତି ଯାହା କିଛି ଫେରି ପାଇବାର ପ୍ରତ୍ୟାଶା ନାହିଁ ।

 

ରାତିରେ ନିଦ ହୁଏନି । ଲଖନାର ଟିକିଏ ଦୂରରେ ଶୁଏ ସେ । ବସନ୍ତ ଗୁଡ଼ା ପାଚିଥାଏ ବୋଲି ଯନ୍ତ୍ରଣାରେ କାତର ହୋଇ ମଢ଼ା ପରି ଶୋଇଥାଏ ଲଖନା । ରିସା ଅସହାୟ ହୋଇଯାଏ । ଖାଲି ହାତରେ ବାଘ ବା ଭାଲୁ ସହିତ ଯୁଦ୍ଧ କରିବା କେଡ଼େ ସହଜ ଶୋଇ ଶୋଇ ଯୁଦ୍ଧ କରିହୁଏ ନାହିଁ । ଦେହ ଭିତରୁ ଆକ୍ରମଣ କରେ ଶତ୍ରୁ ମୌକା ଦେଖି । ଛପି ଛପି ଝାମ୍ପ ଦିଏ ବିଶ୍ୱାସଘାତକ ପରି ।

 

ରସାକୁ ଔଷଧ ଖୁଆଇ ମନରେ ସାହାସରଖି ରୋଗ ସହିତ ଯୁଝିବାପାଇଁ କହି ଘର ଭତରୁ ବାହାରିଗଲେ ସୁଧାମୟ । ଭୀମା ଏବଂ ନକୁଳାକୁ ବି ଦେଖି ଆସିଲେ । ଔଷଧ ଖୁଆଇ ପାରିଲେ ନାହିଁ ସିନା ଦେହ ମୁଣ୍ଡ ଆଉଁସି ଦେଲେ, ଭଲ ହୋଇଯିବାର ସାନ୍ତ୍ୱନା ଦେଲେ । ଫେରିବା ବେଳେ ଆକାଶର ଅନନ୍ତ ମହିମାନ୍ୱିତ ରୂପକୁ ଦେଖି ଆକୁଳ ଚିତ୍ତରେ କହିଲେ ସୁଧାମୟ, ସବୁଠାରେ ତୁମର ପ୍ରକାଶ ପ୍ରଭୁ । ଅଶେଷ ତୁମର କରୁଣା । ଏମାନଙ୍କୁ ଟିକିଏ ଦୟାକର ଦୟାମୟ-

 

ସେ ନିଜ ଗୁମ୍ଫା ଭିତରେ ପଶିଯିବା ଆଗରୁ କାହାର ପରଶ ପାଇଲେ ଦେହରେ । ଚମକି ପଡ଼ି ଛିଡ଼ା ହୋଇଗଲେ ସେ କୁରୁଚି ଫୁଲର ବାସ୍ନା ତାଙ୍କ ନାକରେ ବାଜିଲା ଆସି ।

ସେ କହିଲେ, କିଏ ?

ତାଙ୍କ ଉପରେ ହାତ ଜାକି ତାଙ୍କୁ ଆଉ କହିବାକୁ ନଦେଇ ପଥ କଢ଼ାଇ ନେଇଗଲା ରାଧା । ସୁଧାମୟ ଦିଆସିଲି ଖୋଜିଲେ ଆଲୁଅ ଜାଳିବାପାଇଁ । ସେଥିରୁ ତାଙ୍କୁ ନିରତ୍ପ କଲା ରାଧା-। ଆଲୁଅର ପ୍ରୟୋଜନ ନାହିଁ । ଅନ୍ଧାରରେ ବି ଦେଖିହୁଏ ଯେଉଁଠାରେ ସେଠାରେ ଆଲୁଅର ପ୍ରୟୋଜନ ରହେ ନାହିଁ ।

ଏତେ ରାତିରେ ଘରଛାଡ଼ି ଏକା ଏପରି ଚାଲିଆସିବାରୁ ସୁଧାମୟ ତାକୁ କହିଲେ ଏତେ ରାତିରେ ଏକା ଏକା ଚାଲି ଆସି ପାରିଲୁ ରାଧା ?

ସେ ଫିକ କିନା ହସିଦେଇ କହିଲା, ତୋତେ ଟିକିଏ ନିରୋଳାରେ ଦେଖିବା ପାଇଁ ଇଚ୍ଛା ହେଲା ବାବାଜୀ ।

ସୁଧାମୟ କହିଲେ, ମୋତେ ତ ସବୁଦିନେ ଦେଖୁ ରାଧା । ତାହେଲେ ପୁଣି ଦେଖିବା ପାଇଁ କାହିଁକି ମନ ହେଲାଯେ..... ।

ରାଧା ସଙ୍ଗେ ସଙ୍ଗେ ଉତ୍ତର ଦେଇ ନ ପାରି ରହିଗଲା ଟିକିଏ । ତାପରେ ସରଳ ଭାବରେ କହିଲା, ଦିନବେଳେ ତୋତେ ଚାହିଁବା ପାଇଁ ଡରଲାଗେ ବାବାଜୀ, ଆଖି ଉଠେଇ ପାରେ ନାହିଁ ।

 

ସୁଧାମୟ ଆଶ୍ଚର୍ଯ୍ୟ ହୋଇଗଲେ ।

ରାଧା କହିଲା, ମୁଁ ଗୋଟାଏ କଥା କହିବି, ଶୁଣିବୁ ବାବାଜୀ ।

ସୁଧାମୟ ଶାନ୍ତ କଣ୍ଠରେ କହିଲେ, କହ ।

ରାଧା ଟିକେ ରହିଯାଇ ଧୀରେ ଧୀରେ କହିଲା, ମୋତେ ପାଠ ପଢ଼େଇବୁ ବାବାଜୀ ?

ସୁଧାମୟ ଖୁସିହୋଇ କହିଲେ, ନିଶ୍ଚୟ ପଢ଼େଇବି । ସିଲଟ, ଖଡ଼ି କହି, ସବୁ ଆସି ଯାଇଛି ରାଧା । ଖାଲି ଆରମ୍ଭ କଲେ ହେଲା ।

ରାଧା ତାଙ୍କୁ ଅବାକ୍‌କରି କହିଲା, ମୁଁ ଯଦି ମରିଯାଏ ବାବାଜୀ ।

ଆଦିବାସୀ ମରିବାର ସ୍ୱପ୍ନ ଦେଖେ ନାହିଁ । ବଂଚିବାର ଆଶା ବି ତାକୁ କେବେ ସ୍ୱପ୍ନ ଦେଖାଏ ନାହିଁ । ପ୍ରତିଦିନ ଜୀଇଁବା ପାଇଁ ସେ ସଂଗ୍ରାମ କରେ, ଜୀବନଟାକୁ ରଣଭୂଇଁରେ ପରଖି ନିଏ । ସେଥିପାଇଁ ରାଧା ମୁହଁରୁ ମରିବା କଥା ଶୁଣି ଟିକେ ଆଶ୍ଚର୍ଯ୍ୟ ହେଲେ ସେ ।

ସୁଧାମୟ କହିଲେ, ତୁ ଆହୁରି ବହୁ ବର୍ଷ ବଂଚିବୁ ରାଧା । ତୋର ପରମାୟୁ ଏଇ ଗଛମାନଙ୍କ ପରି ଅନେକ, ଅନେକ... ।

ରାଧା ତାପରେ ଧୀରେ ଧୀରେ କହିଲା ତାର କଥା ।

ଦେବତା ରାଗିଚି ଲଖନା, ରିସା, ରାମ, ନକୁଳା ସିନା ରୋଗ ଭୋଗୁଚନ୍ତି, ସପନା ମରିଗଲା ରାତିରେ । ମୂର୍ଦ୍ଦାରଟାକୁ ପାହାଡ଼ ତଳେ ପୋତି ଫୁଙ୍କା ଝଡ଼ା କରି ସ୍ଥାନଟାକୁ ଶୁଦ୍ଧ କରିଦେଲା ଗୁଣିଆ । ତାପରେ ସର୍ଦ୍ଧାର ତାକୁ କହିଲା, କେବଳ ସପନା ନୁହେଁ ଅନେକ ମରିବେ, ଗାଁ ଖାଲି ହୋଇଯିବ । ଆଉ ଡେରି ନକରି ମଣିଷ ବଳି ଦେ ସର୍କାର ଅନ୍ୟମାନେ ବଂଚିଯିବେ, ଦେବତା ଶାନ୍ତହବ । ସର୍ଦ୍ଦାର ରାଜି ହେଲା । ଲୋକ ଖୋଜା ଚାଲିଛି ।

ସୁଧାମୟ କହିଲେ, ତାପରେ....।

ରାଧା କହିଲା ଗାଁର ଏତେଗୁଡ଼ାଏ ଲୋକଙ୍କୁ ବଂଚେଇବା ପାଇଁ ମୁଁ ବଳି ହେବି ବାବାଜୀ-। ମୋର କେବଳ ଟିକିଏ ଦୁଃଖ ରହିଗଲା । ମୁଁ ପାଠପଢ଼ି ପାରିଲି ନାହିଁ, ତୋ ପରି ବହିରେ ଲେଖାଥିବା ଗୀତଗୁଡ଼ାକ ଗାଇ ପାରିଲି ନାହିଁ ।

ସୁଧାମୟ ଆକ୍ଷି ଆଗରେ ହିମାଳୟକୁ ଦେଖିଲେ ଯେପରି ଜଡ଼ ଭିତରୁ ଜୀବନର ସଞ୍ଚାର ହେବା ପରି ଏକ ଅଜ୍ଞ ଆଦିବାସୀ ରମଣୀର ମହତ୍ୱ ଦେଖି ସେ ସ୍ତବ୍‌ଧ ହୋଇଗଲେ । ବାଷ୍ପାକୁଳ ହୋଇ ଉଠିଲା ତାଙ୍କର ଆକ୍ଷି ।

ସେ ରାଧାର ହାତ ଉପରେ ହାତ ରଖି କହିଲେ, ନା, ବଳିର ପ୍ରୟୋଜନ ନାହିଁ ରାଧା ମଣିଷ କି ପଶୁକୁ ବଳି ଦେଇ ଭଗବାନଙ୍କୁ ଶାନ୍ତ କରାଯାଏ ନାହିଁ ।

ସେ ସର୍ବଦା ଶାନ୍ତ, ସମାହିତ । ଏ ସୃଷ୍ଟି ତାଙ୍କର । ସେ ଆନନ୍ଦମୟ । ସେ ସତ୍ୟ । ସେ ଚିରନ୍ତନ । ତାଙ୍କୁ ଖୁସି କରିବାପାଇଁ ଅଚଳାଚଳ ଭକ୍ତି ଦରକାର । ଅସରନ୍ତି ପ୍ରେମ ଦରକାର ରାଧା ବୁଝିଲା କି ନାହିଁ କେଜାଣି କିନ୍ତୁ ମଥା ହଲାଇଲା କେବଳ ।

ରାତିର ଅନ୍ଧାର ଆହୁରି ବହଳ ହୋଇଯାଇଥିଲା ସେତେବେଳକୁ । କୁରୁଚି ଗଛର ଫୁଲମାନେ ଫୁଟିବାର ମୁହୂର୍ତ୍ତକୁ ଅପେକ୍ଷା କରୁଥିଲେ ବୋଧହୁଏ । ଅନେକ ଅଜଣା ଫୁଲର ସୁବାସ ଭାସି ଆସିଲା ପବନରେ ।

 

ରାଧା ବିଦାୟ ନେଇ ଚାଲିଗଲା । ଅନ୍ଧାର ଭିତରେ କେଉଁଠାରେ ଅଦୃଶ୍ୟ ହୋଇଗଲା ଜାଣି ପାରିଲେ ନାହିଁ ସୁଧାମୟ ।

 

ବାଘର ଗର୍ଜନ ଭାସି ଆସିଲା । ପର୍ବତରୁ ପର୍ବତକୁ ସଞ୍ଚରିତ ହୋଇଗଲା ସେଇ ଗର୍ଜନ-

 

ଏ ପାଖରୁ ବାଘ ଜବାବ ଦେଇ ଗର୍ଜି ଉଠିଲା ସାନ୍ତାଳ, ହୋ ହୋ...ହୋ...

 

ମଶାଲ ଜାଳିଦେଲା କିଏ ଠିକ୍‌ ଝରଣା ପାଖରେ । ଘରକୁ ଫେରୁଥିବା ରାଧାର ହାତ ଧରି ପକେଇ କହିଲା ଜଣେ, ବାବାଜୀ ତୋତେ ବାହାହବ ରାଧା ?

 

ରାଧା ଜିଭ କାମୁଡ଼ି କହିଲା, ଛି ଛି ଏଭଳି ପାପକଥା କହି ପାରୁଛୁ ?

ଠାକୁରଶାଳ ପାଖରୁ ହାଙ୍କିଲା ସର୍ଦ୍ଦାର, ସମୟ ସରିଯାଉଛି ସମା-ଜଲଦି ଜଲଦି ।

 

ରାଧାର ହାତଧରି ଟାଣିଲା ସମା ।

 

ରାଧା ନିରୁଦ୍‌ବେଗ ଭାବରେ ଚାଲିଲା ସମା ସାଙ୍ଗରେ । ତାକୁ କହିଲା ସେ ମଶାଲ କାହିଁକି ଜାଳିଚରେ ସମା ?

 

ସମା କହିଲା, ଆଜି ରାତିରେ ଠାକୁରର ପୂଜା ହବ । ବଳିପଡ଼ିବ । ଦେଖୁନୁ ସପନା କିମିତି ମରିଗଲା । ହୁଏତ ଆହୁରି ଅନେକ ମରିବେ । ଠାକୁର ରାଗିଛି । ଝୁଣାଧୂପ, କୁଟୁରା ଖାଇ ଖାଇ କେତେ ଦିନ ବସିରହିବ ଠାକୁର ?

 

ରାଧା ନିର୍ବିକାର ।

 

ତାକୁ ଝରଣାରେ ଗାଧୋଇ ଦେଇ ନୂଆ ଲୁଗା ଖଣ୍ଡେ ପିନ୍ଧାଇ ଦେଲେ ସେମାନେ ତା ଦେହକୁ ଚିତ୍ରବିଚିତ୍ର କରି ଅଙ୍କନ କଲେ ମାଟିରେ । ଗଳାରେ ଫୁଲାମାଳ ଲମ୍ବେଇ ଦେଇ ସର୍ଦ୍ଦାର କହିଲା, ତୁ ବଡ଼ ପୁଣ୍ୟବତୀ ଲୋ ରାଧା । ଠାକୁର ପାଖରେ ବଳି ହୋଇ ତୁ ବି ଠାକୁର ହୋଇଯିବୁ-। ତୋତେ ବି ଲୋକେ ପୂଜା କରିବେ ।

 

ରାଧାର ମୁହଁରେ ଭାଷା ନଥିଲା । ତାର ଦୃଷ୍ଟି ଝାପ୍‌ସା ହୋଇ ଆସୁଥିଲା । ଡୋଳା ଲେଉଟାଇଲା ସେ । ବୋଧହୁଏ କାହାକୁ ଖୋଜୁଥିଲା ।

 

ମାଦଳ ବାଜିଲା । ମଶାଲ ଜଳିଲା । ହାତ ଧରାଧରି ହୋଇ ନାଚିଲେ ସାନ୍ତାଳ ରମଣୀମାନେ । ଗୀତ ଗାଇଲେ, ତୁ କେଡ଼େ ପୁଣ୍ୟବତୀ ଲୋ, ଠାକୁର ପାଖରେ ବଳି ହୋଇ ତୁ ଧନ୍ୟ ହୋଇଯିବୁ, ଫୁଲ ହୋଇଯିବୁ, ଠାକୁର ହୋଇ ଯିବୁ ।

 

ରାଧା ମଶାଲ ଆଗରେ ଛିଡ଼ାହୋଇ ଅନାଇଥିଲା ସୁଧାମୟଙ୍କ ଗୁମ୍ଫାଆଡ଼କୁ । ମଶାଲର ଆଲୁଅରେ ଚକ ଚକ କରି ଉଠିଲା ଟାଙ୍ଗିଆ । ସର୍ଦ୍ଦାରର ସୂଚନା ପାଇଁ ଟାଙ୍ଗିଆ ଉଠେଇ ଆଗେଇ ଆସିଲା ସମା ।

 

ହଠାତ୍‌ ଆକାଶଫଟା ଚିତ୍କାର କରି ସେମାନଙ୍କ ଆଗରେ ଛିଡ଼ାହେଲେ ସୁଧାମୟ ।

ସର୍ଦ୍ଦାର ହୁଙ୍କାର କରି କହିଲା, ଶୁଭ ମୁହୂର୍ତ୍ତ ଗଡ଼ିଯାଉଛି-ହଟି ଯା, ହଟି ଯା ବାବାଜୀ ।

ନା, ନା, ନା ।

 

ବଜ୍ର ଗମ୍ଭୀର ସ୍ୱରରେ ଘୋଷଣା କଲେ ସୁଧାମୟ । ମାଦଳ ବଜେଇବା ବନ୍ଦ କରି ଛିଡ଼ା ହୋଇଗଲେ ସମସ୍ତେ । ଗୀତ ନାଚ ବି ବନ୍ଦ ହୋଇଗଲା ।

 

ସୁଧାମୟ କହିଲେ, ଏଇ ଅରଣ୍ୟ, ଝରଣା, ଆକାଶ, ଫଳ, ଫୁଲ ପଥର, କାଠ ସବୁ ଠାକୁରର ସୃଷ୍ଟି ସର୍ଦ୍ଦାର । ମଣିଷ, ପଶୁ, ଆକାଶ, ପୃଥିବୀ, ସବୁଠାରେ ତାଙ୍କର ଅନନ୍ତ ପ୍ରକାଶ । ସେ କେବଳ ଦିଅନ୍ତି, ନିଅନ୍ତି ନାହିଁ ସର୍ଦ୍ଦାର । ତାଙ୍କରି ସୃଷ୍ଟିକୁ ତାଙ୍କରି ପାଖରେ ବଳି ଦିଆଯାଇ ପାରେନା-। ମଣିଷର ଯାହା ନିଜସ୍ୱ ତାକୁ ସେ ବଳି ଦେଇ ଧନ୍ୟ ହୁଏ । ଅହଂକାର ମୂଢ଼ତା, ଲୋଭ, ମୋହ, ମାତ୍ସାର୍ଯ୍ୟକୁ ବଳି ଦେଇ ସେ ପୂର୍ଣ୍ଣ ହୁଏ । ଠାକୁର ମଣିଷକୁ ଆଶୀର୍ବାଦ କରି ଅବତରଣ କରନ୍ତି ଜଗତରେ ।

 

ସର୍ଦ୍ଦାର କହିଲା, ଏତେ କଥା ବୁଝିବାର ଦରକାର ନାହିଁ ବାବାଜୀ । ରାଧାକୁ ଛାଡ଼ିଦେଲେ ଆଉ କାହାକୁ ଦରକାର । ଠାକୁର ବଳି ଚାହେଁ । ତୁ ରାଜି ହୋଇଯା ବାବାଜୀ ।

 

ସୁଧାମୟ ଅବିଚଳିତ କଣ୍ଠରେ କହିଲେ, ମୁଁ ରାଜି ସର୍ଦ୍ଦାର । ରାଧାକୁ ଛାଡ଼ିଦେ ।

 

ଚିତ୍କାର କରି ପ୍ରତିବାଦ କରିବାକୁ ଇଚ୍ଛା ହେଲା ରାଧାର । କନ୍ତୁ ତଣ୍ଟି ଶୁଖି ଯାଇଥିଲା ତା’ର, ପଦେ କଥା ବି ଉଚ୍ଚାରିତ ହେଲା ନାହିଁ ।

 

ଶେଷ ହୋଇ ଆସୁଥିଲା ରାତି ।

 

ସର୍ଦ୍ଦାର କହିଲା, ଆଜି ଆଉ ନୁହେଁ ସମା । ପୁଣି ଶୁଭ ମୁହୂର୍ତ୍ତର ଅପେକ୍ଷା କରିବାକୁ ହେବ ।

 

ସୁଧାମୟ ଶାନ୍ତ ସ୍ୱରରେ କହିଲେ, ସେଇ ଶୁଭ ମୁହୂର୍ତ୍ତକୁ ମୁଁ ବି ଆଗ୍ରହର ସହିତ ଅପେକ୍ଷା କରିବି ସର୍ଦ୍ଦାର ।

 

ସର୍ଦ୍ଦାର ଆଉ କିଛି କହିଲା ନାହିଁ । ଶେଷ ହୋଇ ଆସୁଥିଲା ରାତି ।

 

ସୁଧାମୟ ପାଦତଳେ ଠୁଳ ହେଉଥିବା ପୃଥିବୀ ଏବଂ ପ୍ରତ୍ୟୁଷର ଆଲୋଡ଼ନ ବିସ୍ମୟରେ ଲକ୍ଷ୍ୟ କରୁଥିଲା ସର୍ଦ୍ଦାର ।

•••

 

ଅନେକ ପୃଥିବୀ

 

ଘର ଛାଡ଼ି ପଳେଇ ଆସିଥିଲା ସୁକାନ୍ତ । ବି: ଏ: ଫେଲ ହୋଇ ଆତ୍ମହତ୍ୟା କରିବା ପାଇଁ ଯାଇଥିଲା । କିନ୍ତୁ ସମୁଦ୍ରଟା ବଡ଼ ଭୟଙ୍କର ମନେହେଲା । ବୁଡ଼ି ମରିବା ସହଜ ନୁହେଁ । ସମୟ ଲାଗେ । ଏତେ ସମୟ ସମୁଦ୍ରରେ ଲୁଣି ପାଣି ପିଇ ପିଇ ମରିବା ପାଇଁ ଅପେକ୍ଷା କରିବା କଷ୍ଟକର ଏବଂ ଯନ୍ତ୍ରଣାଦାୟକ । ସମୁଦ୍ରରେ ଝାସ ନଦେଇ ରେଳ ଲାଇନର ଧାରେ ଧାରେ ଚାଲିଲା ସେ । କିଛି ଦୂର ଗଲାପରେ ନିଛାଟିଆ ସ୍ଥାନରେ ନିଜକୁ ଏକୁଟିଆ ପାଇ ଆଉ କାଳ ବିଳମ୍ବ ନକରି ଲାଇନ ଉପରେ ଶୋଇ ପଡ଼ିଲା ଲମ୍ବ ହୋଇ । ବେକ ତଳେ ତକିଆ ରଖି ଶୋଇବା ପରି ରେଳ ପାହି ଉପରେ ବେକ ରଖି ଶୋଇପଡ଼ିଲା ଆତ୍ମହତ୍ୟା କରିବା ପାଇଁ । ଆଉ ଟିକେ ପରେ କରମଣ୍ଡଳ ଏକ୍‌ସପ୍ରେସ ଆସିବ । ଗୋଟିଏ ମୁହୂର୍ତ୍ତରେ ସେହି ଭାରି ଭାରି ଚକ ତଳେ ସେ ପେଶି ହୋଇଯିବ । ନିଶ୍ୱାସ ମାରିବା ପାଇଁ ମଧ୍ୟ ସମୟ ମିଳିବ ନାହିଁ । ଏଇ ମରଣଟା ବୋଧେ ଭଲ ଏବଂ ସହଜ । ମରଣ ପୂର୍ବରୁ ଯନ୍ତ୍ରଣା ଦୀର୍ଘ ହେଲେ ମରିବାକୁ ଇଚ୍ଛା ହୁଏନାହିଁ । ହଠାତ୍‌ମରିଗଲେ ମରଣ ଭୟ ଦେଖାଇବା ପାଇଁ ସମୟ ପାଏନାହିଁ । ସେ ସଂକଳ୍ପ କରି ଘରୁ ବାହାରିଥିଲା ଆତ୍ମହତ୍ୟା କରିବା ପାଇଁ, ଫେରିବା ପାଇଁ ନୁହେଁ ।

 

ଆଉ ବୋଧେ ଟିକେ ଅପେକ୍ଷା କରିବାକୁ ହେବ । କରମଣ୍ଡଳ ଏକ୍‌ସପ୍ରେସ ଆସିବାର ବେଳା ହୋଇଗଲାଣି । ଯେ କୌଣସି ମୁହୂର୍ତ୍ତରେ ପହଞ୍ଚିଯିବ । ରୁଦ୍ଧଶ୍ୱାସରେ ରେଳ ପାହି ଉପରେ ବେକ ରଖି ଉପରକୁ ମୁହଁ କରି ଅପେକ୍ଷା କରିବାକୁ ଲାଗିଲା ? ଆଗରୁ ଶୋଇପଡ଼ିଥିବାର ଆଉ ଗୋଟିଏ କାରଣ ହେଉଚି ଯେ, ଇଞ୍ଜିନ ଡ୍ରାଇଭର ତାକୁ ସହଜରେ ଦେଖିପାରିବ ନାହିଁ । ପାଖକୁ ଆସି ଦେଖିବା ବେଳକୁ ଗାଡ଼ି ବନ୍ଦ କରିବା ପାଇଁ ସମୟ ଆଉ ନଥିବ । ଯେଉଁମାନେ ରେଳ ଲାଇନ କଡ଼ରେ ଛିଡ଼ା ହୋଇ ଗାଡ଼ି ଆସିବା ଦେଖିବାପରେ ମରିବା ପାଇଁ ହଠାତ୍‌ ଶୋଇ ପଡ଼ନ୍ତି, ସେମାନେ ମରି ନପାରି ଧରାପଡ଼ି ଯାଆନ୍ତି । ମରିବାଟା ଏକାନ୍ତ ନିଜସ୍ୱ, ଆଉ କେହି ଦେଖିବାର ପ୍ରୟୋଜନ ନାହିଁ ।

 

ଆଖି ଯୋଡ଼ିକ ବନ୍ଦ ଥିଲା । ହଠାତ୍‌ ଗାଡ଼ିର ଶବ୍ଦ ବାରି ପାରିବା ପରେ ଖୋଲିଗଲା । ଉପରେ ପ୍ରସାରିତ ଆକାଶର ଶୋଭନ ରୂପ । ତାରାମାନଙ୍କର ଆଲୋକ କାଳେ ତାକୁ ଜୀବନର ମୋହିନୀ ମୂର୍ତ୍ତି ଦେଖାଇ ଦୁର୍ବଳ କରିଦେବେ ବୋଲି ସେ ରେଳପାହି ଉପରେ ବେକ ରଖି ମୁହଁ ତଳକୁ କଲା । ଭିଜା ମାଟିର ଗନ୍ଧ ହଠାତ୍‌ ତାକୁ କିଭଳି ଆକର୍ଷଣ କଲା । ମାଟିର ଗନ୍ଧ ତାକୁ ଅଧିକ ଆକର୍ଷଣ କରିବା ଆଗରୁ ସେ ପୁଣି ମୁହଁ ଉପରକୁ କଲା । କିନ୍ତୁ ଗାଡ଼ି ଆସୁଥିବାର ଶବ୍ଦଟା ଧୀରେ ଧୀରେ କାନ ପାଖରେ ବାଜୁଥିଲେ ମଧ୍ୟ ସେ ମନେ କଲା ଯେ, ସେ ଯେପରି ଅନନ୍ତକାଳ ଯାଏ ଅପେକ୍ଷା କରୁଚି । ସେ ଅସ୍ଥିର ଏବଂ ଅଶାନ୍ତ ବୋଧ କଲା । ହଠାତ୍‌ ଉଠି ବସିଲା ଟିକେ ହାଲୁକା ହୋଇଯିବା ପାଇଁ । ତା ପରେ ପରେ ତୂରୀ ବଜାଇ ଭୂଇଁ କମ୍ପାଇ ରେଳଗାଡ଼ିଟା ଚାଲିଗଲା; ସେ ବୋକା ପରି ଅନାଇ ରହିଲା ପଛ ଡବାର ଲାଲ ବତୀଟିକୁ ।

 

ଗୋଟାଏ ଅପୂର୍ବ ସୁଯୋଗ ହାତଛଡ଼ା ହୋଇଗଲା । ଆତ୍ମହତ୍ୟା କରିବାକୁ ଯାଇ ସେ କିନ୍ତୁ ମରିପାରିଲା ନାହିଁ । ଆକାଶର ପ୍ରସାରିତ ରୂପ ମାଟିର ମହ ମହ ସୁବାସ ଏବଂ ରେଳ ଡବାର ଲାଲବତୀ ତାର ମନକୁ ଅନେକ ଦୁର୍ବଳ କରିଦେଲେ । ସେ ଉପଲବ୍‌ଧ କଲା ଯେ ଆତ୍ମହତ୍ୟା ନୁହେଁ, ଆହୁରି ବଞ୍ଚିବା ହିଁ ଏ ପୃଥିବୀର ସବୁଠାରୁ ବଡ଼ ଆକର୍ଷଣ ।

 

ରେଳଲାଇନ କଡ଼େ କଡ଼େ ଆଗେଇଲା । ଆଗରେ ଗୋଟିଏ ବଡ଼ ପୋଲ । ନଦୀର ଅକାତ କାତ ପାଣି ଭସେଇ ନେଉଥିଲା କୁଟାକାଠି, ମଇଳା ଓ ଆବର୍ଜନା । ତଳକୁ ଚାହିଁଲା ସୁକାନ୍ତ-। ଚକାଭଉଁରୀ ଖେଳି ପାଣି ଘୂରୁଥିଲା ଗୋଟିଏ ସ୍ଥାନରେ ତା ପରେ ଭଉଁରୀ କାଟି ସୁଅ ଆହୁରି ବେଗରେ ଆଗେଇ ଯାଉଥିଲା । ଏଇ ଚକାଭଉଁରୀ ଭିତରେ ପଡ଼ିଗଲେ ମରିବା ପାଇଁ ବଶୀ ସମୟ ଲାଗନ୍ତା ନାହିଁ । ଭାବିବା ପାଇଁ ସମୟ ମିଳନ୍ତା ନାହିଁ କିନ୍ତୁ ପାଣି ପିଆଇ ଚକାଭଉଁରୀ ତାକୁ ଯଦି ଆଗକୁ ଫୋପାଡ଼ି ଦିଏ, ତା ହେଲେ ସବୁ ସଂକଳ୍ପ ବ୍ୟର୍ଥ ହୋଇଯିବ । ଜୀବନଟା ଚକାଭଉଁରୀ ଖଳିବା ପାଇଁ କିଛି ସମୟ ସିନା ଗୋଟିଏ ବିନ୍ଦୁର ଚାରି ପାଖରେ ପ୍ରଦକ୍ଷିଣ କରେ କିନ୍ତୁ ବେଶୀ ସମୟ ରହେ ନାହିଁ, ଛିଟିକି ପଡ଼ି ଆଗକୁ ଚାଲିଯାଏ । ଚକାଭଉଁରୀ ଭିତରୁ ଛିଟିକି ପଡ଼ିବା ହିଁ ବାହାଦୂରୀ । ବୁଡ଼ିଗଲେ ଓଲଟ ପାଲଟ କରି ତଳେ ବୋହୁଥିବା ଓଲଟା ସ୍ରୋତ ଜାକିଦେଇ ପୋତିପକାଏ । ପୋତି ହୋଇ ଯିବାର ସମ୍ଭାବନାଟା ମନକୁ ଆହୁରି ବିଷର୍ଣ୍ଣ କରିଦେଲା । ସେ ଭାସିବା ପାଇଁ ଚାହିଁଲା, ପୋତି ହବାପାଇଁ ନୁହେଁ । ପୋତି ହୋଇଗଲେ କିଏ ଦେଖିବ ? ଭାସୁଥିଲେ କେହି ହୁଏତ ଦେଖିବ, ରକ୍ଷା କରିବା ପାଇଁ ଚେଷ୍ଟା କରିବ ଆଉ ଯଦି ନପାରେ ଆହା କହି ପାଣି ଆଞ୍ଜୁଳାଏ ଟେକିଦେବ । ନିଜକୁ ଅନ୍ୟମାନେ ଲୋଡ଼ୁଥିବାର ଦେଖିଲେ ଖୁସିହୁଏ ମଣିଷ-। ଅଖୋଜା ଅଲୋଡ଼ା ବୋଲି ଆଉ ମନେ ହୁଏ ନାହିଁ । ମରିବା ପାଇଁ ଇଚ୍ଛାଟା କେଉଁଆଡ଼େ ଅଦୃଶ୍ୟ ହୋଇଯାଇ ବଞ୍ଚିବାର ବ୍ୟାକୁଳତା ଆହୁରି ଦୃଢ଼ ହୁଏ ।

 

ପୋଲ ଅତିକ୍ରମ କରି ଅନ୍ୟପାଖକୁ ଚାଲିଗଲା ସୁକାନ୍ତ । ଡାହାଣ ପାଖରେ ଗୋଟିଏ ସରୁ ରାସ୍ତା ଗଡ଼ିଯାଇଛି ତଳକୁ । ସେଇ ରାସ୍ତାଦେଇ ଓହ୍ଲାଇଲା ସବୁ ପ୍ରତିଜ୍ଞା ଏବଂ ମୃତ୍ୟୁକୁ ଦେଇଥିବା ପ୍ରତିଶ୍ରୁତି ରେଳ ଲାଇନ ଉପରେ ଛାଡ଼ିଦେଇ ଆସିଲା ।

 

ସେ ଅନିର୍ଦ୍ଦିଷ୍ଟ ଭାବରେ ଆହୁରି ହୁଏତ ଅନେକ ସମୟଯାଏ ଚାଲୁଥାଆନ୍ତା । ଧ୍ୟାନଭଙ୍ଗ ହେଲାବେଳକୁ ଦେଖିଲା ଯେ, ପଛରୁ ହର୍ଣ୍ଣ ଦେଇ ବିରକ୍ତ ହୋଇ କିଏ ପାଟି କରୁଥିଲା । ସେ ଅଡ଼ ହୋଇଗଲା । ଆଉ ଟିକେ ଅସାବଧାନତା ହୋଇଥିଲେ ବଞ୍ଚିବା ପାଇଁ ଇଚ୍ଛା ଥିଲେ ମଧ୍ୟ ବଞ୍ଚିପାରି ନଥାନ୍ତା ।

 

ଗାଡ଼ିଟା କିନ୍ତୁ, ଚାଲିଗଲା ନାହିଁ । ଦରଜା ଖୋଲି ଯିଏ ଓହ୍ଲାଇ ଆସି ତା ପାଖରେ ଛିଡ଼ା ହେଲା ସେ ଡ୍ରାଇଭର ନୁହେଁ, ପଛ ସିଟରେ ବସିଥିବା ଜଣେ ଭଦ୍ରମହିଳା ।

 

ତଳକୁ ମୁହଁ ପୋତି ଛିଡ଼ା ହୋଇଥିଲା ସୁକାନ୍ତ ।

 

ମହିଳାମାନଙ୍କ ମୁହଁ ଦେଖିବା ପାଇଁ ତାର ସାହସ ହୁଏନାହିଁ । ସେହି ମୁହଁମାନଙ୍କରେ କୁଆଡ଼େ ଅନେକ ଅଭିଳାଷ ଚକାଭଉଁରୀ କାଟନ୍ତି । ଚକାଭଉଁରୀ ଖେଳିବାକୁ ବେଳ କାହିଁ ?

 

ସେ କହିଲା, ମୋ ନାମ ଶୁକ୍ଳାସେନ । ରୋଟାରୀଆନ୍‌ । ତୁମେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲ ?

 

ସୁକାନ୍ତ ଥତମତ ହୋଇଗଲା । କୌଣସି ଉତ୍ତର ହଠାତ୍‌ ଦେଇପାରିଲା ନାହିଁ ।

 

ସେ ପୁଣି କହିଲା, ଯଦି ଆତ୍ମହତ୍ୟା କରିବା ପାଇଁ ଇଚ୍ଛା ରାସ୍ତା ମଝିରେ ନଚାଲି ରେଳ ଲାଇନ ମଝିରେ ଚାଲିଲେ ଅଧିକ ସୁବିଧା । ତୁମକୁ ଗାଡ଼ି ମାଡ଼ି ଗଲେ ତୁମର ଅଭୀଷ୍ଟ ହୁଏ ତ ସିଦ୍ଧ ହେବ କିନ୍ତୁ ଗାଡ଼ିଚାଳକ ଓ ଆରୋହୀମାନଙ୍କୁ କେହି ହୁଏତ ଛାଡ଼ି ଦେବେ ନାହିଁ । ସେମାନେ ବୁଝିବେ ନାହିଁ ଯେ ତୁମେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲ ।

 

ଏତେବେଳେ ଧୀରେ ଧୀରେ କହିଲା ସୁକାନ୍ତ, ମୁଁ ଆତ୍ମହତ୍ୟା କରିବା ପାଇଁ ଚାହୁଁ ନାହଁ... ।

 

–ତାହେଲେ ରାସ୍ତା ମଝିରେ କାହିଁକି ରାସ୍ତା କଡ଼ରେ ଚାଲ, ଫୁଟାପାଥଟା ଦେଖିପାରୁଚ ନିଶ୍ଚୟ ?

 

ସୁକାନ୍ତ ଦେଖୁଥିଲେ ବି ଆଉ ଥରେ ଫୁଟପାଥଆଡ଼କୁ ଚାହିଁଲା । ଗୋଟେ ଲୋକ ଚାଲୁ ଚାଲୁ ଝୁଣ୍ଟି ପଡ଼ି କହିଲା, ଶଳା ଟିକସ ନେବାକୁ ତର ସହୁ ନାହିଁ, କିନ୍ତୁ ଗାତ ପୂରେଇବା ପାଇଁ ଏତେ ସସୟ ଲାଗୁଚି କାହିଁକି ?

 

ତା ମୁହଁ ଉପରେ ଟିକେ ହସ ଖେଳିଗଲା ।

ଶୁକ୍ଳାସେନ୍‌ କହିଲା, ଭୁଲ ହୋଇ ଯାଇଛି, କ୍ଷମା କରିବେ ।

 

ସେ କହିଲା ଭୁଲଗୁଡ଼ା କ୍ଷମା ମାଗି ସୁଧାରି ହୁଏ ନାହିଁ । ଏଥିପାଇଁ ପ୍ରତିକାର କରିବାକୁ ହୁଏ । ପ୍ରତିକାର ନ କଲେ ସମାଜରେ ସମସ୍ୟା ବଢ଼େ । ମୁଁ ରୋଟାରୀଆନ୍‌ । ସମଜର ସମସ୍ୟା ବଢ଼ାଇବା ପାଇଁ ନୁହେଁ ବରଂ ସମାଧାନ କରିବା ପାଇଁ ଶପଥ ନେଇଚି । ତୁମର ସମସ୍ୟା କଣ ? ଏତେ ଅନ୍ୟମନସ୍କ କାଇଁକି ? କଅଣ କର ?

 

ପ୍ରଥମ ଦୁଇଟି ପ୍ରଶ୍ନର କୌଣସି ଉତ୍ତର ନ ଦେଇ କହିଲା ସୁକାନ୍ତ, ବେକାର....।

 

ଟିକେ ହସିଦେଲା ଶୁକ୍ଳାସେନ୍‌। ରୋଟାରୀଆନ୍‌ର ଶପଥ ମନେ ପଡ଼ିଗଲା । ସେ କହିଲା ଆସ, ଗାଡ଼ିରେ ବସ ।

 

ଇତସ୍ତତଃ ହେଲା ସୁକାନ୍ତ । ଗାଡ଼ିରେ ବସିବା ପାଇଁ ସଂକୋଚ ଲାଗୁଥିଲା । ତାକୁ ପ୍ରାୟ ବାଧ୍ୟ କରି ଆଗ ସିଟରେ ବସେଇ ପଛରୁ ପ୍ରଶ୍ନ କଲା ଶୁକ୍ଳାସେନ୍‌, ସମାଜର ସମସ୍ୟା ଅନେକ । ବ୍ୟକ୍ତିର ତାଠାରୁ ବେଶୀ । କିନ୍ତୁ ଏ ସବୁର ସମାଧାନ କି ଅଛି । ପ୍ରତ୍ୟେକ ସମସ୍ୟାର ସମାଧାନ ବାହାର କରିବା ସଭ୍ୟ ମଣିଷର କର୍ତ୍ତବ୍ୟ । ଆଉ ତୁମେ ବେକାର କାହିଁକି, ପଢ଼ାପଢ଼ି ଛାଡ଼ି ଦେଇଛ-?

 

ସୁକାନ୍ତର ସିଧା ଉତ୍ତର । ପରୀକ୍ଷାରେ ପାସ କରି ପାରିଲି ନାହିଁ । ଦୁଇଥର ଫେଲ୍‌ ହୋଇଗଲି....।

 

ତାକୁ ନିରୁତ୍ସାହିତ ନ କରି ସେ କହିଲା, ମାତ୍ର ଦୁଇଥର । ସାତଥର ଅକୃତକାର୍ଯ୍ୟ ହୋଇ ଫେଲ୍‌ ମଣିଷ ହବାର ବି ଅନେକ ଦୃଷ୍ଟାନ୍ତ ଅଛି । ଫେଲ୍‌ ହେଲେ ଲୋକ ବେକାର ହୁଏନାହିଁ । ବେକାର ହେଲେ ଫେଲ୍‌ ହୁଏ ।

 

ସୁକାନ୍ତ ସାନ୍ତ୍ୱନା ଦବାପାଇଁ ଆଉଥରେ କହିଲା, ଫେଲ୍‌ ହେଲେ ଆତ୍ମହତ୍ୟା କରିବା ପାଇଁ ଇଚ୍ଛା ହୁଏ । ସେଥିପାଇଁ ବୋଧେ ରାସ୍ତା ମଝିରେ ଚାଲୁଥିଲ ?

 

କୌଣସି ଉତ୍ତର ଦେଲାନାହିଁ ସୁକାନ୍ତ । ନଦୀର ସେଇ ଚକାଭଉଁରୀ କଥା ବାରମ୍ବାର ମନେ ପଡ଼ୁଥିଲା । ଶୁକ୍ଳା କିନ୍ତୁ ନିରସ୍ତ ନହୋଇ କହିଲା । ଥରେ ଥରେ ମରିବା ପାଇଁ ଇଚ୍ଛା ହୁଏ ମଣିଷର । ସେଥିରେ ବ୍ୟତିକ୍ରମ ବରଂ ଆଶ୍ଚର୍ଯ୍ୟଜନକ । ତୁମେ ସଂକୋଚ ନକରି କହିଯାଅ ତୁମ କଥା ଜାଣିବା ପ୍ରୟୋଜନ ।

 

ସୁକାନ୍ତ ଧୀରେ ଧୀରେ ତା’ ମନର ସଂକଳ୍ପ, ସଂକଟ ଓ ପରିଣତି କଥା କହି ସାରି ଯୋଗକଲା । ତିନିଥର ଚେଷ୍ଟାକଲି, କିନ୍ତୁ ପାରିଲି ନାହିଁ । ମୃତ୍ୟୁ ଅଦୃଶ୍ୟ ହୋଇଯାଇ ଜୀବନର ସ୍ୱର କେବଳ କାନରେ ବାଜିଲା ଆସି ।

 

ଶୁକ୍ଳାସେନ୍‌ ଉତ୍ତେଜିତ ହୋଇ କହିଲା, ଜୀବନର ଜୟ ସବୁବେଳେ । ଟିକେ କାନ ଦେଇ ଶୁଣ । ତୁମେ ବି ଜୀବନର ଡାକ ପରିଷ୍କାର ଶୁଣିବାକୁ ପାଇବ ।

 

ଶୁକ୍ଳାସେନ୍‌ର ଗାଡ଼ିଯାଇ ଗୋଟିଏ ବଡ଼ କୋଠା ଆଗରେ ଛିଡ଼ାହେଲେ । ଫାଟକ ଖୋଲି ଚୌକିଦାର ସଲାମ୍‌କଲା । ଗାଡ଼ିରୁ ଓହ୍ଲାଇ ସୁକାନ୍ତକୁ ସାଙ୍ଗରେ ନେଇ ହଲ୍‌ ଭିତରକୁ ପଶିଗଲା ଶୁକ୍ଳା । ସେତେବେଳକୁ ସଭ୍ୟମାନେ ଆସି ସାରିଥିଲେ, ସଭାକାର୍ଯ୍ୟ ଆରମ୍ଭ ହୋଇ ଯାଇଥିଲା ।

 

ଶୁକ୍ଳାକୁ ଦେଖି ସମ୍ପାଦକ ସ୍ୱାଗତ ଜଣାଇ କହିଲେ, ଆପଣ ଥିଲେ ପ୍ରଥମ ବକ୍ତା । ବିଳମ୍ବ ହେବାରୁ ସଭାପତି କହୁଛନ୍ତି ଭଲହେଲା ଆପଣ ଆସିଗଲେ । ଏହାପରେ ଆପଣଙ୍କ ପାଳି ।

Unknown

 

ଶୁକ୍ଳା କହିଲା, ଟିକେ ବିଳମ୍ବ ହେଲା ସିନା, କିନ୍ତୁ ଦେଖିବେ ଆଜି ମୁଁ ସମସ୍ତଙ୍କୁ କେମିତି ଚମକାଇ ଦେବି ।

 

ସୁକାନ୍ତକୁ ଦେଖାଇ କହିଲା ଶୁକ୍ଳା, ଏ ମୋର ଅତିଥି । ପରେ ପରିଚୟ କରାଇଦେବି । ତରତର କାହିଁକି ?

 

ସମ୍ପାଦକ ଅଧିକ ଔତ୍ସୁକ୍ୟ ଦେଖାଇବାକୁ, ସୌଜନ୍ୟ ବିରୁଦ୍ଧ ହେବବୋଲି ମନେକରି ନିରସ୍ତ୍ର ହେଲେ ସେଥିରୁ । ତାପରେ ସ୍ୱୟଂ ସଭାପତି ଘୋଷଣା କଲେ, ଆଜି ସନ୍ଧ୍ୟାରେ ମୁଖ୍ୟବକ୍ତା ଆସି ପହଞ୍ଚିବା ପରେ ମୋ ବକ୍ତୁତାରେ ପ୍ରାସଙ୍ଗିକତା ଆଉ ନାହିଁ । ବରଂ ମଞ୍ଚ ଉପରକୁ ଆସିବା ପାଇଁ ମୁଁ ଶ୍ରୀମତୀ ସେନ୍‌ଙ୍କୁ ଅନୁରୋଧ କରୁଛି । ଚିହ୍ନା ବ୍ରାହ୍ମଣର ପଇତା ଦରକାର ନାହିଁ । ତଥାପି ପରମ୍ପରା ରକ୍ଷାକରି ମୁଁ ଏତିକି କହିବି ଯେ ଶୁକ୍ଳା ସେନ୍‌ ଆମ କ୍ଳବର କେବଳ ସଭ୍ୟା ନୁହଁନ୍ତି, ସେ ସହରର ଜଣେ ବିଶିଷ୍ଠା ସମାଜସେବିକା । ବିଦଗ୍‌ଧ ମନର ପରିଚୟ ଦେଇ ଅନେକ ସମାଜ କଲ୍ୟାଣ କାମ ସେ ହାତକୁ ନେଇଛନ୍ତି । ସାମାଜିକ ସମସ୍ୟା ଏବଂ ତାର ସମାଧାନ ଶୀର୍ଷକ ଆଲୋଚ୍ୟ ବିଷୟବସ୍ତୁର ମୁଖ୍ୟ ବକ୍ତା ଭାବରେ ମୁଁ ତାଙ୍କୁ ସ୍ୱାଗତ କରୁଛି । ମୋର କେବଳ ଏତିକି ଦୁଃଖ ଯେ, ଶ୍ରୀଯୁକ୍ତ ସେନ୍‌ ଏଯାଏ ଆସିନାହାନ୍ତି । ଏଠାରେ ନହେଲେ ମଧ୍ୟ ଶ୍ରୀମତୀ ସେନ୍‌ଙ୍କର ମତାମତ ଶୁଣିବାପାଇଁ ସେ ଯେ ଯଥେଷ୍ଟ ଅବସର ପାଉଥିବେ ଏଥିରେ ସନ୍ଦେହ ନାହିଁ ।

 

ଶୁକ୍ଳା ସେନ୍‌ ମଞ୍ଚ ଉପରକୁ ଉଠିବା କ୍ଷଣି ରୋଟାରୀଆନମାନଙ୍କର ସମବେତ କରତାଳି ଭାସି ଆସିଲା ।

 

ତାପରେ ‘ସାମାଜିକ ସମସ୍ୟା ଏବଂ ତାର ସମାଧାନ’ ଶିର୍ଷକ ବିଷୟବସ୍ତୁ ଉପରେ ଭାଷଣ ଦେଇ ପ୍ରସଙ୍ଗକ୍ରମେ ସୁକାନ୍ତ ସହିତ ଘଟିଯାଇଥିବା ଘଟଣାର ଲଲ୍ଲେଖ କରି କହିଲେ, ଅସଫଳ ମଣିଷ ସମାଜରେ ସମସ୍ୟା ସୃଷ୍ଟି କରେ । ସହାନୁଭୂତି ଓ ସହୃଦୟତାର ସହିତ ଯଦି ଏହିପରି ମଣିଷମାନଙ୍କର କଥା ଶୁଣାଯାଏ ଏବଂ ସେମାନଙ୍କର ସମାଧାନ କରାହୁଏ । ତେବେ ସମାଜର ଅନେକ ସମସ୍ୟା କମିଯିବ । ଏକଥା ସତ ଯେ ପରିବେଶ ଅନେକ ସମୟରେ ଅସଫଳତା ସୃଷ୍ଟି କରେ । ପରିବେଶକୁ କେବଳ ପ୍ରତିଶ୍ରୁତି ବା ବକ୍ତୃତା ଦେଇ ପରିବର୍ତ୍ତନ କରି ହେବନାହିଁ । ଏଥିପାଇଁ ବାସ୍ତବାଭିମୁଖୀ କାର୍ଯ୍ୟସୂଚୀର ପ୍ରୟୋଜନ ଯଥେଷ୍ଟ । ପ୍ରତ୍ୟେକ ସଫଳ ମଣିଷ ପଛରେ ଯେଭଳି ଜଣେ ସଫଳ ନାରୀର ଭୂମିକା ସୁସ୍ପଷ୍ଟ, ଅସଫଳ ଜୀବନର ନିରୁତ୍ସାହ, ହତାଶା ଏବଂ ବେଦନାକୁ ଦୂର କରିବାପାଇଁ ସେହିପରି ସମ୍ବେଦନଶୀଳ ନିବେଦିକା ଶକ୍ତିର ପ୍ରୟୋଜନ ।

 

ସନ୍ଧ୍ୟାର ଦୃଷ୍ଟାନ୍ତ ଉପସ୍ଥାପିତ କରି ସୁକାନ୍ତକୁ ଦେଖାଇ କହିଲା ଶୁକ୍ଳା, ସମୁଦ୍ରର ଅନନ୍ତ ନୀଳିମା, ଆକାଶର ଆଳୋକିତ ଉଦାରତା, ନଦୀର ପ୍ରବାହ ମୃତ୍ୟୁର ନୁହେଁ, ଜୀବନର ଆଶା, ଆନନ୍ଦ ଏବଂ ଗତିର ପ୍ରତୀକ । ମାଟିର ଗନ୍ଧ କେବଳ ଯେ, ସୁକାନ୍ତକୁ ଜୀବନ ପ୍ରତି ଆକର୍ଷଣ କରିଚି ତାହା ନୁହେଁ, ସୃଷ୍ଟିର ଆଦି କାଳରୁ ମୃତ୍ତିକା ହିଁ ମଣିଷର ସର୍ବାପେକ୍ଷା ବଡ଼ ମିତ୍ର । ସମାଜ ପୃଥିବୀ ଏବଂ ମଣିଷକୁ ନେଇ । ଏହାର ସ୍ୱତନ୍ତ୍ର ଅସ୍ତିତ୍ୱ କଳ୍ପନା କରାଯାଇ ପାରେନା । ପୁଣି ସୁସ୍ଥ ସମାଜ ପାଇଁ ସୁସ୍ଥ ଜୀବନ ଓ ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶର ପ୍ରୟୋଜନ । ଦୂଷିତ ପରିବେଶ କ୍ଷୟୁଷ୍ଣୁ ସମାଜର ବାର୍ତ୍ତାବହ ।

 

ସୁକାନ୍ତ ଏହି ସମାଜର ସଙ୍କଟରୁ ସମ୍ଭୂତ । ଏହି ସଂକଟରୁ ସମାଜକୁ ରକ୍ଷା କରିବାକୁ ହେବ ।

 

ତାପରେ ଶୁକ୍ଳାସେନ୍‌ ରାସ୍ତା ମଝିରୁ ଡାକି ଆଣିଥିବା ଯୁବକକୁ ସମସ୍ତେ ତୀକ୍ଷ୍ନ ଦୃଷ୍ଟିରେ ଦେଖି ନେଲେ ଶ୍ରୀମତୀ ଘଟକ ନିଜକୁ ଭତ୍ସନା କରି କହିଲେ, ଆହାରେ ! ଏଡ଼େ ବଡ଼ ସୁଯୋଗଟାଏ ହାତଛଡ଼ା ହୋଇଗଲା । ସେଇ ବାଟ ଦେଇ ଟିକିଏ ଆଗରୁ ନଆସି ଟିକିଏ ପଛରେ ଆସିଥିଲେ ସୁକାନ୍ତକୁ ଶୁକ୍ଳା ସେନ୍‌ ନପାଇ ସ ଆବିଷ୍କାର କରିଥାଆନ୍ତେ । ତାପରେ ମୋଟା ଚଷମାର କାଚ ସଫା କରି ତେରେଛେଇ କରି ଆଉଥରେ ଦେଖିନେଲେ ସୁକାନ୍ତକୁ । ଗୋଟିଏ କଥା ତାଙ୍କ ମନକୁ ବାରମ୍ବାର ଅତିଷ୍ଠ କଲା ଯେ, ସୁକାନ୍ତ ଏକ ଅସଫଳ ଯୁବକ ନୁହେଁ । ସୁଦର୍ଶନ ଆକର୍ଷଣୀୟ ଜୀବନରେ ଏକ ସଂଜୀବିତ ମୂର୍ତ୍ତୀ । ଶୁକ୍ଳା ସେନ୍‌ର ସମ୍ଭାବନା ଅନୁମାନ କରି ସେ ବିଚଳିତ ହୋଇପଡ଼ିଲେ । ଛାତି ଉପରୁ ପଣତ ଯେ କେତେବେଳେ ଖସିଯାଇଥିଲା ସେ ଆଦୌ ଜାଣିପାରିଲେ ନାହିଁ । ତାଙ୍କରି ଉଦ୍ଧତ ବକ୍ଷକୁ ଅନାଇ ଶ୍ରୀମତୀ ପ୍ରଧାନ ସ୍ୱାମୀଙ୍କ କାନ ପାଖରେ କହିଲେ, ଇସ୍‌! କି ନିର୍ଲଜ ଦେଖୁଛ ! ଶ୍ରୀମତୀ ଘଟକ ଯେମିତି କିଶୋରୀ ହୋଇ ଯାଉଛନ୍ତି ।

 

ଶୁକ୍ଳା ସେନ୍‌ର ବକ୍ତୃତା ପରେ ରୋଟାରୀଆନମାନଙ୍କର ପାନ ଓ ଭୋଜନ ଚାଲିଲା । ସୁକାନ୍ତର ଏତେ ନିକଟରେ ଲଗାଲଗି ହୋଇ ଛିଡ଼ା ହୋଇଥିଲେ ଯେ ଶ୍ରୀମତୀ ଘଟକ, ଶୁକ୍ଳା ତାଙ୍କୁ କହିଲା, ଘଟକ ସାହେବଙ୍କୁ ଲଗାମଛଡ଼ା କରଂତୁ ନାହିଁ । ପରେ ଅନୁତାପ କରିବେ । ଶ୍ରୀମତୀ ମିଶ୍ରଙ୍କ ସହିତ କେମିତି ଏକା ଏକା ଜିନ୍‌ ପିଉଛନ୍ତି ଦେଖନ୍ତୁ ।

•••

 

ଦୁଇ

 

ସେମାନେ ଦୁଇଜଣ । କିଂତୁ ଗାଡ଼ି ମାତ୍ର ଗୋଟିଏ । ଜଣକୁ ଅଫିସରେ ଛାଡ଼ିଦେଇ ଅନ୍ୟଜଣକୁ ବଜାର ବା ସମାଜ କେନ୍ଦ୍ରକୁ ନେଇଯାଏ । ଜଣେ ଅଫିସରୁ ଫେରୁ ଫେରୁ ବିଳମ୍ବ ହୁଏ ବୋଲି ଆଉ ଜଣକୁ କ୍ଳବରେ ଛାଡ଼ିଦେଇ ଅଫିସ୍‌କୁ ତାଙ୍କୁ ଆଣିବା ପାଇଁ ଗାଡ଼ି ଯାଏ ।

 

ସୁକାନ୍ତ ସକାଳୁ ରାତିଯାଏ ବ୍ୟସ୍ତ ରହେ । ସମୟ ପାଏ ନାହିଁ ଟିକେ ଆରାମ କରିବାପାଇଁ ।

 

ଏଇ କର୍ମବ୍ୟସ୍ତତା ତାକୁ ଗୋଟିଏ ନୂଆ ବ୍ୟକ୍ତିତ୍ୱ ଦେଇଚି । କର୍ମବ୍ୟସ୍ତତା ହିଁ ସଫଳ ମଣିଷର ଭୂଷଣ । କର୍ମହୀନତା ହିଁ ବେକାର ଜୀବନର ଯନ୍ତ୍ରଣା ।

 

ସୁକାନ୍ତ ଭାବେ ଯେ ସେ ଆଉ ଅଲୋଡ଼ା ବା ଅଖୋଜା ନୁହେଁ । ପ୍ରତି ମୁହୂର୍ତ୍ତରେ ତାର ଆବଶ୍ୟକତାକୁ ଅନ୍ୟମାନେ ଉପଲବ୍‌ଧି କରୁଛନ୍ତି । ସୁବୀର ଓ ଶୁକ୍ଳା ସେନ୍‌ଙ୍କୁ ଚଳମାନ କରି ରଖିବାର ଦାୟିତ୍ୱ ଏକାନ୍ତ ଭାବେ ସୁକାନ୍ତର । ତାର କର୍ତ୍ତବ୍ୟନିଷ୍ଠା ଦେଖି ଦୁହେଁ ପ୍ରଶଂସା କରନ୍ତି ।

 

ମାତ୍ର ଦୁଇ ସପ୍ତାହ ଲାଗିଲା ନାହିଁ ଡ୍ରାଇଭିଂ ଶିଖିବାକୁ । ନିଜର କୃତିତ୍ୱ ଦେଖି ସେ ନିଜେ ଅବାକ୍‌ ହୋଇଗଲା । ବି: ଏ: ପାସ୍‌ କରି ପାରିଲା ନାହିଁ ବୋଲି ନିଜକୁ ଛୋଟ ମନେ କରି କରୁଥିଲା, କିନ୍ତୁ ଗାଡ଼ି ଚଳାଇବାର ଦକ୍ଷତା ହାସଲ କରିବା ପରେ ତାର ବ୍ୟକ୍ତିତ୍ୱରେ ପୂର୍ଣ୍ଣତାର ଛାପ ଲାଗିଗଲା ।

 

ଶୁକ୍ଳା ସେନ୍‌ ଗାଡ଼ିରେ ଯିବାବେଳେ କୁହେ ଡେରି କରିବନି ସୁକାନ୍ତ । ଠିକ୍‌ ସମୟରେ ଚାଲି ଆସିବ । ସେନ୍‌ ସାହେବ କାଲି ଗାଡ଼ି ଅଟକାଇ ଦେଲେ ବୋଲି ମୁଁ ସାମୁଏଲ ସାହେବଙ୍କ ଲିପ୍‌ଟ ନେଲି । କିନ୍ତୁ ଗାଡ଼ି ଥାଉ ଥାଉ ଅନ୍ୟର ଲିଫ୍‌ଟ ନେବା ଆଭିଜାତ୍ୟର ରୁଚିରେ ବାଧେ । ନୁହେଁ ?

 

ସୁକାନ୍ତ ଉତ୍ତର ଦେଇ କୁହେ, ମୁଁ ଠିକ୍‌ ସମୟରେ ଚାଲି ଆସିବି ମେମ୍‌ ସାହେବ ।

 

ସେନ୍‌ ସାହେବଙ୍କର କାହିଁକି ଡେରି ହୋଇଯାଏ ଟିକେ ଅଧେ ଆଖିରେ ପଡ଼ିଲେ ବି କିଛି ନ ଜାଣିଲା ପରି ରହିଯାଏ ସୁକାନ୍ତ । ସେ ଗାଡ଼ି ଚାଳକ, ସେନ୍‌ ସାହେବଙ୍କର ଚାଳକ ନୁହେଁ ।

 

ଶୁକ୍ଳା ସେନ୍‌ ନୂଆ ହୋଇ ତିଆରି ହେଉଥିବା ମେରିନ୍‌ ଡ୍ରାଇଭରେ ଗାଡ଼ିର ଗତିକୁ ବଢ଼େଇ ଦବା ପାଇଁ କହି ଗପେ, ସ୍ପିଡ୍ ନଥିଲେ ସୁଖ ନଥାଏ ସୁକାନ୍ତ । ଗାଡ଼ିର ବେଗ ପରି ଜୀବନର ବି ବେଗ ଅଛି । ସ୍ଥବିର ସ୍ଥାଣୁ ହେଲେ ମରିଯାଏ ମଣିଷ ।

 

ସୁକାନ୍ତ ଗାଡ଼ିର ସ୍ପିଡ଼୍‌ ବଢ଼ାଇ ଦିଏ । ନିଜର ମନ୍ଥର ଅତୀତଟା କେଡ଼େ ଧୀରେ ଧୀରେ ଅତିବାହିତ ହେଉଥିଲା । ଆଜି ଭାବିଲେ ଡର ଲାଗେ । ଖାଇ ସାରି ହାଇ ମାରି ଶୋଇପଡ଼ିଲେ ଐଶ୍ୱର୍ଯ୍ୟମୟ ପୃଥିବୀଟା ଶେଷ ହୋଇ ଯାଇ ଯେଉଁମାନଙ୍କୁ କୋଳରେ କୁତୁ କୁତୁ କରିବା ପାଇଁ ଧରାଦିଏ, ସେମାନେ ପୃଥିବୀ ଘୂରୁଥିବାର ଶବ୍ଦ ଶୁଣି ପାରନ୍ତି ନାହିଁ । ପୁଣି ଉଠି ବସିଲା ବେଳକୁ ଅନେକ ଆଗେଇ ଯାଇଥାଏ ପୃଥିବୀ ।

 

ସୁକାନ୍ତର ହାଇ ମାରିବାକୁ ସମୟ ନାହିଁ । ଶୋଇପଡ଼ିବାର ବେଳ ନାହିଁ । କେବଳ କାମ ଆଉ କାମ । ସକାଳୁ ରାତି ଅଧଯାଏ ଫୁରୁସତ୍‌ ନାହିଁ । କାମ ସମୟରେ ଯମ ଆସିଲେ ବି ସାକ୍ଷାତ ନପାଇ ଫେରି ଯାଆନ୍ତା ।

 

ଶୁକ୍ଳା ସେନ୍‌ ସୁକାନ୍ତର ବ୍ୟକ୍ତିତ୍ୱକୁ ଆହୁରି ମସୃଣ କରିବା ପାଇଁ କୁହେ ବ୍ୟସ୍ତ ମଣିଷ ହିଁ ସଫଳ ମଣିଷ ସୁକାନ୍ତ।

 

ସୁକାନ୍ତର ଅସଫଳ ଜୀବନଟା ଭାସି ଉଠେ ଆଖି ଆଗରେ । ଆତ୍ମହତ୍ୟା କରିବା ପାଇଁ ଦିନେ ସଂକଳ୍ପ କରିଥିଲା ବୋଲି ଗଭୀର ଲଜ୍ଜା ପାଏ । ତାର ଅସରନ୍ତି ଅଳସ ସମୟ ସ୍ଥାନରେ ଆଜି ସୀମାବଦ୍ଧ ସମୟର ଅନୁପମ ଆକର୍ଷଣ । ପବନରେ ଉଡ଼ି ବୁଲୁଥିବା ଅସଜଡ଼ା ବାଳଗୁଡ଼ାକୁ ସଜାଡ଼ି ଦବା ପାଇଁ ଷ୍ଟିଅରିଂ ଉପରୁ ଗୋଟେ ହାତ ଉଠେଇ ନେବାବେଳେ ଶୁକ୍ଳା ସେନ୍‌ କୁହେ, ଅବିନ୍ୟସ୍ତ ରୂପର ବି ଗୋଟେ ନିଜସ୍ୱ ମାଧୁର୍ଯ୍ୟ ଅଛି । ଆକାଶର ତାରାମାନଙ୍କୁ ସଜାଡ଼ି ରଖିଥିଲେ ହୁଏତ ଏତେ ସୁନ୍ଦର ଦିଶନ୍ତେ ନାହିଁ ।

 

ସୁକାନ୍ତ ମୋଡ଼ ଭାଙ୍ଗି କୁହେ, ସାହେବଙ୍କର ସମୟ ହୋଇଗଲାଣି...

 

ଶୁକ୍ଳା ସେନ୍‌ ରାଗିଯାଇ କୁହେ, ସାହେବଙ୍କର କଥା ବେଶୀ ମନେ ରଖ ସୁକାନ୍ତ... । ଏ ସଂସାରଟାରେ ସାହେବ ବ୍ୟତିତ ଅନ୍ୟମାନେ ବି ଯେ ଆତଯାତ ହୁଅନ୍ତି, ଏ ଖବର ରଖ ତୁମେ ?

 

ସୁକାନ୍ତ ଭୟ ପାଏ । ମେମ୍‌ସାହେବଙ୍କୁ ସନ୍ତୁଷ୍ଟ କରିପାରୁ ନାହିଁ ବୋଲି ଦୁଃଖିତ ହୁଏ ।

ଗାଡ଼ିର ଡ୍ରାଇଭର ହେଲେ ସବୁ ଅଜଣା ରାସ୍ତାଗୁଡ଼ାକୁ ଜାଣିହୁଏ ।

 

ଆଗରୁ ଦିନେ ଗାଡ଼ି ଘୂରେଇ ନବା ପାଇଁ କହୁଥିଲେ ସେନ୍‌ ସାହେବ । ଏବେ ପ୍ରାୟ ପ୍ରତିଦିନ ପଥଭାଙ୍ଗି ରୋକିଯାଆନ୍ତି ମଝିରେ ।

 

ମହାନ୍ତି ସାହେବଙ୍କ ଘରେ ଘଣ୍ଟାଏ ବସି ନ ଗଲେ ନିଜେ ମହାନ୍ତି ମେମ୍‌ ସାହେବ ଅଫିସ ଯାଏ ଚାଲିଆସନ୍ତି । ମହାନ୍ତି ସାହେବ ଜାପାନ ଯାଇଛନ୍ତି । ବିଜିନେସ୍‌ଟୁର୍‌ରେ । ଶ୍ରୀମତୀ ମହାନ୍ତିଙ୍କର ସମୟ କଟେନି ବୋଲି ସେନ୍‌ ସାହେବଙ୍କୁ ଡାକନ୍ତି । ରମ୍ମି ଖେଳନ୍ତି ଦୁଇଜଣ । ଆସନ୍ତା ରୋଟାରୀ ଇଣ୍ଟର ନ୍ୟାସାନାଲ୍‌ରେ ସାଙ୍ଗ ହୋଇ ତାଙ୍କ ସହିତ ଡ଼େଲିଗେଟ ହୋଇଯିବା ପାଇଁ ଆଜିଠାରୁ ଚେଷ୍ଟା ଚାଲିଛି ।

 

ସେନ୍‌ ସାହେବଙ୍କୁ ଗାଡ଼ିରୁ ଓହ୍ଲାଇ ଦିନେ ସିଧା ସୁକାନ୍ତ ଚାଲିଯାଇଥିଲା ମେମ୍‌ ସାହେବଙ୍କୁ ଆଣିବା ପାଇଁ । ସେଦିନ ଭୁଲିଯାଇଥିଲା । ସିଟ୍‌ଟାକୁ ଝାଡ଼ିଝୁଡ଼ି ଦେଇ ଧୂପବତୀ ଗୋଟେ ଜାଳିଦେବା ପାଇଁ । ମେମ୍‌ ସାହେବ ପଛ ସିଟ୍‌ରେ ବସିପଡ଼ି ପ୍ରାୟ ଚିତ୍କାର କରି କହିଉଠିଲେ, ସେନ୍‌ ସାହେବଙ୍କୁ ଘରେ ଛାଡ଼ିଦେଇ ଆସିଲ ସୁକାନ୍ତ ?

 

ସେ କହିଲା, ହଁ ।

ଆଉ କିଏ ଥିଲା ସାଙ୍ଗରେ ?

 

ସୁକାନ୍ତ ରହିଗଲା । ଉତ୍ତର ଦେଇପାରିଲା ନାହିଁ । ଶୁକ୍ଳାର ଧୈର୍ଯ୍ୟ ନ ଥିଲା ଅପେକ୍ଷା କରିବା ପାଇଁ । ସେ କହିଲା, ଏ ବାସ୍ନା ତ ଧୂପକାଠିର ନୁହେଁ ।

 

ସୁକାନ୍ତ ସଚେତନ ହୋଇଗଲା । ଅଳ୍ପକ୍ଷଣ ପୂର୍ବରୁ ମହାନ୍ତି ମେମ୍ ସାହେବଙ୍କୁ ହୋଟଲରୁ ସମୂଦ୍ରକୂଳ ଏବଂ ତା’ପରେ ତାଙ୍କୁ ରେସ୍ତୋରାଁ ପାଖରେ ଛାଡ଼ି ସେନ ସାହେବ ଯେ ଘରକୁ ଫେରିଥିଲେ, ଏ କଥା କହିପାରିଲା ନାହିଁ ।

 

ଶୁକ୍ଳାସେନ କହିଲା, ତୁମେ ନ କହିଲେ ବି ମୁଁ ଅନୁମାନ କରିପାରେ ସୁକାନ୍ତ । ସେନ ସାହେବ ଯାହା ସହିତ ଇଚ୍ଛା ବୁଲନ୍ତୁ ମୋର ଆପତ୍ତି ନାହିଁ, କିନ୍ତୁ ଏ ଗାଡ଼ିରେ କାହିଁକି ?

 

ଗାଡ଼ିଟା ଏକା ସେନ ସାହେବଙ୍କର ନୁହେଁ ବୋଲି ସୁକାନ୍ତ ବି ଜାଣିଥିଲା । ଗୋଟାଏ ଗାଡ଼ିର ଦୁଇଜଣ ମାଲିକ । ଗୋଟିଏ ଦମ୍ପତ୍ତିର ଦୁଇଟି ମନ ।

 

ସଂସାରର ନୂଆ ରୂପ ଦେଖି ସ୍ତବ୍‌ଧ ହୋଇଯାଏ ସୁକାନ୍ତ । ସଂଭ୍ରାନ୍ତ ପରିବାରର ଅନ୍ତରାଳରେ ଅସଂଯତ ଯୌନଜୀବନର କଳରୋଳ । ପ୍ରାଚୁର୍ଯ୍ୟ ମଣିଷର ମନକୁ ନୁହେଁ, ଦେହକୁ ବେଶୀ ପ୍ରଭାବିତ କରେ । ସବୁ ଥିବା ମଣିଷର ଦେହରେ ଅଭାବର ଅଗ୍ନି ସଦା ଜାଗ୍ରତ ।

 

ଶୁକ୍ଳା ସେନ ତାକୁ ଧରି ଆଣିଥିଲା ଆଭିଜାତ୍ୟର ଲ୍ୟାବରେଟରୀରେ ଏକ୍‌ସପେରିମେଣ୍ଟ କରିବା ପାଇଁ । ସେ ଗିନ୍‌ପିଗ୍‌ପରି କେବଳ କ୍ରୀୟା ଓ ପ୍ରତିକ୍ରିୟାର ଲକ୍ଷ୍ୟସ୍ଥଳ । ତାର ସ୍ୱତନ୍ତ୍ରତା କିଛି ନାହିଁ ।

 

ସେ କଣ ବଦଳି ନାହିଁ ? ଅନେକ ବଦଳିଛି । ମଫସଲର ଝାଳୁଆ ବେକାର ରୂପ ଆଉ ନାହିଁ । ସେ ସମାଜରେ ଏକ ସଂପୂର୍ଣ୍ଣ ବ୍ୟକ୍ତିତ୍ୱର ଅଧିକାରୀ । ଜୀବନର ଏତେ ଲୋଭ ଏବଂ ଆକର୍ଷଣ ଥାଏ ବୋଲି ସେ ଆଗରୁ ଜାଣି ନଥିଲା । ଅଭାବରେ ପେଶି ହେଉଥିବା ଲୋକମାନେ ଜୀବନର ଯନ୍ତ୍ରଣା କେବଳ ଭୋଗ କରନ୍ତି । ଯାହାର ଅଛି ସେ ଜୀବନକୁ ଭୋଗ କରେ ।

 

ଶୁକ୍ଳାସେନ ରୋଟାରୀ କ୍ଳବର ପୋର୍ଟିକୋରେ ଓହ୍ଲାଇ ପଡ଼ିଲେ । ଚୌକିଦାର ସଲାମ କରି କହିଲା, ମିଶ୍ର ସାହେବ ଅନେକ ସମୟ ହେଲା ଅପେକ୍ଷା କରୁଚନ୍ତି । କଥାଟାକୁ ଚପେଇ ଦବାପାଇଁ କହିଲା ଶୁକ୍ଳା, ଆଉ କେହି ଆସିନାହାନ୍ତି ?

 

ନା, ଆଜି ରୋଟାରୀ ଦିନ ନୁହଁ ମେମ୍‌ସା’ବ, ଆଉ ହୁଏତ କେହି ଆସିବେନି ।

 

ଭିତରକୁ ନାଚି ନାଚି ପଶିଗଲା ବେଳେ ପଛକୁ ଚାହିଁ ଶୁକ୍ଳାସେନ ସୁକାନ୍ତକୁ ଦେଖି ହସିଦେଲା ।

 

ସୁକାନ୍ତ କିଛି ବୁଝେନାହିଁ । ବୋକାପରି କେବଳ ଗାଡ଼ିର ହୁଡ଼୍‌ଉପରେ ଆଉଜି ପଡ଼ି ନିଜର ଅନୁରଞ୍ଜିତ ଜୀବନର କଳ୍ପନା କରେ ।

 

ଆକାଶର ଚାନ୍ଦଟା ଲାଜେଇ ଯାଇଛି ବୋଧେ । ନୋହିଲେ ଇମିତି ଛପି ଛପି ଆସନ୍ତା କାହିଁକି ? ସୁକାନ୍ତ ଚା ପିଉ ପିଉ ଚୌକିଦାରକୁ କୁହେ ବେଶ ମଜାରେ ଅଛ ଭାଇ ।

 

ଚୌକିଦାର ଚାଲକ ଲୋକ । ମନ ଫୁଲେଇ କହେ, ମଜା ଦେଖି ଦେଖି ମଜା ମାରିବା ପାଇଁ ମୋଟେ ଇଚ୍ଛା ହୁଏନି ଭାଇ ।

 

ସୁକାନ୍ତର ଆତ୍ମହତ୍ୟା କରିବାକୁ ଯାଉଥିବା ଦିନଟି ମନେ ପଡ଼େ । ମନେପଡ଼େ ମାଟିର ଗନ୍ଧ, ସମୁଦ୍ରର ନୀଳିମା ଏବଂ ଆକାଶର ପ୍ରସାରିତ ରୂପ । ତାରାର ଆଖି ମିଟିକା ପରି ତାର ଭବିଷ୍ୟତ ଆଖି ମିଟିକା ମାରୁଛି ।

 

ଶୁକ୍ଳା ସେନ ଫେରି ଆସି କହିଲା, ଡେରି ହୋଇଗଲା ସୁକାନ୍ତ ?

ସୁକାନ୍ତ କୌଣସି ଉତ୍ତର ଦେଲାନାହିଁ ।

 

ଅକାରଣରେ ଶୁକ୍ଳାସେନ ରାଗିଗଲା ସୁକାନ୍ତ ଉପରେ ଏବଂ ସ୍ୱରକୁ ତୀକ୍ଷ୍ଣ କରି କହିଲା, ଏତେଦିନ ରହିଲଣି, ଆଦବ କାଏଦା ଏ ଯାଏ ଶିଖି ନାହଁ । ସବୁବେଳେ ନୀରବ ଦର୍ଶକ ପରି ବସିରୁହେ, ବୋକାପରି ଚାହିଁରୁହ । ଅଥଚ ତୁମେ ବୋକା ନୁହଁ କି ବୋବା ନୁହଁ । ତୁମର ଦୁଇଟା ଆଖି ଅଛି, ଗୋଟିଏ ମନ ଅଛି ଏବଂ ଆଉ ଗୋଟିଏ ବ୍ୟକ୍ତିତ୍ୱ ବି ଅଛି ।

 

ସୁକାନ୍ତ ଗାଡ଼ିରେ ଷ୍ଟାର୍ଟ ଦେଇ କହିଲା, ଘରକୁ ମେମ୍‌ ସାହେବ ?

 

ଆହୁରି ଚିଡ଼ିଯାଇ କହିଲା ଶକ୍ଳା, ଘରକୁ କାହିଁକି ? ଘରେ କଅଣ ଅଛି ? ଘରେ କେହି ଜଗି ବସିନାହିଁ ଯେ ଦଉଡ଼ିବି । ତୁମେ ଏଡ଼େ ଆଗବୋଲା ହେଲ କୋଉଦିନୁ !

 

ସୁକାନ୍ତ ସ୍ତବ୍‌ଦ ହୋଇଯାଏ ତାଙ୍କର ନୂତନ ରୂପ ଦେଖି ।

 

ଗାଡ଼ି ଚାଲୁଥାଏ ଅନିର୍ଦ୍ଦିଷ୍ଟ ପଥରେ । ଇମିତି ବେଳେ ବେଳେ ଅନିର୍ଦ୍ଦିଷ୍ଟ ଭାବରେ ଗାଡ଼ି ଚଲାଇବା ପାଇଁ ବାଧ୍ୟକରେ ଶୁକ୍ଳା । ସବୁବେଳେ ନିର୍ଦ୍ଦିଷ୍ଟ ପଥ ଦେଇ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବାର ବାହାଦୂରୀ ନାହିଁ, ଉତ୍ତେଜନା ନାହିଁ; ବରଂ ଇଚ୍ଛାନୁସାରେ ସେ କୌଣସି ପଥ ଉପରେ ଚାଲ, ସେ ପଥର ଉନ୍ମୁକ୍ତ ଅନ ବୃତ୍ତ ରୂପର ଅନାବିଳ ଆକର୍ଷଣ ଅଙ୍ଗରେ ନିଭାଇ ପାରିବ ।

 

ସିକାନ୍ତର ଦୃଷ୍ଟି ସାମ୍ନାରେ ।

 

ଶୁକ୍ଳା କହିଲା ମିଶ୍ର ସାହେବଙ୍କୁ ଚିହ୍ନ ସୁକାନ୍ତ । ଇନ୍‌ସୁରାନ୍‌ସ କୋମ୍ପାନୀର ଡେଭେଲପମେଣ୍ଟ ଅଫିସର ।

 

ତାପରେ ତାଠାରୁ କିଛି ଶୁଣିବାର ପ୍ରତ୍ୟାଶା ନ କରି ନିଜେ କହିଲା, ଯେଉଁମାନେ ନିଜ ମନର ଡେଭେଲପମେଣ୍ଟ କରିନାହାନ୍ତି, ସେମାନେ ଅନ୍ୟମାନଙ୍କର ମନର କଥା କିପରି ବୁଝିବେ କୁହ, ଉପରେ ପୁରୁଷ ସିଂହ......ଭିତରେ ମେଷ ଶାବକ ।

 

ସୁକାନ୍ତ ସହରର ଉପକଣ୍ଠକୁ ଚାଲି ଆସିଥିଲା । ରାସ୍ତାଟା ପ୍ରଶସ୍ତ । ଭଲ ଲାଗୁଥିଲା ଗାଡ଼ି ଚଳେଇବା ପାଇଁ ।

 

ହୁ ହୁ ହୋଇ ପବନ ବୋହୁଥିଲା । ଆହୁରି ଆଗକୁ ଚାଲିଲା ଗାଡ଼ି । ସହରର ଉଜ୍ୱଳ ଆଲୋକଗୁଡ଼ାକ ବହୁ ଦୂରକୁ ତାରାମାନଙ୍କର ପରି କେବଳ ଆଖି ଠାରିଲେ ।

 

ଅନ୍ଧାର ଭିତରେ ମନର ଅନେକ ଆକୁଳତା ସମୁଦ୍ରର ଲହରୀ ପରି କୂଳରେ ମଥାପିଟେ-। ଅନେକ ମାଗୁଣି । ଅନେକ ପ୍ରୟୋଜନ । ଦବାପାଇଁ ଏତେ ସାମର୍ଥ୍ୟ କାହାର ଅଛି ?

 

ଶୁକ୍ଳାସେନ ସେହି ଅନ୍ଧାର ଉପରେ ରସିକତା କରି କହିଲା, ଏକାବେଳେ ସହରର ବାହାରକୁ ଚାଲିଆସିଲ ଯେ ! ମୋତେ ଇଲୋପ କରିଯିବାର ମତଲବ ନାହିଁ ତ ସୁକାନ୍ତ ?

 

ସୁକାନ୍ତ ଝାଳେଇ ଗଲା ଲଜ୍ଜାରେ । ଛି, ଛି ମେମ୍‌ ସାହେବଙ୍କର ଆଜି କଅଣ ହୋଇଚି ଆଦୌ ସେ ବୁଝି ପାରିଲା ନାହିଁ ।

 

ଗୋଟିଏ ଝଙ୍କାଳିଆ ଗଛର ଶାଖାମାନେ ରାସ୍ତା ଉପରେ ଲମ୍ବି ଯାଇଥିଲେ ଅନ୍ୟ ପାଖକୁ ।

 

ଅନେକ ଅନ୍ଧାର ଠୂଳ ହୋଇଥିଲେ ସେଠାରେ ।

 

ଗାଡ଼ି ବନ୍ଦ କରିବା ପାଇଁ କହିଲା ଶୁକ୍ଳା । ଗୋଟିଏ ପାଖରେ ଗାଡ଼ି ଛିଡ଼ା କରିଦେଲା ସୁକାନ୍ତ ।

 

କିଛି ସମୟ ଅନ୍ଧାର ଭିତରେ ଅତିବାହିତ ହୋଇଗଲା । ଗଛର ଶାଖାରେ ବସା ବାନ୍ଧିଥିବା କେତେ ପକ୍ଷୀ କିଚିରି ମିଚିରି କରୁଥିଲେ ମଝିରେ ମଝିରେ ।

 

ସୁକାନ୍ତର କାନ୍ଧ ଉପରେ ହାତ ରଖି କହିଲା ଶୁକ୍ଳା, ଏଇ ଅନ୍ଧାର ବଡ଼ ସୁନ୍ଦର, ନୁହେଁ ସୁକାନ୍ତ ।

 

ସୁକାନ୍ତ ସ୍ଥିର ହୋଇ ବସିଥିଲା ?

ତାର ବେକ ପାଖରେ କାହାର ଉଷ୍ଣ ନିଶ୍ୱାସ ଅନୁଭବ କଲା ସୁକାନ୍ତ ।

ସେ ଭୟରେ ଶିଥିଳ ହୋଇ ଆସୁଥିଲା ।

 

ଆହୁରି ପାଖରେ ସେହି ନିଃଶ୍ୱାସ ଲାଗିଲା ଆସି ଏବଂ ମୁହଁକୁ ଘୁଞ୍ଚାଇ ନବା ଆଗରୁ ପ୍ରବଳ ବେଗରେ ତାକୁ ଆଲିଙ୍ଗନ କରି ଦଂଶନ କରିବାକୁ ଲାଗିଲା ଶୁକ୍ଳା ।

 

ତାର ବାହୁବନ୍ଧନ ଭିତରେ ସୁକାନ୍ତର ଉଷ୍ଣ ଦହଟା ବରଫ ପରି ଶୀତଳ ଏବଂ ସ୍ତବ୍‌ଧ ହୋଇ ଯାଇଥିଲା ।

 

ଅନେକ ସମୟ ପରେ ସୁକାନ୍ତ କହିଲା ଫେରିବା ଏଥର..... ।

ଶୁକ୍ଳା କିଛି କହିଲା ନାହିଁ । ସେ ପଛ ସିଟ୍‌ରେ ଶୋଇପଡ଼ିଥିଲା ।

ଧୀରେ ଧୀରେ ଗାଡ଼ି ଚଳାଇଲା ସୁକାନ୍ତ ।

 

ଯେଉଁ ପ୍ରଶସ୍ତ ପଥ ଲମ୍ବି ଯାଇଥିଲା ସହରର ଉପକଣ୍ଠରୁ ସହର ଭିତରକୁ ସେହି ପଥ ଉପରେ ଫେରିଲା ବେଳେ ଭାବିଲା ସୁକାନ୍ତ, ଜୀବନର ଏତେ ଲୋଭ ବୋଲି ଏଡ଼େ କଷ୍ଟ ପାଆନ୍ତି ସାହେବ, ମେମ ସାହେବମାନେ । ସେହି ଲୋଭରେ ସେମାନେ ସମ୍ପଦ ଠୂଳ କରନ୍ତି, ସମାଜ ସେବା ଏବଂ ସୌଖୀନ କଳାର ଚର୍ଚ୍ଚାର କରନ୍ତି । ଏଣେ ଅଭାବର କକ୍ଷାଘାତରେ ମଣିଷର ରକ୍ତ ଶୁଖିଯାଏ, ମେଦ ହୁରୁଳି ଯାଏ, ଚର୍ବି ତରଳି ଯାଏ । ଯେଉଁମାନଙ୍କର ଅସରନ୍ତି ଭଣ୍ଡାର ଅଛି, ସେମାନଙ୍କର ଅଳସର ହାଇରେ ଯୌବନର କାମନା, ଦୃଷ୍ଟିରେ ସୁରାର ରାଗିଣୀ ଏବଂ ମାନସପଟରେ ସୁନ୍ଦରୀମାନଙ୍କର ସ୍ୱାସ୍ଥ୍ୟ ଭାସି ବୁଲେ । ଚର୍ବିବହୁଳ ଦେହର ଉତ୍ତାପ ବନାଗ୍ନି ପରି ଦେହାନ୍ତର ମଧ୍ୟରେ ପ୍ରସାରିତ ହେବା ପାଇଁ ଛଟପଟ ହୁଏ । ଅବଶ ପୃଥିବୀ ଶୋଇପଡ଼ିଲେ, ଜାଗି ଉଠନ୍ତି ଏମାନେ ।

 

ସୁକାନ୍ତର ସର୍ବାଙ୍ଗକୁ ଯେଉଁ ଅନୁଭୂତି ଶିଥିଳତା ଗ୍ରାସ କରିଥିଲା, ତାହା କ୍ରମଶଃ ତାକୁ ଏକ ଗଭୀର ଅବସାଦରେ ଛାଡ଼ି ଦେଇଗଲା । ଆତ୍ମହତ୍ୟା କରି ନ ପାରି ଫେରୁଥିବା ବେଳେ ପୋଲ ଉପରୁ ଦେଖିଥିବା ନଦୀର ଚକାଭଉଁରୀ ଖେଳ ମନେ ପଡ଼ିଗଲା । ଜୀବନଟା ସେହିପରି ପ୍ରବଳ ବେଗରେ ଘୂରୁଥିଲା ନିଜ କକ୍ଷ ଚାରିପାଖରେ ଏବଂ ଚେଷ୍ଟା କରୁଥିଲା ଅଣନିଶ୍ୱାସୀ ହୋଇ ଛିଟିକି ପଡ଼ିବା ପାଇଁ ବାହାରକୁ ।

 

ସୁକାନ୍ତର ମନେ ନ ଥିଲା ।

 

ଶୁକ୍ଳା ସେନ କହିଲା, ଶୋଇ ଶୋଇ ଗାଡ଼ି ଚଳଉଚ କି ସୁକାନ୍ତ ! ଘର ପାର ହୋଇ ଆସିଲ ଯେ..... ।

 

ସୁକାନ୍ତର ହେତୁ ନ ଥିଲା ।

ସେ ଗିଅର ବଦଳାଇ ଗାଡ଼ି ପଛକୁ ଆଣିଲା ।

ଫାଟକ ଖୋଲାଥିଲା । ପୋର୍ଟିକୋରେ ଗାଡ଼ି ରଖି ଦରଜା ଖୋଲିଦେଲା ସୁକାନ୍ତ ।

 

ଶୁକ୍ଳାସେନ ଭିତରକୁ ଯିବା ଆଗରୁ କହିଲା, କାଳିଠାରୁ ଆଉ ଆସିବା ଦରକାର ନାହିଁ ସୁକାନ୍ତ । ମୁଁ ଦୁଃଖିତ ତୁମକୁ ଏ କଥା କହୁଚି ବୋଲି-କିନ୍ତୁ ନାଚାର.....।

 

ଶେଷ କରିବା ପରେ ଆଉ ତିଳେ ମାତ୍ର ବିଳମ୍ବ ନ କରି ଘର ଭିତରେ ଅଦୃଶ୍ୟ ହୋଇଗଲା ଶୁକ୍ଳା ସେନ ।

 

ଗାଡ଼ି ଭିତରେ ଏବଂ ତାର ସର୍ବାଙ୍ଗରେ ଛାଡ଼ି ଯାଇଥିବା ବାସ୍ନାଟା ଏତେବେଳେ ଯାଇ ସ୍ପଷ୍ଟ ଭାବରେ ଅନୁଭବ କଲା ସୁକାନ୍ତ ।

•••

 

।। ନିମନ୍ତ୍ରଣ ।।

 

ନିଧି ମହାରଣା ସେଦିନ ଜଜ୍‌ସାହେବଙ୍କ ପାଖରୁ ତାଙ୍କ ବଡ଼ଝିଅର ବିବାହ ନିମନ୍ତ୍ରଣ ପାଇ ଆଶ୍ଚର୍ଯ୍ୟ ହୋଇଗଲା । ସେ ତାଙ୍କର ମୈତ୍ର ବା କୁଟୁମ୍ବ ନୁହେଁ । ପାଖ-ଆଖର ବଂଧୁବାନ୍ଧବ ନୁହେଁ । ଗାଁର ଲୋକମାତ୍ର । ସେହି ଗାଆଁ ସହିତ ଜଜ୍‌ସାହେବଙ୍କର ସମ୍ପର୍କ ବି ସେପରି ନିଗୃଢ଼ ନୁହେଁ ଯେ ସେ ଗାଆଁ ଲୋକଙ୍କୁ ଡାକିବେ, ଭଲରେ ମନ୍ଦରେ ସେମାନଙ୍କ ସହିତ ଏକା ଆସନରେ ବସି ଦୁଃଖ ସୁଖ ହେବେ । ଚାଳିଶ ବରଷ ହବ ଗାଆଁ ଛାଡ଼ି ସହରକୁ ଚାଲିଗଲେଣି, ଥରେ ବି ଗାଆଁକୁ ଆସି ନାହାନ୍ତି । ନିଧିପରି ଜଣେ ଦୁଇଜଣ ତାଙ୍କ ପାଖକୁ ଯାଆସ କରନ୍ତି ବୋଲି ଚିହ୍ନାପରିଚୟ ରହିଯାଇଛି, ସେ ଗାଁକୁ ଭୁଲିଗଲାପରି ଗାଆଁ ଲୋକେ ମଧ୍ୟ ତାଙ୍କୁ ସଂପୂର୍ଣ୍ଣ ଭୁଲି ସାରନ୍ତେଣି । ଗାଆଁରେ ଜନ୍ମିଥିବା ପିଲାଗୁଡ଼ା ଚିହ୍ନିବେ ନାହିଁ, ଦେଖିଲେ ବି ଏକା ଗାଆଁର ଲୋକ ବୋଲି ଜାଣିବେ ନାହିଁ । ନିଧି ମହାରଣା ଜଜ୍‌ସାହେବ ଏବଂ ଗାଆଁ ଭିତରେ ଯୋଗସୂତ୍ର ହୋଇ ରହିଯାଇଛି, ତାହାରି ମୁହଁରୁ ସେ ସମସ୍ତଙ୍କ କଥା ଶୁଣନ୍ତି; ସେ ଆଣିଦେଇଥିବା ଗାଆଁ ତୋଟାର ଆମ୍ବ ବା ତାଳ ଖାଇ ପିଲାଦିନର କଥାଗୁଡ଼ା ମନେ ପକାନ୍ତି । ନିଧି ତାଙ୍କୁ ସମସ୍ତଙ୍କ କଥା କୁହେ ବୋଲି ସେ ପାଞ୍ଚଜଣଙ୍କୁ ମନେ ପକାନ୍ତି । ଗାଆଁ ର ଧୂଳିରେ ଘାଣ୍ଟି ହବାପାଇଁ ଆଉ ମନ ହୁଏ ନାହିଁ, ସହରର ସୁଯୋଗ ସୁବିଧା ଛାଡ଼ି ଗାଆଁକୁ ଯାଇ ଝାଳନାଳ ଭିତରେ ଧନ୍ଦି ହବା ପାଇଁ ମନ ବଳେ ନାହିଁ । ତା’ ପରେ ପ୍ରୟୋଜନ ବି ହୁଏ ନାହିଁ । ସେ ବେଶ୍‌ ମଉଜରେ ଅଛନ୍ତି । ଅଭାବ ଅସୁବିଧା ନାହିଁ । ସରହରେ ବନ୍ଧୁ ଅନେକ, ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସମୟ ଅଣ୍ଟେ ନାହିଁ ।

 

ନିଧି କିନ୍ତୁ ଗର୍ବ କରେ । ସେଇ ଗାଆଁର ଗୋଡ଼ି ମାଟିରେ ବଡ଼ ହୋଇ ସେମାନଙ୍କ ଭିତରୁ ଜଣେ ଜଜ୍‌ ହେଲାଣି ବୋଲି ତା ଗୋଡ଼ ତଳେ ପଡ଼େ ନାହିଁ । ଗର୍ବରେ ସେ ଫୁଲିଯାଏ । ଗାଆଁ ଗାଆଁ ଭିତରେ କଳି କଜିଆ ହେଲେ ସେ ଜଜ୍‌ ସାହେବଙ୍କ କଥା କହି ମଜା ଚଖାଇଦେବ ବୋଲି ଧମକ ବି ଦିଏ । ପିଲାଦିନର କଥା ଅଭୁଲା ହୋଇ ରହିଯାଏ ମନରେ । ସେଇ ଦିନଗୁଡ଼ା କେଡ଼େ ସୁନ୍ଦର ଏବଂ ମନୋରମ । ଅତୀତରେ ହଜି ଯାଇଥିବା ସେହି ଦିନ ଗୁଡ଼ାକୁ ସେ ଜିଆଁଇ ରଖେ ମନ ଭିତରେ ।

 

ନିଧି ତାଙ୍କ ସାଙ୍ଗରେ ପଢ଼ୁଥିଲା । ସେ ସିନା ପରେ ସହରକୁ ଚାଲିଗଲା ବେଶୀ ପଢ଼ିବା ପାଇଁ, କିନ୍ତୁ ରହିଗଲା । ପଢ଼ାବହିରେ ଡୋରି ବାନ୍ଧି ସେ କାମରେ ଲାଗିଗଲା । ସେ ନିଜକୁ ଛାଡ଼ି ଆଉ ସମସ୍ତଙ୍କୁ ଭୁଲିଗଲା ଅନେକ ଦିନ । ତାପରେ ଯେତେବେଳେ ତା’ର ମନେପଡ଼ିଲା ଅନ୍ୟମାନଙ୍କୁ ସେ ଦେଖିଲା ଯେ, ସେ ଅନେକ ବଡ଼ହୋଇ ଯାଇଛି ଏବଂ ଅନେକ ବାଟ ଚାଲି ଆସିଛି । ବୟସ ହେଲେ ଲୋକ ନିଜ କାମଧନ୍ଦା ନେଇ ବୁଡ଼ିରହେ । ନିଜ ପାଇଁ ସମୟ ନିଅଣ୍ଟ ହୁଏ-। ନିଧି ମହାରଣା ବହୁ ଦିନ ପରେ ଟିକେ ସମୟ ପାଇ ଗଳ୍ପ କରୁଥିବା ବେଳେ ଗାଆଁ ଅବଧାନେ ଗୋଟିଏ ଖବର ପ୍ରଚାର କରିଦେଲେ ଯେ ଛତିଶ ଶାସନର ସଂଖାଳି ରାଉତ ନରହତ୍ୟା ଅଭିଯୋଗରୁ ଖଲାସ ହୋଇଗଲା । ସେସନ୍‌ସ ଜଜ୍ ମଣିମାଣିକ୍ୟ ମିଶ୍ର ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି ।

 

ଏଇ ଖବରଟା ଖୁବ୍ ଶୀଘ୍ର ପ୍ରଚାର ହୋଇଗଲା । ଛତିଶ ଶାସନର ଲୋକମାନେ ଜଜ୍‌ ସାହେବଙ୍କୁ ଗାଳିଗୁଲଜ କଲେ । ତାଙ୍କର ନିନ୍ଦା ରଟନା କଲେ । ନିଧି ମହାରଣା କିନ୍ତୁ ଖୁସି ହେଲା । ସଂଖାଳି ତାର ସାଙ୍ଗ । ସେ ଯେ ନିର୍ଦ୍ଦୋଷ ଏହା ପ୍ରଥମରୁ ଜାଣିଥିଲା ସେ । ବଡ଼ ଲୋକ ଦୋଷ କରନ୍ତି ନାହିଁ । ସେଥିପାଇଁ ଚେଷ୍ଟା ହୋଇଥିଲା ନରହତ୍ୟା ଅପରାଧକୁ ସଙ୍ଖାଳି ମୁଣ୍ଡରେ ବୋଲି ଖସିଯିବା ପାଇଁ । ଜଜ୍‌ ସାହେବଙ୍କ ନ୍ୟାୟ ବିଚାର ଶୁଣି ଭଗବାନ ଅଛନ୍ତି ବୋଲି ଆହୁରି ବିଶ୍ୱାସ ବଢ଼ିଗଲା । ତାଙ୍କୁ ପାଖରେ ଅନୁଭବ କଲା ସେ । ତାପରେ ଜଜ୍‌ ସାହେବଙ୍କ ନାମଟା ଶୁଣି ସେ ଥମ୍‌କି ଛିଡ଼ା ହୋଇଗଲା ମୁହୂର୍ତ୍ତେ । ତାପରେ ହାତ ତାଳି ଦେଇ କହି ଉଠିଲା ମଣି ନହେଲେ ଏ କାମ କରିବ କିଏ ? ମଣି ହଜିଯାଇଥିଲା ଦାଣ୍ଡରେ ଧୂଳିରେ, ତାକୁ ଫେରିପାଇଲି ସହରର ପିଚୁ ରାସ୍ତାରେ । ସମସ୍ତେ ତା ମୁହଁରୁ ଭୁଲିଯାଇଥିବା ସେହି ଗାଆଁର ଛୋଟ ପିଲାଟିର କଥା ସ୍ମରଣ କରି କହିଲେ, ଚାଳିଷ ବରଷ, ତଳେ ଗାଆଁ ଛାଡ଼ି ତାଙ୍କ ପରିବାର ସହରକୁ ଚାଲିଗଲେ ସିନା, ଏବେ ବି ତାଙ୍କ ଆମ୍ବ ତୋଟା ସେହିପରି ଅଛି ସେହି ଆମ୍ବ ଗଛରେ ଏବେ ବି ବଉଳ ହୁଏ, ଆମ୍ବ ଫଳେ । ପିଲାବେଳେ ନିଧି ଗଛ ଉପରକୁ ଉଠି ଆମ୍ବ କଷି ତୋଳି ପକାଇଥିଲା, ଆଉ ତଳେ ଆମ୍ବ କଷି ଗୋଟାଉଥିଲେ ମଣିମାଣିକ୍ୟ । ସେ ଦିନଗୁଡ଼ା ଥିଲା ଆମ୍ବ କଷି ପରି ସାବ୍‌ଜା ଏବଂ ସୁଆଦିଆ ।

 

ଯାହାକୁ ଦେଖିଲେ ଜଜ୍‌ସାହେବଙ୍କର କଥା ନିଧି ମହାରଣା । ସେଇ କହିବା ଭିତରେ ସେ ଆବିଷ୍କାର କରେ ନିଜର ଅଭୁଲା ଅତୀତକୁ । ଝାପ୍‌ସା ହୋଇ ଆସୁଥିବା ସ୍ମୃତିକୁ ଘଷି ମାଜି ପୁଣି ସତେଜ କରିଦିଏ ।

 

ଜଜ୍‌ ସାହେବଙ୍କର ଝିଅ ବିଭା ପାଇଁ ସେ ନିଜେ ନିମନ୍ତ୍ରଣ କରିଛନ୍ତି । ଏହାଠାରୁ ଆଉ ଗର୍ବର କଥା କଅଣ ହୁଅନ୍ତା ନିଧି ପକ୍ଷରେ । ସେ ତୁମ ଆମ ପରି ସାଧାରଣ ବ୍ୟକ୍ତି ନୁହଁନ୍ତି ହଜାର ଜଣରେ ଗଣି ହେବା ଭଳି ଜଣେ ପୁରୁଷ । ନିଧି ନିମନ୍ତ୍ରଣ ପତ୍ରଟିକୁ ଧରି ଗାଆଁର ଏମୁଣ୍ଡରୁ ସେମୁଁଣ୍ଡଯାଏ ଚାଲି ଆସିଲା ଏବଂ ଯାହାକୁ ଦେଖିଲା ତାକୁ ଥରେ ପଢ଼ି ଶୁଣାଇଦେଲା । ଯାହାକୁ ଦାଣ୍ଡରେ ନ ଦେଖିଲା ତା ଘରକୁ ପଶିଯାଇ କହିଆସିଲା ସବୁ । ଏ କିଏ କହିଲେ, ଜଜ୍‌ସାହେବଙ୍କର ଝିଅ ବିଭା ହଉ ନାହିଁ ଯେ ନିଧି ଝିଅ ବିଭା ହଉଚି । ନିଧି କାନକୁ କଥାଟା ଭଲ ଲାଗିଲା । ସେ ଉପରକୁ ହାତଟେକି କହିଲା, ସବୁକର୍ମ ତାଙ୍କରି, ଆମେ ନିମିତ୍ତ ମାତ୍ର । ମଉକା ପଡ଼ିଲେ ମୋ ଝିଅ ବାହାଘର ବି ଆସନ୍ତା ତିଥିରେ କରିଦେବି । ଝିଅ ଘିଅ, ବେଶୀଦିନ ଅଭିଆଡ଼ୀ ଝିଅକୁ ଘରେ ରଖି ଶଙ୍କା ପୋଷିବି କାହିଁକି ?

 

ମଣିମାଣିକ୍ୟ ଗାଆଁ ଛାଡ଼ି ବାପାମାଆଙ୍କ ସହିତ ସହରକୁ ଉଠିଯିବାର ଚାଳିଶ ବରଷ ହୋଇଗଲା । ଚାଳିଶ ବରଷ କଅଣ କମ୍‌? ଯେଉଁମାନେ ସେ ନଥିବା ଗାଆଁରେ ଜନ୍ମ ହୋଇଥିଲେ ସେମାନେ ଯୌବନର ଶେଷ ପାଦରେ । ମହାନଦୀର ପାଣି ପରି ବହିଯାଏ ସମୟର ସ୍ରୋତ । ସହରରେ ରହି ଗାଆଁ ସହିତ ଆଉ ସେପରି ସମ୍ପର୍କ ରହିଲାନାହିଁ । ଜମିଜମାରୁ ଯାହା ମିଳେ ବରଷକୁ ଥରେ ଆଣିଦେଇ ଯାଆନ୍ତି ଭାଗଚାଷୀ । ଗାଆଁକୁ ଯିବାକୁ ହୁଏନାହିଁ, ଗାଆଁର ଧୂଳି ଆଉ ନାକରେ ପଶେ ନାହିଁ, ଆଣ୍ଠୁ ଉପରକୁ ଉଠି ଲୁଗା ପେଣ୍ଟ ମଇଳା କରେ ନାହିଁ ।

 

ମଣିମାଣିକ୍ୟ ପାଠ ପଢ଼ି ହାକିମ ହେଲେ, ତାପରେ ପାହାଚ ପରେ ପାହାଚ ଉଠି ହେଲେ ଜଜ୍‌ ସାହେବ । ଏ ଖବରଟି ଆଉ କେହି ରଖିନଥିଲେ ବି ରଖିଥିଲା ନିଧି ମହାରଣା । ବାପ ମରିଯିବା ପରେ ସେ ଭାଗଧାନ ନେଇ ଯାଉଥିଲା, ସୁଯୋଗ ମିଳିଲେ ଆମ୍ବ ପୁଞ୍ଜେ ବା ମୁଗ କିଛି ନେଇ ତାଙ୍କ ଘରେ ଦେଇ ଆସୁଥିଲା । ଛୋଟ ଗେଡ଼ା ମଣିମାଣିକ୍ୟଟା ହଜି ଯାଇଥିଲା ଜଜସାହେବଙ୍କ ପୃଥଳ ଶରୀର ଭିତରେ । ସାହାସ କରି ପାରୁନଥିଲା ନିଧି ନାଆଁ ଧରି ଡାକିବା ପାଇଁ । ଜଜ୍‌ସାହେବଙ୍କର ଉଚ୍ଚତା ପାହାଡ଼ ପରି ଦିଶୁଥିଲା ତାର ଖାଲି ଆଖିକୁ । ସେ ଭରସି କରି କେବଳ କହୁଥିଲା, ଜଜ୍‌ସାହେବ ।

 

ସେଇ ଜଜ୍‌ସାହେବ ତାକୁ ଭୁଲିନଥିଲେ ବୋଲି ମନରେ ଗୌରବ ହେଲା ନିଧିର । ସେ ନିମନ୍ତ୍ରଣ ପତ୍ରଟିକୁ ଓଲଟାଇ ଏପାଖ ସେପାଖ କରି ଅନେକଥର ଦେଖିଲା ଏବଂ ପ୍ରତି ଅକ୍ଷରଟିକୁ ଖୁବ୍ ଯତ୍ନ ସହକାରେ ନିରୀକ୍ଷଣ କଲା । ଗୋଲାପି କାଗଜରେ ସୁନେଲି ଅକ୍ଷର ଗୁଡ଼ା କେଡ଼େ ସୁନ୍ଦର ଦିଶୁଥିଲେ ସତରେ । ସେହି ଛୋଟ ଛୋଟ ଅକ୍ଷରଗୁଡ଼ା ଭିତରୁ ଜଜ୍‌ସାହେବଙ୍କ ମୁହଁଟି ଭାସି ଉଠୁଥିଲା । ନିଧି ବିହ୍ୱଳ ହୋଇଯାଇ କହିଲା ସ୍ତ୍ରୀକୁ, ତାଙ୍କ ଝିଅର ବିଭାଘର, ଖୋଦ ଜଜ୍‌ସାହେବ ନିମନ୍ତ୍ରଣ କରିଛନ୍ତି । ଖାଲି ହାତରେ ତ ଯିବି ନାହିଁ ?

 

ସେଇ ଜଜ୍‌ସାହେବଙ୍କର ବିଶ୍ୱାସଭାଜନ ହୋଇଥିଲା ବୋଲି ନିଧି ମନରେ ଅନେକ ଗର୍ବ । ରାଜଧାନୀରେ ଘର ତୋଳା ହବାବେଳେ ତାକୁ ମନେ ପକାଇ ଡକେଇ ପଠେଇଥିଲେ ଜଜ୍‌ସାହେବ । ଘର କାମ ସହଜ ନୁହେଁ, ଜଞ୍ଜାଳ ଅନେକ । ନିଧିକୁ ଡାକି ତା ହାତରେ ସବୁ କାମରେ ଭାରି ସମର୍ପି ଦେଇ ଜଜ୍‌ସାହେବ ସେଦିନ କହିଥିଲେ, ନିଜଲୋକ ନହେଲେ ଏ କାମ କରି ହୁଏନା ନିଧି । ତୁମ ଉପରେ ସବୁ ଭାର ଦେଇ ମୁଁ ନିଶ୍ଚିନ୍ତ । ତୁମେ କାମରେ ଲାଗିଯାଅ । ଦରକାର ହେଲେ କହିବ, ମୋ ପାଇଁ ଅଟକି ଯିବ ନାହିଁ । ଜଜ୍‌ ସାହେବଙ୍କର ସେଇ କଥାଗୁଡ଼ା ସେ ଭୁଲିଯାଇ ନାହିଁ । ତାଙ୍କର ବିଶ୍ୱାସ ଏବଂ ସ୍ନେହ ଭାଜନ ହୋଇପାରିଛି ବୋଲି ସେ ନିଜକୁ ବଡ଼ ମନେକରିଛି । ସେଥିପାଇଁ ତାଙ୍କରି ନାମଥାଇ ଛାପା ନିମନ୍ତ୍ରଣ ପତ୍ରଟି ପାଇ ଭୂଇଁରେ ଆଉ ଗୋଡ଼ ଲାଗିଲା ନାହିଁ ନିଧିର । ସେ ମନଆକାଶର ନୀଳିମା ଭେଦ କରି ଏକ ଉଜ୍ୱଳ ଦିଗକୁ ଉଡ଼ି ଚାଲିଲା ମନ ପବନ କଠଉ ଚଢ଼ି ।

 

ନିଧି ମହାରଣା ରାଜମୟୀ । ସହରରେ କାମ କରି ଯାହା ରୋଜଗାର କରେ ସେଥିରେ ସଂସାର ଚଳାଏ । ଜମି ଦୁଇମାଣ ବି ଚାଷ କରେ । ଜଜ ସାହେବ ତାଙ୍କ ଜମିକୁ ଦଉଥିଲେ ଭାଗରେ । ସେ କିନ୍ତୁ ରାଜି ହେଲାନାହିଁ । ଜମି ଚାଷ କଲେ ତାର କୌଳିକ ବୃତ୍ତି କାଳେ ବୁଡ଼ିଯିବ, ମିସ୍ତ୍ରୀ କାମ କରିବା ପାଇଁ ସମୟ ମିଳିବ ନାହିଁ; ସେଥିପାଇଁ ମନା କରିଦେଇ ଅନ୍ୟ ଭାଗଚାଷୀ ଠିକ୍‌କରି ଦେଲା । ଭାଗଧାନ ଆଦାୟ କରି ଜଜ୍‌ସାହେବଙ୍କର କୋଠିରେ ପହଞ୍ଚାଇ ଦବାର ଭାର ନିଧି ନିଜେ ନେଲା ଏହା ବାଦ କେତେବେଳେ ବିରି ବା ଘିଅ ପହଞ୍ଚାଇ ଦେଇ ସେ ତାଙ୍କ ପରିବାରର ଭଲ ମନ୍ଦରେ ଭାଗୀଦାର ହୋଇ ଯାଇଥିଲା । ସେଥି ପାଇଁ କାମ ଭିତରେ ଟିକେ ଫୁରସତ୍‌ପାଇଲେ ସେ ଜଜ୍‌ସାହେବଙ୍କୁ ମନେ ପକାଉଥିଲା ଏବଂ ନିଜର କର୍ତ୍ତବ୍ୟ କରି ସନ୍ତୋଷ ପାଉଥିଲା । ନିଧି ମାରଫତ୍‌ ବଳକା ଧାନ ବିକ୍ରୀ ହୁଏ, ଘରଡିହରୁ ବାଉଁଶ, ପଣସ ଯାହାକିଛି ମିଳେ ତହିଁର ବିକ୍ରୀ ବ୍ୟବସ୍ଥା କରି ସହରକୁ ଯାଇ ଟଙ୍କା ଦେଇ ଆସେ । ସେ ହିସାବ ଦେଲେବି ଜଜ୍‌ସାହେବ ସେ ଆଡ଼କୁ ନଚାହିଁ କହିଦିଅନ୍ତି, ତୁମ ମୋ ଭିତରେ ଫରକ ନାହିଁ ନିଧି । ତୁମେ ନଥିଲେ ଏତକ ମିଳନ୍ତା ନାହିଁ । ଏଇ ପଦେ ସ୍ନେହମିଶା କଥାରେ କିଣି ହୋଇଯାଏ ନିଧି, ବଂଧା ପଡ଼ିଯାଏ ଜଜ୍‌ସାହେବଙ୍କ ପାଖରେ । ତାଙ୍କ ସହିତ ତାର ସଂପର୍କଟା କୋଣାର୍କର ଅର୍କ ମନ୍ଦିର ପରି ଉଚ୍ଚ ଦିଶେ ।

 

ଘରଭିତରକୁ ଯାଇ ଭାର୍ଯ୍ୟାକୁ ଡାକିଲା ନିଧି ମହାରଣା । ଏତେ ବଡ଼ ଘଟଣାଟା ଏପରି ମଉନ ହୋଇ ରହିଯିବ ? ଭାର୍ଯ୍ୟାକୁ ବାରମ୍ବାର ଦେଖାଇଲା ସେହି ସୁନ୍ଦର ନିମନ୍ତ୍ରଣ ପତ୍ରଟି ପଢ଼ି ଶୁଣାଇ ଦେଲା ଦୁଇଥର ଏବଂ ତାପରେ କହିଲା, ଦେଖିଲୁ, ବଡ଼ ଲୋକ ବୋଲି ଛୋଟଲୋକନଙ୍କୁ ଭୁଲି ଯାଇ ନାହାନ୍ତି, କୁଣିଆ ମୈତ୍ରମାନଙ୍କ ସାଙ୍ଗରେ ଆମକୁ ବି ମନେ ପକେଇଛନ୍ତି । ୟାକୁ କୁହନ୍ତି ବଡ଼ ଲୋକ । ଖାଲି ଟଙ୍କା ଥିଲେ ଲୋକ ବଡ଼ ହୁଅନ୍ତି ନାହିଁ ।

 

ନିଜ ଝିଅର ବିଭା ହବାର ବୟସ ହୋଇଥିଲା ବୋଲି ନିଧି ମହାରଣା କହିଲା, ସୁଯୋଗ ହେଲେ କୁନିର ବିଭାକୁ ପାଲଟା ନିମନ୍ତ୍ରଣ କରିବି ଜଜ୍‌ସାହେବଙ୍କୁ । ଗରୀବ ଘରେ ପାଦ ପଡ଼ିଲେ ଗାଆଁ ଚମକି ପଡ଼ିବ, ଲୋକେ ଧନ୍ୟ ହୋଇଯିବେ । ସୁଦାମାକୁ ଚିହ୍ନିପାରି କୃଷ୍ଣ ପୁଣି ତା ତାଙ୍କ ଲୁଗାକାନିରେ ବାନ୍ଧିଥିବା ଖୁଦଭଜା ଖାଇ ପରମତୃପ୍ତି ପାଇଥିଲେ । ପିଲାଦିନର ସାଙ୍ଗ । ଯେତେ ବଡ଼ ହେଲେ ବି ଜଜ୍‌ସାହେବ ତା ପାଖରେ ପିଲା ଦିନର ମଣି, ଆଉ ସେ ତାଙ୍କର ସ୍ନେହଶରଧାର ନିଧି ।

 

ନିଧି ମହାରଣା ଚିନ୍ତାରେ ପଡ଼ିଗଲା । ଖାଲି ହାତରେ ତ ଆଉ ବିଭାଘରକୁ ଯାଇ ପାରିବ ନାହିଁ । ଆଖି ଦୃଶିଆ କିଛି ନବାକୁ ହବ । ଭାର୍ଯ୍ୟା ସହିତ ଅନେକ ସମୟ ପରାମର୍ଶ କଲା; କିନ୍ତୁ ସହଜରେ କିଛି ସ୍ଥିର କରିପାରିଲା ନାହିଁ । ମନ ଥିଲେ ବି ହାତରେ ଏତେ ଧନ ନାହିଁ ଯେ ସୁନାକାଚ ଦୁଇପଟ ଦେଇ ଆସିବ । ନାଲି କସ୍ତାତ ଚଳିବ ନାହିଁ । ବନାରସୀ ବା ବ୍ରହ୍ମପୁରୀ ତା ହାତରେ ଅନେକ ଦୂରରେ । ନିଧି ଗାଆଁ ମାଷ୍ଟରଙ୍କ ସାଙ୍ଗରେ ଯାଇ ସଦର ବଜାର ବୁଲି ଆସିଲା, ଅନେକ ଜିନିଷ ଦେଖିଲେ ବି କେଉଁଥିରେ ମନ ମାନିଲା ନାହିଁ । ଜିନିଷ ଗୁଡ଼ାର ଦର ଶୁଣି ତା’ କାନକୁ ସେ ବିଶ୍ୱାସ କରିପାରିଲା ନାହିଁ । ଗୋଟିଏ ଲୁଗାର ଦାମ୍ ପାଞ୍ଚଶହ ସୁନା ଭରି ଶୋଳ ଶହ….. । ଏସବୁ ଅଦା ବେପାରୀ ଜାହଜ ମୂଲ ପରି । ଫେରି ଆସିଲା ନିରାଶ ହୋଇ ।

 

ଜଜ୍‌ସାହେବଙ୍କ ଝିଅ କଥା ମନେ ପଡ଼ିଲା । ତାର କଅଁଳିଆ ମୂହଁଟି କେଡ଼େ ସୁନ୍ଦର ସତରେ । ପାଦ ଯୋଡ଼ିକ ପଦ୍ମପରି, ଯେପରି କିଏ ଅଳତା ବୋଳା ଦେଇଛି । ସେଇ ପାଦକୁ ପାହୁଲ ହେଲେ କେଡ଼େ ସୁନ୍ଦର ଦିଶନ୍ତା । ରୁଣୁ ଝୁଣୁ ଶବ୍ଦ କରି ନବବଧୂ ବେଶରେ ଚାଲିଗଲେ ଘର ପୁରି ଉଠନ୍ତା । ନିଧିର ମନକୁ ଉପାୟ ଆସିଗଲା । ରୂପାର ଭଲ ପାହୁଲ ହଳେ କିଣି ଉପହାର ଦବା ପାଇଁ ଠିକ୍‌କରି ପକାଇଲା । ପୁଣି ମାଷ୍ଟରଙ୍କ ସାଙ୍ଗରେ ବଜାରକୁ ଗଲା ନିଧି । ପାହୁଲ ସାଙ୍ଗକୁ ରୂପାର ଫରୁଆ ବି ଗୋଟେ ଆଣିଲା । ଅହ୍ୟ ସୁଲକ୍ଷଣି ହଉ ଝିଅ । ସୀମନ୍ତର ସିନ୍ଦୂର ଅକ୍ଷୟ ହଉ । ହାତର ପୁଞ୍ଜି ଶେଷ ହୋଇଗଲା ।

 

ଜଜ୍‌ସାହେବଙ୍କ ପିଆଦା ଆସି ଖରାବେଳଟାରେ ନିଧିକୁ ଚମକାଇ ଦେଲା ସେଦିନ । ଜଜ୍‌ସାହେବ ପଠାଇଥିଲେ ତାକୁ । ମାଛ କାହିଁ ମିଳୁ ନାହିଁ । ତିନି କୁଇଣ୍ଟାଲ ଭଲ ସାଇଜ୍‌ର ରୋହୀମାଛ ହେଲେ ଚଳିବ । ଗାଆଁ ପୋଖରୀରେ ମାଛ ଥାଇପାରେ ବୋଲି ବୁଝି ଆସିବା ପାଇଁ ପଠାଇଲେ ।

 

ଗାଆଁ ପୋଖରୀ କଥା ଏବେବି ମନେ ଅଛି ତାଙ୍କର ? ପିଆଦାକୁ ପ୍ରଶ୍ନ କଲା ନିଧି ମହାରଣା ।

 

ହଁ । ସେଥି ପାଇଁ ତ ପଠେଇଲେ । ସେଇ ପୋଖରୀରେ କୁଆଡ଼େ ପାଣି କେବେ ଶୁଖେ ନାହିଁ, କାଚକେନ୍ଦୁ ପରି ପାଣି । ଆଉ ବଡ଼ ବଡ଼ ମାଛ । କହିଲା ପିଆଦା ।

 

ନିଧି ମହାରଣା ଆହୁରି ଖୁସୀ ହେଲା । ଜଜ୍‌ସାହେବ ତାକୁ, ଗାଆଁ ପୋଖରୀକୁ, ଆମ୍ବତୋଟାକୁ ଏଯାଏ ମନେ ରଖିଛନ୍ତି ବୋଲି ପ୍ରଶଂସା କଲା ଅନେକ । ତାପରେ ଚାଲିଲା ଗାଆଁର ପଧାନ ଘରକୁ । ପଧାନ ଓଗେର ସମସ୍ତଙ୍କ ନାମରେ ଜଜ୍‌ସାହେବ ପଠେଇଥିବା ନିମନ୍ତ୍ରଣ ପତ୍ରଟି ତାଙ୍କ ହାତକୁ ବଢ଼େଇ ଦେଇ କହିଲା, ତାଙ୍କ ଇଜ୍ଜତ ଆମ୍ଭମାନଙ୍କର ଇଜ୍ଜତ ପଧାନେ । ତିନି କୁଇଣ୍ଟାଲ ମାଛ ଇମିତି କିଛି ବେଶୀ ନୁହେଁ । ଜାଲୁଆମାନେ ପାଣିକୁ ପଶିଲେ ଦୁଇଘଣ୍ଟାରେ ଧରିଦେବେ । ପଧାନେ ରାଜିହେଲେ । ପିଆଦା ହାତରେ ଖବର ପଠାଇ ଦେଇ ନିଶ୍ଚିତ ହେଲା ନିଧି ।

 

ଆହୁରି ଦାୟିତ୍ୱ ବଢ଼ିଗଲା ବେଶୀ ବ୍ୟସ୍ତ ହେଲା ସେ । ମନଟା ଅଥୟ ହେଲା । ସବୁବେଳେ ଦାଣ୍ଡରୁ ଘର ଏବଂ ଘରୁ ଦାଣ୍ଡକୁ ଦଉଡ଼ିଲା । ମାଛ ଏକା ସାଇଜ୍‌ର ହବା ଦରକାର । ମାଛ ରଖିବା ପାଇଁ ଭଲ ବାଉଁଶ ଝୁଡ଼ି ତିଆରି କରିଦବା ପାଇଁ ବରାଦ କରିଦେଲେ ହାଡ଼ି ସାହିରେ-। ତାର ବ୍ୟବସ୍ଥା ଦେଖି ଭାର୍ଯ୍ୟା କହିଲା, ଆଜିଠୁତ ଏପରି ହଉଚି । ନିଜ ଝିଅ ବାହା ହେଲେ ତୁମକୁ ସମ୍ଭାଳି ପାରିଲେ ହେଲା । ନିଧି ଖୁସୀ ହୋଇ କହିଲା, ନିଜ ଝିଅ ଜଜ୍‌ସାହେବଙ୍କ ଝିଅ ଭିତରେ ଫରକ ଦେଖେନି ବୋଲି ଲାଗିଚି ଇମିତି । ତାଙ୍କ ଝିଅ ମୋ ଝିଅ ପରି । ତାର ବିଭାଘର ଖୁବ୍‌ସୁନ୍ଦର ନ ହେଲେ ମୋ ପେଟ ପୁରିବ ନାହିଁ, ମନ ମାନିବ ନାହିଁ ।

 

ବିଭାତିଥି ଆସିଗଲା । ନିଧି ମହାରଣା ଶଗଡ଼ରେ ତିନି କୁଇଣ୍ଟାଲ ମାଛ ବୋଝେଇ କରି ସକାଳୁ ସକାଳୁ ବାହାରି ପଡ଼ିଲା ସହରକୁ । ବାଟ ସାତ କୋଶ । ପହଞ୍ଚିବା ବେଳକୁ ଦୁଇପ୍ରହର ହୋଇଯିବ । ବରଯାତ୍ରୀ ଆସିବେ ସନ୍ଧ୍ୟାରେ । ଖାଇବା ବେଳକୁ ମାଛ କାମ ସରିଯାଇଥିବ । ଏକା ସାଇଜ୍‌ର ମାଛ । ସହଜରେ ଏତେମାଛ ମିଳେ ନାହିଁ ଗୋଟିଏ ଜାଗାରୁ ପାଞ୍ଚ ବରଷ ହେଲା ମାଛ ମାରି ନଥିଲେ ଗାଆଁ ବାଲା । ଜଜ୍‌ସାହେବଙ୍କ ନାମ ଶୁଣି ମାନିଗଲେ । ତାଙ୍କ ଝିଅ ଗାଆଁର ଝିଅ । ତା ବିଭାଘରଟା ବୃଥା ହୋଇଯିବ ଭଲ ମାଛ ବିନା । ଏତେ ମାଛ ଧରିଲେ ବି ଆହୁରି ରହିଗଲେ । ନିଧିନିଜ ଝିଅ କୁନିର ବିଭା ବେଳକୁ କୋଡ଼ିଏ କିଲୋ ମାଛ ପାଇଁ ଆଗରୁ ବରାଦ କରିଦେଲା । ଜଜ୍‌ସାହେବଙ୍କ କୋଠି ସାମ୍ନାରେ ପହଞ୍ଚି ଅବାକ୍‌ ହୋଇଗଲା ନିଧି । ଆଖି ଝଲସି ଉଠିଲା ସାଜସଜ୍ଜା ଦେଖି । ଘର ଆଗରେ ଫାଟକ ଉପରେ ବଡ଼ ଆମ୍ବ ତୋରଣ । ଦୁଇପାଖରେ କଦଳୀ ଗଛ । ପୂର୍ଣ୍ଣକୁମ୍ଭ ଉପରେ ପଇଡ଼ । ନାଲି ନେଳି ରଙ୍ଗର କାଗଜ ମାଳରେ ଚାରିଆଡ଼ ପୂର୍ଣ୍ଣ । ଉପରୁ ଝୁଲୁଥାଏ କେଡ଼େ ସୁନ୍ଦର ସୁନ୍ଦର ବେଲୁନ୍‌ମାଳ । ଗୋଟିଏ ପାଖରେ ବେଦୀ । ବେଦୀକୁ ଲାଗି ବରଯାତ୍ରୀ ଏବଂ ଅତିଥିମାନଙ୍କର ବସିବା ପାଇଁ ସ୍ଥାନଉପରେ ପିପିଲିରୁ କିଣା ହୋଇ ଆସିଥିବା ସାମିଆନା ଟଣା ହୋଇଥାଏ । ବସିବା ପାଇଁ ଶହ ଶହ ଚୌକି । ବେଦୀର ରୂପ ଦେଖି ମୁଗ୍‌ଧ ହୋଇଗଲା ସେ । ଜଜ୍‌ସାହେବ ପାଖକୁ ଆସି କହିଲେ, ମନକୁ ପାଇଲା ? ନିଧି ଗଦ୍‌ ଗଦ୍‌ ହୋଇଗଲା । ତା ମୁହଁରୁ ଭାଷା ପଦେ ବାହାରିଲା ନାହିଁ, କେବଳ ଝରି ପଡ଼ିଲା ପ୍ରସନ୍ନତାର ଝଲକ-

 

ଜଜ୍‌ସାହେବ ତାକୁ ଘରର ପଛ ପଟକୁ ଯିବା ପାଇଁ କହିଲେ ସେଇଠି ରୋଷେଇ ଏବଂ ଭଣ୍ଡାର ଘର ।

 

ତିନି କୁଇଣ୍ଟାଲ ମାଛ ଆସି ପହଞ୍ଚି ଯିବାରୁ ସେ ବି ଆଶ୍ୱସ୍ତି ହେଲେ ମାଂସର ବି ବ୍ୟବସ୍ଥା ଅଛି । ବଳକା ହୋଇଯିବ ପଛେ ନିଅଣ୍ଟ ହବନାହିଁ ।

 

ନିଧି ଚାଲିଯାଉଥିବା ବେଳେ ଜଜ୍‌ସାହେବ ତାକୁ କହିଲେ, ସବୁ ଆଡ଼କୁ ନଜର ରଖିବ । କଅଣ କଅଣ ଜିନିଷ ଆସିଲା ହିସାବ ରଖିବ ।

 

ତା’ ଉପରେ କିଛି ଦାୟିତ୍ୱ ପଡ଼ିବାର ଦେଖି ଆହୁରି ଖୁସି ହେଲା ନିଧି । ସେ ଯେ ପାରିବାର ଲୋକ ଏୟା ବିଶ୍ୱାସ ହେଲା ମନରେ । ଏତେ ଲେଖାପଢ଼ା ଶିଖା ପାଠୁଆ ଲୋକ ଥିବାବେଳେ ତା’ ଉପରେ ଭରସା ରଖିବା କଅଣ କମ୍‌ଗୌରବର କଥା । ନିଧି ଲମ୍ବ ଲମ୍ବ ପାଦ ପକେଇ କୋଠିର ପଛପଟକୁ ଗଲା ।

 

ଜଜ୍‌ସାହେବଙ୍କ ଝିଅର ବିବାହ ଖୁବ୍‌ ଜାକଜମକରେ ହୋଇଗଲା । ହଜାରେ ଲୋକ ଭୋଜିଭାତ ଖାଇଲେ । ମାଛ, ମାଂସ, କାନିକା, ଛେଞ୍ଚେଡ଼ା, ପୋଟଳ ରସା, ଦହିବରା, ମାଛମୁଣ୍ଡ ପଡ଼ିଥିବା ମୁଗଡାଲି, ଖେଜୁର ମିଶା ଆମ୍ବ ଖଟା, ମିଠାଦହି, ପାହାଳ ରସଗୋଲା, ପୁରୀର କ୍ଷୀରା ଏବଂ ଦଶପଲ୍ଲାର ଛେନାପୋଡ଼, ଶାଗ ବାଇଗଣ ଭଜା, ଆମ୍ବିଳ । ପରିପୂର୍ଣ୍ଣ ଭୋଜନ ବ୍ୟବସ୍ଥା । ବଡ଼ ଛୋଟ ସମସ୍ତଙ୍କ ପାଇଁ ଅପର୍ଯ୍ୟାପ୍ତ ବ୍ୟବସ୍ଥା ।

 

ସମସ୍ତଙ୍କ ମୁହଁରେ ପ୍ରଶଂସା । ମାଛର ସୁଆଦ ଲାଗି ରହିଲା ତୁଣ୍ଡରେ । ଯିବାବେଳେ କେହି କେହି କହିଗଲେ ଏମିତି ମିଠାମାଛ ଅନେକ ଦିନ ହେଲା ତୁଣ୍ଡରେ ଲାଗି ନଥିଲା ।

 

ଏତେ ଲୋକ ଦେଖି ବୋକା ବନିଯାଇଥିଲା ନିଧି । ବାବୁ ଓ ବଡ଼ଲୋକ-ମାନଙ୍କର ସମାବେଶ । ପଛପଟେ ପୂଜାରୀ, ଚାକର, ବାଜାଦାର, ଝାଡ଼ୁଦାର, ପତ୍ରର ଗୋଟାଳି ଏବଂ ଅନ୍ୟମାନେ । ସେମାନଙ୍କର ଦାୟିତ୍ୱ ନିଧିର । ଖାଉଁ ଖାଉଁ କେତେବେଳେ ମାଛ ଝୋଳ ସରିଗଲା, ମାଂସ ସରିଯାଇ କେବଳ ଆଳୁ କେତୋଟି ପଡ଼ିରହିଲା, କାନିକା ଶେଷ ହୋଇ ମସିଲା, କ୍ଷୀରା ଅଭାବ ପଡ଼ିଲା ତାହା ଜାଣି ନଥିଲା ନିଧି । ହଠାତ୍‌ ପଛପଟକୁ ଆସି, ଜଜ୍‌ସାହେବ ପଚାରି ଦେଲେ, ସବୁ ଅଛିତ, ସମସ୍ତଙ୍କ ପାଇଁ ଯଥେଷ୍ଟ ହବତ ?

 

କେହି ଜବାବ ଦେଇ ପାରିଲେ ନାହିଁ । ନିଧି ସବୁ ଜାଣିଥିଲେ ବି ସତ କଥାଟା ନକହି କହିଦେଲା, ଅନ୍ନପୂର୍ଣ୍ଣାର ଭଣ୍ଡାର କେବେ ସରେ ନାହିଁ । ଆମ ପାଇଁ ଯାହା ଅଛି ଯଥେଷ୍ଟ ।

 

ରାତି ଅନେକ ହୋଇଥିଲା । ଜଜ୍‌ସାହେବଙ୍କୁ ଶୋଇବା ପାଇଁ ଯିବାକୁ କହି ନିଧି କହିଲା, ଏବେ ଆମେ ସବୁ ବସିଯିବା । ଆପଣ ଯାଇ ବିଶ୍ରାମ କରନ୍ତୁ । ଦିନଯାକ ଅନେକ ପରିଶ୍ରମ ଯାଇଛି ଦେହରେ ।

 

ଜଜ୍‌ସାହେବ ଚାଲିଗଲେ । ଯେଉଁମାନେ ଖାଇ ସାରିଥିଲେ ଯିଏ ଯେଉଁଠି ପାରିଲା ଶୋଇଗଲା । ଜିନିଷପତ୍ର ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିଲା । ସବୁକୁ ଠୂଳ କଲା ନିଧି । କାଳେ କିଏ ଯଦି ଚୋରେଇ ନିଏ । ତା’ପରେ ସମସ୍ତଙ୍କୁ ବସେଇ ହଣ୍ଡା ଡେକ୍‌ଚିରେ ଯାହା ଥିଲା ପରିବେଷଣ କଲା । ପୋଛା ପୋଛି କରି ଯାହାଥିଲା ଖାଇଲେ ସମସ୍ତେ । ନିଧି ଖାଇବାବେଳେ ସାଙ୍ଗମାନଙ୍କୁ କହିଲା, ଖାଇବାଟା ବଡ଼ କଥା ନୁହେଁ, ଖୁଆଇବାଟା ବଡ଼ କଥା ।

 

ଗାଆଁରୁ ଦଶଜଣ ଆସିଥିଲେ । ସେମାନଙ୍କୁ ଭଲ କରି ଖୁଆଇଦେଲା ନିଧି ମହାରଣା ଲାଭ ଖାଇଥିଲେ ସିନା ଜଜ୍‌ସାହେବଙ୍କ ପ୍ରଶଂସା କରିବେ । ସମସ୍ତେ ତାକୁ ବାହାବା ଦେଲେ ତା’ର କର୍ମ ତତ୍ପରତା ଦେଖି । ଜଜ୍‌ସାହେବଙ୍କ ନିଜ ଲୋକ ବି ଏତେ କରିବ ନାହିଁ ବୋଲି କହିଲେ । ନିଧି ମହାରଣା ନିଜ କଥା ପ୍ରାୟ ଭୁଲି ଗଲା ।

 

ଭାର୍ଯ୍ୟା ତାକୁ ଦିନେ କହିଲା; ତାଙ୍କ ଝିଅ ତ ଢୋଲ ଟମକ ବଜାଇ ଆଡ଼ମ୍ବରରେ ବିଭା ହୋଇଗଲା । ଆମ କୁନି କଥା କଅଣ ବୁଝିଲ ? ଆଉ କେତେ ଦିନ ଅଭିଆଡ଼ୀ ଝିଅ ବସିଥିବ ଘରେ ? ପର କାମ କଲେ ଘର ପୁରିଯାଏ ନାହିଁ । ନିଜ କାମ ବି ବୁଝ ।

 

ନିଧି ଭୁଲି ଯାଇଥିଲା । ମନେ ପକେଇ ଦବାରୁ କାମରେ ଲାଗିଗଲା ପୁଣି । ବର ଖୋଜା ଚାଲିଲା । ସମାଜର ଉପର ମହଲରେ ସିନା ବର-କନ୍ୟା ଦେଖାଦେଖି ପାଇଁ ଏତେ ଭିଡ଼ ଏବଂ ଆୟୋଜନ । ତଳ ମହଲରେ ଏସବୁର ଆବଶ୍ୟକ ନାହିଁ । ଗଣ୍ଡା ଗଣ୍ଡା ବର । ବାପ ମା, ଅନ୍ଧ, ପ୍ରଜାପତି ସମ୍ବନ୍ଧ । ଗୋଟିଏ ଝିଅ ପାଇଁ ଆଉ ଗୋଟିଏ ପୁଅର ଜନ୍ମ । ନିଧି ମହାରଣା ଭାଗ୍ୟବାନ୍‌ । ସହଜରେ ସେଇ ଗାଆଁ ରେ ପାଇଗଲା ପୁଅଟିଏ । କାଳିମାଟିରେ କାମ କରେ । ନନ୍ଦରାମ ପୁଅ । ବେଶ୍ ପାରିଲା ଭେଣ୍ଡିଆଟିଏ । ରାଜମିସ୍ତ୍ରୀକୁ ଖୁବ୍ ଯୋଗ୍ୟ ।

 

ପୁଣି ତା’ ଘରେ ଧୁମ୍‌ଧାମ ଲାଗିଯିବ ବୋଲି ବଡ଼ ବ୍ୟସ୍ତ ହୋଇ ପଡ଼ିଲା ନିଧି ମହାରଣା-। କୁନିର ବାହାଘର ଜାକଜମକରେ କରିବା ପାଇଁ ସେ ବି ନାନା ଆୟୋଜନ କରିବା ପାଇଁ ମସୁଧା କଲା । ଯେତେହେଲେ ବି ଜଜ୍‌ସାହେବଙ୍କ ଝିଅ ବିଭାଘର ପରି ସେ ତ ଆଉ କରି ପାରିବ ନାହିଁ । ଏତେ ଖର୍ଚ୍ଚ ପାଇଁ ହାତରେ ଧନ ନାହିଁ । ଗାଆଁ ରେ ବିଜୁଳିବତୀ ନାହିଁ । ଅନ୍ୟ ପାଞ୍ଚ ଜଣଙ୍କ ପରି ବାଜା ବଜାଇ, ଶଙ୍ଖ ହୁଳହୁଳି ଦେଇ ଝିଅକୁ ବିଭା କରାଇ ଦିଅନ୍ତା ଯେ, କାଳେ ଜଜ୍‌ସାହେବଙ୍କ ମନକୁ ପାଇବ ନାହିଁ, ତାହା ଭାବି ଶଂକି ଗଲା ସେ । ଜଜ୍‌ସାହେବ ତା’ ଝିଅ ବାହାଘରକୁ ଆସିବେ ବୋଲି କହିଥିଲେ । ସେହି ଅନୁପାତରେ ସେ ଟିକେ ଅଧିକ ଆୟୋଜନ କଲା, ତାଙ୍କ ମର୍ଯ୍ୟାଦାକୁ ଜଗିବା ପାଇଁ ।

 

ଜଜ୍‌ସାହେବ ତାକୁ ପ୍ରତିଶ୍ରୁତି ଦବା ଦିନୁ ସେ ଆଉ ନିଶ୍ଚିନ୍ତ ହୋଇ ବସି ପାରିଲା ନାହିଁ । ବରଯାତ୍ରୀମାନଙ୍କ କଥା ଯେତେ ନୁହଁ, ଜଜ୍‌ସାହେବଙ୍କ ପାଇଁ ତା’ର ଭାବନା ତା’ଠାରୁ ବେଶୀ ବଢ଼ିଗଲା । ସେ କୋଉଠି ବସିବେ, କୋଉଠି ଖାଇବେ ଏବଂ କୋଉଠି ଝିଅ ଜ୍ୱାଇଁଙ୍କୁ ଭେଟିବେ, ତାହା ଭାବି ବେଶ ବ୍ୟସ୍ତ ହୋଇ ପଡ଼ିଲା ନିଧି । ସମସ୍ତଙ୍କ ପରି ଭୂଇଁ ଉପରେ ପତର ଆସନ ଉପରେ ବସି ତ ଖାଇ ପାରିବେ ନାହିଁ । ପ୍ୟାଣ୍ଟ ସର୍ଟ ପିନ୍ଧା ଜଜ୍‌ସାହେବଙ୍କ ପାଇଁ ଗାଁ ସ୍କୁଲରୁ ଗୋଟେ ଟେବୁଲ ଏବଂ ଦୁଇଟି ଚୌକି ମାଗି ଆଣିଲା ନିଧି ।

 

ବିବାହ ତିଥି ଯେତିକି ପାଖ ହୋଇ ଆସିଲା, ସେତିକି ମନ ଉଚ୍ଚାଟ ହେଲା । ବରଯାତ୍ରୀ ଆସିବେ, ବାଜା ବାଜିବ, ଶଙ୍ଖ ହୁଳହୁଳି ନାଦରେ ଦାଣ୍ଡ କମ୍ପିବ । ମନ୍ତ୍ର ପଢ଼ିବେ ପୁରୋହିତେ । ବରକୁ ବାଟବରଣ କରି ଆଣି ଆସନରେ ବସେଇଦବା ପରେ ସେ ଟିକେ ନିଶ୍ୱାସ ମାରିବ । ତା’ପରେ ବିବାହ । ଜଜ୍‌ସାହେବ ଯଦି ସେତିକିବେଳେ ପହଞ୍ଚି ଯାଆନ୍ତି କଅଣ କରିବି କିଛି ଭାବି ପାରିଲା ନାହିଁ ନିଧି ।

 

ତା’ପରେ ତାଙ୍କ ପାଖକୁ ଏଯାଏ ନିମନ୍ତ୍ରଣ ପତ୍ରଟିଏ ପଠାଇ ପାରି ନାହିଁ । କୁଣିଆ ମୈତ୍ରଙ୍କୁ ସାଦା କାଗଜରେ ନାଲି ସ୍ୟାହିରେ ହାତଲେଖା ନିମନ୍ତ୍ରଣ ପଠାଇ ଦେଲା । ଜଜ୍‌ସାହେବ ପଠାଇଥିବା ନିମନ୍ତ୍ରଣ ପତ୍ରଟି ଏବେବି ସାଇତି ରଖିଥିଲା ପେଡ଼ିରେ । ସିମିତି ଗୋଟେ ଛାପିବା ପାଇଁ ସାହସ ହେଲା ନାହିଁ । ମାଷ୍ଟରଙ୍କ ସଙ୍ଗରେ ଶେଷରେ ପରାମର୍ଶ କରି ପଚାଶ ଟଙ୍କା ଖର୍ଚ୍ଚ କରି ଦୁଇ ଶହ କାର୍ଡ଼ ଛପାଇ ଆଣିଲା । ସେଥିରୁ ଆଉ ଖଣ୍ଡେ ଖଣ୍ଡେ ସମସ୍ତଙ୍କ ପାଖକୁ ପଠାଇ ଦେଲା ନିଧି । ଗାଆଁରେ ଛପା ନିମନ୍ତ୍ରଣ ଦବା ଏଇ ପ୍ରଥମ ଆରମ୍ଭ ହେଲା । ନିଧି ମହାରଣା ନାମ ରହିଗଲା ।

 

ନିମନ୍ତ୍ରଣ ପତ୍ରଟିକୁ ଖାଲି ପୋଷ୍ଟ କରିଦେଇ ସେ କିପରି ବସି ରହିବ ଘରେ ? ସେ ନିଜେ ବାହାରି ପଡ଼ିଲା ନିମନ୍ତ୍ରଣ କରିବା ପାଇଁ । ଜଜ୍‌ସାହେବଙ୍କ ଘରକୁ ଖାଲି ହାତରେ ଯାଇହୁଏ ନାହିଁ । ବାଡ଼ିରୁ ପାଚିଲା ଅମୃତଭଣ୍ଡା, ପିଜୁଳି କିଛି ନେଇ ସଦରକୁ ଗଲା ନିଧି । ସେଇ ଯେ ବାହାଘରକୁ ଯାଇଥିଲା । ଆଉ ଯାଇ ନାହିଁ । ମାଛ ପ୍ରଶଂସା ଏବେ ବି ତା କାନରେ ବାଜୁଛି । ତିନି କୁଇଣ୍ଟାଲ ମାଛ ବେଶୀ ହେଲେ ବି ଗାଆଁ ବାଲା ପଇସା ନେଲେ ନାହିଁ । ଏକା ଗାଆଁର ଲୋକ । ଗାଆଁରେ ଥିଲେ ଏଇ ମାଛରେ ତାଙ୍କର ବି ଭାଗ ରୁହନ୍ତା । ଚାଳିଶ ବର୍ଷ ହେଲା ସେମାନେ ତ ପୁଣି ସବୁ ଭୋଗ କରୁଚନ୍ତି । ନିଧି ବାରଣ କଲା ମାଛର ମୂଲ୍ୟ ନବାପାଇଁ । ସେଇ କଥାରେ ସମସ୍ତେ ରାଜିହୋଇଗଲେ । ନିଧିର ସମ୍ମାନ ରହିଗଲା । ଜଜ୍‌ସାହେବଙ୍କ କାମରେ ସେ ସାହାଯ୍ୟ କରି ପାରିଲା ବୋଲି ତା’ର ଗର୍ବ ଟିକେ ହେଲା । ସେ ନିଜେ ଯାଇ ନିମନ୍ତ୍ରଣ କରି ଆସିଲା ପରଦିନ ।

 

ବିଭାଦିନ ଆସିଗଲା । ଘର ଦୁଆର ଲିପା ପୋଛା କରି ଚିତା କାଟିଲେ ଝିଅ-ବୋହୂମାନେ । ଆମ୍ବ ତୋରଣ ଦିଆଗଲା । ଘର ଆଗରେ ସାହାନାଇ ବଜାଇ ହରି ଡୋମ । ବିଭାଘର ପବନ ଚାରି ଆଡ଼କୁ ବହିଗଲା । ଜ୍ଞାତି କୁଟୁମ୍ବ କୁଣିଆ ମୈତ୍ର ସବୁ ଠୁଳ ହେଲେ ଆସି ।

 

ବର ଓ ବରଯାତ୍ରୀ ଆସିଲେ । ଗାଆଁ ଦାଣ୍ଡର ଧୂଳି ଉଡ଼ିଲା, ବାଜାବାଜିଲା ।

 

ଛାତି ଧଡ଼୍‌ପଡ଼୍‌ ହଉଥାଏ ନିଧିର । କାଳେ ଏତିକିବେଳେ ଯଦି ଜଜ୍‌ସାହେବ ଆସି ପହଞ୍ଚି ଯିବେ ସବୁ ଭଣ୍ଡୁର ହୋଇଯିବ । ତାଙ୍କୁ ସଙ୍ଖୋଳିବା ପାଇଁ ସେ ସମୟ ପାଇବ ନାହିଁ ।

 

ବରଯଯାତ୍ରୀଙ୍କୁ ବରଣ କରି ଆଣି ଯଥା ସ୍ଥାନରେ ବସେଇ ବରର ବାଟବରଣ କଲା ନିଧି । ବାହାଘରର ପରିବେଶ ଖେଳିଗଲା ଚତୁର୍ଦ୍ଦିଗରେ । ବରକୁ ଦେଖିବା ପାଇଁ କବାଟ ଓ ଝରକା ଫାଙ୍କ ଦେଇ ଉଁକି ମାରିଲେ ଝିଅ ବୋହୂମାନେ ।

 

ମୁହୂର୍ତ୍ତ ଦେଖି ବେଦୀ କାମ ଆରମ୍ଭ ହୋଇଗଲା । ଭଲରେ ବେଦୀ କାମ ଶେଷ ହେଲା-। ମନ୍ତ୍ର ପଢ଼ି, ହାତଗଣ୍ଠି ପକେଇଦେଲେ ପୁରୋହିତେ କନ୍ୟା ସଂପ୍ରଦାନ ଶେଷ କରି କୋହ ସମ୍ଭାଳି ନପାରି ଭଣ୍ଡାର ଘରଭିତରକୁ ପଶିଯାଇ ବହେ କାନ୍ଦିଲା ନିଧି ।

 

ଏଯାଏ ଆଉ ସବୁ ସେ ଭୁଲି ଯାଇଥିଲା । ବେଦୀରୁ ବରକନ୍ୟାଙ୍କୁ ପାଛୋଟି ନବାବେଳେ ଜଜ୍‌ସାହେବଙ୍କ କଥା ମନେ ପଡ଼ିଲା ପୁଣି । ବର ଓ କନ୍ୟାଙ୍କ ମଥାରେ ମଉଡ଼, ହାତରେ ହାତଗଣ୍ଠି, ଦେହରେ ନୂଆଲୁଗା । କପାଳରେ ଚନ୍ଦନ ସୁନ୍ଦୂର । ଏଇ ଅପୂର୍ବ ବେଶ ଦେଖି ଆଶୀର୍ବାଦ କରିବା ପାଇଁ ଜଜ୍‌ସାହେବ ଟିକେ ଆଗରୁ ଆସିଥିଲେ କେଡ଼େ ସୁନ୍ଦର ଦିଶି ନଥାନ୍ତା ସତରେ !

 

ବରଯାତ୍ରୀମାନେ ବସିଗଲେ ଆସନରେ । ପତ୍ର ପଡ଼ିଗଲା । ପୁରୀ, ପଲଉ, ମାଛ ତରକାରୀ, ଘାଣ୍ଟ, ନଡ଼ିଆ ପାଚେଡ଼ି ବଢ଼ା ହେଲା । ଠିକ୍‌ ସେମାନଙ୍କର ଖାଇବାବେଳେ ଦାଣ୍ଡରୁ ଦୌଡ଼ି ଆସି କିଏ ଜଣେ ଖବର ଦେଲେ ଯେ ମୋଟର ଚଢ଼ି କିଏ ଆସିଛନ୍ତି ସବୁ । ଅଣନିଶ୍ୱାସି ହୋଇ ଦାଣ୍ଡକୁ ଦଉଡ଼ିଲା ନିଧି ।

 

ଜଜ୍‌ସାହେବ ।

ମେମସାହେବ ।

 

ଦୁହେଁ ଗାଡ଼ିରୁ ଓହ୍ଲାଇବା କ୍ଷଣି ଓଳଗି ହୋଇ କହିଲା ନିଧି, ଆଜି ଧନ୍ୟ ହେଲି, ମୋ ମନସ୍କାମନା ପୂର୍ଣ୍ଣ ହେଲା । ସେମାନଙ୍କୁ ପାଛୋଟି ଆଣି ଚୌକିରେ ବସାଇଲା । ବରକନ୍ୟାଙ୍କୁ ଆଶୀର୍ବାଦ କରିବା ପାଇଁ ସେମାନଙ୍କୁ ଭିତରକୁ ନେଇଗଲେ । ସେମାନଙ୍କୁ ଆଶୀର୍ବାଦ କରି ଝିଅ ହାତକୁ ହାତ କାଚଥିବା ବାକସଟିଏ ଏବଂ ଜ୍ୱାଇଁ ହାତକୁ ବହିଟିଏ ବଢ଼ାଇ ଦେଲେ ଜଜ୍‌ସାହେବଙ୍କ ସ୍ତ୍ରୀ । ନିଧି ଉତ୍ତେଜିତ ହୋଇ କହିଲା, ଏତେ ଜିନିଷ କାହିଁକି ଆଣିଲେ, ସେମାନେ ଆପଣଙ୍କ ପିଲାପରି, ଆଶୀର୍ବାଦ ଯଥେଷ୍ଟ ।

 

ଜଜ୍‌ସାହେବ ଏବଂ ମେମ ସାହେବଙ୍କ ପାଇଁ ଟେବୁଲ ଉପରେ ଆୟୋଜନ କରାଗଲା । କିନ୍ତୁ ନିଧି ପାଖରୁ ବିଦାୟ ନବା ପାଇଁ କହିଲେ ଜଜ୍‌ସାହେବ, ଆରେ ଥାଉ ଥାଉ । ଖାଇବା ଦିନ ପଳେଇ ଯାଉନାହିଁ ୟାଙ୍କର ଯୋଉଠି ସେଇଠି ଖାଇବା ଚଳେ ନାହିଁ । ଆଜି ଥାଉ......

 

ନିଧି ହାତ ଯୋଡ଼ି କହିଲା, କିଛି ଟିକେ ତୁଣ୍ଡରେ ନଦେଇ ଚାଲିଯିବେ ?

 

ଜଜ୍‌ସାହେବ ସ୍ତ୍ରୀଙ୍କ ମୁହଁକୁ ଚାହିଁଲେ ଏବଂ ତାପରେ କହିଲେ, ବାହାରେ ଭୋଜିଭାତ ଖାଇବାର ଅଭ୍ୟାସ ନାହିଁ । ଖାଇ ବସିଲେ ଏଣୁ ତେଣୁ ଖାଇ ହୋଇଯିବ । ଆମେ ଆସିଲୁ, ବରକନ୍ୟାକୁ ଆଶୀର୍ବାଦ କଲୁ; ଏଇ କଅଣ ହେଲା ନାହିଁ ?

 

ଆଉ ବଳାଇପାରିଲା ନାହିଁ ନିଧି । ମନଟା ଟିକେ ଦବିଗଲା । ସେମାନେ ବଡ଼ ଲୋକ । ସତକଥା ତ ! ଯୋଉଠି ସେଇଠି ଖାଇବାର ଅଭ୍ୟାସ ନଥିବ । ଭୋଜିଭାତ ଖାଇ ଯଦି କାଳେ ଦେହ ଖରାପ ହୁଏ । ନା, ନା । ଜଗନ୍ନାଥେ ତାଙ୍କୁ କୋଟି ପରମାୟୁ ଦିଅନ୍ତୁ । ତାଙ୍କ ଯଶ ବାନା ଫର ଫର ହୋଇ ଉଡ଼ୁଥାଉ । ଖାଇଲେ ନାହିଁ ବୋଲି ଦୁଃଖ କରିବ କାହିଁକି ? ସେ ତା ଦୁଆରେ ପାଦ ଧୂଳି ଦେଲେ, ଏଇ କଅଣ ଯଥେଷ୍ଟ ହେଲା ନାହିଁ !

 

ଜଜ୍‌ସାହେବ ସ୍ତ୍ରୀଙ୍କୁ ନେଇ ଗାଡ଼ିରେ ଚଢ଼ିଲେ । ନିଧି ଟିକେ ଅପେକ୍ଷା କରିବାକୁ କହି ଘର ଭିତରକୁ ପଶିଗଲା ଏବଂ ଟିକିଏ ପରେ ଗୋଟେ ଝୁଡ଼ିରେ ଫଳମୂଳ, ମିଠା ସବୁ ସଜାଇ ତାଙ୍କ ଗାଡ଼ି ପଛରେ ଯତ୍ନର ସହିତ ରଖି ଦେଇ କହିଲା, ଇଏ କିଛି ନୁହେଁ, ଖାଲି ହାତରେ ଆମ ଘରୁ ଇମିତି ବାହୁଡ଼ି ଗଲେ ଦାଣ୍ଡ ଲୋକେ କଅଣ କହିବେ ଯେ.... । ଜଜ୍‌ସାହେବଙ୍କ ପାଇଁ ଧୋତି ଯୋଡ଼ ଏବଂ ମେମ ସାହେବଙ୍କ ପାଇଁ ଗୋଟିଏ ମାଣବସା କୁମ୍ଭପକା ସମ୍ବଲପୁରୀ ଶାଢ଼ୀଥିବା କାଗଜ ବାଖ୍‌ସଟି ଗାଡ଼ି ଭିତରେ ରଖି ଦେଇ କହିଲା, ଏଇ ଆପଣଙ୍କର । ଦୟା କରି ଦେହରେ ଲଗାଇବେ ।

 

ଜଜ୍‌ସାହେବ ଆଉ କିଛି କହିଲେ ନାହିଁ । ଗାଡ଼ିଟି ଦାଣ୍ଡରେ ଧୂଳି ଉଡ଼େଇ ଚାଲିଗଲା ବେଳେ ସେଇ ଆଡ଼କୁ ସ୍ୱପ୍ରଶଂତ ଦୃଷ୍ଟିରେ ଅନାଇ ରହିଲା ନିଧି ମହାରଣା ।

•••

 

ଶତବାର୍ଷିକୀ

 

ଜେନାପୁର ଷ୍ଟେସନରେ ଗାଡ଼ି ପହଞ୍ଚିଲା ବେଳକୁ ସଂଧ୍ୟା ହୋଇ ଯାଇଥିଲା । ଛୋଟ ଷ୍ଟେସନ, ସେପରି ଜନଗହଳି ନ ଥିଲା । ଗାଡ଼ିରୁ ଓହ୍ଲାଇ କୁଲି ଖୋଜିଲେ ଗୋବିନ୍ଦବାବୁ; କିନ୍ତୁ କାହାକୁ ଖୋଜି ପାଇଲେ ନାହିଁ । ଅଭ୍ୟର୍ଥନା ସମିତି ପକ୍ଷରୁ କେହି ଆସିଥିବ ବୋଲି ପ୍ଲାଟଫର୍ମ ଏବଂ ଉଏଟିଂରୁମର ଏପାଖ ସେପାଖ ଦେଖିନେଲେ, କେହି ନଜରରେ ପଡ଼ିଲେ ନାହିଁ । ସେ ପୋଷ୍ଟକାର୍ଡ଼ ଖଣ୍ଡେ ଅଭ୍ୟର୍ଥନା ସମିତିର ସମ୍ପାଦକ ପାଖକୁ ପକେଇ ଦେଇଥିଲେ ଡାକ ବାକ୍‌ସରେ ତିନି ଦିନ ତଳେ ତାଙ୍କ ଆସିବାର ସୂଚନା ଦେଇ । ଦିନକରେ ଚିଠି ଡାକରେ ପହଞ୍ଚିବା କଥା; କିନ୍ତୁ ତିନି ଦିନ ହୋଇଗଲା, ଚିଠି କେହି ପାଇଲେ ନାହିଁ କିପରି ? କିମ୍ବା ପାଇଥିଲେ ବି ଷ୍ଟେସନକୁ ଆସିବାକୁ ଭୁଲିଯାଇଥିବେ । ତାଙ୍କୁ ସେମାନେ ମୁଖ୍ୟବକ୍ତା ଭାବରେ ନିମନ୍ତ୍ରଣ କରିଥିବା ବେଳେ ତାଙ୍କ କଥା ଭୁଲିଯିବେ ବା କିପରି ? ବିରକ୍ତ ହେଲେ । ଷ୍ଟେସନରେ କୁଲି ନ ପାଇ ଦୁଇଥର ନିଜ ବେଡ଼ିଂ ଓ ସୁଟକେଶ ପାଖରେ ଛିଡ଼ା ହୋଇ କର୍ତ୍ତବ୍ୟ ସ୍ଥିର କରି ନ ପାରି ଷ୍ଟେସନ ମାଷ୍ଟରଙ୍କ ପାଖକୁ ଆସି ଅଭିଯୋଗ ବହି ମାଗିଲେ । ଷ୍ଟେସନ ମାଷ୍ଟର ବୁଝେଇଲେ, ଆଜ୍ଞା ! ଛୋଟ ଷ୍ଟେସନ, କେହି ଲୋଡ଼ନ୍ତି ନାହିଁ ବୋଲି କୁଲି ନାହିଁ । ମଫସଲ ଅଞ୍ଚଳ, ନିଜ ନିଜର ଜିନିଷପତ୍ର ବୋହି ନେବା ପାଇଁ ଲଜ୍ଜା ହୁଏ ନାହିଁ କାହାରି । ତାପରେ ବେଶୀ ଜିନିଷପତ୍ର ଥିଲେ ଆସିବା ଯିବା ଲୋକ ନିଜର ସ୍ୱତନ୍ତ୍ର ବ୍ୟବସ୍ଥା କରିଥାଏ ।

 

ଗୋବିନ୍ଦ ଶାନ୍ତ ହେଲେ ନାହିଁ, ବରଂ ତାଙ୍କ ରାଗଟା ଟିକିଏ ବଢ଼ିଗଲା । ସଂଧ୍ୟା ହୋଇ ଆସୁଥିଲା, କାହାକୁ ନ ପାଇ ସେ ନିରୂପାୟ ବୋଧ କରୁଥିଲେ ।

 

ଅଭିଯୋଗ ପୁସ୍ତକରେ ସେ ତରତର ହୋଇ ଲେଖିଦେଲେ-ମୁଁ ଜଣେ ଯାତ୍ରୀ । ମୋର ଟିକଟ ନମ୍ବର ୫୩୨୭, କଟକରୁ ଜେନାପୁର । ସଂଧ୍ୟା ପାସେଞ୍ଜର ଗାଡ଼ିରେ ଆସି ପହଞ୍ଚି ଷ୍ଟେସନରେ ଗୋଟିଏ ହେଲେ କୁଲି ନ ପାଇ ବଡ଼ ହଇରାଣ ହେଲି । ପୁଣି କର୍ତ୍ତୃପକ୍ଷ ଏ ଦିଗରେ ଅବ୍ୟବସ୍ଥା ଓ ଉଦାସୀନତା ଦେଖି ମର୍ମାହତ ମଧ୍ୟ ହେଲି । କର୍ତ୍ତୃପକ୍ଷ ଏହାର ସୁବିଚାର କରି ଏହି ଷ୍ଟେସନରେ ଶୀଘ୍ର ବ୍ୟବସ୍ଥା କରିବା ପାଇଁ ମୁଁ ଦାବୀ କରେ ।

 

ତାପରେ ମୁହଁ ଉପରେ ଗୋଟିଏ ବଡ଼ କାମ କରିଥିବାର ଦୀପ୍ତି ନେଇ ସେ ଟିକିଏ ଉଦ୍ଧତ କଣ୍ଠରେ କହିଲେ, ‘‘ଏଇ ଷ୍ଟେସନ ଆଜିକୁ ପ୍ରାୟ ଅଶୀ ବର୍ଷ ହେଲାଣି ଏଠାରେ ରହିଛି; କିନ୍ତୁ କେହି ଦିନେ ହେଲେ କୁଲିର ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ଦାବୀ ନ କରିବା ଆଶ୍ଚର୍ଯ୍ୟର କଥା-।’’ ଷ୍ଟେସନ ମାଷ୍ଟରଙ୍କୁ ବୁଝାଇ ଦେଇ କହିଲେ, ‘‘ସମସ୍ତେ ଦାବୀ କରିପାରନ୍ତି ନାହିଁ । ଯେଉଁମାନଙ୍କର ପୁରୋଦୃଷ୍ଟି ଅଛି, ସେହିମାନେ ହିଁ ବ୍ୟତିକ୍ରମ ଏବଂ ସେମାନଙ୍କ ଚିନ୍ତାରୁ ହିଁ ସମାଜରେ ଅନେକ ସମସ୍ୟାର ସମାଧାନ ହୋଇପାରେ ।’’

 

ଷ୍ଟେସନ ମାଷ୍ଟର ଗୋବିନ୍ଦ ବାବୁଙ୍କୁ ଭଲ ଭାବରେ ନିରେଖି ନିରେଖି ଦେଖିଲେ । ଷ୍ଟେସନକୁ ଅନେକ ପ୍ରକାର ଯାତ୍ରୀ ଆସନ୍ତି, ଅନେକ ପ୍ରକାର ଲୋକଙ୍କ ସହ ସମ୍ପର୍କ ଓ ସଂଯୋଗ ମଧ୍ୟ ସ୍ଥାପିତ ହୁଏ; କିନ୍ତୁ ନିଜର ଅସୁବିଧା କଥା ଚିନ୍ତା କଲାବେଳେ ଅନ୍ୟମାନଙ୍କର ଅସୁବିଧା କଥା ଚିନ୍ତା କରୁଥିବା ବ୍ୟକ୍ତି ସେ ପ୍ରଥମ ଦେଖିଲେ ।

 

କୋଡ଼ିଏ ବର୍ଷର ଚାକିରୀ ଭିତରୁ ଏହି ଷ୍ଟେସନରେ ପାଞ୍ଚ ବରଷ ହୋଇଗଲା । ଏହି ସ୍ଥାନର ନାଡ଼ି ନକ୍ଷତ୍ର ଜାଣିବା ପାଇଁ ତାକୁ କଷ୍ଟ ହୁଏନାହିଁ । ଗାଆଁଟା ମାଇଲିଏ ଦୂରରେ । ଆଜି କଅଣ ଗୋଟେ ଶତବାର୍ଷିକ ଉତ୍ସବ ହେଉଥିବାର ସେ ଶୁଣିଥିଲେ । ଜଣେ କିଏ ତାଙ୍କ ଠାରୁ ସାତ ଦିନ ତଳେ ଦଶଟଙ୍କା ଚାନ୍ଦା ବି ନେଇ ଯାଇଥିଲେ । ସବୁ କଥା ଜାଣିବା ପାଇଁ ତାଙ୍କର ସମୟ ହୁଏ ନାହିଁ । ସୁବିଧା ବି ନାହିଁ । ପିଲାମାନେ ନାଚଗୀତର ଭଲ ପ୍ରୋଗ୍ରାମ କରୁଥିବାର କହୁଥିଲେ । ମଧ୍ୟାହ୍ନ ଗାଡ଼ିରେ କଟକରୁ ସିନେମା ଆର୍ଟିଷ୍ଟମାନେ ଆସିଥିବାର ସେ ନିଜେ ଜାଣନ୍ତି । ବକ୍ତୃତା ବେଳକୁ ନ ହେଲେ ବି ନାଚଗୀତ ଆରମ୍ଭ ହେବାବେଳକୁ ସେ ଯାଇପାରିବେ ବୋଲି ସହକାରୀଙ୍କୁ କହି ଦେଇଛନ୍ତି ।

 

ଗୋବିନ୍ଦବାବୁଙ୍କର ରାଗ ପୁରାପୁରି ଉଭେଇ ଗଲାପରେ ସେ ଷ୍ଟେସନ ମାଷ୍ଟର ବାବୁଙ୍କ ସହିତ ଷ୍ଟେସନର ବେଞ୍ଚରେ ବସି ବେଶ୍ ଖୁସିଗପ ଜମେଇ ଦେଲେ ଏବଂ ଗାଆଁକୁ ଉଦ୍ୟୋକ୍ତାମାନଙ୍କୁ ଟିକିଏ ଖବର ପଠାଇ ଦେବା ପାଇଁ ମଧ୍ୟ ଅନୁରୋଧ ଜଣାଇଦେଲେ ।

 

ତାଙ୍କୁ କପେ ଚା ବି ପିଆଇ ଦେଲେ ଷ୍ଟେସନ ମାଷ୍ଟର ସଦାନନ୍ଦବାବୁ । ତା’ପରେ କହିଲେ, ‘‘କାହାର ଶତବାର୍ଷିକୀ ସଭାରେ ଆପଣ ମୁଖ୍ୟବକ୍ତା ଭାବରେ ନିମନ୍ତ୍ରିତ ହୋଇଛନ୍ତି ?’’

 

ଗୋବିନ୍ଦବାବୁ ତାଙ୍କର ସାଧାରଣ ଜ୍ଞାନର ଅଭାବ ଦେଖିପାରି ମନେ ମନେ ଟିକିଏ ହସି କହିଲେ, ‘‘ଶହେ ବର୍ଷ ପୂର୍ଣ୍ଣ ହୋଇଗଲେ ଯେଉଁ ଉତ୍ସବ ପାଳିତ ହୁଏ, ତାହାକୁ ଶତବାର୍ଷିକୀ ଉତ୍ସବ କହନ୍ତି । ଯାହା ତାହା ଭାଗ୍ୟରେ ଏ ସୁଯୋଗ ଆସେ ନାହିଁ, ଯେଉଁ ପୂଣ୍ୟାତ୍ମାଙ୍କ ଶତବାର୍ଷିକୀ ଆଜି ଏଇ ଗ୍ରାମରେ ପାଳନ କରାଯାଉଛି, ସେ ଯିଏ ସିଏ ବ୍ୟକ୍ତି ନୁହନ୍ତି ।’’

 

ଆହୁରି କଅଣ କହିଥାଆନ୍ତେ । ଗୋବିନ୍ଦବାବୁ ଥରେ ମୁହଁ ଖୋଲିଲେ ଆଉ ସହଜରେ ବନ୍ଦ ହୁଏ ନାହିଁ । ମୁହଁ ଉପରର ଅଭିବ୍ୟକ୍ତ ଭାବଟିକୁ ନଷ୍ଟ କରି ଅପରିଚିତ ବେଲବଟମ୍‌ଓ ଗୁରୁ ପଞ୍ଜାବୀ ପିନ୍ଧା, ମଥା ଉପରେ ଲମ୍ବବାଳ ରଖା ଦୁଇଜଣ ଯୁବକ ହଠାତ୍‌ ଆବିର୍ଭୁତ ହେଲେ ସମ୍ମୁଖରେ । କଥା କହିଲା ବେଳେ ଶ୍ରୋତାଙ୍କ ସଂଖ୍ୟା ବୃଦ୍ଧି ପାଇଲେ ବେଶ ଉତ୍ସାହିତ ହୁଅନ୍ତି ଗୋବିନ୍ଦବାବୁ । କିନ୍ତୁ ବର୍ତ୍ତମାନ ଆଉ ଉତ୍ସାହିତ ନ ହୋଇ ସେ ବରଂ ଟିକେ ଦବିଗଲେ । ଏହି ଧରଣର ଯୁବକମାନଙ୍କୁ ସେ ଟିକେ ଭୟ ମଧ୍ୟ କରୁଥିଲେ ।

 

ସେ ଦୁହିଁଙ୍କ ଭିତରୁ ଜଣେ ପଚାରିଲା, ‘‘ମାଷ୍ଟର ବାବୁ, କଟକରୁ ସିନେମା ଷ୍ଟାରମାନେ ଆସିଗଲେଣି ?’’

 

‘‘ହଁ, ଦୁଇ ପ୍ରହରର ଗାଡ଼ିରେ ତ ଆସିଲେ ।’’ ଷ୍ଟେସନ ମାଷ୍ଟର ଉତ୍ତର ଦେଲେ ।

 

ସୁସୁରି ମାରି ଦୁହେଁ ଏକ ବିରାଟ ସଫଳତାର ସୂଚନା ଦେଲେ ଏବଂ ଆଉ କାଳ ବିଳମ୍ବ ନ କରି ଜେନାପୁର ଗାଆଁ ଆଡ଼କୁ ଅଗ୍ରସର ହେଲେ । ଷ୍ଟେସନ ମାଷ୍ଟର ପଛରୁ ଡାକି ଦେଇ ଅନୁରୋଧ କଲେ, ‘‘ଆଜି ସଭାର ମୁଖ୍ୟବକ୍ତା ଓହ୍ଲେଇଲେ ସଂଧ୍ୟା ଗାଡ଼ିରେ; କିନ୍ତୁ ଏ ଯାଏ ଗାଆଁରୁ କେହି ଆସିଲେ ନାହିଁ ତାଙ୍କୁ ନେବା ପାଇଁ ଆପଣମାନଙ୍କ ସହିତ ପଠେଇ ଦେଇଥାଆନ୍ତି ଯେ, ହେଲେ ଜିନିଷପତ୍ର ନବାରେ ସାହାଯ୍ୟ କରିବ କିଏ ?’’

 

ଜଣେ କହିଲା, ‘‘ଆଧୁନିକ ଯୁଗରେ ଲୋକମାନେ ଜିନିଷପତ୍ର ନେଇ ଭ୍ରମଣ କରନ୍ତି ନାହିଁ । ତାଙ୍କୁ ଏଇ ରାସ୍ତାଟା ଦେଖାଇଦିଅନ୍ତୁ । ସେ ନିଜେ ଚାଲିଆସିପାରିବେ ।’’

 

ସେମାନଙ୍କ ସହିତ ଅଧିକ କଥାବାର୍ତ୍ତା କରିବା ପାଇଁ ଇଚ୍ଛା ନ କରି ସଦାନନ୍ଦ ବାବୁ କହିଲେ, ‘‘ଦୟାକରି ସମ୍ପାଦକଙ୍କୁ କହିଦେବେ ଆସିବା ପାଇଁ; ଶୀଘ୍ର ଆସିଲେ ଭଲ ହେବ ।’’

 

ଦୁଇବନ୍ଧୁ ସୁସୁରି ମାରି ମାରି ଅନାଇଲେ ।

 

ସଦାନନ୍ଦ ବାବୁ ଫେରି ଆସି ଗୋଟେ ମାଲଗାଡ଼ି ପାଇଁ ଲାଇନ କ୍ଳିଅର ଦେଇ ପୁଣି ଆସି ବସିଲେ ବେଞ୍ଚରେ । ଗୋବିନ୍ଦ ବାବୁ ମନେ କଲେ ଯେ, ସେ ଅଭିଯୋଗ ପୁସ୍ତକରେ ନିଜର ମନ୍ତବ୍ୟ ଲେଖିଥିବାରୁ ଷ୍ଟେସନ ମାଷ୍ଟର ଟିକେ ଭୟଭୀତ ହୋଇଛନ୍ତି । ତାଙ୍କୁ ଭଲ ଲାଗିଲା । ଏହା ଅନୁଭବ କରି ଯେ ଷ୍ଟେସନ ମାଷ୍ଟର ସନ୍ତ୍ରସ୍ତ ହୋଇ ତାଙ୍କୁ ଖୁସି କରିବା ପାଇଁ ଆପ୍ୟାୟିତ କରୁଛନ୍ତି-

 

ସଦାନନ୍ଦ ବାବୁଙ୍କୁ ଲକ୍ଷ୍ୟ କରି ପ୍ରଗ୍‌ଳଭ ଭାବରେ ସେ କହିଲେ, ‘‘ଆପଣ ଶତବାର୍ଷିକୀ କଥା ପଚାରୁଥିଲେ ନା !’’

 

ସଦାନନ୍ଦ ବାବୁ କହିଲେ, ‘‘ହଁ ହଁ । କିନ୍ତୁ କାହାର ଶତବାର୍ଷିକୀ ହେଉଛି କିଛି କହିଲେ ନାହିଁ ଯେ !’’

 

ଉତ୍ସାହିତ ହୋଇ କହିଲେ ଗୋବିନ୍ଦ ବାବୁ, ‘‘ଉତ୍କଳମଣି ନାମ ଆପଣ ଶୁଣିଥିବେ । ଧର୍ମାତ୍ମା ତେଜସ୍ୱୀ ପୁରୁଷ.... ।’’

 

ସଦାନନ୍ଦ ବାବୁ କହିଲେ, ‘‘କ୍ଷମା କରିବେ । ମୁଁ ଉପାନ୍ତ ଅଞ୍ଚଳର ଲୋକ । ସିଂହଭୂମି ଜିଲାରେ ଘର । ଏହି ଅଞ୍ଚଳରେ ଚାକିରୀ କରି ରହିଗଲିଣି କୋଡ଼ିଏ ବର୍ଷ ହେଲା । ଗୋଟିଏ ଜାଗାରେ ରେଳବାଇ ରଖୁନାହିଁ, ସେଥିପାଇଁ ସମସ୍ତଙ୍କୁ ଜାଣିବାର ସୁବିଧା ହଉନାହିଁ ।’’

 

ତାଙ୍କ ସ୍ୱଳ୍ପ ବୁଦ୍ଧିକୁ ମନେ ମନେ ନିନ୍ଦା କରି ଗୋବିନ୍ଦ ବାବୁ କହିଲେ, ‘‘ଦାସେ ଆପଣେ ପରମ ଧାର୍ମିକ ଥିଲେ । ଏ ଜାତି ପାଇଁ ତାଙ୍କ ପ୍ରାଣ ସର୍ବଦା କାନ୍ଦୁଥିଲା । ଏ ଦେଶର ଲୋକମାନଙ୍କୁ ନିଜ ଗୋଡ଼ ଉପରେ ଛିଡ଼ା କରାଇବା ପାଇଁ ସେ ଅନେକ ସଂଗ୍ରାମ କରିଥିଲେ । ସ୍ୱାବଲମ୍ବୀ ନ ହେଲେ କୌଣସି ଜାତି ବଡ଼ ହୋଇ ନ ପାରେ ।’’

 

ସଦାନନ୍ଦବାବୁ କହିଲେ–ନିଜ ଉପରେ ନିଜେ ନିର୍ଭର କରିବା ଏକ ବଡ଼ ଗୁଣ ।

 

ଗୋବିନ୍ଦବାବୁ କହିଲେ–ଅଥଚ ପରିତାପର ବିଷୟ, ଆଜିକାଲିର ଯୁବକମାନେ କୌଣସି ଶ୍ରମପ୍ରତି ବିମୁଖ । ଏଇ ପିଲା ଦୁଇଟିକୁ ଦେଖିଲେ ତ । ଜଣେ ମୋର ସୁଟକେଶ ଓ ଅନ୍ୟ ଜଣେ ବେଡ଼ିଂ ନେଇ ମୋତେ ନିଶ୍ଚୟ ସାହାଯ୍ୟ କରିପାରି ଥାଆନ୍ତେ, ବିଶେଷ କରି ଯେତେବେଳେ ଦୁହେଁ ସେଇ ଗାଆଁକୁ ଯାଉଛନ୍ତି ।

 

ସଦାନନ୍ଦ ବାବୁ ତାଙ୍କ ମୁହଁକୁ ଚାହିଁ କହିଲେ, ‘‘ମୁଁ ଖବର ଦେଇଛି, ବରଂ ଆଉ ଗୋଟେ କାମ କରାଯାଇପାରେ । ମୋ ପୁଅକୁ ଡାକି ଦଉଛି, ସେ ଆପଣଙ୍କୁ ନେଇଯିବ ।’’

 

ଗୋବିନ୍ଦବାବୁ ଅସନ୍ତୁଷ୍ଟ ହେଲେ ଯେପରି । ମୁଖ୍ୟବକ୍ତା ହୋଇ ଏତେ ଦୂରରୁ ସେ ଆସିଛନ୍ତି । ନିଜ ବେଡ଼ିଂ ସୁଟ୍‌କେଶ ଧରି ଜଣେ ପିଲା ସହିତ ଯିବାର ପ୍ରସ୍ତାବଟା ମୋଟେ ସେ ପସନ୍ଦ କଲେ ନାହିଁ । ସେ କହିଲେ ‘‘ନା, ନା । ଅପେକ୍ଷା କରି ଦେଖାଯାଉ, ସେମାନେ ହୁଏତ ଆସି ଏହିକ୍ଷଣି ପହଞ୍ଚି ଯିବେ । ଚିଠି ତିନି ଦିନ ଆଗରୁ ଦେଇଥିଲି, ପାଇଥିବେ ନିଶ୍ଚୟ ।’’

 

ସଦାନନ୍ଦବାବୁ ‘‘କହିଲେ, ହୁଏତ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଭୁଲି ଯାଇଥିବେ ବା ଆସୁ ଆସୁ ବିଳମ୍ବ ହୋଇ ଯାଇଥିବ ।’’

 

ଗୋବିନ୍ଦବାବୁ କଥାର ମଙ୍ଗ ମୋଡ଼ି କହିଲେ, ‘‘ମୁଖ୍ୟବକ୍ତା ଯିଏ ସିଏ ହୁଅନ୍ତି ନାହିଁ । ଶାସନର ମୁଖ୍ୟ ମନ୍ତ୍ରୀଙ୍କ ପରି ସଭାରେ ମୁଖ୍ୟ ବକ୍ତାଙ୍କର ଏକ ସ୍ୱତନ୍ତ୍ର ଆସନ ଅଛି । ଏହି ସରଳ ସତ୍ୟଟିକୁ ଆମ ଦେଶର ଲୋକେ ଗ୍ରହଣ କରିବାରେ ତୃଟି କରନ୍ତି ବୋଲି ଅନେକ ବିଭ୍ରାଟ ଦେଖାଦିଏ । ଅଥଚ ଆଜୀବନ ସତ୍ୟର ସେବାକରିଗଲେ ଉତ୍କଳମଣି ।’’

 

ସଦାନନ୍ଦବାବୁ ବି ଗ୍ରାମବାସୀଙ୍କର ଅବହେଳା ଯୋଗୁଁ କ୍ଷୁର୍ଣ୍ଣ ହେଲେ । ଏତେ ବଡ଼ ଜଣେ ଗୁଣୀ ଓ ମାନୀ ବ୍ୟକ୍ତିଙ୍କୁ ଏତେ ସମୟ ଧରି ବେଞ୍ଚ ଉପରେ ବସାଇ ରଖାଯାଇ ନ ପାରେ । ସମ୍ପାଦକଙ୍କୁ ଭଲ ଲୋକ ବୋଲି ଜାଣିଥିଲେ । କିନ୍ତୁ ତାଙ୍କ ଉପରେ ବିରକ୍ତ ହେଲେ ସଦାନନ୍ଦବାବୁ ।

 

ଗୋବିନ୍ଦବାବୁ କହିଲେ–ଦାସେ ଆପଣଙ୍କ ଆଦର୍ଶ ରକ୍ଷା କରି ମାଇଲିଏ ବାଟ ମୁଁ ଚାଲିଯାଇ ପାରିଥାଆନ୍ତି ଯେ, କିନ୍ତୁ ଲୋକମାନେ ଭାବିବେ କଅଣ ? ସେମାନେ ହୁଏତ ସମ୍ବର୍ଦ୍ଧନା ପାଇଁ କିଛି ବ୍ୟବସ୍ଥା ରଖିଥିବେ । ଏକା ଏକା ଚାଲିଗଲେ ସେ ଆୟୋଜନ ସବୁ ପଣ୍ଡ ହୋଇଯିବ ।

 

ସଦାନନ୍ଦବାବୁ କହିଲେ–ଏ କଥା ସତ, ହୁଏତ ସଂକୀର୍ତ୍ତନ କରି ଆପଣଙ୍କୁ ପାଛୋଟି ନବା ପାଇଁ ସେମାନେ ଆସିବେ । ବି.ଡି.ଓ ବାବୁ ଆସିଥିଲେ ତାଙ୍କ ଜିପଟା ବି ଆସିପାରେ । ଆପଣ ଅପେକ୍ଷା କରିବା ଭଲ ହେବ । ବରଂ ଗଳ୍ପ ଚାଲୁ । ଆପଣଙ୍କ ପରି ମହାନ୍‌ ଲୋକ ତ ଏ ଷ୍ଟେସନକୁ ସବୁବେଳେ ଆସନ୍ତି ନାହିଁ ।

 

ଷ୍ଟେସନ ମାଷ୍ଟରଙ୍କ ବିନୟ ଦେଖି ଗୋବିନ୍ଦ ବାବୁ ଖୁସି ହୋଇ କହିଲେ–ଏଇ ଅଞ୍ଚଳ ଦାସେ ଆପଣଙ୍କ ନିକଟରେ ଚିରଋଣୀ ହୋଇ ରହିବ । ବନ୍ୟା ହେଲେ ନିଜ ଜୀବନକୁ ବିପନ୍ନ କରି ସେ ସପ୍ତାହ ସପ୍ତାହ କାଳ ଏହି ଅଞ୍ଚଳର ଲୋକମାନଙ୍କର ସେବା କରିଥିଲେ । ଖାଲି ପାଦରେ ପାଣି ଓ କାଦୁଅରେ ଦ୍ୱାର ଦ୍ୱାର ବୁଲି ଚାଉଳ ଓ ଚୁଡ଼ା ବାଣ୍ଟୁଥିଲେ ।

 

ଗୋବିନ୍ଦବାବୁ କହିଲାବେଳେ ଉତ୍ତେଜିତ ହୋଇ ଉଠୁଥିଲେ । ସେ ମନେ ମନେ ଭାବୁଥିଲେ ଯେ, ସଭାରେ ଉତ୍କଳମଣିଙ୍କର ସବୁ କୃତିତ୍ୱ ଉପରେ କହିବେ । ଖୁବ୍‌ କମ୍‌ରେ ତାଙ୍କ ପାଇଁ ଦୁଇ ଘଣ୍ଟା ଦରକାର । ଧର୍ମବୀର, କର୍ମବୀର ଓ ତ୍ୟାଗବୀର ଜଣେ ମହାତ୍ମାଙ୍କ ଉପରେ ଏହାଠାରୁ କମ୍‌ ସମୟ ଭିତରେ କହିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ ।

 

ଗୋବିନ୍ଦବାବୁ ଗୋପବନ୍ଧୁଙ୍କ ସହୃଦୟ ସହକର୍ମୀ ନଥିଲେ । ସେ ଅନେକ ବିଷୟରେ ବକ୍ତୃତା ଦେଲାଭଳି ଏହି ବିଷୟଟିରେ ବକ୍ତୃତା ଦେବାକୁ ମଧ୍ୟ ନିମନ୍ତ୍ରଣ ଗ୍ରହଣ କରୁଥିଲେ । ଦେଶରେ ବକ୍ତା ସଂଖ୍ୟା ବେଶୀ ନୁହେଁ । ପୁଣି ମୁଖ୍ୟବକ୍ତା ହେବା ପାଇଁ କେତେ ଜଣଙ୍କର ବା ଯୋଗ୍ୟତା ଅଛି । ସେଥିପାଇଁ ଭଞ୍ଜ ସାହିତ୍ୟ, ଶଙ୍କର ଜୟନ୍ତୀ, ତୁଳସୀ ଦାସ ସମାରୋହ, ମଣିଷର ଆରଣ୍ୟକ ଚିନ୍ତା ଓ ଆଧ୍ୟାତ୍ମିକ ଚେତନା, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରାଚୀନତା, ଓଡ଼ିଆ ପ୍ରାଚୀନ ସାହିତ୍ୟର ସାମ୍ୟବାଦୀ ଓ ସାମନ୍ତବାଦୀ ଚିନ୍ତାଧାରା, ଶୃଙ୍ଗାରରସ ଓ ସମ୍ଭୋଗରେ ହିଁ ସଭ୍ୟତାର ବିକାଶ, ଭାଗବତରେ ଭାଗଚାଷର ଭୂମିକା ପ୍ରଭୃତି ବିଭିନ୍ନ ବିଷୟରେ ହେଉଥିବା ବିଭିନ୍ନ ସଭା ଓ ସମାବେଶରେ ଭାଷଣ ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ତାଙ୍କୁ ଡାକରା ପଡ଼ୁଥିଲା । ଗୋବିନ୍ଦବାବୁଙ୍କୁ ବେଳ ନ ଥିଲା ସବୁ ବିଷୟକୁ ତନ୍ନ ତନ୍ନ କରି ଗବେଷଣା କରିବା ପାଇଁ; କିନ୍ତୁ ତାଙ୍କର ପ୍ରଖର ବୁଦ୍ଧି ବଳରେ ସେ ପ୍ରତ୍ୟେକ ବିଷୟବସ୍ତୁକୁ ଆଧୁନିକ ସାମାଜିକ ଜୀବନ ସହିତ ଜଡ଼ିତ କରି ଅନେକ କଥା କହି ରସିକ ଲୋକମାନଙ୍କର ମନୋରଞ୍ଜନ କରିପାରୁଥିଲେ ।

 

ସଦାନନ୍ଦବାବୁ ଦାସେ ଆପଣଙ୍କ କଥା ଶୁଣି କୃତ୍ୟକୃତ୍ୟ ହୋଇଗଲେ । ତା ପରେ ଟେଲିଫୋନ୍‌ଟା ଧରିବା ପାଇଁ ଉଠି ଗଲାବେଳେ କହିଲେ, ‘‘ଦୁଃଖ ରହିଗଲା ଯେ ବଞ୍ଚି ରହିଲେ ନାହିଁ । ତାଙ୍କ ପରି ଆଦର୍ଶ ପୁରୁଷଙ୍କର ଆବଶ୍ୟକତା ଅନେକ ।’’

 

ଗୋବିନ୍ଦ ବାବୁଙ୍କର ମଉଳି ଆସୁଥିବା ଉତ୍ସାହକୁ ତେଜିଦେଲା ପରି ସେ କହିଲେ, ‘‘ବୁଝିଲେ ଷ୍ଟେସନ ମାଷ୍ଟର ବାବୁ, ମହାପୁରୁଷମାନେ ସବୁବେଳେ ଆସନ୍ତି ନାହିଁ । ବେଳକାଳ ଉଣ୍ଡି ଆସନ୍ତି ପୃଥିବୀକୁ ବିଭିନ୍ନ ଦୁଃଖ କଷ୍ଟରୁ ପରିତ୍ରାଣ କରିବା ପାଇଁ । ତାଙ୍କର ଲୋକପ୍ରିୟତା ଅସୀମ । ଆଜି ବଞ୍ଚିଥିଲେ ଭୋଟ ଲଢ଼େଇରେ ତାଙ୍କୁ ହରାନ୍ତା କିଏ ?’’

 

ଗୋପବନ୍ଧୁଙ୍କର ରାଜନୈତିକ ଜୀବନ ସମ୍ପର୍କରେ କିଛି କହିବାକୁ ଚାହୁଁଥିଲେ ଗୋବିନ୍ଦବାବୁ । ଆଜିକାଲି ରାଜନୀତିକୁ ଛାଡ଼ି କିଛି କଥା କୁହାଯାଇପାରେ ବୋଲି ତାଙ୍କର ହୃଦ୍‌ବୋଧ ହୁଏ ନାହିଁ । ଜୀବନ ଓ ରାଜନୀତି ଅଭିନ୍ନ । ରାଜନୀତି ବ୍ୟତୀତ ଜନକଲ୍ୟାଣ କାର୍ଯ୍ୟ ହୋଇପାରେ ନାହିଁ ।

 

ବ୍ୟକ୍ତିଗତ ଭାବରେ ଗୋପବନ୍ଧୁ ଟିକେ ବୋକା ଥିଲେ ବୋଲି ମନେକରନ୍ତି ଗୋବିନ୍ଦବାବୁ । ଚାଲାକ ଥିଲେ ସେ ନିଜେ ଗୋଟେ ବଡ଼ ଉପାଧି ପାଇପାରିଥାଆନ୍ତେ ବା ନିଜ କାମରେ ଗୋଟେ ସ୍ମୃତିସ୍ତମ୍ଭ ସ୍ୱର୍ଗଦ୍ୱାରରେ ତୋଳାଇ ପାରିଥାଆନ୍ତେ । କିନ୍ତୁ କିଛି କରିଗଲେ ନାହିଁ । ନିଜ କାମକୁ ନିଜେ ସ୍ଥାୟୀ କରିବା ପାଇଁ ଚେଷ୍ଟା ନ କରିବା ବୋକାମୀ ବୋଲି ସେ ମନେ କରନ୍ତି । ଏଥିପାଇଁ ପଇସା ପଡ଼େ ନାହିଁ । ଅନ୍ୟର ପଇସାରେ ଏ କାମ ହୋଇଯାଏ । ଏତେ କଥା ଷ୍ଟେସନ ମାଷ୍ଟର ପରି ଜଣେ ଅଳ୍ପ ବୁଦ୍ଧିମାନ ଲୋକଙ୍କୁ ନ କହି ସେ ଏତକ କହିଲେ, ‘‘ତାଙ୍କ ପ୍ରତିମୂର୍ତ୍ତି ଆଜି ଅନେକ ଜାଗାରେ ରଖାଯାଇଛି; କିନ୍ତୁ ଗୋପବନ୍ଧୁଙ୍କର ଏଇଠାରେ ଭୁଲ ଯେ, ସେ ନିଜେ ନିଜର ନିର୍ଭୁଲ ପୂର୍ଣ୍ଣାବୟବ ପ୍ରତିକୃତି ଗଢ଼ାଇ ଗଲେ ନାହିଁ । ଭାବୀ ବଂଶଧରମାନେ ତାଙ୍କୁ ଏଥିପାଇଁ କ୍ଷମା ଦେବେ ନାହିଁ । ସେ ଏହିଭଳି ଏକ ମୂର୍ତ୍ତି ତୋଳାଇ ଯାଇଥିଲେ ତାଙ୍କ ପରେ ବି ଲୋକେ ତାଙ୍କୁ ସଶରୀରେ ନ ହେଲେ ମଧ୍ୟ ସ୍ମୃତିସ୍ତମ୍ଭରେ ଦେଖିବାକୁ ପାଇଥାଆନ୍ତେ । ମାର୍ବଲ ପଥରରେ ଲେଖାଥିବା ନାମଫଳକ ଏବଂ ଜନ୍ମ ଓ ମୃତ୍ୟୁ ତାରିଖ ଯୋଡ଼ିକୁ ଟିପି ନେଇ ଯୁବକମାନେ ତାଙ୍କୁ ସ୍ମରଣ କରନ୍ତେ ବା ସାଧାରଣ ଜ୍ଞାନ ପରୀକ୍ଷାରେ ବସିବା ପାଇଁ ସଂକୋଚ ବୋଧ କରନ୍ତେ ନାହିଁ ।’’

 

ସଦାନନ୍ଦବାବୁ ମନ ଦେଇ ସବୁ ଶୁଣୁଥିଲେ । ଏଭଳି ଜଣେ ତ୍ୟାଗୀ ଓ ତପସ୍ୱୀଙ୍କ ପାଇଁ ତାଙ୍କ ମନରେ ମଧ୍ୟ ଭକ୍ତି ଜାତ ହେଲା ।

 

କୋଡ଼ିଏ ବର୍ଷ ହେଲା ବିଦେଶରେ ରହିଲେଣି । ଗାଆଁର ଜମିବାଡ଼ି ଥିଲେ ବି ଏହି ଅଞ୍ଚଳରେ ଘର କରି ରହିଯିବା ପାଇଁ ଇଚ୍ଛା । ସଦାନନ୍ଦବାବୁ ଟିକେ ସଙ୍କୋଚ କରି ପରେ ପଚାରିଲେ, ‘‘ଆମେ ଅନେକ ଓଡ଼ିଆ ଲୋକ ରହି ଯାଇଛୁ ଅନ୍ୟ ପ୍ରଦେଶରେ । ଆମ ପାଇଁ ସେ ଯଦି କିଛି କରିଥାଆନ୍ତେ.... ।’’

 

ଗୋବିନ୍ଦବାବୁ ହାତ ଉପରେ ହାତ ପିଟି କହିଲେ, ‘‘ସେଥିପାଇଁ ତାଙ୍କର ଆଗ୍ରହ ଥିଲା । ସେ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଓ ବନ୍ୟଗ୍ରସ୍ତ ଲୋକମାନଙ୍କୁ ସାହାଯ୍ୟ ଦେବା ପାଇଁ ଚାନ୍ଦା ଅସୁଲ କରିବାକୁ ଯାଉଥିଲେ । ଦରଦୀ ହୃଦୟ । ସମୟ ହେଲା ନାହିଁ । ନୋହିଲେ ସେ ଅନେକ ସ୍କୁଲ ଓ କଲେଜ ବସେଇ ଥାଆନ୍ତେ । ନିଜେ ସାହିତ୍ୟିକ ଓ କବି ଥିଲେ । ସମୟ ପାଇଥିଲେ କେତେ ଗୀତ ଲେଖିଥାଆନ୍ତେ ।’’

 

ସଦାନନ୍ଦବାବୁଙ୍କ ମନକୁ କଥାଟା ପାଇଲା । ସେ କହିଲେ-ଏତେ ଚାନ୍ଦା କରି ବି ନିଜ ପାଇଁ କିଛି କରିଗଲେ ନାହିଁ ।

 

ଗୋବିନ୍ଦବାବୁ ଉତ୍ସାହିତ ହୋଇ କହିଲେ, ‘‘ହୁଏତ କରି ନ ଥିବେ; କିନ୍ତୁ ଶହେ ବର୍ଷ ପରେ ସେ କଥା ମନେ ରହୁ ନାହିଁ । ବଡ଼ କଥା ହେଲା, ସେ ଅନ୍ୟର ଦୁଃଖ ସହିପାରୁ ନ ଥିଲେ । କାହାକୁ ଦୁଆରେ ହାତ ପାତିବାର ଦେଖିଲେ ନିଜ ଭାତପତରକୁ ଦେଇ ଦେଉଥିଲେ ।’’

 

ଗୋଟିଏ କୁଷ୍ଠ ରୋଗୀ ଉଏଟିଂ ରୁମ୍‌ରେ ବସି କାଶୁଥିଲା । ଟଣା କାଶ । ଆଲୋଚନାରେ ବାଧା ପହଞ୍ଚୁଥିଲା ସେ କାଶିବାଦ୍ୱାରା । ଗୋବିନ୍ଦବାବୁ ପାଟିକରି କହିଲେ–କିଏ ଏଇ ଲୋକଟା, କେବଳ କାଶି ଚାଲିଛି । କୌଣସି କଥା ପ୍ରତି ଗୁରୁତ୍ୱ ନାହିଁ ।

 

ସଦାନନ୍ଦବାବୁ ପିଅନକୁ ଡାକି କହିଲେ, ‘‘ସେ କୁଷ୍ଠ ରୋଗୀଟାକୁ ବାହାର କରିଦେ ଶ୍ୟାମା ଶଳା ଆଉ ଜାଗା ପାଇଲା ନାହିଁ ଯେ, ଏଇଠି ଆସି ଜାଗା ମାଡ଼ି ବସିଯାଇଛି ।’’

 

କୁଷ୍ଠରୋଗୀ ସେତେବେଳକୁ ବାଡ଼ି ଠୁକୁ ଠୁକୁ କରି ଆସି ଆଗରେ ଛିଡ଼ା ହୋଇ ଅନୁନୟ କଲା, ‘‘ଆପେ ଚାଲିଯିବି ଆଜ୍ଞା ! ପାଞ୍ଚ ଦିନ ହେଲା ଜ୍ୱର ଯୋଗୁଁ ଏଇଠି ପଡ଼ିଥିଲି । ପେଟକୁ ଦାନା ଯାଇ ନାହିଁ । ପଇସା କେତେଟା ଦିଅନ୍ତେ ନାହିଁ ?

 

ଗୋବିନ୍ଦବାବୁ ତେଜିଉଠି କହିଲେ, ‘‘ତୋତେ ପଇସା ଦବା ପାଇଁ ସେ ଷ୍ଟେସନ ଖୋଲି ଏଇଠି ବସିଛନ୍ତି ! ପଳା, ପଳା । ବାହାରେ ଚେଷ୍ଟା କର-ଷ୍ଟେସନକୁ କେତେ ଲୋକ ଆସନ୍ତି, ତୁ ଆଉ ଏସ୍ଥାନର ଆବହାଓ୍ୱାକୁ ନଷ୍ଟ କରନାହିଁ ।’’

ସଦାନନ୍ଦ ବାବୁ ବି ପାଟି କଲେ-ପଳା, ପଳା ବାହାରେ ଚେଷ୍ଟା କର । ଏଠି କଅଣ ପାଇବୁ ? ଅକର୍ମା କୋଉଠି କାର..... ।

ବାଡ଼ି ଠୁକୁ ଠୁକୁ କରି କୁଷ୍ଠରୋଗୀଟି ହତାଶାର ଦୀର୍ଘ ଶ୍ୱାସ ବହନ କରି ଆଗକୁ ଚାଲିଲା-। ଦୀର୍ଘଶ୍ୱାସ ଛାଡ଼ିବା ପାଇଁ ବି ବେଳ ପାଇଲା ନାହିଁ ।

ସେ ଆଡ଼ୁ ଆଲୁଅ ଧରି ପାଞ୍ଚ ସାତ ଜଣ ଆସୁଥିଲେ । କୁଷ୍ଠରୋଗୀ ଆଡ଼ ହୋଇ ଯାଇ ରାସ୍ତା କଡ଼ରେ ଛିଡ଼ା ହେଲା ।

ସେମାନେ ଆସି ଷ୍ଟେସନରେ ପହଞ୍ଚିଗଲେ । ସେମାନଙ୍କୁ ଦେଖି ସଦାନନ୍ଦ ବାବୁ ଉତ୍ତେଜିତ ହୋଇ କହିଲେ, ‘‘ଏତେ ଡେରି କରନ୍ତି କେହି, ଆଜ୍ଞା ଆସି ଅପେକ୍ଷା କରିଛନ୍ତି ଘଣ୍ଟାଏ ହେଲା..... ।’’

ସମ୍ପାଦକଙ୍କ ବଦଳରେ ସହକାରୀ ସମ୍ପାଦକ ଆସିଥିଲେ । ସେ କହିଲେ, ‘‘ଆସୁ ଆସୁ ଡେରି ହୋଇଗଲା, ବି.ଡ଼ି.ଓଙ୍କ ଜିପ୍‌ପାଇଁ ଚାହିଁ ବସିଥିଲୁ । ସେ କିନ୍ତୁ ଆସିଲେ ନାହିଁ ।’’

‘‘ଚାଲି ଚାଲି ଯିବାକୁ ହେବ ତା ହେଲେ ?’’ କରୁଣ ସ୍ୱରରେ ପଚାରିଲେ ଗୋବିନ୍ଦବାବୁ-

ତାଙ୍କୁ ନମସ୍କାର କରି ସହକାରୀ ସମ୍ପାଦକ କହିଲେ ‘‘ଟିକେ କଷ୍ଟ କରିବାକୁ ହେବ ସାର୍‌-। ବାଟ ମାଇଲିଏ ।’’

ବେଡ଼ିଂ ଓ ସୁଟକେଶ ଧରିଲେ ଦୁଇ ଜଣ । ଷ୍ଟେସନ ମାଷ୍ଟର ବାବୁଙ୍କ ପାଖରୁ ବିଦାୟ ନେଇ ଗୋବିନ୍ଦବାବୁ କହିଲେ–ବେଶ୍‌ ଭଲରେ କଟିଗଲା ସମୟ, ଆପଣଙ୍କ କଥା ମନେ ରହିବ ନିଶ୍ଚୟ । ସଭାକୁ ଆସିବେଟି ?

ସଦାନନ୍ଦବାବୁ କହିଲେ–ଡିଉଟି ସାରି ପଛେ ପଛେ ଆସୁଛି ।

ଗୋବନ୍ଦବାବୁ କହିଲେ, ନିଶ୍ଚୟ ଆସନ୍ତୁ । ଭାଷଣ ବେଳକୁ ନିଶ୍ଚୟ ଯେପରି ଆସିଯାଇଥିବେ ।

ସମସ୍ତେ ଜେନାପୁର ଗାଆଁ ଆଡ଼କୁ ଆଗେଇଲେ ।

ଗୋବିନ୍ଦବାବୁ କିଛି ପରିମାଣରେ ଆଶ୍ୱସ୍ତ ହେଲେ ଏବଂ ଗାଡ଼ିରୁ ଓହ୍ଲାଇବା ପରେ କାହାକୁ ଅଭ୍ୟର୍ଥନା କରିବା ପାଇଁ ନ ଥିବାର ଦେଖି କ୍ଷୁର୍ଣ୍ଣ ହୋଇଥିବା ଭାବଟା ଆଉ ରହିଲା ନାହିଁ ।

ସହକାରୀ ସମ୍ପାଦକ କୃତଜ୍ଞତା ଜଣାଇ କହିଲେ, ‘‘ସାର ଆପଣଙ୍କ ପରି ଏତେ ବଡ଼ ବକ୍ତାଙ୍କୁ ପାଇ ଆମେ ଧନ୍ୟ । ଆଜି ସମସ୍ତେ କୃତାର୍ଥ ହୋଇଯିବେ ।’’

ଗୋବିନ୍ଦବାବୁ ଖୁସି ହୋଇ କହିଲେ,‘‘ମଫସଲ ଜାଗା, ଲୋକମାନେ ଆସିଲେ ହେଲା-।’’

‘‘ସେ କଥା ଆଉ ବାକୀ ଅଛି ? ଲୋକଗହଳିରେ ଗାଁ ଦାଣ୍ଡ ଦୁଲୁକୁଛି । ଶହ ଶହ ଲୋକ ଆହୁରି ଆସୁଛନ୍ତି ।’’

ଗୋବିନ୍ଦବାବୁଙ୍କୁ ପ୍ରେରଣା ମିଳିଲା । ଯେପରି ସଭାରେ ବେଶୀ ହେଲେ କହିବା ପାଇଁ ଉତ୍ସାହ ପାଆନ୍ତି ସେ ।

ଗୋବିନ୍ଦବାବୁ କହିଲେ, ‘‘ଏତେ ଦିନେ ଯାଇ ପୂଜ୍ୟ ପୂଜା ହେଲା ଏ ଦେଶରେ । ଦାସେ ଆପଣ ବଞ୍ଚିଥିଲେ କେଡ଼େ ଖୁସି ହୋଇଥାନ୍ତେ ।’’

ସହକାରୀ ସମ୍ପାଦକ ପଚାରିଲେ, ‘‘ସାର୍‌! କୁଆଡ଼େ ନିଜ ଘରେ ପରିବାରର ଲୋକଙ୍କୁ ମରଣ ମୁହଁରେ ଛାଡ଼ିଦେଇ ଉତ୍କଳମଣି ବନ୍ୟାଞ୍ଚଳକୁ ଯାଇଥିଲେ ?’’

ଗୋବିନ୍ଦବାବୁ କହିଲେ-ନିଜର ଏକମାତ୍ର ପୁଅକୁ ରୋଗଶଯ୍ୟାରେ ଛାଡ଼ି ସେ ଯାଇଥିଲେ ଶହେ ପୁଅକୁ ଉଦ୍ଧାର କରିବା ପାଇଁ ।

Unknown

‘‘ଏଇ ଜେନାପୁର ଅଞ୍ଚଳକୁ ଆସିଥିଲେ ବୋଲି ଅଜା କହୁଥିଲେ ।’’ –କହିଲେ ସହକାରୀ ସମ୍ପାଦକ ।

‘‘ଆସିଥିଲେ । ସେ ବର୍ଷର ବନ୍ୟା ସାଙ୍ଗକୁ ମହାମାରୀ...।’’ ଯୋଗକଲେ ଗୋବିନ୍ଦବାବୁ-

ଗାଆଁ ପାଖରେ ପହଞ୍ଚିଲା ବେଳକୁ ଗାଆଁ ମୁଣ୍ଡରେ ତିଆରି କରା ହୋଇଥିବା ତୋରଣ ପାଖରେ ତାଙ୍କୁ ଶଙ୍ଖ ବଜେଇ, ହୁଳହୁଳି ଦେଇ ବନ୍ଦାପନା କରିବା ପରେ ସଂକୀର୍ତ୍ତନ କରି ପାଛୋଟିନେଲେ ଗ୍ରାମବାସୀମାନେ । ବେଶ୍‌ ଭଲ ଲାଗୁଥିଲା ଗୋବିନ୍ଦବାବୁଙ୍କୁ । ଜିପ୍‌ ଗୋଟେ ହୋଇଥିଲେ ମନଟା ପୂରି ଯାଇଥାଆନ୍ତା । ପାଦରେ ଚାଲି ଚାଲି ମାଇଲିଏ ବାଟ ଆସିବାଟା କିଛି ଭଲ ଦିଶିଲା ନାହିଁ । ଯେତେହେଲେ ମୁଖ୍ୟ ବକ୍ତା ତ ! ସମ୍ମାନ ନ ରହିଲେ ଉପଯୋଗିତା କମିଯାଏ-

କ୍ଳବ୍‌ ଘରେ ରହିବା ପାଇଁ ସବୁ ବ୍ୟବସ୍ଥା କରା ହୋଇଥିଲା । ଗତ ବର୍ଷ ମରୁଡ଼ି ପଡ଼ିଥିଲା ଯେ, ଏଯାଏ ତାର ପ୍ରଭାବ ଯାଇ ନ ଥିଲା; କିନ୍ତୁ ସବୁ ପ୍ରକାର ଆୟୋଜନ କରିବାରେ ତ୍ରୁଟି କରି ନ ଥିଲେ ଉଦ୍ୟୋକ୍ତାମାନେ ।

ଗୋବିନ୍ଦବାବୁ ହାତ ମୁହଁ ଧୋଇ ଚାରିଟା ଗରମ ସିଙ୍ଗଡ଼ା, ଖଣ୍ଡେ ବଡ଼ ଛେନା ପୋଡ଼ପିଠା, ପାଟକପୁରା କଦଳୀ ଗୋଟେ ଓ କିଛି ଅଙ୍ଗୁର ଖାଇ ଚା ପିଇଲେ । ଖାଇବା କଥା ପଡ଼ିଲାରୁ ସେ କଥା ପ୍ରସଙ୍ଗରେ ଆମିଷ ଖାଆନ୍ତି ବୋଲି ଜଣାଇଦେଲେ । ସମ୍ପାଦକ କହିଲେ, ‘‘ଆଜ୍ଞା, ମାଛ ମାଂସ ଉଭୟ ହୋଇଛି । ଆଜି ମଙ୍ଗଳବାର, କିଛି ଅସୁବିଧା ନାହିଁ ତ !’’

‘‘ନା, ନା, ମୁଁ ସେସବୁ ବାର ବ୍ରତରେ ବିଶ୍ୱାସ କରେ ନାହିଁ । ବରଂ ଆମିଷ ନ ହେଲେ ଭୋଜନ କରିପାରେ ନାହିଁ ।’’

ଧଇଁସଇଁ ହୋଇ ଏହି ସମୟରେ ଗୋଟିଏ ଲୋକ ଆସି ପହଞ୍ଚି କହିଲା, ‘‘ଆଜ୍ଞା ମୁଖ୍ୟ ଅତିଥିଙ୍କ ଗାଡ଼ି ବାଟରେ ଅଟକି ଯାଇଛି । ସବୁ ଚେଷ୍ଟା କରି ବି ଗାଡ଼ିକୁ ଉଠାଇ ହେଲା ନାହିଁ । ଏଣେ ସଭା ଡେରି ହେଉଛି ବୋଲି ଲୋକେ ପାଟି କଲେଣି ।’’

ସମ୍ପାଦକ ଦ୍ୱନ୍ଦ୍ୱରେ ପଡ଼ିଯାଇ କହିଲେ, ‘‘ଅଳପ ବାଟ, ମାଇଲିଏ ହବ କି ନ ହବ । ଚାଲି ଆସିଲେ ହୁଅନ୍ତା ନାହିଁ ।’’

ଆଗନ୍ତୁକ କହିଲା, ‘‘ମୁଖ୍ୟ ଅତିଥି ନେତୃ ସ୍ଥାନୀୟ ବ୍ୟକ୍ତି; ପୁଣି ପୃଥୂଳରାୟ, ଏତେ ବାଟ ପାଦରେ ଚାଲି ଆସିପାରିବେ ନାହିଁ । ବହୁ ଅନୁରୋଧ ପରେ ଟ୍ୟାକ୍‌ସି କରି ଆଣିଥିଲୁ, କିନ୍ତୁ ଏଇନେ କଅଣ ହବ ବୁଦ୍ଧି ଦିଶୁ ନାହିଁ ।’’

ବିପ୍ରବାବୁଙ୍କୁ ବୁଦ୍ଧି ଦିଶିଗଲା । ସରପଞ୍ଚଙ୍କର ଗୋଟେ ପାଲିଙ୍କି ଥିଲା । ସଙ୍ଗେ ସଙ୍ଗେ ଲୋକ ଡାକି ପାଲିଙ୍କି ନେଇ ମୁଖ୍ୟ ଅତିଥିଙ୍କୁ ନେଇଆସିବା ପାଇଁ କହିଲେ । ଆଗନ୍ତୁକ; ସମ୍ପାଦକଙ୍କ ଆଦେଶ ପାଇ ଦଉଡ଼ିଲା ସରପଞ୍ଚଙ୍କ ଘର ଆଡ଼କୁ । ପାଲିଙ୍କି ନେଇ ଶୀଘ୍ର ମୁଖ୍ୟ ଅତିଥିଙ୍କୁ ନ ଆଣିଲେ ତୁମୁଳ କାଣ୍ଡ ଘଟି ଯାଇପାରେ ।

ଗୋବିନ୍ଦବାବୁଙ୍କ ମନକୁ କଥାଟା ବେଶ୍‌ ପାଇଲା । ଗାଡ଼ି ଖରାପ ହୋଇଗଲା ବୋଲି ପାଦରେ ଆସିବେ ? ପାଲିଙ୍କିରେ ଆସିଥିଲେ ତାଙ୍କର ସମ୍ମାନ ଟିକେ ବଢ଼ିଥାଆନ୍ତା । ମୁଖ୍ୟ ଅତିଥିଙ୍କ ଅଭ୍ୟର୍ଥନା ପାଇଁ ଅଧିକ ଦୃଷ୍ଟି ଦିଆଯାଇଥିବାର ଦେଖି ମନେ ମନେ ଅସନ୍ତୁଷ୍ଟ ହୋଇ କହିଲେ, ‘‘ନେତା ହେଲେ ଏତିକି ନ ଚାଲି ପାରିଲେ ଚଳିବ ? ଦାସେ ଆପଣେ ମାଇଲ ମାଇଲ ବାଟ ପାଦରେ ଚାଲି ଚାଲି ଯାଉଥିଲେ ଲୋକଙ୍କ ସେବା କରିବା ପାଇଁ । ତାଙ୍କର ଆଦର୍ଶ ଗ୍ରହଣ ନ କଲେ ଏ ଜାତି ପଙ୍ଗୁ ହୋଇଯିବ ।’’

ସମ୍ପାଦକ ସାନ୍ତ୍ୱନା ପାଇ କହିଲେ, ‘‘ଆପଣମାନେ ଗୁଣୀ ବ୍ୟକ୍ତି । ପାଦରେ ଚାଲିବା ଶୋଭା ପାଏ ନାହିଁ । ଆପଣ ପୁଣି ତ ଏତେ କଷ୍ଟ ସହିଲେ !’’

ପ୍ରାୟ ଦେଢ଼ ଘଣ୍ଟା ପରେ ପାଲିଙ୍କିରେ ଦୋଳି ଖେଳି ଖେଳି ଆସି ପହଞ୍ଚିଲେ ମୁଖ୍ୟ ଅତିଥି । ଗାଆଁ ମୁଣ୍ଡରୁ ସଂକୀର୍ତ୍ତନ, ଘୋଡ଼ାନାଚ ଓ ବାଣ ରୋଷଣୀ କରି ତାଙ୍କୁ ଅଭ୍ୟର୍ଥନା କରି ଆଣିଲେ କର୍ମକର୍ତ୍ତାମାନେ ।

ପାଲିଙ୍କିରୁ ଓହ୍ଲାଇବା ପରେ ହାତ ମୁହଁ ଧୋଇ ଜଳଯୋଗ ସାରି ଅତିଥିମାନେ ଯାଇ ମଞ୍ଚ ଉପରେ ବସିଲା ବେଳକୁ ସଭାସ୍ଥଳ ଜନସମାଗମଦ୍ୱାରା ପୂର୍ଣ୍ଣ ହୋଇଯାଇଥିଲା ।

ସଭା ଆରମ୍ଭ ହେବା ଆଗରୁ ଦୁଇ ଜଣ ପିଲା ପାଟିକଲେ, ‘‘ବେଶୀ ବକ୍ତୃତା କରିବାର ସମୟ ନାହିଁ ଶୀଘ୍ର ଶୀଘ୍ର ଶେଷ କରନ୍ତୁ । ମନୋରଞ୍ଜନ ପ୍ରୋଗ୍ରାମ ଆରମ୍ଭ ହେଉ ।’’

ଗୋବିନ୍ଦବାବୁ କ୍ଷୁର୍ଣ୍ଣ ହୋଇ ମୁଖ୍ୟ ଅତିଥିଙ୍କ କାନ ପାଖରେ କହିଲେ, ‘‘ଗୋପବନ୍ଧୁଙ୍କୁ ବି ଏମାନେ ସମୟ ମଧ୍ୟରେ ସୀମାବତ କରିବା ପାଇଁ ଚାହାନ୍ତି ।’’

ସମ୍ପାଦକଙ୍କ ବିବରଣୀ ଓ ସଭାପତିଙ୍କ ସ୍ୱାଗତ ସମ୍ଭାଷଣ ପରେ ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ପ୍ରାୟ ଦୁଇ ଘଣ୍ଟା କାଳ ଗଦ୍‌ଗଦ୍‌ ସ୍ୱରରେ ଭାବପ୍ରଣୋଦିତ ସେହି ପୂଣ୍ୟାତ୍ମା ଓ ପୂଣ୍ୟଶ୍ଳୋକ ମହାତ୍ମାଙ୍କ ଶତବାର୍ଷିକୀ ପାଳନ କରିବାର ଉଦ୍ଦେଶ୍ୟ ସଂକ୍ଷେପରେ କହି, ମୁଖ୍ୟ ଅତିଥି ବର୍ତ୍ତମାନ ପରିସ୍ଥିତିରେ ଚୋରା କାରବାରୀ ଓ ଭେଜାଲ ବିରୁଦ୍ଧରେ ସମବେତ ଉଦ୍ୟମ ପାଇଁ ଆହ୍ୱାନ କଲାବେଳେ ମୁଖ୍ୟ ବକ୍ତା ପ୍ରାଚୀନ ସଂସ୍କୃତିରେ ସାମନ୍ତବାଦୀ ଚିନ୍ତାଧାରାର ସୁସ୍ପଷ୍ଟ ପ୍ରତିଫଳନକୁ ପ୍ରତିପାଦନ କରି ଗୋପବନ୍ଧୁଙ୍କ ସାହିତ୍ୟରେ ସମାଜବାଦ; ସୁଷମ ବଣ୍ଟନ, ଭାଗଚାଷୀ ସମସ୍ୟାର ସମାଧାନ ପ୍ରଭୃତି ଉପରେ ଆଲୋକପାତ କଲେ । ଭାଷଣ ଶେଷ ହେବା ଆଗରୁ ଜଣେ କିଏ ସଭା ଭିତରେ ପାଟି କରି ପ୍ରଶ୍ନ କଲା, ‘‘ଗୋପବନ୍ଧୁ କେଉଁ ଗାଆଁରେ ଏବଂ କେତେ ତାରିଖରେ ଜନ୍ମଗ୍ରହଣ କରିଥିଲେ ? ବାପାଙ୍କ ନାମ କଅଣ ? ସେ କେବେ ସ୍ୱର୍ଗାରୋହଣ କଲେ ? ଆମେ କାହିଁକି ତାଙ୍କ ଶତବାର୍ଷିକୀ ପାଳନ କରିବା ? ଆପଣମାନେ କୁହନ୍ତୁ ।’’

ଗୋବିନ୍ଦବାବୁ ଉତ୍ତେଜିତ ହୋଇ କହିଲେ, ‘‘ରାମାୟଣ ଶୁଣିସାରିବା ପରେ ସୀତା କିଏ ପଚାରିବା ପରି ଏ ପ୍ରଶ୍ନ ହେଲା ।’’ କିନ୍ତୁ ମୁଖ୍ୟ ଅତିଥି ତାଙ୍କୁ ପରାମର୍ଶ ଦେଲେ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ । ଟିକିଏ ବ୍ୟତିବ୍ୟସ୍ତ ଜଣା ପଡ଼ିଲେ ଗୋବିନ୍ଦବାବୁ । କାର୍ଯ୍ୟସୂଚୀ ଲେଖିଥିବା କାଗଜଟିରେ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବାକୁ ଯାଇ ପଥବଣା ହୋଇଗଲେ ।

ମୁଖ୍ୟ ଅତିଥିଙ୍କ କାନ ପାଖେ କହିଲେ, ମୁଁ ତ ଡିକସନାରୀ ନୁହେଁ ଯେ ସବୁ ମନେ ରଖିଥିବି । ଶହେ ବର୍ଷ ଆଗରୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିଲେ ସେ; ସେଥିପାଇଁ ତ ଶତବାର୍ଷିକୀ-। ଆପଣଙ୍କର କିଛି ମନେପଡ଼ୁଛି ସାର୍‌... !’’

କାନ ପାଖରେ ମଥା କୁଣ୍ଡାଇ ଟିକିଏ ଭାବି ମୁଖ୍ୟ ଅତିଥି ନନ୍ଦକିଶୋରବାବୁ କହିଲେ, ‘‘ଓଡ଼ିଶାର ଭାର୍ଗବୀ ନଦୀକୂଳରେ ଏକ ଧନୀ ଓ ସମ୍ଭ୍ରାନ୍ତ ପରିବାରରେ ଠିକ୍‌ ଶହେ ବର୍ଷ ତଳେ ଆଜିର ଦିନରେ ଦାସ ମହାଶୟଙ୍କ ଔରସରୁ ଗୋପବନ୍ଧୁ ଜନ୍ମଗ୍ରହଣ କରିଥିଲେ ।

ମୁଖ୍ୟବକ୍ତା ପ୍ରଶ୍ନର ଉତ୍ତର ଆରମ୍ଭ କଲା ବେଳକୁ ବସି ପଡ଼, ବସି ପଡ଼ ଧ୍ୱନିରେ ସଭାସ୍ଥଳ ପୂର୍ଣ୍ଣ ହୋଇଗଲା । ସେମାନେ ଆଉ ଶୁଣିବା ଅବସ୍ଥାରେ ନାହାନ୍ତି ବୋଲି ମନ୍ତବ୍ୟ ଦେଇ ସମ୍ପାଦକଙ୍କ କାନ୍ଧ ଉପରେ ହାତ ରଖି ଧୀରେ ଧୀରେ ମୁଖ୍ୟ ଅତିଥି ମଞ୍ଚ ଉପରୁ ତଳକୁ ଆସିଲେ । ପଛେ ପଛେ ମୁଖ୍ୟ ବକ୍ତା ଓ ଅନ୍ୟମାନେ ।

ଜଣେ ସତୁରି ବର୍ଷର ବୃଦ୍ଧଙ୍କୁ ମଞ୍ଚ ପାଖରେ ଛିଡ଼ା ହୋଇଥିବାର ଦେଖି କହିଲେ, ‘‘ସମ୍ପାଦକ ସାର୍‌, ଇଏ ଗୋପବନ୍ଧୁଙ୍କୁ ଦେଖିଥିଲେ । ବନ୍ୟା ସମୟରେ ଏହି ଅଞ୍ଚଳକୁ ଆସିଥିଲା ବେଳେ ତାଙ୍କ ହାତରୁ ଚୁଡ଼ା ଚାଉଳ ନେଇଥିଲେ ।’’

ମୁଖ୍ୟ ଅତିଥି କହିଲେ, ‘‘ଭଲ ହେଲା, ଆପଣଙ୍କ ଦର୍ଶନ ହୋଇଗଲା । ଆପଣ କିଛି କହିଥିଲେ ଭଲ ହୋଇଥାଆନ୍ତା ଆପଣ ସତ୍ୟବାଦୀ ଯାଇଛନ୍ତି ? ମୁଁ ବନବିଦ୍ୟାଳୟରେ କିଛିଦିନ ପଢ଼ିଥିଲି ।’’

ବୃଦ୍ଧଙ୍କର ଅନେକ କଥା ମନେ ପଡ଼ୁଥିଲା । ବ୍ରାହ୍ମଣୀର ବନ୍ୟା ଯୋଗେ ଘରଦ୍ୱାର ହରାଇ ରେଳଲାଇନର ଦୁଇ କଡ଼ରେ ରହିଥିବା ଶହ ଶହ ଲୋକଙ୍କୁ ଦାସେ ଆପଣେ ନିଜ ହାତରେ ଚୁଡ଼ା ଚାଉଳ ବାଣ୍ଟିଥିଲେ । ବନ୍ୟାରେ ପୁତ୍ରକୁ ହରାଇ ବର୍ତ୍ତିଯାଇଥିବା ବାପକୁ କୁଣ୍ଢେଇ ପକେଇ କେତେ କାନ୍ଦିଥିଲେ । କାଦୁଅ ଓ ପାଣିରେ ମାଇଲ ମାଇଲ ବାଟ ଚାଲି ଲୋକମାନଙ୍କୁ ସାନ୍ତ୍ୱନା ଓ ସାହସ ଦେଇଥିଲେ ।

ତାପରେ ବି ମନେ ପଡ଼ିଲା, ଏ କାଳର କଥା । ମୁଖ୍ୟ ଅତିଥି ହୋଇ ଆସିଥିବା ଏହି ବ୍ୟକ୍ତିଙ୍କୁ ମନେ ପକେଇବା ପାଇଁ ଚେଷ୍ଟା କଲେ । ଇଏ ସିଏ କି ଆଉ କିଏ ସନ୍ଦେହ ବି ହେଲା । ଦଶ ବର୍ଷ ତଳେ ବନ୍ୟାଞ୍ଚଳ ପାଇଁ ଲୁଗା ଓ କମଳ ବାଣ୍ଟିବାକୁ ଆସି ଯେଉଁଠାରୁ ଜିପ୍‌ ଆଗକୁ ଆସିବାର ଉପାୟ ନ ଥିଲା, ସେଇଠାକୁ ଲୋକମାନଙ୍କୁ ଡକାଇ ପଠାଇଥିବାର ସ୍ମରଣ ହେଲା । ସେହି ସମୟରେ ବନ୍ୟାପ୍ରପୀଡ଼ିତ ଲୋକମାନଙ୍କ ପାଇଁ ଆସିଥିବା ଅନେକ ଲୁଗା ଓ କମ୍ବଳ ପରେ ହାଟ ବଜାରରେ ବିକ୍ରୀ ହେବାର ସେ ଦେଖିଥିଲେ ।

ବୃଦ୍ଧଙ୍କ ଆଖି ଛଳଛଳ ହୋଇଉଠିଲା । ସେ ଅତିଥିମାନଙ୍କୁ କମ୍ପିତ ହସ୍ତରେ ନମସ୍କାର କଲାବେଳେ ଭାବିଲେ-ନା ! ସିଏ ଏଡ଼େ ମୋଟା ନ ଥିଲେ, ଏକାପରି ମୁହଁ ହେଲେ ବି ଇଏ ହୁଏତ ସିଏ ହୋଇ ନ ଥିବେ ।

ଆଉ ସେଦିନର ଗୋପବନ୍ଧୁଙ୍କୁ ଖୋଜିବାକୁ ଯାଇ କାନ୍ଦି ପକେଇଲେ ବୃଦ୍ଧ । ସଭାରେ ଅଧା ଲଙ୍ଗଳା ଶହ ଶହ ମଇଳା ମଣିଷଙ୍କ ମେଳରେ ଗୋପବନ୍ଧୁଙ୍କୁ ଦେଖି ଯେ କାନ୍ଦି କାନ୍ଦି କହିଲେ, ‘‘ଦାସେ ଆପଣ ଶତବାର୍ଷିକୀର ବକ୍ତୃତାରେ ନୁହେଁ, ସେମାନଙ୍କ ଭିତରେ ଛିଡ଼ା ହୋଇଚନ୍ତି-।’’

ଗୋବିନ୍ଦବାବୁ ମୁଖ୍ୟ ଅତିଥିଙ୍କ ସହିତ ଆଗେଇ ଗଲାବେଳେ, ମନ୍ତବ୍ୟ କଲେ, ‘‘ଏଇ ଗାଆଁରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିକୃତି ରଖିଲେ ଉତ୍ତମ ହେବେ । ଆଗାମୀ ବଂଶଧରମାନେ ସେହି ମୂର୍ତ୍ତି ଦେଖି ତାଙ୍କୁ ସ୍ମରଣ କରିବାର ଅବକାଶ ପାଇବେ ।’’

ସେଇ କୁଷ୍ଠରୋଗୀଟା ମୁଖ୍ୟ ଅତିଥିଙ୍କ ଆଗରେ ହାତ ପତେଇଲା ।

ବାଟ କାଟି ଚାଲିଯିବାବେଳେ କହିଲେ ସେ, ‘‘ସବୁ ସ୍ଥାନରେ ଏମାନେ, ଏମାନଙ୍କୁ ସମାଜର ବହୁ ଦୂରରେ ରଖିବା ପାଇଁ ସରକାର ବ୍ୟବସ୍ଥା ନ କଲେ ଦିନେ ଦେଖିବେ ଏ ଦେଶଟା କୁଷ୍ଠରୋଗୀମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇଯିବ ।’’

ଶତବାର୍ଷିକୀ ସଭା ପରେ ଚକ ଚକ ବିଜୁଳି ଆଲୁଅରେ ମନୋରଞ୍ଜନ କାର୍ଯ୍ୟକ୍ରମର ପ୍ରଥମ ନିବେଦନ ସମବେତ ରକ ଆଣ୍ଡ ରୋଲ, ନୃତ୍ୟ ଆଡ଼କୁ ଚାହିଁ ଗୋପବନ୍ଧୁଙ୍କୁ ଖୋଜି ଖୋଜି ଗାଆଁ ମୁଣ୍ଡର ଅନ୍ଧାର ଭିତରେ ଅନ୍ତର୍ହିତ ହୋଇଗଲେ ବୃଦ୍ଧ ।

କେବଳ ତାଙ୍କର ଅସ୍ପଷ୍ଟ ଓ କ୍ଷୀଣ କଣ୍ଠରୁ ନିର୍ଗତ ହେଉଥିଲା, ‘‘କାମ ଓ ପ୍ରତିପାଳନରେ ନୁହେଁ, ବକ୍ତୃତା ଓ ପ୍ରତିଶ୍ରୁତିରେ ରହିଗଲେ ଗୋପବନ୍ଧୁ । ଠାକୁର ମନ୍ଦିର ଦେଖି ରାସ୍ତାରେ ଯାଉଥିବା ବ୍ୟକ୍ତି ମୁଣ୍ଡ ନୁଆଁଇଦେଲା ପରି ଶତବାର୍ଷିକୀ ସଭାକୁ ଯାଇ ବଡ଼ ପ୍ରତିକୃତି ଆଗରେ ଦୀପ ଜଳାଇ, ଧୂପବତୀ ଲଗାଇ ମଥା ନୁଆଁଇ କହୁଛନ୍ତି, ‘‘ତୁମେ ଦେବତା, ତୁମକୁ କୋଟି କୋଟି ନମସ୍କାର । ଦୁଃଖ ରହିଗଲା ଦାସେ ଆପଣେ, ତୁମେ ତେତିଶ କୋଟି ଦେବତାଙ୍କ ଗହଣରେ ମିଶିଗଲ; ଆଉ ତୁମକୁ ଖୋଜି ଖୋଜି ପାଉ ନାହୁଁ ।’’

•••

 

ସ୍ୱର୍ଗ ମର୍ତ୍ତ୍ୟ

ଶ୍ରୀ ସାତକଡ଼ି ହୋତା

 

ପୃଥିବୀର ଏତେ ଶବ୍ଦ ଏବଂ କୋଳାହଳ ଆଉ ଶୁଣାଗଲା ନାହିଁ । ସବୁ ଆଲୋକ ହଠାତ୍‌ ଯିମିତି ନିଭିଗଲା । ଏକ ଅନୁଭୂତ ଆବେଗ ଛାତିକୁ ଥରାଇଦେଲା । ଆଉ କିଛି ଜାଣିପାରିଲେ ନାହିଁ ମୃତ୍ୟୁଞ୍ଜୟ ।

 

ମୃତ୍ୟୁକୁ ଭୟ ନ ଥିଲା ତାଙ୍କର । କିନ୍ତୁ ମୃତ୍ୟୁ ସହିତ ମୁହାଁମୁହିଁ ଛିଡ଼ା ହୋଇ କେତୋଟି କଥା ଜାଣିବାପାଇଁ ଇଚ୍ଛା କରିଥିଲେ ବି ସମୟ ବା ସୁବିଧା ହେଲାନାହିଁ । ସେ ଚାଲିଗଲେ । ମୃତ୍ୟୁଞ୍ଜୟ ମରିଗଲେ ବୋଲି ଖବର ପ୍ରଚାର ହୋଇଗଲା ।

 

ପୃଥିବୀର ଶବ୍ଦ ସିନା ଆଉ ଶୁଭିଲା ନାହିଁ ବା ଆଲୋକ, ଅନ୍ଧକାର ଆଉ ଦେଖାଗଲାନାହିଁ, ସେ କିନ୍ତୁ ରକେଟପରି ଏକ ଯାନରେ ବସି ଯାଉଥିବାର ଅନୁଭବ କଲେ ଏବଂ ତାହାରି ଶବ୍ଦ ଶୁଣିବାକୁ ଲାଗିଲେ । ସେହି ଶବ୍ଦ ଗୋଟିଏ ପ୍ରକାରର, ସ୍ୱର ନ ଥିଲା ସେଥିରେ । ସ୍ୱରରେ ଥାଏ ରାଗ ଏବଂ ରାଗିଣୀ । ରକେଟର ଶବ୍ଦ ଥିଲା, କିନ୍ତୁ ସ୍ୱର ନଥିଲା, ରାଗରାଗିଣୀ ନଥିଲା । ଭଲ ଲାଗିଲା ନାହିଁ ମୃତ୍ୟୁଞ୍ଜୟଙ୍କୁ । କିନ୍ତୁ ଅନେକ ଚେଷ୍ଟା କରି ମଧ୍ୟ ସେ ଅନ୍ୟ କୌଣସି ଶବ୍ଦ ଶୁଣି ପାରିଲେ ନାହିଁ, ଆଉ କାହାର ସ୍ୱର ତାଙ୍କୁ ମୁଗ୍‌ଧ ମୋହିତ କଲାନାହିଁ ।

 

ସବା ସାନ ନାତୁଣୀର ସ୍ୱରଟି କେଡ଼େ ମଧୁର । ତାର କଣ୍ଠ କେଡ଼େ କୋମଳ । କଥାରେ କୋଇଲି ଲହରୀ । ତାକୁ ବଡ଼ ଆଦର କରୁଥିଲେ ମୃତ୍ୟୁଞ୍ଜୟ । ପାଖରେ ବସି ଚକୋଲେଟ୍‌ ଖୁଆଉଥିଲେ । ତାକୁ ଯେଉଁ ପ୍ରାର୍ଥନା ଶିଖାଇଥିଲେ, ତା ମୁହଁରୁ ସେହି ପ୍ରାର୍ଥନା ଶୁଣି ପରମାର୍ଥ ଳାଭ କରୁଥିଲେ । ଶେଷ ବୟସରେ ତାକୁ ଛାଡ଼ି ସେ କୁଆଡ଼େ ଯାଉନଥିଲେ । ପରିଣତ ବୟସର ସେ ତାଙ୍କର ପ୍ରଧାନ ସଂଙ୍ଗିନୀ ହୋଇଥିଲା । ତାଙ୍କ ସ୍ତ୍ରୀ ବେଳେବେଳେ ରୂନାକୁ ତା ମା’ ପାଖକୁ ପଠାଇଦେଇ ନିଜେ ବସି ଗପ କଲେ ମୃତ୍ୟୁଞ୍ଜୟ ସ୍ତ୍ରୀଙ୍କୁ କହୁଥିଲେ ରୁନାକୁ ଡାକିବା ପାଇଁ । ତାକୁ ନକହିଲେ ଯିମିତି ସବୁ ଅପୂର୍ଣ୍ଣ ରହିଯିବ । ସ୍ତ୍ରୀ ଦିନେ ରାଗିଯାଇ କହିଲେ, ଇମିତି ସୁଆଗ କେଉଁଦିନୁ ହେଲା ମ ? ବଳ ବଅସ ଥିଲାବେଳେ ଅଧିଆ ପଡ଼ୁଥିଲ, ଏବେ ରୁନା ପାଖରେ ରସିଛ ଯେ ମଜା ଚଖାଇଦବନି ! ରୁନାର ମୁହଁଟି ବାରମ୍ବାର ମନେ ପଡ଼ୁଥିଲା । ସେ କଥା କହିବାବେଳେ ତା ଆଖି ଯୋଡ଼ିକ ନୃତ୍ୟ କରୁଥିଲେ ଯେପରି । ମୃତ୍ୟୁଞ୍ଜୟ ବିଭୋର ହୋଇ ତା କଥା ଶୁଣୁଥିଲେ, ତା ଚାଲିକୁ ଚାହୁଁଥିଲେ । ତାଙ୍କ ସ୍ତ୍ରୀ ଅଭିମାନ କରି ଦିନେ କହିଲେ, ବୁଢ଼ୀ ହୋଇଥିଲେ ବି ମୋ ମୁହଁର ଶୋଭା କମିଯାଇନାହିଁ । ମନଟା ଟହ ଟହ କରେ ରଙ୍ଗ ପରି । କିନ୍ତୁ ତୁମେ ମୋତେ ଦେଖିପାରୁନାହଁ, ମୋ ସ୍ୱର ତୁମ କାନରେ ପଡ଼ୁନାହିଁ ।

 

ଏସବୁ ଅଭିମାନର କଥା । ମାନ ଅଭିମାନ ନ ଥିଲେ ସଂସାର ସୁନ୍ଦର ହୁଏ ନାହିଁ । ରାଗରୁଷା ନ ଥିଲେ ଦାମ୍ପତ୍ୟ ଜୀବନର ପ୍ରୀତି ଏବଂ ମଧୁରତାରେ ଏତେ ସୁଆଦ ରହନ୍ତା ନାହିଁ । ମୃତ୍ୟୁଞ୍ଜୟ ପଛ କଥାକୁ ଭୁଲିଯିବା ପାଇଁ ଚେଷ୍ଟା କଲେ ଏବଂ ନାତିନାତୁଣୀ ମାନଙ୍କ ପରି ଛୋଟ ଛୋଟ ଗୁଲୁଗୁଲିଆ ଶିଶୁମାନଙ୍କୁ ଦେଖିବା ପାଇଁ ଇଚ୍ଛାକଲେ । ରକେଟର ଝରକା ଦେଇ ଅନାଇଲେ ଏବଂ ଐଶ୍ୱର୍ଯ୍ୟମୟ ବିଚିତ୍ର ଦେଶ ଦେଖି ଅଭିଭୂତ ହୋଇଗଲେ । ରକେଟର କଳ ମୋଡ଼ି ଗୋଟିଏ ଆଲୋକମୟ ରାଜ୍ୟରେ ଓହ୍ଲାଇ ପଡ଼ିଲେ ।

 

କିନ୍ତୁ ଅବାକ୍‌ ହୋଇଗଲେ ସେ । ପୃଥିବୀର ଆଲୋକ ପରି ଏ ଦେଶର ଆଲୋକରେ ଉଷ୍ମତା ନ ଥିଲା । ଆଲୋକର ରଙ୍ଗ ବି ଭିନ୍ନ; ତରଳ ସୁନାର ରଙ୍ଗ ପରି, ବଡ଼ ନରମ, ବଡ଼ କୋମଳ । ବର୍ଷଯାକ ଏହିପରି, ରାତି ହୁଏନା ସେଠାରେ । କେବଳ ଦିନ ଏବଂ ଦିନ । ପ୍ରଥମେ ଖୁବ୍‌ଭଲ ଲାଗିଲା ତାଙ୍କୁ । ଦେହ ଶୀତଳ ପ୍ରଲେପ ପାଇ ପୁଲକି ଉଠିଲା ।

 

ଦିନ ଦିନ ବିତିଗଲା । କ୍ୟାଲେଣ୍ଡର ଗୋଟେ ଖୋଜିଲେ ତାରିଖ ଓ ବାର ଜାଣିବା ପାଇଁ-। ଘଡ଼ି ଗୋଟେ ଖୋଜିଲେ ଘଣ୍ଟା, ମିନିଟ ଏବଂ ସେକେଣ୍ଡ ଦେଖିବା ପାଇଁ; ହତାଶ ହେଲେ । ତାରିଖ ସେଠାରେ ବଦଳେ ନାହିଁ, ସକାଳ, ସନ୍ଧ୍ୟା, ଦିନରାତି ହୁଏନାହିଁ । ସେକେଣ୍ଡ, ମିନିଟ୍‌ ଓ ଘଣ୍ଟାର ବି ପରିବର୍ତ୍ତନ ହୁଏ ନାହିଁ । ସେଠାରେ ସମୟ ଅଖଣ୍ଡ ଏବଂ ଚିରନ୍ତନ । ସେଠାରେ ସମୟ ସ୍ଥିର । ଗୋଟିଏ ଋତୁ ବସନ୍ତ ସେଠାରେ ନିତ୍ୟ ବିଦ୍ୟମାନ । ସମୟ ସ୍ଥିର ହୋଇ ଛିଡ଼ା ହୋଇଥିଲା ଗୋଟିଏ ଅମୃତ ବିନ୍ଦୁରେ । ତାହା ଅତିକ୍ରାନ୍ତ ହେଉ ନ ଥିଲା, ସାଲ ବଦଳୁ ନ ଥିଲା, ତାରିଖର ପରିବର୍ତ୍ତନ ହେଉ ନଥିଲା । ବୟସ ଏକ ଏବଂ ଅପରିବର୍ତ୍ତନୀୟ । ତାରୁଣ୍ୟ ହିଁ ଅକ୍ଷୟ ଓ ଚିରନ୍ତନ । ଶରୀର ବୀର୍ଯ୍ୟବାନ ଏବଂ ଜ୍ୟୋତିର୍ମୟ ।

 

ଚକିତ ହୋଇ ଚାହିଁ ରହିଲେ ମୃତ୍ୟୁଞ୍ଜୟ । ସେ ହଠାତ୍‌ ଅନୁଭବ କଲେ ଯେ ସେ ଆଉ ବୃଦ୍ଧ ନୁହନ୍ତି । ତାଙ୍କର ଲୋଳିତ ଚର୍ମ, ସ୍ଥବିର ଶରୀର ଆଉ ନାହିଁ, ସେ ବି ତରୁଣ ହୋଇ ଯାଇଚନ୍ତି-। ପରୀର ଦୀପ୍ତିରେ ଝଲମଲ, ଶକ୍ତିରେ ଟଳମଳ, ଅନିର୍ବଚନୀୟ କାନ୍ତି ଏବଂ ଲାବଣ୍ୟ ।

 

ରୋମାଞ୍ଚ ହେଲା ତାଙ୍କ ଶରୀରରେ । କିଏ ଚନ୍ଦନ ଲେପିଦେଇଥିଲାପରି ମହ ମହ ବାସୁଥିଲା ଦେହ । ସେ ଆଉ ଗୋଟିଏ ସ୍ଥାନରେ ସ୍ଥାଣୁ ପରି ଛିଡ଼ା ନ ହୋଇ ଅନେକ ବୁଲିଲେ, ଅନେକ ଦେଖିଲେ । ଦେଖା ମଧ୍ୟ ହେଲା ଅନେକଙ୍କ ସହିତ । ସମସ୍ତେ ଜଣାଶୁଣା ପରିଚିତ ପରି ହୃଦ୍‌ବୋଧ ହେଲା ।

 

ପେଟରେ ଭୋକ ଏବଂ ତଣ୍ଟିରେ ଶୋଷ ନ ଥିଲେ ବି ଚିରାଚରିତ ଅଭ୍ୟାସ ଅନୁସାରେ ମଧ୍ୟାହ୍ନ ଭୋଜନ ଠିକ ସମୟରେ ଶେଷ କରିବା ପାଇଁ ଚାହିଁଲେ । ବୟସ ହେବା ପରେ ସେ ଆଉ ପ୍ରାତଃଭୋଜନ କରୁ ନ ଥିଲେ । ବହୁ ପଥ ଅତିକ୍ରମ କଲେ, ଅନେକ ସ୍ଥାନରେ ଅନୁସନ୍ଧାନ କଲେ; କିନ୍ତୁ ଭୋଜନର ବ୍ୟବସ୍ଥା କାହିଁ ଥିବାର ଜାଣିଲେନାହିଁ । ତାଙ୍କ ସ୍ତ୍ରୀ ବା ବୋହୁ ସେଠାରେ ନ ଥିଲେ । ଯେଉଁମାନେ ତାଙ୍କୁ ଖାଇବା ଟେବୁଲ ଉପରକୁ ଆଗ୍ରହର ସହିତ ଡାକୁଥିଲେ, ସେମାନେ ପାଖ ଆଖରେ କେହି ନ ଥିଲେ । ପଥ ବଣା ହୋଇ ବୁଲିବା ପରି ମନେହେଲା । ତଥାପି ଭୋଜନପର୍ବ ଶେଷ ନକଲେ ନହୁଏ ବୋଲି ସେ ଜଣକୁ ପଚାରିଲେ, ‘ଭଦ୍ର ! ଭୋଜନାଳୟର ଠିକଣା କହି ପାରିବେ ?’ ସେ ମହାଶୟ ଅତିଶୟ ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ନିତ୍ୟ ଭୋଜନ ଏଠାରେ କେହି କରନ୍ତି ନାହିଁ । ଅମୃତପାନ କରି ତ ସମସ୍ତେ ଅମର, ଅନନ୍ତକାଳ ଯାଏ ସେମାନଙ୍କର କ୍ଷୁଧା ପିପାସା ରହିବ ନାହିଁ । ଭୋଜନ ହିଁ କେବଳ ମର୍ତ୍ତ୍ୟର ପ୍ରୟୋଜନ । ଏଠାରେ ସର୍ବଦା ଅମୃତ ଆନନ୍ଦ ଏବଂ ଆଲୋକ ବିରାଜମାନ ।’’

 

ହଠାତ୍‌ ମୃତ୍ୟୁଞ୍ଜୟଙ୍କର ମନେ ପଡ଼ିଲା ଯେ ସେ ଯାହା ଶୁଣିଚନ୍ତି, ସବୁ ସତ୍ୟ । ଏଠାରେ କେହି ବାଳକ ବା ବୃଦ୍ଧ ନାହାନ୍ତି, ସ୍ଥବିର ବା ରୋଗଗ୍ରସ୍ଥ କାହାକୁ ଦେଖୁ ନାହାନ୍ତି । ଜନ୍ମ, ବୃଦ୍ଧି, ଜରା ଓ ମୃତ୍ୟୁ ଏଠାରେ ଚତୁଷ୍ପଦ ପ୍ରାଣୀ ଭାବରେ ବିଚରଣ କରୁନାହିଁ, ଏଠାରେ ଦିନରାତି ହେଉନାହିଁ, ସମୟ ବଦଳୁନାହିଁ, ସମୟ ସ୍ଥିର ଓ ଅନନ୍ତ । ଦେହରେ ଜ୍ୟୋତି, ଶକ୍ତି ଏବଂ ଯୌବନ ।

 

ପୁଲକିତ ହେଲେ ମୃତ୍ୟୁଞ୍ଜୟ । ଆଉ କାହାରି ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି ନିଶ୍ଚିନ୍ତ ହେଲେ । ପ୍ରତିଦିନ ସକାଳେ କପେ ଅମୂଲରେ ଇସାବଗୁଲ ମିଶାଇ ପିଉଥିଲେ । ସେ ସମସ୍ତଙ୍କଠାରୁ ଆଗରୁ ଉଠୁଥିଲେ ବୋଲି ଅନେକ ସମୟ ଏହି କପେ ଦୁଧ ପାଇଁ ଅପେକ୍ଷା କରୁଥିଲେ । ଏଠାରେ ସେଥିର ପ୍ରୟୋଜନ ନାହିଁ, ତେଣୁ ଅପେକ୍ଷା ବା ବ୍ୟସ୍ତତା ମଧ୍ୟ ନାହିଁ । ସେ ଘରେ ବସି ଗରମ ଗରମ ଖାଇବାକୁ ଭଲ ପାଉଥିଲେ । ହୋଟେଲରେ ଭଲଭାବରେ ଧୁଆଧୋଇ ନ କରି ସେହି ପ୍ଳେଟ, କଣ୍ଟା ଓ ଚାମୁଚ୍‌ ବାରମ୍ବାର ଭିନ୍ନ ଲୋକମାନଙ୍କ ପାଇଁ ବ୍ୟବହୃତ ହୁଏ ବୋଲି ସେ ହୋଟେଲରେ ଖାଉନଥିଲେ । ଏଠାରେ ଆଉ କେବେ ଖାଇବାର ପ୍ରୟୋଜନ ରହିବ ନାହିଁ ଜାଣି ପରମ ନିଶ୍ଚିନ୍ତ ହେଲେ ।

 

ଏ ରାଜ୍ୟର ସୌନ୍ଦର୍ଯ୍ୟ ସଦ୍ୟସ୍ନାତ ସୁନ୍ଦରୀ ତରୁଣୀ ପରି ପ୍ରସ୍ଫୁଟିତ । ଚାରିଆଡ଼େ ସୁନ୍ଦର, ସବୁଜ ଦୁର୍ବାଦଳ ଏବଂ ଅସଂଖ୍ୟ ଫୁଲବଗିଚା । ମଝିରେ ମଝିରେ କାଚକେନ୍ଦୁ ପାଣିରେ ଭର୍ତ୍ତି ହ୍ରଦ । ଅସୁମାରି ପଦ୍ମଫୁଲ, ଅଭିରାମ ଶୋଭା । ରଙ୍ଗ ଏବଂ ରଙ୍ଗ । ସୁବାସ ଛୁଟେ ମନ୍ଦ ମଳୟରେ । ଆଖି ଯୋଡ଼ିହୋଇଗଲା । ଦେହର ଅପୂର୍ବ ସୁରଭିର ସ୍ନିଗ୍‌ଧ ସ୍ପର୍ଶ କୁସୁମିତ ହେଲା । ହ୍ରଦର ନିର୍ମଳ ଜଳରେ ସ୍ନାନ କରିବା ପାଇଁ ଇଚ୍ଛା ହେଲା । ଲକ୍ଷ ଲକ୍ଷ ପଦ୍ମଫୁଲ ମେଳରେ ଖେଳିବା ପାଇଁ ଇଚ୍ଛା ହେଲା ।

 

ହଠାତ୍‌ ଗୋଟିଏ ସ୍ଥାନରେ ଛିଡ଼ା ହୋଇଗଲେ ମୃତ୍ୟୁଞ୍ଜୟ । ସେ ସ୍ତବ୍‌ଧ ହୋଇଗଲେ । ଏତେ ବାଟ ଆସିଲେ, ଏତେ ସ୍ଥାନ ଦେଖିଲେ; କିନ୍ତୁ କେଉଁଠାରେ ହେଲେ ଦୁର୍ବାଦଳ ଏବଂ ଫୁଲ ବ୍ୟତୀତ ଆଉକିଛି ଦେଖିଲେ ନାହିଁ । ଶସ୍ୟକ୍ଷେତ୍ର ନ ଦେଖି ଅବାକ୍‌ ହୋଇଗଲେ । ସବୁଠାରେ ଫୁଲ ଏବଂ ଫୁଲ; ଧାନଖେତ, ମକାଖେତ, ଗହମଖେତ, ଆଖିରେ ପଡ଼ିଲା ନାହିଁ, ଜମିରେ କାମ କରୁଥିବା କୃଷକମାନଙ୍କୁ ଦେଖିଲେ ନାହିଁ, ମୂଲିଆ ହଳିଆ ଦୃଷ୍ଟିଗୋଚର ହେଲେ ନାହିଁ । ସେ ସୋରିଷ ଫୁଲ ଖାଇବାକୁ ଭଲ ପାଉଥିଲେ, ବାଇଗଣର ଫୁଲକୁ ଦେଖି ଖୁସି ହେଉଥିଲେ । ଏସବୁ କିଛି ହେଲାନାହିଁ ।

 

ସେ ଆଗ୍ରହ ଦମନ କରିନପାରି ଜଣକୁ ପଚାରିଲେ; ‘‘ଏଠାରେ ଚାଷ ହୁଏ ନାହିଁ, ଲୋକେ ଖାଆନ୍ତି କଅଣ ? ଜମିତ ଖୁବ୍‌ ଉର୍ବର, ଶସ୍ୟ ପକେଇଦେଲେ ଗଛ ଉଠିବ । ଜମି ପତିତ ପଡ଼ିଛି କାହିଁକି ? ପୃଥିବୀର ଲୋକେ ଶସ୍ୟ ବିନା ଭୋକ ଉପାସରେ ହାଉଯାଉ ହଉଛନ୍ତି । ଅକାଳରେ ଝରିପଡ଼ୁଚନ୍ତି ଶିଶୁ, ବାଳକ, ଯୁବା । ଖାଦ୍ୟପାଇଁ ରେସନ ଦୋକାନରେ ଭିଡ଼, ରାସ୍ତାରେ ମାରପିଟ, ଦରବୃଦ୍ଧି ଆନ୍ଦୋଳନ, ଏବଂ ଅଶାନ୍ତି ଓ ଅସ୍ଥିରତା । ଏଠାରେ ସେ ସବୁତ ଦେଖୁନାହିଁ ।’’

 

ସେହି ଦିବ୍ୟପୁରୁଷ କହିଲେ, ‘‘ସ୍ୱର୍ଗରେ ଏସବୁର ପ୍ରୟୋଜନ ହୁଏନାହିଁ । ଏଠାରେ ସବୁ ଶାନ୍ତ, ସ୍ଥିର ଏବଂ ସମନ୍ୱିତ । କେବଳ ଐଶ୍ୱର୍ଯ୍ୟ ଏବଂ ପ୍ରାଚୁର୍ଯ୍ୟ । ସମସ୍ତେ ଭୋକ୍ତା । ବିଦ୍ୱେଷ ନାହିଁ, ପରସ୍ପର ମଧ୍ୟରେ ଏଥିପାଇଁ ଅଶାନ୍ତି ନାହିଁ ।’’

 

ମୃତ୍ୟୁଞ୍ଜୟଙ୍କ ମନକୁ କଥାଟା ପାଇଲା ନାହିଁ । ସେ ଆସିବା ବେଳେ ବାଇଗଣ କିଲୋ ଅଢ଼େଇଟଙ୍କା, ପୋଟଳ ପାଞ୍ଚଟଙ୍କା ହେବାର ଦେଖି ଆସିଥିଲେ । ପୋକରା ଗହମ ଖାଇ ପାଟିର ସୁଆଦ ନଷ୍ଟ ହୋଇଯାଇଥିଲା । ଭେଜାଲ ତେଲ ବ୍ୟବହାର କରି କ୍ରମାଗତ ଆମାଶୟ ରୋଗରେ ଆକ୍ରାନ୍ତ ହୋଇ ଅନେକ କଷ୍ଟ ଭୋଗୁଥିଲେ । ପାଣିମିଶା ଦୁଧ ଖାଇ ବିରକ୍ତି ଆସୁଥିଲା । ନିଶ୍ଚିନ୍ତ ହେଲେ ଯେ ଏସବୁ ଏଠାରେ ନାହିଁ; କିନ୍ତୁ ଦୁଃଖିତ ହେଲେ ଯେ ଚାଷ ହେଉନାହିଁ, ଉର୍ବର ଜମି ପଡ଼ିଆ ପଡ଼ିଚି । ଚାଷ କଲେ କେତେ ଶସ୍ୟ ହୁଅନ୍ତା, ମର୍ତ୍ତ୍ୟକୁ ପଠାଇ ସେମାନଙ୍କ ସହିତ ମୈତ୍ରୀ ସ୍ଥାପନ କରାଯାଇ ପାରନ୍ତା । ସେ ଆଶା ହରାଇଲେ ନାହିଁ, ଦିନେ ଯେ ସ୍ୱର୍ଗ ଏବଂ ମର୍ତ୍ତ୍ୟ ମଧ୍ୟରେ ସହାବସ୍ଥାନ ସମ୍ଭବ ହେବ, ଏ ବିଷୟରେ ଆଶାବାଦୀ ହେଲେ ।

 

ଆହୁରି ଅବାକ୍‌ ହେଲେ ଯେ ରାସ୍ତାରେ ମୋଟେ ଭିଡ଼ ନ ଥିଲା, ଯାନବାହାନର ଶବ୍ଦ ବା ଯିବା ଆସିବା ନଥିଲା । ସମସ୍ତେ ସ୍ୱୟଂଚାଳିତ ଯାନପରି ଈପ୍‌ସିତ ବେଗ ଅନୁସାରେ ଯିବାଆସିବା କରୁଥିଲେ, ଦରକାର ପଡ଼ିଲେ ଆକାଶରେ ଉଡ଼ୁଥିଲେ । ବସ୍‌ଷ୍ଟାଣ୍ଡ ନଥିଲା, ବସ୍‌ରେ ଝୁଲି ଝୁଲି ବା ରେଳଗାଡ଼ିରେ ବିନା ଟିକେଟରେ ବସ୍ତାଚାପା ହୋଇଯିବାର ଦରକାର ନଥିଲା । ବିଗୁଲ ନାହିଁ, ଧୂଆଁ ନାହିଁ, ଶବ୍ଦ ବି ନାହିଁ । ସବୁଆଡ଼େ ଶ୍ମଶାନର ଶାନ୍ତ ନୀରବତା ବିରାଜମାନ କରୁଥିଲା ।

 

ସେ ଅନେକ କାମ କରୁଥିଲେ । ସକାଳରୁ ସନ୍ଧ୍ୟାଯାଏ ବ୍ୟସ୍ତ ରହୁଥିଲେ । ଏଠାରେ ସବୁବେଳେ ବିରତିର ଶାନ୍ତି । କାମ ନାହିଁ, ସଂଗ୍ରାମ ନାହିଁ, ଶୋଭାଯାତ୍ରା ବି ନାହିଁ । କାମ ପାଇଁ କେହି ନାମ ଲେଖାଉ ନାହିଁ, କମ ଦରମା ପାଇ ପ୍ରତିବାଦ କରିବାର ସୁଯୋଗ ନାହିଁ ବା ବଡ଼ ବଡ଼ ଅଫିସରେ ଦଳ ଦଳ ଲୋକ ବର୍ଷଯାକ ବସି ଫାଇଲ ଧରିବାର ଆବଶ୍ୟକତା ନାହିଁ । ମୃତ୍ୟୁଞ୍ଜୟ ଯେତିକି ଦେଖିଲେ ସେତିକି ସ୍ତବ୍‌ଧ ହେଲେ । ଅଶାନ୍ତି, ଅସନ୍ତୋଷ, ଅସ୍ଥିରତା ବଦଳରେ କେବଳ ଚିରନ୍ତନ ପ୍ରଶାନ୍ତି, ସନ୍ତୋଷ ଏବଂ ସୁଯୋଗ ।

 

ଜୀବନ ସୁଖ ଓ ଦୁଃଖ, ଐଶ୍ୱର୍ଯ୍ୟ, ଅହଂକାର ଏବଂ ଉଦାରତା ଦୟା, କ୍ଷମା, ପାପ ଓ ପୁଣ୍ୟକୁ ନେଇ ସମୃଦ୍ଧ । ପାପ ନ ଥିଲେ ପୁଣ୍ୟ ପାଇଁ ତପସ୍ୟା କିଏ କରନ୍ତା ? ପାପ ନଥିବାରୁ ହିଂସା, ଦ୍ୱନ୍ଦ, ଛଳନା, ଲାଳସା ବି ନାହିଁ । ବୈଚିତ୍ରହୀନ ଜୀବନ । ଅଭୀପ୍‌ସା ନଥିବାରୁ ଉର୍ଦ୍ଧ୍ୱମୁଖୀ ଜୀବନର ସାଧନା ବି ନାହିଁ । କେବଳ ଅଖଣ୍ଡ ଉଦାରତା, ଅନନ୍ତ ଐଶ୍ୱର୍ଯ୍ୟ । ପ୍ରତ୍ୟେକ ନିଜସ୍ୱ ବୈଶିଷ୍ଟ୍ୟରେ ଜାଜ୍ୱଲ୍ୟମାନ । ଶ୍ରମ ନାହିଁ, ସ୍ୱେଦ ନାହିଁ, ସଂଗ୍ରାମ ବି ନାହିଁ । କେବଳ ସିଦ୍ଧି ସଂହତି ଓ ସମତା ।

 

ମୃତ୍ୟୁଞ୍ଜୟ ଅନେକ କଳ୍ପନା କରିଥିଲେ । ଡାକ୍ତରୀ କରୁଥିବା ବେଳେ ପାପ ଅପେକ୍ଷା ପୁନ୍ୟର ମାତ୍ରା ଅଧିକ କରିବା ପାଇଁ ସଦା ଜାଗ୍ରତ ଥିଲେ । ପୁଣ୍ୟରେ ଥାଏ ଶାନ୍ତି, ପାପରେ ଶିହରଣ । ସେ କେତେ ରୋଗୀଙ୍କୁ ବିନା ପଇସାରେ ଚିକିତ୍ସା କରୁଥିଲେ, ଲୋକଙ୍କୁ ବିପଦ ଆପଦରେ ସାଧ୍ୟମତେ ସାହାଯ୍ୟ ସହାନୁଭୂତି ଜଣାଉଥିଲେ । ଏଠାରେ ସେ ସବୁର ଆବଶ୍ୟକତା ନାହିଁ । ନିରୁଦ୍ୟମର ଏକ ଅଖଣ୍ଡ ସ୍ଥିତି ସମସ୍ତଙ୍କୁ ଅଧିକ କୋମଳ କରିଥିଲା । ଶ୍ରମ ନ ଥିବାରୁ ସ୍ୱେଦ ବା ଶୋଣିତ ନ ଥିଲା । କର୍ମକୁ ଦକ୍ଷତା ଏବଂ ଉତ୍କର୍ଷର ସହିତ ସମାପନ କରିବାହିଁ ଯୋଗ ବୋଲି ବିବେଚିତ ହେଉଥିଲା । ଏ ଦେଶର କର୍ମ ନାହିଁ, କର୍ତ୍ତବ୍ୟ ନାହିଁ; ଏଣୁ ଅସ୍ପୃହା ବା ଉଦ୍ୟମ ନାହିଁ । ସବୁଠାରେ ନିଷ୍କ୍ରିୟତା ଲକ୍ଷ୍ୟ କଲେ ମୃତ୍ୟୁଞ୍ଜୟ । ପ୍ରାଚୁର୍ଯ୍ୟ, ଶାନ୍ତି ଏବଂ ମଧୁରତା ସମସ୍ତଙ୍କୁ ଉଦ୍ୟମହୀନ କରିଦେଇଥିଲା । ଯେହେତୁ ସବୁ ଅପରିବର୍ତ୍ତନୀୟ, ସେ ହେତୁ ପରିବର୍ତ୍ତନ ପାଇଁ ସଂଗ୍ରାମ ନଥିଲା । ପରିଶ୍ରମର ପରାକାଷ୍ଠା ମଧ୍ୟ ନଥିଲା । ପରାଜୟ ବିଫଳତା, ଗ୍ଳାନି, କ୍ଷୋଭ କେହି ଜାଣି ନଥିଲେ । କେହି ଅସହାୟ ନଥିଲେ ବା ଜଣେ ଆଉ ଜଣକ ଉପରେ ନିର୍ଯ୍ୟାତନା କରୁ ନଥିଲା । ଏତାଦୃଶ ଏକ ଦେଶରେ ବାସ କରିବାକୁ ହେବ ଭାବି ସେ ନିଶ୍ଚିନ୍ତ ହେଲେ ବି ଉତ୍ସାହିତ ହେଲେ ନାହିଁ ।

 

ସମସ୍ତେ ସତ୍ୟସିନ୍ଧ ଏବଂ ସତ୍ୟବାନ । ମିଛର ସଂଜ୍ଞା ସମ୍ପର୍କରେ ସମସ୍ତେ ଅନଭିଜ୍ଞ ଏବଂ ଅଜ୍ଞ । ଅଥଚ ଦରକାର ହେଲେ ମୃତ୍ୟୁଞ୍ଜୟ ମିଛ କହିବାକୁ ପଛାଇ ନଥିଲେ । ସ୍ତ୍ରୀଙ୍କ ପାଖରେ ସେ ଏକାନ୍ତ ଅନୁଗତ ଥିଲେ ବି ଭଲ ସୁନ୍ଦର ମୁହଁଟିଏ ଦେଖିଲେ ଆଡ଼ ନୟନରେ ଅନାଉଥିଲେ । ଫୁଲ ପରି ନାରୀ ମଧ୍ୟ ତାଙ୍କୁ ଆକର୍ଷଣ କରୁଥିଲା । ଏଠାରେ ତାଙ୍କୁ ପ୍ରଲୋଭିତ କରିବା ପାଇଁ କେହି ଆସୁଥିବାର ସେ ଦେଖିଲେ ନାହିଁ ।

 

ସେ ଭଲ କାମ କରିଥିଲେ ବୋଲି ସ୍ୱର୍ଗକୁ ଆସିଲେ । ସେ ଏଠାରେ କାମ କରିବାର ଅଧିକ ସୁଯୋଗ ପାଇବେ ବୋଲି ଆଶା କରିଥିଲେ । କିନ୍ତୁ ତାହା ହେଲାନାହିଁ । ତାଙ୍କର ପ୍ରୟୋଜନ କେହି ଉବଲବ୍‌ଧି କଲେ ନାହିଁ ।

 

ତାଙ୍କ ନାତୁଣୀ ରାନୁ ପରି କାହାକୁ ଦେଖିଲେ ନାହିଁ, ବା ନାତି ଗୌତମର ଚପଳତା ଏବଂ ଦୁଷ୍ଟାମି ଲକ୍ଷ୍ୟ କଲେ ନାହିଁ । ମର୍ତ୍ତ୍ୟରେ ହସ ଥିଲା କାନ୍ଦ ବି ଥିଲା । ଅଶ୍ରୁପୋଛି ଦେବାପରେ ହସର ରେଖାଟି ମେଘମୁକ୍ତ ସୂର୍ଯ୍ୟର ହସନ୍ତ ରୂପ ପରି ପିଲାଙ୍କ ମୁହଁ ଉପରେ ଫୁଟିଉଠୁଥିଲା । ମାଆର ମମତା, ଭଉଣୀର ସ୍ନେହ, ସ୍ତ୍ରୀର ସୋହାଗ, ନାରୀର ପ୍ରେମ, ପୁରୁଷର ପ୍ରଚେଷ୍ଟା କିଛି ନଥିବାରୁ ସେ ଉଦ୍‌ବିଗ୍ନ ହେଲେ ଏବଂ ସେସବୁ ପୂର୍ଣ୍ଣତା ମଧ୍ୟରେ ନିଃସ୍ୱ ହେବାର ଅବସାଦ ଅନୁଭବ କଲେ ।

 

ସେ ଯେତିକି ଦେଖିଲେ, ସେତିକି ସଂଶୟ ଦୋଳାରେ ଦୋଳାୟିତ ହେଲେ । ଏହି ଶାଶ୍ୱତ, ସୁଷମାମୟ, ଏବଂ ଶାନ୍ତ ଜୀବନ ସହ ନିଜକୁ ମିଶାଇଦେଇ କର୍ମହୀନ ଏକ ଅଚଞ୍ଚଳ, ଉଦ୍ୟମହୀନ, ପୋଖରୀର ଜଳପରି ନିସ୍ତରଂଗ ଜୀବନଯାପନ କରିବା ପାଇଁ ଭଲ ଲାଗୁନଥିଲା ।

 

ଏବେ ବି ସ୍ୱର୍ଗର ସବୁ ଦେଖା ହୋଇନଥିଲା ବୋଲି ସେ ପୁଣି ବାହାରିଲେ । ଇଚ୍ଛା କଲାମାତ୍ରେ ବ୍ୟୋମଯାନ ପରି ଉଡ଼ିବାକୁ ଲାଗିଲେ, ବିଶ୍ୱବ୍ରହ୍ମାଣ୍ଡର ଅପୂର୍ବ ଶୋଭା ଦେଖି ଆତ୍ମହରା ବି ହେଲେ । ସ୍ୱର୍ଗର ଅପ୍‌ସରାମାନଙ୍କ ସହିତ ଏଯାଏ ସାକ୍ଷାତ ହୋଇନଥିଲା । ଏଥିପାଇଁ ନିଜକୁ ଧିକ୍‌କାରିଲେ । ଉର୍ବଶୀ, ମେନକା ପ୍ରଭୃତିଙ୍କୁ ମର୍ତ୍ତ୍ୟରେ ପାଇବା ପାଇଁ ବିଶିଷ୍ଟ, ବିଶ୍ୱାମିତ୍ର ଭଳି ଋଷିମାନେ ଯୋଗଭ୍ରଷ୍ଟ ହୋଇଥିଲେ । ଅଥଚ ସେ ସ୍ୱର୍ଗକୁ ଆସି ସେମାନଙ୍କ ସହିତ ସାକ୍ଷାତ ବି କରିନଥିବାରୁ ନିଜର ଭୁଏ ଅକ୍ଷମଣୀୟ ବୋଲି ଅନୁଭବ କଲେ ।

 

ଅନେକ ବୁଲିବା ପରେ ସହସ୍ର ତାରକା ଖଚିତ ଝଲମଲ କରୁଥିବା ଏକ ଅନନ୍ୟ ଅଟ୍ଟାଳିକା ଦୃଷ୍ଟିଗୋଚର ହେଲା । ଚତୁର୍ଦ୍ଦିଗରେ ସୁବାସ ଅଟ୍ଟାଳିକାକୁ ଘେରି ନୀଳହ୍ରଦ ଏବଂ ସେଥିରେ ଅସଂଖ୍ୟ ରକ୍ତ ପଦ୍ମ । ଏତେ ପଦ୍ମଫୁଲମାନଙ୍କ ମଧ୍ୟରେ ଗୋଟିଏ ଭ୍ରମରକୁ ନଦେଖି ସେ ଅବାକ୍‌ ହୋଇଗଲେ । ସ୍ୱର୍ଗର ଶିଷ୍ଟାଚାର, ଆଦବକାଏଦା ଜାଣିନଥିଲେ । କାଳେ ତ୍ରୁଟି ରହି ଯାଇପାରେ ବୋଲି ବ୍ୟବହାରକୁ ସଂଯତ କଲେ ।

 

ପ୍ରଧାନ ଫାଟକ ପାଖରେ ଛିଡ଼ା ହୋଇ କେତେକ ଅପ୍‌ସରୀଙ୍କୁ ଦେଖିଲେ । ସେମାନେ ଥିଲେ ନୃତ୍ୟରତା । ମୁହଁରେ ଅବୋଧ୍ୟ ସଙ୍ଗୀତ ।

 

ତାଙ୍କୁ ଦେଖି ସେମାନେ ସ୍ୱାଗତ ଜଣାଇଲେ ।

 

ସେମାନଙ୍କୁ ଦେଖି ସେ ଆଖିର ପଲକ ପାରିଲେ ନାହିଁ । ନାରୀ ଏଡ଼େ କୋମଳ ଏବଂ ଲାବଣ୍ୟମୟୀ ହୋଇପାରେ, ଏହା ସେ କଳ୍ପନା କରିନଥିଲେ । ସମସ୍ତେ ପ୍ରାୟ ଏକା ପରି । ସେ ହସ୍‌ପିଟାଲରେ କାର୍ଯ୍ୟ କରୁଥିବା ସମୟରେ ନର୍ସମାନେ ଏକାପରି ପୋଷାକ ପିନ୍ଧ ଆସୁଥିଲେ ସିନା, ସେମାନଙ୍କର ହସ ଏକା ନ ଥିଲା, ଆବାହନରେ ବି ତଫାତ୍‌ ଥିଲା । ସେମାନଙ୍କ ମଧ୍ୟରୁ କାହାରି ହାତ ଛୁଇଁ ଦେଇ, ଦେହ ସହିତ ଲାଗି ଯାଇ ଯେଉଁ ଟିକେ ଶୀତ୍‌କାର ସଂଚୟ କରୁଥିଲେ, ତାହା ତାଙ୍କୁ ଅଧିକ କାମ କରିବାରେ ଅନୁପ୍ରାଣିତ କରୁଥିଲା । ଏଠାରେ ବି ସେହିପରି ଟିକେ ଛୁଇଁ ଦେବା ପାଇଁ ହାତ ବଢ଼ାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ହାତ ଉଠିଲା ନାହିଁ, ସେହି ଅପ୍‌ସରିରୀମାନେ ସହସା କେଉଁଆଡେ ଅଦୃଶ୍ୟ ହୋଇଗଲେ ।

 

ତା’ପରେ ସେ ଭିତରକୁ ପ୍ରବେଶ କରନ୍ତେ ହଠାତ୍‌ ରଙ୍ଗାଳୟରେ ନୃତ୍ୟରତା ଉର୍ବଶୀଙ୍କ ସହିତ ଦେଖା ହୋଇଗଲା । ସ୍ୱର୍ଗର ସମସ୍ତ ସୌନ୍ଦର୍ଯ୍ୟ ଗୋଟିଏ ବିନ୍ଦୁରେ ଯେପରି ଠୂଳ ହୋଇଥିଲା । ସେ ବିଭୋର ହୋଇଗଲେ ।

 

ତା’ପରେ ସେହି ଅନ୍ୟନ୍ୟ, ଅନୁପମାର ସାନ୍ନିଧ୍ୟ ଲାଭ କରିବାପାଇଁ କାମନା ହେଲା ମୃତ୍ୟୁଞ୍ଜୟଙ୍କର ।

 

ଉର୍ବଶୀ ତାଙ୍କୁ ସମ୍ଭୋଧନ କରି କହିଲେ, ଭଦ୍ର ! ଏଠାରେ ନୁହେଁ । ଏଠାରେ ଦେହର ସାନ୍ନିଧ୍ୟ ନୁହେଁ କେବଳ ଶାଶ୍ୱତ, ଚିରନ୍ତନ, ଅବିକୃତ ପ୍ରେମ ପ୍ରବାହିତ ହୁଏ । ସେହି ସାନ୍ନିଧ୍ୟର ସୁଷମା ସଚ୍ଚିଦାନନ୍ଦଙ୍କ ସହିତ ସଂମ୍ଭନ୍ଧ ।

 

ମୃତ୍ୟୁଞ୍ଜୟ ଲଜ୍ଜିତ ହେଲେ । ଜୀବନଯାକ ସାଧନା କରି ସ୍ୱର୍ଗକୁ ଆସିଥିବାରୁ ସେ ନିଜକୁ ତିରସ୍କାର କଲେ । ଏଠାରେ ନୀରୀର ଲାବଣ୍ୟ ଅଛି, ଅଥଚ ଅଙ୍ଗସୁଖର ଅଭୀପ୍‌ସା ନାହିଁ; ଯୌବନ ଅଛି, କିନ୍ତୁ ସଂଭୋଗର ବାସନା ନାହିଁ ।

 

ତଥାପି ଭରସିକରି କହିଲେ ସେ, ‘‘ମର୍ତ୍ତ୍ୟକୁ ବିଜେ କରି ଋଷିମାନଙ୍କର ତପୋଭଙ୍ଗ କରିଥିଲ । ଦେବତାମାନେ ନିଜର ନ୍ୟସ୍ତସ୍ୱାର୍ଥ ଏବଂ ସ୍ଥିତାବସ୍ଥାକୁ ବଜାୟ ରଖିବା ପାଇଁ ତୁମକୁ ବାରମ୍ବାର ବ୍ୟବହାର କରିଥିଲେ । ମର୍ତ୍ତ୍ୟରେ ଉର୍ବଶୀ ଏବଂ ମେନକା ପ୍ରଭୁତିଙ୍କୁ ବ୍ୟବହାର କରି ବଡ଼ ବଡ଼ ଅଫିସରମାନଙ୍କୁ ବଶ କରି ଲାଇସେନସ୍‌, ପରମିଟ ଆଦାୟ କରିହୁଏ । ଏଠାରେ ଅବଶ୍ୟ ସେଥିର ପ୍ରୟୋଜନ ନାହିଁ । କିନ୍ତୁ ତଥାପି ସୌନ୍ଦର୍ଯ୍ୟ କଅଣ କେବଳ ଦେଖିବା ପାଇଁ.....-?’’

 

ଉର୍ବଶୀ ହସିଦେଇ କହିଲେ, ଅଭିମାନ ସାଜେନା ଏଠାରେ । ଏଠାରେ ସବୁ କାମନା ଊର୍ଦ୍ଧ୍ୱଗାମୀ, ମନୋମୟ ଜଗତର ବହୁ ଉର୍ଦ୍ଧ୍ୱରେ । କିନ୍ତୁ ମର୍ତ୍ତ୍ୟରେ ଦେହକୁ କେନ୍ଦ୍ର କରି ସବୁ କାର୍ଯ୍ୟ ଚାଲିଚି ।

 

ମୃତ୍ୟୁଞ୍ଜୟ କହିଲେ, ପୃଥିବୀକୁ ଯେପରି ଅସ୍ୱୀକାର କରି ହୁଏନାହିଁ, ଦେହକୁ ମଧ୍ୟ ସେହିପରି ଅବାସ୍ତବ ବୋଲି ବାଦ୍‌ଦେଇ ହୁଏନାହିଁ । ମର୍ତ୍ତ୍ୟର ଆନନ୍ଦ ଏବଂ ଶିହରଣ ଅସ୍ଥାୟୀ ହେଲେ ମଧ୍ୟ କାମ୍ୟ ନୁହେଁ କି ? ତୁମେ ଆଉଥରେ ଚାଲ.....

 

ହାସ୍ୟରତା ଉର୍ବଶୀ କହିଲେ ଏତେ ଅସ୍ଥିରତା ଶୋଭାପାଏ ନା ଭଦ୍ର ! ତୁମେ ପୁରୁଷ, ପୁଣି ତୁମେ ସ୍ୱର୍ଗୀୟ ସ୍ଥିତିର ଅଧିକାରୀ । କିନ୍ତୁ ପ୍ରକୃତରେ ଯଦି ତୁମେ ମୋର ସାନ୍ନିଧ୍ୟ ସର୍ବାନ୍ତଃକରଣରେ କାମନା କରି ମର୍ତ୍ତକୁ ଯିବାପାଇଁ, ମୁଁ ପ୍ରସ୍ତୁତ, କିନ୍ତୁ ଗୋଟିଏ ସର୍ତ୍ତରେ ।

 

ସେହି ସର୍ତ୍ତ କଅଣ ? ପଚାରିଦେଲେ ମୃତ୍ୟୁଞ୍ଜୟ ।

 

ଉର୍ବଶୀ କହିଲେ, ଆମେ ପୁଣି ନାରୀ ଏବଂ ପୁରୁଷ ହୋଇ ଜନ୍ମଗ୍ରହଣ କରିବା, କିନ୍ତୁ ଆମେ ପୃଥିବୀର ରୂପାନ୍ତର ନକରି ମୋହ ଏବଂ ମାୟାରେ ଆବଦ୍ଧ ହେବାନାହିଁ, କ୍ଷଣିକ ଅଙ୍ଗ ସୁଖପାଇଁ ବିରାଟ ଅଭିରାମ ଐଶ୍ୱର୍ଯ୍ୟ ଏବଂ ସମ୍ଭାବନାକୁ ନଷ୍ଟ କରିବାନାହିଁ ।

 

ସେ ରୂପାନ୍ତର କଅଣ ପାଇଁ, ତାର ସ୍ୱରୂପ କଅଣ ? ପଚାରିଲେ ମୃତ୍ୟୁଞ୍ଜୟ ।

 

ଉର୍ବଶୀ କହିଲେ, ମର୍ତ୍ତ୍ୟକୁ ସ୍ୱର୍ଗଠାରୁ ଆହୁରି ମହତ୍ତର ଏବଂ ମନୋରମ କରି ଗଠନ କରିବା ହେଲା ସେହି ରୂପାନ୍ତରର ଲକ୍ଷ୍ୟ । ସେଠାରେ ଅସୂୟା, ଅହଙ୍କାର, ପାପ, ଘୃଣା, ଲୋଭ, ଜରା ଓ ବ୍ୟାଧି, ଅଭାବ ଏବଂ ଅନ୍ଧକାର ସ୍ଥାନରେ ପ୍ରତିଷ୍ଠା କରିବାକୁ ହେବ ଉଦାରତା, ସହଯୋଗ, ସହାନୁଭୂତି; ପୁଣ୍ୟ, ପ୍ରେମ, ଶ୍ରୀ, ସଂପଦ, ସମତା, ଆନନ୍ଦ ଏବଂ ଆଲୋକ । ସମସ୍ତେ ହେବେ କର୍ମଯୋଗୀ । କର୍ମଯୋଗର ପୂର୍ଣ୍ଣାହୂତି ଦ୍ୱାରା ହିଁ ପୂର୍ଣ୍ଣାଙ୍ଗ ମାନବ ଜନ୍ମଲାଭ କରିବ । ସଂଭୋଗ ଦ୍ୱାରା ନୁହେଁ, ସାଧନା ଦ୍ୱାରା ସେହି ସିଦ୍ଧି ସହଜ ହେବ । ପାରିବ ?

 

ମୃତ୍ୟୁଞ୍ଜୟ କହିଲେ, କେବଳ ଟିକେ ସଂଶୟ ରହିଗଲା ଦେବୀ । ସେହି ରୂପାନ୍ତରିତ ପୃଥିବୀରେ ଜନ୍ମ, ମୃତ୍ୟୁ, ସଂପଦ ଓ ସଂଭୋଗର ସ୍ଥାନ କଅଣ ?

 

ଜନ୍ମ ଓ ମୃତ୍ୟୁ ମଣିଷକୁ କବଳିତ କରିବ ନାହିଁ: ମଣିଷ ତାକୁ ପରିଚାଳିତ କରିବ । ଅପମୃତ୍ୟୁ, ଅକାଳମୃତ୍ୟୁ ହେବନାହିଁ । ପୃଥିବୀର କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଜନ୍ମହେବ ମଣିଷ-। ସଂସାର ଧର୍ମ ପାଳନ କରି ମଣିଷ ସଭ୍ୟତାର ଅଗ୍ରଗତି ପାଇଁ ନାରୀ ଓ ପୁରୁଷ ଗୋଟିଏ ସନ୍ତାନର ହେବେ ଜନକ ଓ ଜନନୀ । ନାରୀ ଓ ପୁରୁଷର ସଂପର୍କ ସଂଭୋଗ ଏବଂ ଅଙ୍ଗ ସୁଖପାଇଁ ହେବନାହିଁ, ସେହି ସଂପର୍କ ଆହୁରି ନିବିଡ଼ତର ହେବ ସାଧନା ଓ ସିଦ୍ଧି ପାଇଁ ।

 

ମୃତ୍ୟୁଞ୍ଜୟଙ୍କର ମୁହଁ ଉପରେ ଏକ ତୃପ୍ତିର ଦୀପ୍ତି ଖେଳିଗଲା ।

 

ଉର୍ବଶୀ କହିଲେ, ମନୁପୁତ୍ର ପଥଭ୍ରଷ୍ଟ ହୋଇ ଅନେକ ଦୁଃଖ ସହ୍ୟ କରିଚି, ଗ୍ଳାନି ଭୋଗ କରିଚି, ଜନ୍ମ ଓ ମୃତ୍ୟୁ ମଧ୍ୟରେ ଜରା ଓ ବାର୍ଦ୍ଧକ୍ୟକୁ ପ୍ରତ୍ୟକ୍ଷ କରିଚି । କିନ୍ତୁ ଆଉ ନୁହେଁ । ଅହଂକାରର ଅନ୍ଧକାର ଭିତରେ ତାକୁ ଆଉ ଅଣ୍ଡାଳିହେବା ପାଇଁ ନଦେଇ ତା ଆଗରେ ଗୋଟିଏ ଦୀପ ଜାଳିଦେବାକୁ ହେବ । କର୍ମଫଳକୁ ପ୍ରାରବ୍‌ଧ ଭାବରେ ଭୋଗ କରିସାରିଛି ମଣିଷ । ଏବେ ନୂତନ ସମୟ ସମାଗତ ।

 

ମୃତ୍ୟୁଞ୍ଜୟ କହିଲେ, ଚାଲ ତା’ହେଲେ ଆମେ ପୁଣି ମର୍ତ୍ତ୍ୟକୁ ଯିବା ।

 

ଉର୍ବଶୀ କହିଲେ; ତଥାସ୍ତୁ । କିନ୍ତୁ ସ୍ୱର୍ଗକୁ ଆସିବା ଯେତେ କଷ୍ଟ, ମର୍ତ୍ତ୍ୟକୁ ଯିବା ମଧ୍ୟ ସେହିପରି କର୍ମଫଳସାପେକ୍ଷ ।

 

ମୃତ୍ୟୁଞ୍ଜୟ କହିଲେ, ମୁଁ ପ୍ରସ୍ତୁତ ।

ଉର୍ବଶୀ କହିଲେ, ଭଦ୍ର, ଆଉଥରେ ସେହି ନିଷିଦ୍ଧ ଫଳକୁ ଆସ୍ୱାଦନ କରିବାକୁ ହେବ ।

 

ମୃତ୍ୟୁଞ୍ଜୟଙ୍କ ସର୍ବାଙ୍ଗରେ ସହସା ବିଜୁଳିର ଚମକ ଖେଳିଗଲା । ସେ ଆତ୍ମହରା ହୋଇ ପଡ଼ିଲେ ଏବଂ ପରମ ଆବେଗରେ ଉର୍ବଶୀଙ୍କୁ ଆଲିଙ୍ଗନ କଲେ ।

 

ସହସା ଦେଖାଗଲା ଯେ ଅନ୍ତରୀକ୍ଷରୁ ଦୁଇଟି ଜ୍ୟୋତିଷ୍ମାନ ନକ୍ଷତ୍ର ନିଜସ୍ୱ ଆଲୋକ ବିକିରଣ କରି ପୃଥିବୀ ଆଡ଼କୁ ତୀବ୍ର ବେଗରେ ଛୁଟି ଚାଲିଲେ ।

 

ମୃତ୍ୟୁଞ୍ଜୟଙ୍କ ଶୋକବିହ୍ୱଳ ପରିବାରରେ ତାଙ୍କର ଜ୍ୟୋଷ୍ଠା କନ୍ୟାର କୋଳମଣ୍ଡନ କରି ଗୋଟିଏ ପୁତ୍ର ଜାତ ହେଲା ।

 

ଏବଂ ବହୁଦିନ ଜନସେବା କରି ନିଃସନ୍ତାନ ଥିବା ଚିନ୍ମୟାନନ୍ଦଙ୍କ ପତ୍ନୀଙ୍କର ସବୁ ଆଶା ପୂର୍ଣ୍ଣ କରି ଜନ୍ମନେଲା ଗୋଟିଏ କନ୍ୟାରତ୍ନ ।

 

ପୃଥିବୀ ପୁଷ୍ଠରେ ଏକ ନବୀନ ଉଦ୍ୟମ ଦେଖାଦେଲା ।

 

କର୍ମ ଯୋଗର ପ୍ରଥମ ସଫଳତା ବହନ କରି ମଣିଷ ଚନ୍ଦ୍ର ଗ୍ରହରେ ପାଦଦେଇ ଯେତିକି ଆନନ୍ଦ ଲାଭ ନକରିଛି, ସଭ୍ୟତାର ଏହି ବିଜୟରେ ସେ ଅଶେଷ ଆନନ୍ଦିତ ହୋଇ ଚିତ୍‌କାର କରି ଉଠିଲା, ଏହା ମଣିଷର ଜାତିର ଏକ ପାଦ ଆଗକୁ ଯିବା ନୁହେଁ, ବରଂ ଭବିଷ୍ୟତର ମହାର୍ହ ସମ୍ଭାବନା ବକ୍ଷକୁ ଏକ ମହାନ୍‌ ଲମ୍ଫ ।

•••

 

ସୂର୍ଯ୍ୟ ମୁଖୀ

 

ପୃଥିବୀର ରୂପକୁ ଦର୍ଶନ କରି, ରସକୁ ପାନ କରି ଏବଂ ଗନ୍ଧକୁ ଆଘ୍ରାଣ କରି ପୁଷ୍ଟ ହୁଏ ମଣିଷର ମନ । ଯେତେ ଦେଖିଲେ ବି ସେ ଚାହେଁ ଆହୁରି ରଂଗ, ଆହୁରି ଅନୁରାଗ । ଫୁଲର ବର୍ଣ୍ଣରେ, ଆକାଶରେ ଶୋଭାରେ ଏବଂ ନଦୀର ପ୍ରବାହରେ ସେ ଶୁଣେ ଜୀବନର ସଂଗୀତ । ପୃଥିବୀର ଅନେକ ରସ ପାନ କରି ବି ତାର ତୃଷା ମେଣ୍ଟି ନାହିଁ । ମାତୃ ସ୍ତନର ଅମୃତ ଧାର, ବର୍ଷାର ସହସ୍ର ଧାନ ପାନ କରି ବି ସେ ତୃଷାର୍ତ୍ତ । ମାଟିର ଗନ୍ଧ ପରି ମଣିଷ ଦେହର ବାସ୍ନା ତାକୁ ଆହୁରି ପ୍ରଲୁବ୍‌ଧ କରେ । ଆହୁରି ବେଶୀ ପାଇବା ପାଇଁ ତା ମନର ଆଦିମ ଏବଂ ଅନାଦି ପିପାସା ତାକୁ ଦିଏ ଉଦ୍ୟମ । ଏହି ଉଦ୍ୟମ ଦ୍ୱାରା ଉଦ୍‌ବୁଦ୍ଧ ଏବଂ ପ୍ରରୋଚିତ ହୋଇ ଯୁଗାନ୍ତର ମଧ୍ୟରେ ସେ କେତେବେଳେ କାଳଜୟୀ ହୁଏ ତ ଆଉ କେତେବେଳେ କାଳର ପ୍ରବାହ ମଧ୍ୟରେ ବୁଦ୍‌ ବୁଦ୍‌ ପରି ଲୀନ ହୋଇଯାଏ । ସମୁଦ୍ର ସଙ୍ଗମରେ ସର୍ତ୍ତା ହରାଉଥିବା ନଦୀ ପରି ସେ ଚାହେଁ ନିଶ୍ଚିହ୍ନ ହବା ପାଇଁ ।

 

କିନ୍ତୁ ଖୋଜିବାର ଅନ୍ତନାହିଁ ମଣିଷର । କ୍ଷୁବ୍‌ଧ, ଅଶାନ୍ତ ଚିତ୍ତରେ ସେ ଧାଏଁ ଗଡ଼ିଯାଉଥିବା ଖେଳନାକୁ ଧରିବା ପାଇଁ ଦୌଡ଼ୁଥିବା ଶିଶୁର ଉତ୍ସାହ ନେଇ । ସୂର୍ଯ୍ୟମୁଖୀ ଫୁଲପରି କେବଳ ଆଲୋକ ଏବଂ ଆନନ୍ଦକୁ ପ୍ରତ୍ୟକ୍ଷ କରୁଥିଲା ସୁପର୍ଣ୍ଣା । ହଠାତ୍‌ ପ୍ରସ୍ଫୁଟିତ ଫୁଲ ପରି ଯେ ପୃଥିବୀର ରୂପକୁ ସେ ଆକୁଳତାରେ ନିଜେ ଶିହରି ଉଠିଲା ।

 

ଅସରାଏ ବର୍ଷା ହବାପରେ ଘର ଆଗରେ ଧାରେ ପାଣି ଘର ଆଗରେ ଉଠିଲା ସୁପର୍ଣ୍ଣା-। ବର୍ଷା ଭିଜା ମାଟିର ଗନ୍ଧ ଆଘ୍ରାଣ କରି ତାପରେ ତର ତର ହୋଇ ଘର ଭିତରକୁ ଦୌଡ଼ିଯାଇ ଗୋଟେ ଖବର କାଗଜରୁ ଫାଳେ ଚିରିଆଣି ତହିଁରେ ଗୋଟେ କାଗଜର ଡ଼ଙ୍ଗା ତିଆରୀ କରି ପାଣି ଉପରେ ଭସାଇ ଦେଲା । ବର୍ଷା ପାଣିର ସ୍ରୋତରେ କାଗଜ ଡଙ୍ଗା ଭାସିଗଲାବେଳେ ଖୁସିହୋଇ ଆହୁରି ଯୋରରେ ତାଳି ଦେଲା ସୁପର୍ଣ୍ଣା ।

 

ବଗିଚାରେ ଅନେକ ଦିନ ହେଲା ପାଣି ଦେଇ ପାରି ନଥିଲା । କଳ ପାଣି ଆସିବାର ସମୟକୁ କମାଇ ଦିଆଯାଇ ଥିବାରୁ ଘର କାମ ଶେଷ କରିବା ପରେ କଳରୁ ପଲିଥିନର ନଳ ଲଗାଇ ବଗିଚାରେ ଆଉ ପାଣିମଡ଼ାଇ ହଉ ନାହିଁ । ସେଥିପାଇଁ ଭୃକ୍ଷେପ ନକରି ଗୋଟେ ନୂଆ ଉପାୟ ବାହାର କରିନେଲା ସୁପର୍ଣ୍ଣା । ଗାଧୁଆ ଘରୁ ନାଳଆଡ଼କୁ ବହି ଯାଇଥିବା ପାଣିକୁ ନାଳ, କରି ବଗିଚାଆଡ଼କୁ ମୁହାଁଇ ଦେଇଥିଲା । ସେହି ପାଣି ବଗିଚା ପାଇଁ ଯଥେଷ୍ଟ ନହେଲେ ବି ଅନେକାଂଶରେ ଯେ ଫୁଲଗଛମାନଙ୍କୁ ଜୀଆଇ ରଖୁଥିଲା ଏଥିରେ ତିଳେ ମାତ୍ର ସଂନ୍ଦେହ ନଥିଲା । ତେଣୁ ଆଜି ଟିକେ ଆଗରୁ ବର୍ଷାର ଆଡ଼ମ୍ବର ଦେଖି ସେ ଅତ୍ୟନ୍ତ ଖୁସି ହୋଇଥିଲା ଏଇଥି ପାଇଁ ଯେ ବର୍ଷା ପାଣି ପାର ଫୁଲଗଛମାନେ କେବଳ ସତେଜ ହେବେ ନାହିଁ, ବରଂ ଆହୁରି ସବୁଜ ଓ ସୁନ୍ଦର ଦିଶିବେ । ଗଛ ଓ ପତ୍ରମାନେ ଉପରେ ଜମିଥିବା ଧୂଳିମଳି ଧୋଇ ହୋଇଯିବା ଯୋଗୁଁ ମେଘମୁକ୍ତ ସୂର୍ଯ୍ୟର ପ୍ରଥମ କିରଣ ପାଇ ଚହଟି ଉଠିବେ । ବର୍ଷା ପରେ ବସୁନ୍ଧରା ଉପରେ ସୂର୍ଯ୍ୟର କିରଣର ସ୍ୱତନ୍ତ୍ରତା ଅଛି, ଏହା ଅନନ୍ୟ ଏବଂ ଏହାର ରଂଗ ଅଛି । ସେଇ ରଙ୍ଗର ଅନୁପମ ଚମତ୍କାରିତା ସୁପର୍ଣ୍ଣାକୁ ମୁଗ୍‌ଧ ଏବଂ ପୁଲକିତ କରେ ।

 

ମେଘମୁକ୍ତ ସୂର୍ଯ୍ୟର ପ୍ରଥମ କିରଣକୁ ସ୍ୱାଗତ ଜଣାଇ ସୂର୍ଯ୍ୟ ଆଡ଼କୁ ଅନାଇ ଥିବା ସୂର୍ଯ୍ୟମୁଖୀ ଫୁଲମାନଙ୍କ ପାଖରେ ଯାଇ ଛିଡ଼ା ହେଲା ସେ । ଫୁଲର ପାଖୁଡ଼ା ମାନଙ୍କରେ ବର୍ଷାପାଣି ଜମି ଭାରି ହୋଇଥିଲା ବୋଲି ଫୁଲମାନଙ୍କର ଚାହାଣୀରେ ନବବଧୂର ସଲଜ୍ଜ ଚାହାଣୀ ତାର ଦୃଷ୍ଟି ଗୋଚର ହେଲା । ଗୋଟିଏ ଫୁଲଗଛ ପାଖରୁ ଆଉ ଗୋଟିଏ ପାଖକୁ ଯାଇ ନିଜର ପ୍ରଂଶସା ଏବଂ ଶ୍ରଦ୍ଧା ଜଣାଇଲା ସୁପର୍ଣ୍ଣା ।

 

ସେତିକିବେଳେ ଫୁଟନ୍ତା ସୂର୍ଯ୍ୟମୁଖୀ, ରଜନୀଗନ୍ଧା ଏବଂ ଗେଣ୍ଡୁଫୁଲମାନଙ୍କ ମଧ୍ୟରେ ତାକୁ ଆବିଷ୍କାର କରି କହିଲା ଜୟନ୍ତ, ତୁମେ ବି ଫୁଲପରି ସୁନ୍ଦର ନୁହେଁ ?

 

ସୁପର୍ଣ୍ଣା ଶୁଣିଲା ସିନା କିଛି ଉତ୍ତର ଦେଇ ପାରିଲା ନାହିଁ । ଅନ୍ତର ଭିତରୁ ଗୋଟିଏ ଆଦିମ ଅକୁହା ଭାଷା ବାହାରକୁ ଆସିବା ପାଇଁ ଚେଷ୍ଟାକରି ବ୍ୟର୍ଥ ହେଲେ ଯେଭଳି ଅନୁଚ୍ଚାରିତ ଭାଷାର ବେଦନା ବିଦଗ୍‌ଧ ଅଭିବ୍ୟକ୍ତି ପ୍ରକାଶିତ ହୁଏ ମୁହଁ ଉପରେ ତାହାହିଁ କେବଳ ହୋଇଥିଲା ।

 

ସେ ମନକୁ ମନ ପଚାରିଲେ, ସେ କଅଣ ସତରେ ଫୁଲପରି ସୁନ୍ଦର ? ବର୍ଷା ପାଣିର ଭାରଦ୍ୱାରା ଅବନତ ହୋଇଥିବା ସୂର୍ଯ୍ୟମୁଖୀର ଓଠ କେକି ନିଜ ଚିବୁକ ଉପରେ ଲଗାଇଲା କ୍ଷଣି ସର୍ବାହାର ଗଭୀର ନିବିଡ଼ତା ଏବଂ ଆବେଗ ଅନୁଭବ କଲା ସେ ।

 

ପୃଥିବୀର ଐଶ୍ୱର୍ଯ୍ୟ ଆଖି ଆଗରେ ପ୍ରତିଭାତ ହୁଏ । ମଣିଷମାନଙ୍କର ସ୍ୱର, ପଶୁମାନଙ୍କର ଧ୍ୱନିର, ବୈଚିତ୍ର୍ୟତା କାନକୁ ମଧୁର ଶୁଣାଯାଏ । ପୃଥିବୀରେ ଉଚ୍ଚାରିତ ହଉଥିବା ଧ୍ୱନି, ଶବ୍ଦ ଏବଂ ଭାଷା ତାକୁ ମୁଗ୍‌ଧ ଏବଂ ମୋହିତ କରେ । ସେ ବି କିଛି କହିବା ପାଇଁ ବ୍ୟାକୁଳ ହୁଏ, ଅନ୍ତଃ ସ୍ଥଳରେ ଆଲୋଡ଼ନ ଅନୁଭବ କରେ; କିନ୍ତୁ ମୁହଁ ଫିଟାଇ କିଛି କହିପାରେ ନାହିଁ । ବହୁ ଚେଷ୍ଟା କଲେ ଏକ ଅବୋଧ୍ୟ ଅନୁଚାରିତ ଶବ୍ଦ ବହୁ କଷ୍ଟରେ ବାହାରି ଆସେ ଭିତରୁ ଅର୍ଥ ନଥିବା ଅନେକ ଶବ୍ଦ ପରି ଏହି ଶବ୍ଦ ନିରର୍ଥକ, ଏହାର ଭାଷା ନାହିଁ, ଏହାର ଧ୍ୱନିରେ ଆକର୍ଷଣ କରିବାର ମହିମା ନାହିଁ ।

 

ସୁପର୍ଣ୍ଣା ମନକୁ ମନ କୁହେ, ସେ ଯଦି କଥା କହି ପାରୁଥାଆନ୍ତା ତାହେଲେ ଜୟନ୍ତକୁ ଉତ୍ତର ଦଉ ବା ନ ଦଉ ଫୁଲମାନଙ୍କୁ ନିଜର ସଙ୍ଗୀତ ଶୁଣାନ୍ତା ଏବଂ ସେମାନଙ୍କର ରୂପ ଓ ସୌନ୍ଦର୍ଯ୍ୟର ପ୍ରଶଂସା କରନ୍ତା ।

 

ରଙ୍ଗ ଦେଖିଲେ ମନରେ କଂପନ ଜାଗେ, ଅନୁରାଗ ଜନ୍ମ ନିଏ ।

 

ଦିନକୁ ଦିନ ଫୁଟିବାକୁ ଯାଇଥିବା ଫୁଲପରି ତା ଦେହର ରଙ୍ଗ ଚାଲିର ଛନ୍ଦ ଏବଂ ଅଂଗରେ ଅନୁରାଗର ବିଳାସ ଲୁଚି ଲୁଚି କିଏ ତୋଳି ଦେଇଯାଏ ଜାଣି ପାରେନି ସୁପର୍ଣ୍ଣା । ସମଗ୍ର ପୃଥିବୀର ରଙ୍ଗଟା ପଳାସ ଫୁଲ ପରି ଚହଟି ଉଠେ ତା ଆଖି ଆଗରେ ।

 

ତାକୁ ଲୋକେ ବୋକା କୁହନ୍ତି । ତା ତୁଣ୍ଡ ଦେଇ କୌଣସି ଶବ୍ଦ ଉଚ୍ଚାରଣ ହୁଏନାହିଁ ବୋଲି କରୁଣା ପ୍ରକାଶ କରନ୍ତି । ଅନ୍ୟମାନଙ୍କ ଆଗରେ ଆହୁରି ଛୋଟ ହୋଇଯାଏ ସୁପର୍ଣ୍ଣା ।

 

ପଶୁର ଭାଷା ନାହିଁ ବୋଲି ସେ ମଣିଷଠାରୁ ସ୍ୱତନ୍ତ୍ର । ମଣିଷର ଚିନ୍ତାକୁ ଭାଷା ବହନ କରେ ବୋଲି ବିନିମୟ ଦ୍ୱାରା ସେ ସମୃଦ୍ଧ । କିନ୍ତୁ ଯିଏ ପୃଥିବୀରେ ଏତେ ଐଶ୍ୱର୍ଯ୍ୟ ସୃଷ୍ଟି କରିଚନ୍ତି ସେ କାହିଁକି ତା ତୁଣ୍ଡରେ ଭାଷା ଦବା ପାଇଁ ଭୁଲି ଗଲେ ବୋଲି ମନକୁ ମନ ପଚାରେ ସୁପର୍ଣ୍ଣା ।

 

ଫୁଲ ବଗିଚାରେ ଏକାକୀ ଥିଲେ ଗୀତ ଗାଇବା ପାଇଁ ଇଚ୍ଛାହୁଏ । କୋଇଲିର କୁହୁତାନ ଶୁଣିଲେ ସ୍ୱର ମିଳେଇବା ପାଇଁ ମନବଳେ । ଆଉ ନିଜର ଅନ୍ତର ଭିତରେ ଅନେକ ଅକୁହା କଥାର ପ୍ରକାଶିତ ହବା ପାଇଁ ଆକୁଳତା ଜଣାଇ ନିର୍ବୋଧ ହୋଇ ପଡ଼ି ରହେ ।

 

ସମସ୍ତେ ତାକୁ ସହାନଭୂତି ଜଣାନ୍ତି, ତାକୁ ଆଦର କରନ୍ତି । ଜୟନ୍ତ ବି କୁହେ ଏବଂ କହିସାରି ପ୍ରତ୍ୟାଶିତ ଦୃଷ୍ଟି ହାଣି ତାହାରିଆଡ଼କୁ ଅନାଇ ରୁହେ । ସେ କାହାରିକୁ କିଛି କହିପାରେ ନାହିଁ । ମନର ସବୁକଥା ମନରେ ମରିଯାଏ । କ୍ଳାସରେ ମନଦେଇ ଲେକ୍‌ଚର ଶୁଣିଲା ବେଳେ ନୋଟ୍‌ ବହିରେ ମନେରଖିଥିବା ବିଷୟଟିକୁ ଲେଖିରଖେ । ପିଲାମାନେ ପ୍ରଶ୍ନ ପଚାରନ୍ତି, ସେ କିଛି ପଚାରି ନପାରି ଏକ ଅତ୍ୟନ୍ତ ଯନ୍ତ୍ରଣାରେ ଛଟପଟ ହୁଏ ।

 

ବର୍ଷାଧୁଆ ଆକାଶକୁ ଅନାଇଥିବାବେଳେ ଜୟନ୍ତ ତାକୁ ଲକ୍ଷ୍ୟ କରୁଥିଲା । ନୋହିଲେ ତାର ଭାବମୂର୍ତ୍ତି ତା ଆଗରେ ଧରାପଡ଼ନ୍ତା ନାହିଁ । ତାର ଅଲକ୍ଷ୍ୟରେ ଆଉ ଜଣେ ତାକୁ ଲକ୍ଷ୍ୟ କରୁଥିବାର ଇଶାରା ପାଇ ସେ ସଂକୁଚିତ ହୋଇଗଲା ଏବଂ ପଣତ କାନିଟାକୁ ଭଲକରି ଭିଡ଼ିଦେଇ ମୁହଁ ଫେରାଇ ସୂର୍ଯ୍ୟମୁଖୀ ଫୁଲମାନଙ୍କ ମେଳରେ ହଜି ଯିବାପାଇଁ ଚେଷ୍ଟା କଲା ।

 

ଜୟନ୍ତ ଆଜିକାଲି ତାକୁ କାହିଁକି ଇମିତି କିଛି କହିବା ଭଙ୍ଗୀରେ ଅନାଏ ସେ ବୁଝିପାରେ ନାହିଁ । ସେ କଅଣ ଜାଣି ନାହିଁ ଯେ ସେ ବୋକା, କଥା କହିପାରେ ନାହିଁ ? ଜାଣିଶୁଣି ତା ସହିତ କଥାଭାଷା ହବାପାଇଁ କାହିଁକି ତାହେଲେ ଚେଷ୍ଟା କରେ ? ତାର ଦୈନ୍ୟ କଅଣ ଭଲଲାଗେ ଜୟନ୍ତକୁ ? ଜୟନ୍ତ ଉପରେ ରାଗହୁଏ ସୁପର୍ଣ୍ଣାର ।

 

ସୂର୍ଯ୍ୟମୁଖୀ ଫୁଲମାନଙ୍କୁ ଏକାକୀ ଛାଡ଼ି ସେ ଯାଇ ଆମ୍ଭ ଗଛମୂଳେ ଛିଡ଼ା ହେଲା । ଆମ୍ବ ଗଛ ବଉଳିଲେ କୋଇଲିକୁ କିଏ ଖବର ଦିଏ କେଜାଣି ସେ ଆସି ଡାଳରେ ବସି କୁହୁ କୁହୁ କରି ଗୀତ ବୋଲେ । ଯିଏ ଆମ୍ବ ଚଉଳିବାର ଖବର ଦିଏ ସେ ହୁଏତ ଫୁଲ ଫୁଟିବାର ଖବର ବି ଦଉଥିବ । ନ ହେଲେ ଫୁଟିଲା ଫୁଲର ସୁବାସକୁ ବୋହିନବା ପାଇଁ ପବନ ବହନ୍ତା ନାହିଁ, ରାତି ପାଇବାର ଖବର ଜଣାଇବା ପାଇଁ କୁଆ, କୁକୁଡ଼ା ରାବନ୍ତେ ନାହିଁ । ସମସ୍ତଙ୍କର ଗୋପନ ଖବର ଯିଏ ପ୍ରକାଶ କରିଦିଏ ତା ଉପରେ ସମସ୍ତେ ନିଶ୍ଚୟ ରାଗୁଥିବେ । ସେ ବାଦ ଯାଏ ନାହିଁ ।

 

ତା ଦିହର ରଙ୍ଗ ଏବଂ ମନର ଅନୁରାଗର କଥା ସେ ତ କାହିଁ କାହାକୁ ଦେଖାଇ ନାହିଁ ବା କହି ନାହିଁ । ତଥାପି ପବନରେ ଭାସି ବୁଲୁଥିବା ଫୁଲର ସୁବାସକୁ ଆଘ୍ରାଣ କରିବା ପାଇଁ ଛୁଟି ଆସୁଥିବା ଭ୍ରମର ପରି ତାକୁ ଖବର ଦିଏ ?

 

ଜୟନ୍ତ ବାଡ଼ ସେ ପାଖରେ ଛିଡ଼ା ହୋଇ ତାଆଡ଼କୁ ଅପଲକ ନୟନରେ ଅନାଇଥିଲା ।

 

ତାକୁ ପଚାରିବା ପାଇଁ ଇଚ୍ଛା ହେଲେବି କିଛି ପଚାରିଲା ନାହିଁ ସୁପର୍ଣ୍ଣା । କେବଳ ଓଠ ଉପରେ ଏକ ତରଂଗ ସୃଷ୍ଟି ହୋଇ ପୁଣି ସେଇଠାରେ ମିଳେଇଗଲା । ସେ ଧିରେ ଧିରେ ବଗିଚାର ଅନ୍ୟ ପାଖକୁ ଚାଲିଯିବାପାଇଁ ପାଦ ବଢ଼ାଇଲା ।

 

ଜୟନ୍ତ ତା ପଛେ ପଛେ ଆସୁଥିବାର ସେ ଲକ୍ଷ୍ୟ କଲା । ପଛକୁ ନ ଚାହିଁଥିଲେ ଚଳି ଥାଆନ୍ତା । ପଛକୁ ଚାହିଁଲା ବୋଲି ସିନା ଜୟନ୍ତର ଦୃଷ୍ଟି ସହିତ ତା’ର ଦୃଷ୍ଟି ଏକ ହୋଇଗଲା । ସେ କାହିଁକି ଫେରି ଚାହିଁଲା ବୋଲି ନିଜକୁ ଶାସନ କରିବା ପାଇଁ ଲାଗିଲା । କିନ୍ତୁ ଅସତର୍କ ମୂହୁର୍ତ୍ତରେ ଗୋଲାପ ଗଛର ଡାଳ ତା’ ଲୁଗାରେ ଲାଗିଯିବାରୁ ସେ ଛିଡ଼ା ହୋଇ ପଡ଼ିଲା । ଜୟନ୍ତ ଏତେ ପାଖରେ ଥିଲା ବୋଲି ସେ ଜାଣି ନଥିଲା । ସେ ଗୋଲାପ ଗଛର କଣ୍ଟାରୁ ତା’ ଶାଢ଼ୀକୁ ଖସାଇ ଆଣିବା ବେଳେ ଗୋଟେ ତୀକ୍ଷ୍ମ କଣ୍ଟା ଆଙ୍ଗୁଳିରେ ଫୁଟିଗଲା । ଯନ୍ତ୍ରଣାକୁ ଲୁଚାଇବାକୁ ଯାଇ ଯେଉଁ ପ୍ରତିଫଳିତ ଜୟନ୍ତର ମୁହଁ ଉପରେ ସୃଷ୍ଟି ଉପରେ ସୃଷ୍ଟି ହେଲା, ସେଥିରେ ଅନ୍ତରଙ୍ଗତାର ଅନୁଭବ ଦେଖି ସୁପର୍ଣ୍ଣାର ମନରେ ସହାନୁଭୂତି ଜାତ ହେଲା ।

 

ଜୟନ୍ତ ମୁହଁ ଉପରେ ଛୋଟ ହସର ମଧୁରତା ଟାଣି କହିଲା, ଫୁଲ ପରି ତୁମେ ବି ନିର୍ମଳ ସୁପର୍ଣ୍ଣା ।

 

ସେ କୌଣସି ଉତ୍ତର ନଦେଇ ଅଗ୍ରସର ହେଲା ।

ଆମ୍ବଗଛ ମୂଳେ ଛିଡ଼ା ହୋଇ ଭୂଇଁ ଉପରେ ଗାର ଟାଣିଲା ସୁପର୍ଣ୍ଣା ।

 

–ପାଣି ଉପରେ କେବେ ଗାର ଟାଣିଛ ସୁପର୍ଣ୍ଣା ? ପଚାରିଲା ଜୟନ୍ତ । ତା’ କଥାକୁ ଖାତିର ନକରି ବଗିଚା ଆଡ଼କୁ ଅନାଇଲା ସେ ।

 

ହଠାତ୍‌ ଯେପରି ସୂର୍ଯ୍ୟମୁଖୀ ଫୁଲମାନେ ତାହାରି ମୁହଁକୁ ଅନାଇ ହସିଦେଲେ ଅନୁଭବ କଲା ସେ । ସୂର୍ଯ୍ୟ ଆଡ଼କୁ ନୁହେଁ, ତାହାରି ଆଡ଼କୁ ସେମାନେ ଚାହିଁଥିବା ପରି ମନେ କଲା ସୁପର୍ଣ୍ଣା-

 

ଜୟନ୍ତ କହିଲା, ପାଣି ଉପରେ ଗାର କାଟିଲେ ତାହା ରହେ ନାହିଁ । କାରଣ ଦୁଇ ପାଖର ପାଣି ପରସ୍ପର ଆଡ଼କୁ ମିଶିଯିବା ପାଇଁ ଧାଇଁ ଆସନ୍ତି ବୋଲି, ପରସ୍ପର ପ୍ରତି ଆକର୍ଷିତ ଦୁଇଟି ମନ ମଝିରେ ସେହିପରି ଗାର ଟାଣି ପାର୍ଥକ୍ୟ ସୃଷ୍ଟି କରି ହୁଏ ନାହିଁ । ବୁଝିଲ ?

 

ସୁପର୍ଣ୍ଣା ଯେତେବେଳେ ଅନେକ କହିବା ପାଇଁ ଚାହେଁ ଅଥଚ କିଛି କହିପାରେ ନାହିଁ, ସେତେବେଳେ ତା’ର ମୁଖମଣ୍ଡଳ ଉପରେ ଗୋଟିଏ ତରଙ୍ଗ ଖେଳିଯାଏ । ସେଇ ତରଙ୍ଗରେ ମୁଖରିତ ହୁଏ ଅନ୍ତରର ଆକୁଳ ଭାଷା ।

 

ଜୟନ୍ତ ଅବାକ୍‌ ହୋଇ ଅନାଇ ରହିଲା ସୁପର୍ଣ୍ଣାର ମୁହଁ ଉପରେ କେବେ ଦେଖି ନଥିବା ସେହି ଅନୁରାଗରଞ୍ଜିତ ଅଭିବ୍ୟକ୍ତି ଆଡ଼କୁ ।

 

ସେ ରହି ରହି କହିଲା, ମୁଁ ଜାଣେ । ତୁମେ କଥା କହି ନପାରିବାର ଅକ୍ଷମତା ବୁଝେ । କିନ୍ତୁ ଉଚ୍ଚାରଣ ନକରି ବି ମଣିଷ ଯେ ଏତେ କଥା କହିପାରେ ଏହା ପ୍ରଥମ ଦେଖିଲି ତୁମ ପାଖରେ-

 

ଏତେବେଳେ ଆହୁରି ପ୍ରଦୀପ୍ତ ପ୍ରସନ୍ନତା ଖେଳିଗଲା ସୁପର୍ଣ୍ଣାର ମୁହଁ ଉପରେ । ଫୁଲ ଫୁଟିବାର ମୁହୂର୍ତ୍ତରେ ପ୍ରସନ୍ନତା ଲୀଳାକରେ ଫୁଲ ଉପରେ ସେହିପରି ଏକ ଅନୁଭୂତ ପୁଲକ ସଂଶୁରିତ ହୋଇଗଲା । ଗୋଟିଏ କାଠି ଉଠାଇ ନେଇ ସେ ଭୂଇଁ ଉପରେ ଲେଖିଦେଲା, ଜୀବନର ମହିମା ତା’ର ମାଧୁରୀରେ ।

 

ଜୟନ୍ତ ତା’ର ମଥା ଉପରେ ହାତ ବୁଲାଇ ଆଣି କହିଲା, ସେହି ମଧୁରତାକୁ ସଞ୍ଚୟ କରିବା ପାଇଁ ତୁମର ସନ୍ନିଧ୍ୟ ଚାହେଁ । ସୁପର୍ଣ୍ଣା । ତୁମ ପ୍ରତି ମୋର ଆକର୍ଷଣ ସାମାନ୍ୟ ବା ଆକସ୍ମିତ ନୁହେଁ, ଚିରନ୍ତନ ।

 

ସୁପର୍ଣ୍ଣା ପୁଣି ଲେଖିଲା, ମୋ ପାଇଁ ତୁମେ ଏତେ ତ୍ୟାଗ କରିବ କାହିଁକି ?

ଜୟନ୍ତ କହିଲା ତ୍ୟାଗ ବ୍ୟତୀତ ଭଲ ପାଇବାର ସୁଷମା ସ୍ଥାୟୀ ହୁଏ ନାହିଁ ।

 

ସୁପର୍ଣ୍ଣା ଜୟନ୍ତ ଆଡକୁ ଚାହିଁଲା ଏବଂ ଜୟନ୍ତକୁ ଗୋଟେ ଅବନତ ସୂର୍ଯ୍ୟମୁଖୀ ଗଛପରି ମନେକଲା । ହଠାତ୍‌ ତା’ ସର୍ବାଙ୍ଗରେ ଏକ ଅନୁପମା ଶିହରଣ ସଞ୍ଚରିତ ହୋଇଗଲା ଏବଂ ତାର’ର ମୁହଁ ଉପରେ ଲଜ୍ୟାର ମନୋରମ ପାଟଲିମା ଏପରି ସୁନ୍ଦର ଭାବରେ ଫୁଟି ଉଠିଲା ଯେ ଜୟନ୍ତ କ୍ଷଣକ ପାଇଁ ଆତ୍ମହରା ହୋଇ ତା’ର ଓଠ ଛୁଇଁ ଦେଲା ।

 

ସୁପର୍ଣ୍ଣା ଟିକେ ଘୁଞ୍ଚିଗଲା ଏବଂ ସୁନ୍ଦର ବର୍ଷାଧୁଆ ଆକାଶର ପ୍ରଦୀପ୍ତ ପ୍ରସାହୁତ ରୁପକ କଳନା କରିବାକୁ ଲାଗିଲା ।

 

ଜୟନ୍ତ ତା’ କାନ ପାଖରେ କମ୍ପିତ କଣ୍ଠରେ କହିଲା, ମୁଁ ତୁମକୁ ଭଲ ପାଏ ସୁପର୍ଣ୍ଣା ।

ସୁପର୍ଣ୍ଣା ନିଜକୁ ଆଉ ବିଶ୍ୱାସ କରୁ ନଥିଲା ।

ତା’ର ଆଖି ଆଗରେ ସହସ୍ର ଇନ୍ଦ୍ରଧନୁର ସପ୍ତରଙ୍ଗ ଉଭାସିତ ହୋଇ ଉଠିଲା ।

 

ସେ ଦଉଡ଼ି ପଳାଇ ଗଲାବେଳେ କହିଲା ଜୟନ୍ତ ରୁହ, ଆଉ ଟିକେ ରହିଯାଅ ସୁପର୍ଣ୍ଣା । ମୋର ଅନେକ କହିବାର ଅଛି ।

 

ସୁପର୍ଣ୍ଣା କିନ୍ତୁ ଅଟକିଗଲା ନାହିଁ । ସେ ଭାବୁଥିଲା ତା’ର ବି କମ୍‌ କହିବାର ଅଛି ? ସେ କିନ୍ତୁ କିଛି କହି ପାରି ନାହିଁ, ତା’ କଥା ଶୁଣିବା ପାଇ କେହି ଅପେକ୍ଷା କରିନାହିଁ । ବେଳେବେଳ ତା’ର ମନେ ହୁଏ ସେ ଯେପରି ପ୍ରତିଦିନ ସକାଳ ଏବଂ ସନ୍ଧ୍ୟା ସମୟରେ କାହାର ଅପେକ୍ଷା କରେ, ତା’ର ହୃଦୟର ସ୍ପନ୍ଦନ ସେହି ଅପେକ୍ଷା କରିବାର ଆକୁଳତାକୁ ସ୍ପଷ୍ଟ କରି ଦୃଢ଼ ହୁଏ । କିନ୍ତୁ କାହାକୁ ଅପେକ୍ଷା କରେ ସେ କିଛି ବୁଝିପାରେ ନାହିଁ ।

 

ଜୟନ୍ତ ତାକୁ ବୁଝାଇବା ପାଇଁ ଚେଷ୍ଟା କରେ । ସେ ତାକୁ ଉପେକ୍ଷା କରେ କହିବାକୁ ଯାଇ ତା’ର ଅଧିକ ନିକଟତର ହେଉଥିବାର ଉପଲ୍‌ବଧି ତାକୁ ଅଥୟ କରେ ଏବଂ ସେ ଆଶଙ୍କାରେ ଶିହରି ଉଠେ । ଜୟନ୍ତକୁ ନଆସିବା ପାଇଁ ବହୁ ଇଙ୍ଗୀତ କଲେ ମଧ୍ୟ ସେ କିଛି ବୁଝେ ନାହିଁ ।

 

ନିଜକୁ ଶାସନ କରେ ସୁପର୍ଣ୍ଣା । ତିନୋଟି ଗାର କାଟିଦେଲେ ମନକୁ ବନ୍ଦୀ କରେ, ଚିତ୍ତକୁ ନିବୃତ୍ତ କରିବା ପାଇଁ ପ୍ରୟାସ କରେ । ଦୁଇଦିନ ହେଲା ଜୟନ୍ତ ଆଉ ଆସି ନାହିଁ । ତା’ କଥା ଶୁଣିବା ପାଇଁ ଇଚ୍ଛା ହୁଏ, ତାକୁ ଦେଖିବାପାଇଁ ମନହୁଏ । ସେ ବୋଧେ ଜୟନ୍ତର କଥା ଶୁଣିବା ପାଇଁ ଅପେକ୍ଷା କଲା ନାହିଁ ବୋଲି ଅଭିମାନ କରି ସେ ଆଉ ଆସୁ ନାହିଁ । ପୁଣି ମନକୁ ମନ କୁହେ ସୁପର୍ଣ୍ଣା ନଆସୁ; ଏବେ ନିଶ୍ଚିନ୍ତ ହୋଇ ସେ ବଗିଚାରେ ବୁଲି ପାରିବ, ଶିଶୁର ସଚଳତା ଏବଂ କୈଶୋରର ଚପଳତା ନେଇ ଖେଳିବ ସେ ସୂର୍ଯ୍ୟମୁଖୀ, ରଜନୀଗନ୍ଧା ଏବଂ ଗେଣ୍ଡୁଫୁଲମାନଙ୍କ ସହିତ ।

 

ଗୋଲାପ ଗଛରେ କଢ଼ି ଧରିଛି, ଫୁଟି ନାହିଁ । କେତୋଟି ଗଛ ଆଣି ଲଗାଇଥିଲା ସେ ଫୁଲକୁଣ୍ଡରେ । ସାର, ପାଣି; ଆଲୋକ ପାଇଁ ଆକାଶର ରଙ୍ଗ ଦେଖିବା ପାଇଁ ବଢ଼ୁଥିଲା ଗୋଲାପ ଗଛ ।

 

ଗୋଲାପ କଢ଼ିକୁ ଆଗ୍ରହର ସହିତ ଲକ୍ଷ୍ୟ କଲା ସୁପର୍ଣ୍ଣା । କଢ଼ି ଦିନକୁ ଦିନ ବଡ଼ ହୁଏ ।

 

ଅଧୀର ଭାବରେ ଅପେକ୍ଷା କରେ ସୁପର୍ଣ୍ଣା । ମନରେ କେତେ ଆବେଗ ଏବଂ ଏବଂ ଉତ୍କଣ୍ଠା । ଫୁଲ ଫୁଟିବାର ମୁହୂର୍ତ୍ତକୁ ସ୍ୱୟଂ ପ୍ରତ୍ୟକ୍ଷ କରିବା ପାଇଁ ସେ ଅପଲକ ନୟନରେ ଅନାଇ ରହେ ।

 

ସନ୍ଧ୍ୟାର ଅସରାଏ ବର୍ଷା ଗୋଲାପ କଢ଼ିକୁ ଆହୁରି ସୁନ୍ଦର ଏବଂ ସତେଜ କରି ଦେଇଥିଲା । ପବନର ପରଶ ପାଇବା ପାଇଁ ପାଖୁଡ଼ାମାନେ ଅଧୀର ହୋଇ ମୁହଁ ଖୋଲିବା ପାଇଁ ଅପେକ୍ଷା କରୁଥିଲେ । ଖିଆ ପିଆ ଭୁଲିଯାଇ ଗଛ ପାଖରେ ବସିରହିଲା ସୁପର୍ଣ୍ଣା ।

 

ହଠାତ୍‌ ଦେଖିଲା ସେ ଶେଷ ସୂର୍ଯ୍ୟର ସୁନେଲି କିରଣରେ ଚରାଚର ବିଶ୍ୱ ସ୍ନାନ କରୁଥିବା ବେଳେ ଅଜଣା ପକ୍ଷୀର ଗାନ ସହିତ ତାଳ ଦେଇ ପବନର ପରଶ ଏବଂ ସୂର୍ଯ୍ୟର ରଙ୍ଗକୁ ଦେହରେ ବୋଳି ହବା ପାଇଁ ପାଖୁଡ଼ା କେତୋଟି ମେଲି ହୋଇଗଲେ । ଫୁଲ ଫୁଟିବାର ମୁହୂର୍ତ୍ତକ ସଂଜବୀତ କରି ରଖିବା ପାଇଁ ପୃଥିବୀର ସମସ୍ତ କୋଳାଙ୍ଗ ସଙ୍ଗୀତର ଶେଷ ମୂର୍ଚ୍ଛନା ପରି ହଠାତ୍‌ ଗୋଟିଏ ବିନ୍ଦୁରେ ମୂର୍ତ୍ତ ହୋଇ ଉଠିଲା ।

 

ଗୋଟିଏ ଭ୍ରମର ଉଡ଼ି ଆସି ଅଭିନନ୍ଦନ ସଙ୍ଗୀତ ଗାଇ ସ୍ୱାଗତ କଲା ପ୍ରସ୍ଫୁଟିତ ଗୋଲାପକୁ ।

 

ମୁଗ୍‌ଧା ମୋହିତା ସୁପର୍ଣ୍ଣା କେବଳ ଅନାଇଥିଲା । ତାର ପ୍ରସାରିତ ଦୃଷ୍ଟି ଆଗରେ ଏକ ନୂତନ ଆନନ୍ଦ ଏବଂ ଆଲୋକ ସହିତ ଫୁଟନ୍ତା ଗୋଲାପର ଶୋଭା ଲୀଳା କରୁଥିଲା ।

 

ଅନ୍ୟମନସ୍କ ହୋଇଗଲା ସୁପର୍ଣ୍ଣା ।

 

ସେହିପରି ଆହୁରି ଅନେକ ସମୟ ବସି ଥାଆନ୍ତା । ସେ ଯଦି ଜୟନ୍ତ ପଛରୁ ଡାକି ତାକୁ ଚମକାଇ ଦେଇ ନଥାନ୍ତା ।

 

ଜୟନ୍ତ କହିଲା, କଅଣ ଲକ୍ଷ୍ୟ କରୁଚ ?

ଏହି ଅହେତୁଲ୍ୟ ଲଜ୍ୟାରେ ଲାଲ ପଡ଼ିଗଲା ସୁପର୍ଣ୍ଣା ।

 

ଜୟନ୍ତ ଗୋଲାପ ଫୁଲକୁ ଲକ୍ଷ୍ୟ କରି କହିଲା, ଫୁଲ ଫୁଟିବାର ମୁହୂର୍ତ୍ତକୁ କେବେ ପ୍ରତ୍ୟକ୍ଷ କରିଚ ସୁପର୍ଣ୍ଣା ?

 

ତାର ଅଧର ଉପରେ ଏକ ପ୍ରାଲୋଡନ ସ୍ପୁଲିଙ୍ଗର ଚମକି ଉଠିଲା ।

ଜୟନ୍ତ ଉଭାସିତ ହୋଇ ଉଠିଲା ସେହି ସ୍ପୁଲିଙ୍ଗର ଆଲୋକରେ ।

 

ତାପରେ ତା ଉପରେ ହାତରଖି କହିଲା ଜୟନ୍ତ, ତୁମର ବି ଏପରି ଫୁଟିବା ପାଇଁ ମନ ହୁଏନି ସୁପର୍ଣ୍ଣା ?

 

ସେ ନିଜ ଅନୁଶାସନର ତିନୋଟି ଗାର ଅତିକ୍ରମ କରି ଗ୍ରୀବାହଲାଇଲା ଏବଂ ସଙ୍ଗେ ସଙ୍ଗେ ସୁପର୍ଣ୍ଣାର ମନେହେଲା ଯେ ଯେପରି ଭୂମିକମ୍ପ ହଉଚି ଏବଂ ତା’ର ପାଦ ତଳର ଭୂମି ଚହଲି ଯାଉଚି ।

 

ସେ ପଡ଼ିଯିବା ପୂର୍ବରୁ ଜୟନ୍ତ ତାକୁ ତୋଳିନେଲା ।

 

ତଡ଼ିତ ପ୍ରବାହ ପରି ଚମକିପଡ଼ି ଏକ ନିଶ୍ୱାସରେ ଘର ଭିତରକୁ ଦୌଡ଼ି ପଳାଇଲା ସୁପର୍ଣ୍ଣା ।

 

ଜୟନ୍ତ ପଛରୁ କହିଲା, ରୁହ ସୁପର୍ଣ୍ଣା । ରୁହ...ମୋର ଅନେକ କଥା କହିବାର ଅଛି.... ।

 

କବାଟ କିଳି ବିଛଣା ଉପରେ ଶୋଇପଡ଼ିଲା ସୁପର୍ଣ୍ଣା ବର୍ଷାଧାର ପରି ଆଖିରୁ ବାଧା ନମାନି ଝରି ପଡ଼ୁଥିବା ଆଜସ୍ର ଅଶ୍ରୁଧାରା ବ୍ୟାକୁଳ ହୃଦୟକୁ କାବ୍ୟ ପରି ମୁକୁଳିତ କରି କୋହରେ ଭାଙ୍ଗି ପଡ଼ିବା ବେଳେ ମନକୁ ମନ କହୁଥିଲା ସେ ଏଇ ଅଶ୍ରୁ ଏବଂ ଆନନ୍ଦକୁ ଦେଖନ୍ତା କି ଜୟନ୍ତ ।

•••

 

ଧର୍ମ ଘଟ

 

କାରଖାନାରେ କାମ କରୁଥିବା ଲୋକମାନଙ୍କ ମଧ୍ୟରେ ଗହଳ ପଡ଼ିଗଲା । ମିସ୍ତ୍ରୀ କାରିଗର, ଝାଡ଼ୁଦାର ଠାରୁ ଆରମ୍ଭ କରି ସୁପରଭାଇଜର ଓ ଅଫିସରମାନଙ୍କ ମଧ୍ୟରେ ଘଟଣାଟି ପ୍ରଚାର ହୋଇଗଲା । ଇଉନିଅନର କର୍ମକର୍ତ୍ତାମାନେ ଗୋଟେ ଜରୁରୀ ମିଟିଂ କରୁଥିଲେ, ଖବରଟା ଶୁଣି ଚମକି ପଡ଼ିଲେ ।

 

ଗୋଟିଏ ବୁଲାକୁକୁର କାରଖାନା ଭିତରକୁ କେତେବେଳେ ପଶି ଆସିଥିଲା କେହି ଜାଣି ନ ଥିଲେ । କିନ୍ତୁ ସେହି ବୁଲା କୁକୁରଟାକୁ ମରି ପଡ଼ିଥିବାର ଦେଖି ସକାଳ ସିଫଟର କେହି ଜଣେ କର୍ମଚାରୀ ସୁପରଭାଇଜରଙ୍କୁ କହିଲେ ମଲା କୁକୁରର ଲାସଟାକୁ ସଫା କରାଇବା ପାଇଁ । ଫୋରମ୍ୟାନ ଝାଡ଼ୁଦାରଙ୍କୁ ଡାକି କହିଲେ ମଲା କୁକୁରର ଲାସ୍‌ଟାକୁ ନେଇ ବାହାରେ ଫୋପାଡ଼ି ଦବାପାଇଁ । ଝାଡ଼ୁଦାର ସିଧୁ ନାଏକ ଇଉନିଅନର ଜଣେ ଆଗୁଆ ଏବଂ ଟାଣୁଆ ସଭ୍ୟ । ସେ ପରାମର୍ଶ ପାଇଁ ଗଲା ଇଉନିଅନ ଅଫିସକୁ । ଇଉନିଅନ ବଡ଼ପଣ୍ଡାମାନେ ସେତେବେଳକୁ ଆସି ନ ଥିଲେ ବି କାର୍ଯ୍ୟକାରୀ କମିଟିର କେତେ ଜଣ ସଭ୍ୟ ଗୋଟିଏ ଜରୁରୀ ମିଟିଂ କରୁଥିଲେ । ସେକ୍ରେଟାରୀ ମିଟିଂକୁ ଯିବା ଆଗରୁ କ୍ୟାଣ୍ଟିନ ଆଗରେ କାଠ ବେଞ୍ଚ ଉପରେ ବସି ଖରା ପୋହୁଥିବା ବେଳେ ଦେହଟାକୁ ଗରମ କରିନବା ପାଇଁ ଚା ପିଉଥିଲେ । ସିଧୁର କଥା ଶୁଣି ଚମକି ପଡ଼ି କହିଲେ, ଇଏ ମନମୁଖୀ ଶାସନକୁ ବରଦାସ୍ତ କରି ହବ ନାହିଁ । ଅସମ୍ଭବ । ଡ଼ିଉଟି ଲିଷ୍ଟ ଅନୁସାରେ କାରଖାନା ଅଞ୍ଚଳକୁ ପରିଷ୍କାର ରଖିବା ଝାଡ଼ୁଦାରମାନଙ୍କର କାମ । କିନ୍ତୁ ମଲା କୁକୁରର ଲାସ୍‌ବୋହି ନେଇ ବାହାରେ ଫୋପାଡ଼ିବା ସେହି ଡ଼ିଉଟି ଲିଷ୍ଟର ଅନ୍ତର୍ଭୁକ୍ତ ହୋଇ ନ ଥିବା ସ୍ଥଳେ ଫୋରମ୍ୟାନଙ୍କର ସିଧୁ ନାଏକକୁ ଏଭଳି ଆଦେଶ ଦବା ସୌରାଚାରୀ ଏବଂ ଅତ୍ୟାଚାରୀ ଶାସନର ଆଉ ଏକ ନମୁନା । ଏହା ଗର୍ହିତ ଏବଂ ବେଆଇନ୍‌ ଆଦେଶକୁ ଶ୍ରମିକମାନଙ୍କର ସଂଗଠିତ ଶକ୍ତି ଦ୍ୱାରା ପ୍ରତିହିତ କରିବା ପାଇଁ ସମସ୍ତଙ୍କୁ ଦୃଢ଼ ପ୍ରତିଜ୍ଞା ହୋଇ ଇଉନିଅନର ହାତମୁଠାକୁ ଟାଣ କରିବା ପାଇଁ ସେ ଆହ୍ୱାନ କଲେ । ସିଧୁ ନାଏକ ବଳ ପାଇ ଫୋରମ୍ୟାନଙ୍କୁ ମୁହେଁ ମୁହେଁ ଜବାବ ଦେଲା ଯେ ମଲା କୁକୁରର ଲାସ୍‌ ଉଠାଇବା ବା ଡ଼ିଉଟିଲିଷ୍ଟର ଅନ୍ତର୍ଭୁକ୍ତ ହୋଇ ନଥିବାରୁ ଏଭଳି ବେଆଇନ ଆଦେଶ ଅମାନ୍ୟ କରିବାକୁ ସେ ବାଧ୍ୟ । ଫୋରମ୍ୟାନ ତାର ଔଧତ୍ୟ ଦେଖି ତାକୁ କାର୍ଯ୍ୟରୁ ସସପେଣ୍ଡ କରିଦେଲେ ସିଧୁ ନାଏକ ଇଉନିଅନର ଦ୍ୱାରସ୍ଥ ହୋଇ ସବୁ ଘଟଣା କହିସାରି ଘୋଷଣା କଲା ଯେ ସେ ପ୍ରତୀକ ମାତ୍ର, ଇଉନିଅନକୁ ଅପଦସ୍ତ ଏବଂ ଅଥର୍ବ କରି ଦେବା ପାଇଁ ପରିଚାଳନା କର୍ତ୍ତୃପକ୍ଷଙ୍କର ଏ ଏକ ଷଡ଼ଯନ୍ତ୍ର । ଏହାକୁ ବ୍ୟର୍ଥ କରିବାକୁ ହେବ ।

 

ସେ ଆଦେଶ ଅମାନ୍ୟ କରିବାରୁ ଫୋରମ୍ୟାନ ଯେ ତାକୁ କାର୍ଯ୍ୟକୁ ସସ୍‌ପେଣ୍ଡ କଲେ ତାହା ନୁହେଁ, ତା ବିରୁଦ୍ଧରେ କାରଖାନାର ନିୟମ ଅନୁସାରେ ନିୟମ ଅନୁସାରେ ଆଦେଶ ଅମାନ୍ୟ କରିଥିବା ଯୋଗୁଁ ଶାସ୍ତି ବିଧାନ କରିବା ପାଇଁ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ଆଦେଶ ଦେଲେ । ଇଉନିଅନର କର୍ମକର୍ତ୍ତାମାନେ ଜରୁରୀ ମିଟିଂରେ ଅଚାନକ ଧର୍ମଘଟ କରିବାର ସିଦ୍ଧାନ୍ତ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସମବେତ ଭାବରେ ସ୍ଳୋଗାନ ଦେଇ ଫୋରମ୍ୟାନଙ୍କ ବର୍ବରୋଚିତ ବ୍ୟବହାର ଏବଂ ମନମୁଖୀ ଶାସନ ପାଇଁ ତାଙ୍କୁ କାର୍ଯ୍ୟରୁ ଦରଖାସ୍ତ ନକଲାଯାଏ ଧର୍ମଘଟ ଚାଲୁ ରଖିବା ପାଇଁ ଶ୍ରମିକମାନଙ୍କୁ ନିବେଦନ କଲେ । ଦଳ ଦଳ ହୋଇ ଇଉନିଅନର ଲଢ଼ୁଆ କର୍ମୀମାନେ କାରଖାନାର ସବୁ ବିଭାଗଯାକ ବୁଲି କାମ କରୁଥିବା ଅନୁରକ୍ତ କର୍ମଚାରୀମାନଙ୍କୁ କାମରୁ ଯୋର ଜବରଦସ୍ତ ନିବୃତ୍ତ କରାଇ ଦେଲେ । ଏତେ ବଡ଼ ଏକ କାରଖାନାର କାମ ପ୍ରାୟ ଘଣ୍ଟାକ ଭିତରେ ବନ୍ଦ ହୋଇଗଲା । କଳ ଅଚଳ ହୋଇଗଲା ଏବଂ କିଏ କିଏ ଗୋପନରେ ଅନ୍ତର୍ଘାତୀ କାର୍ଯ୍ୟଦ୍ୱାରା କାରଖାନାକୁ ଅକାମୀ କରି ପରିଚାଳନା କର୍ତ୍ତୃପକ୍ଷକୁ ନିନ୍ଦିତ ନିନ୍ଦିତ କରିବାର ସିଦ୍ଧାନ୍ତ ମଧ୍ୟ କଲେ । କେତେକ ଅନୁରକ୍ତ କର୍ମଚାରୀ ତଥାପି କାମ ଛାଡ଼ି ବାହାର ନଆସିବାରୁ ସେମାନଙ୍କୁ ବଳପ୍ରୟୋଗ ଦ୍ୱାରା ଇଉନିଅନ ଅଫିସ ଆଗରେ ଛିଡ଼ା କରାଇ ସେମାନଙ୍କର ଲୁଗା ଜାମା ଖୋଲି ଦିଆଗଲା, ସେମାନଙ୍କୁ ଗାଲରେ ଧଳା ଓ କଳା ରଙ୍ଗ ବୋଳି ଦିଆଗଲା ଏବଂ ସେମାନଙ୍କୁ ପରିତାପ ନକରିବା ଯାଏ ଖରାରେ ସେହି ଅବସ୍ଥାରେ ଛିଡ଼ାକରାଇ ଦିଆଗଲା । ଦୁଇଜଣ ମହିଳା କର୍ମଚାରୀ ଦିଗମ୍ବରା ହୋଇ ତଳକୁ ମୂହଁପୋତି ଆଖିମୁଦି ସ୍ଥାଣୁପରି ଛିଡ଼ାହୋଇ ରହିଲେ ।

 

କାରଖାନାର ଫୋରମ୍ୟାନ ବୟସ୍କ ଲୋକ । ବହୁ ବର୍ଷର ଅଭିଜ୍ଞତା ସତ୍ତ୍ୱେ ଏଭଳି ଏକ ସାମାନ୍ୟ ଘଟଣାରୁ କଥା ଏତେଦୂରଯାଏ ଯିବବୋଲି କଳ୍ପନା ମଧ୍ୟ କରି ନଥିଲେ । ଶୃଙ୍ଖଳା ଏବଂ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଉତ୍ପାଦନକୁ ଅବ୍ୟାହିତ ରଖିବା ପାଇଁ ସେ କର୍ମଚାରୀମାନଙ୍କୁ ଯେତେ ଆବେଦନ ନିବେଦନ କଲେ ମଧ୍ୟ କିଛି ଫଳ ହେଲାନାହିଁ । ବରଂ ତାଙ୍କୁ ଘେରାଉକରି ରଖାଗଲା ଏବଂ ଏପରିକି ମଳମୂତ୍ର ତ୍ୟାଗକରିବା ପାଇଁ ମଧ୍ୟ ସୁଯୋଗ ଦିଆଗଲା ନାହିଁ । ନିତ୍ୟାନନ୍ଦ ବାବୁ ପ୍ରଯୁକ୍ତ ବିଦ୍ୟାରେ ଜଣେ ଅଭିଜ୍ଞ ବ୍ୟକ୍ତି ବୋଲି ସୁନାମ ଅର୍ଜନ କରିଥିଲେ । ବିଦେଶକୁ ମଧ୍ୟ ଯାଇଥିଲେ । ପଶ୍ଚିମ ଜର୍ମାନୀରେ କଳକବ୍‌ଜା ତିଆରୀ କରୁଥିବା ଗୋଟିଏ ବଡ଼ କାରଖାନାରେ ମାସକୁ ଦଶହଜାର ଟଙ୍କାରେ ଗୋଟିଏ ଭଲ କାମ କରୁଥିଲେ । କିନ୍ତୁ ସେଥିରେ ସନ୍ତୁଷ୍ଟ ନରହି ଜନନୀ ଜନ୍ମଭୂମି ସେବା କରିବା ପାଇଁ ସ୍ୱଦେଶକୁ ବାହୁଡ଼ି ଆସି ଏହି କାରଖାନାର ଫୋରମ୍ୟାନ ଭାବରେ ନିଯୁକ୍ତ ହୋଇଥିଲେ । ମାସକୁ ଦଶହଜାର ଟଙ୍କାର ଚାକିରୀ ଛାଡ଼ି ମାତ୍ର ଏକ ହଜାର ଟଙ୍କାର ଦରମାରେ ଚାକିରୀ କରିବାରୁ ଦିନେହେଲେ ଅନୁଶୋଚନା ନକରି ବରଂ ସେ କୁହନ୍ତି ଦରମା ପାଇଁତ ଚାକିରୀ କରୁନି, ଦେଶର କାମ କରିବାର ସୁଯୋଗ ପାଇଛି, ଏଇ କଅଣ ଯଥେଷ୍ଟ ନୁହେଁ !

 

କର୍ମଚାରୀମାନଙ୍କର ଏତାଦୃଶ ମତିଗତି ଦେଖି ସେ ବ୍ୟଥିତ ହେଲେ । ସେମାନଙ୍କ ସହିତ ସାଲସ ସମାଧାନ କରିବା ପାଇଁ ସୂତ୍ର ଖୋଜିଲେ । କିନ୍ତୁ ସେଥିରେ ଫଳ କିଛି ହେଲାନାହିଁ ।

 

ନିସନ୍ତାନ ନିତ୍ୟାନନ୍ଦ ବାବୁ କାରଖାନାର କଳମାନଙ୍କୁ କାର୍ଯ୍ୟରତ ଦେଖିଲେ କହନ୍ତି, ଏଇମାନେ ମୋର ସନ୍ତାନ । ଏମାନଙ୍କର ଶବ୍ଦହିଁ ଜୀବନ ମଣିଷର କୋଳାହଳ । ହଠାତ୍‌ ସବୁ ଶବ୍ଦ ବନ୍ଦ ହୋଇଗଲା । ଶ୍ମଶାନର ନୀରବତା ଦେଖି ସ୍ତବ୍‌ଧ ହୋଇଗଲେ ନିତ୍ୟାନନ୍ଦ । କୋଠରୀ ଭିତରେ ବନ୍ଦହୋଇ ସେ ଫୋନ ସାହାଯ୍ୟରେ ପରାଚାଳନା କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କଲେ । କର୍ତ୍ତୃପକ୍ଷଙ୍କ କଡ଼ା ଆଦେଶ ଆସିଲା, ଭାଙ୍ଗିବ ପଛେ ନୁଇଁବନାହିଁ । ଦାୟିତ୍ୱହୀନ ବିଶୃଙ୍ଖଳା ଶ୍ରମିକ ଶକ୍ତି ଆଗରେ ମୁଣ୍ଡ ନୂଆଁଇବା ସମ୍ଭବ ନୁହେଁ । ଧର୍ମଘଟ ବେଆଇନ । ତାର ମୁକାବିଲା ଅବଶ୍ୟ କରାଯିବ ।

 

ଶ୍ରମିକ ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସହସା ଏକ ଲୁହାର ପାଚେରୀ ଛିଡ଼ାହୋଇଗଲା ।

 

ସଂଧ୍ୟା ଉତ୍ତୀର୍ଣ୍ଣ ହୋଇ ରାତି ହେଲା । ଅଫିସ ଆଗରେ ତୁହାଇ ତୁହାଇ ଧ୍ୱନି ଦବାରେ କୌଣସି ବିରତି ଦେଖାଗଲା ନାହିଁ । ବରଂ ରାତିରେ ନିସ୍ତବ୍‌ଧତା ସଙ୍ଗେ ସଙ୍ଗେ ସଙ୍ଗେ ସମବେତ କଣ୍ଠରେ ବୈପ୍ଳବିକ ଧ୍ୱନି ଆହୁରି ତୀବ୍ର, ବ୍ୟକ୍ତିଗତ ଏବଂ ଦୃଢ଼ତର ହେଲା ।

 

ସେତେବେଳକୁ ମଲା କୁକୁରର ଲାସ ସଢ଼ି ବାକୁ ଆରମ୍ଭ କରିଥିଲା ରାତି ହେଲେବି ଗୋଟେ ଦୁଇଟା ଶାକୁଣା ପଚା ମାଂସର ଗନ୍ଧ ଶୁଂଘି ଲାସ ପାଖରେ ବସିବା ପାଇଁ ସୁଯୋଗ ଉଣ୍ଡୁଥିଲେ ।

 

ନିତ୍ୟାନନ୍ଦ ବାବୁଙ୍କ ଆଖି ଆଗରେ ଅତୀତର ଘଟଣା ରାଜି ଚଳଚିତ୍ର ପରି ଦେଖାଗଲା-

 

ଏଇ କାରଖାନା ସହିତ ତାଙ୍କର ସଂପର୍କ ବହୁଦିନର । ପରିଚାଳନା କର୍ତ୍ତୃପକ୍ଷଙ୍କର ଅତି ବିଶ୍ୱାସଭାଜନ ଏବଂ ଅନୁଗତ ଦକ୍ଷ ଓ ବଳିଷ୍ଠ କର୍ମଚାରୀ ଭାବରେ ସେ ଖ୍ୟାତି ଅର୍ଜନ କରିଥିଲେ । ସେହି ବିଶ୍ୱାସର ସୁଯୋଗ ନେଇ କର୍ମଚାରୀମାନଙ୍କର ସମୂହ କଲ୍ୟାଣ ପାଇଁ ଅନେକ ନୂଆ ସୁବିଧା ସୁଯୋଗ ସୃଷ୍ଟି କରିଥିଲେ । ସେମାନଙ୍କ ପାଇଁ ଅଧିକ ବାସଗୃହ, ପିଲାମାନଙ୍କ ପଢ଼ିବା ପାଇଁ ବିଦ୍ୟାଳୟ, ଶସ୍ତାରେ ଖାଇବା ପାଇଁ କ୍ୟାଣ୍ଟିନ ଏବଂ ସମବେତନ ଜୀବନ ଏବଂ ଦୁର୍ଘଟଣା ବୀମାର ବ୍ୟବସ୍ଥା ତାଙ୍କ ଯୋଗୁଁ ସମ୍ଭବ ହୋଇ ଥିଲା । ଜୀବନର କେତୋଟି ମହାର୍ଘ ଓ ମୂଲ୍ୟବାନ ବର୍ଷର ଆନ୍ତରିକତା, ନିଷ୍ଠା ଏବଂ ଆନୁଗତ୍ୟ ଏହି ଅନୁଷ୍ଠାନକୁ ସେ ଉତ୍ସର୍ଗ କରିଥିଲେ । ଏହି କାରଖାନା ତାଙ୍କ ପକ୍ଷରେ କେବଳ ଜୀବିକାର ମାଧ୍ୟମ ନୁହେଁ, ଉତ୍ସର୍ଗୀକୃତ ଜୀବନର ଏକ ମାଧ୍ୟମ; ମହତ୍ତର ଜୀବନର ଏକ ମାର୍ଗ । ସେଥିପାଇଁ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ଯାଏ ଏହି ଅନୁଷ୍ଠାନର ପରିସର ମଧ୍ୟରେ ସେ ଯେ କେବଳ କାର୍ଯ୍ୟବ୍ୟସ୍ତ ରହୁଥିଲେ ତାହା ନୁହେଁ, ଜୀବନର ସବୁ ରଙ୍ଗ ଏକ ହୋଇ କିଭଳି ଗୋଟିଏ ପ୍ରତିଶୃତିରେ ପରିଣତ ହେଉଥିଲା ତାହା ସେ ଅଙ୍ଗେ ନିଭାଉଥିଲେ । କଳମାନଙ୍କର କର୍କଶ ଶବ୍ଦ ଶୁଣି ସେ ଖୁସି ହୋଇ କୁହନ୍ତି, ଜୀବନ ଏକସଂଗ୍ରାମ । ସଂଗ୍ରାମହୀନ ଜୀବନର ଅସ୍ଥିତ୍ୱ ଦୁଃସ୍ୱପ୍ନ ପରି ଅବାସ୍ତବ । ଜୀବନର ସଂଗ୍ରାମ ଏବଂ ସାଧନା ନିଜର ଅଭିବୃଦ୍ଧି ପାଇଁ ନୁହେଁ, ତାହା କେବଳ ଆନୁଷଙ୍ଗିକ, ପ୍ରଧାନ ପ୍ରସଙ୍ଗ ନୁହେଁ ।

 

ଏଭଳି ଏକ କାରଖାନାରେ କାମ କରିବାର ସୁଯୋଗ ପାଇ ଥିବାରୁ ସେ ଈଶ୍ୱରଙ୍କୁ କୃତଜ୍ଞତା ଜଣାନ୍ତି । ରବିବାରର ଛୁଟି ଦିନରେ ଆଶ୍ରମକୁ ଯାଇ ମହାଯୋଗୀଙ୍କ ପ୍ରତିକୃତି ସମ୍ମୁଖରେ ଧ୍ୟାନସ୍ଥ ହୋଇ ଜନନୀ ଜନ୍ମ ଭୂମିର ଜୀବନ୍ତ ପ୍ରତିମାକୁ ସାକାର ଦର୍ଶନ କରିବା ପାଇଁ ଆକୁଳତା ଜଣାନ୍ତି । ସେ ପ୍ରାର୍ଥନା କରନ୍ତି, ହେ ପ୍ରଭୁ ମୋତେ ତୁମ କାର୍ଯ୍ୟର ମାଧ୍ୟମ କର, ମୋ ଜୀବନକୁ ତୁମର ଅସ୍ତ୍ର ଭାବରେ ବ୍ୟବହାର କର ।

 

ରାତି ଏଗାରଟା ଯାଏ ଘେରାଉ ଚାଲିଲା । ତାପରେ ନେତାମାନେ କ୍ଳାନ୍ତ ହୋଇ ପଡ଼ିବାରୁ ସ୍ଳୋଗାନ ଶବ୍ଦ ମଧ୍ୟ କମିଗଲା । ପୁଲିସ ଆସି ନିତ୍ୟାନନ୍ଦ ବାବୁଙ୍କୁ ମୁକ୍ତ କରିଦେଲେ ।

 

ସମସ୍ତେ ଚାଲିଯିବା ପରେ ନିତ୍ୟାନନ୍ଦ ବାବୁ ଅଫିସ ଭିତରୁ ବାହାରି ବାହାରେ ପଦଚାରଣ କଲେ । ଟିକେ ଦୂରରେ ମଲା କୁକୁରର ଲାସ୍‌ଟାକୁ ଓଟାରୁଥିଲା ଗୋଟେ ଶାଗୁଣା । ଭୂଇଁ ଉପରୁ ପଥର ଖଣ୍ଡେ ହଠେଇ ନେଇ ଫିଙ୍ଗି ଦେଲେ ଶାଗୁଣା ଉପରକୁ । ପକ୍ଷଝାଡ଼ି ଫଡ଼ଫଡ଼ କରି ଟିକେ ଦୂରକୁ ଉଡ଼ିଗଲା ସେ । ତାପରେ ନିବିକାର ଚିତ୍ତରେ ମଲାକୁକୁରର ଦୁଇଟା ଗୋଡ଼ ଧରି ଓଟାରିନେଲେ ନିତ୍ୟାନନ୍ଦ । କାରଖାନାର ପାଚେରୀ ସେ ପାଖକୁ ଫୋପାଡ଼ି ଦେଇ କଳରେ ହାତ ଧୋଇଲେ ଏବଂ ସିକ୍ୟୁରିଟ ଗାର୍ଡ଼କୁ ମ୍ୟୁନିସିପାଲିଟିର ମେହେନ୍ତର ଆସିଲେ ଲାସ୍‌କୁ ସଫାକରିବା ପାଇଁ ନିର୍ଦ୍ଦେଶ ଦେଲେ ।

 

ତାପରେ ନିଦେଇ ପଡ଼ିଥିବା କାରଖାନାଟିକୁ ଆଖି ପୁରେଇ ଦେଖିଲେ । ବହୁବର୍ଷ ପରେ କାରଖାନା ଆଜି ଶୋଇପଡ଼ିଥିଲା ନିଘୋଡ଼ ନିଦରେ । ପୃଥିବୀର ସବୁ ନୀରବତା ଯେପରି ଆସି ଠୂଳ ହୋଇଥିଲା ତାହାରି ଭିତରେ । ଚିମନିର ଧୂଆ ବାହାରୁ ନଥିଲା, ଯନ୍ତ୍ରଗୁଡ଼ାକ ମୁର୍ଦ୍ଦାର ପରି ମୁହଁ ମାଡ଼ି ଶୋଇଥିଲେ । କାହିଁକି କେଜାଣି ମନଟା ଅବସାଦରେ ଭରି ଗଲା ତାଙ୍କର । ତାପରେ ନିତ୍ୟାନନ୍ଦ ବାବୁ ଧୀରେ ଧୀରେ କାରଖାନା ଭିତରକୁ ପ୍ରବେଶ କଲେ ।

 

ନିତ୍ୟାନନ୍ଦ ବାବୁ ଗୋଟିଏ ମେସିନ ମାଖରେ ଛିଡ଼ା ହେଲେ । ଧୂଳି ଜମି ଥିଲା ମେସିନ ଉପରେ । ହୁଏତ ଦାୟୀତ୍ୱରେ ଥିବା କର୍ମଚାରୀ ଭୁଲି ଯାଇଥିଲା ସଫା କରିବା ପାଇଁ ବା ଅବହେଳା କରିଥିଲା କାମରେ । ସେ ପାଦ ବଢ଼ାଇ ଆଉ ଆଗକୁ ଯାଇ ନ ପାରି ଗୋଟେ ଝାଡ଼ଣ ଏବଂ କିଛି ଝୋଟ ଆଣି ମେସିନକୁ ସଫା କରିବାରେ ଲାଗିଲେ । ମେସିନର ସଂଯୋଗ ସ୍ଥାନମାନଙ୍କରେ ତେଲ ଢାଳିଲେ । ମେସିନଟା ନିର୍ଜୀବ ହେଲେ ବି ହସି ଉଠିଲା ଯେପରି । ନିତ୍ୟାନନ୍ଦ ବାବୁଙ୍କ ମୁହଁ ଉପରେ ପ୍ରସନ୍ନତା ଉକୁଟି ଉଠିଲା ।

 

କାମକୁ ଆସିଲେ ହାଫପ୍ୟାଣ୍ଟ ଏବଂ ହାଫସାର୍ଟ ପିନ୍ଧି ଆସନ୍ତି ନିତ୍ୟାନନ୍ଦ । ଘରକୁ ଫେରିଗଲେ ପୋଷାକ ମଇଳା ହୋଇଥିବାର ଦେଖି କୁହନ୍ତି ନନ୍ଦିନୀ, ତୁମେ ଫୋରମ୍ୟାନ, ଶ୍ରମିକ ନୁହଁ । ତୁମର ପୋଷାକ ମଇଳା ହୁଏ କିପରି ? ମେସିନର ମଇଳା ଏବଂ ତେଲ ଆପେ ଆପେ ଆସି ଲାଗିଯାଏନି ନିଶ୍ଚୟ । ନିତ୍ୟାନନ୍ଦ ବାବୁ ହସି ଦେଇ କୁହନ୍ତି ତୁମେ ଏ ଘରର ସର୍ବମୟ କର୍ତ୍ତୀ; ଚାକର ଚାକରାଣୀ ଥାଉଁ ଥାଉଁ ତୁମ ହାତ କଳା ହୁଏ କାହିଁକି କହି ପାରିବ ନନ୍ଦିନୀ । କୁହନ୍ତି, ମୁଁ କେବଳ କର୍ତ୍ତୀ ନୁହେଁ, ଗୃହିଣୀ, ଜାୟା ଓ ଜନନୀ । ନିଜେ ନ ରାନ୍ଧି, ନିଜେ ନ ବାଢ଼ି ଚାକର ଦ୍ୱାରା କରାଇବି ? ପ୍ରସନ୍ନତ ଖେଳାଇ କହନ୍ତି ନିତ୍ୟାନନ୍ଦ ମୋର ଭୂମିକା ବି ସେହିପରି । ମୁଁ ବି ମେସିନର ମାଆପରି । ମୁଁ ସେମାନଙ୍କ କଥା ବୁଝିବିନି ? ନନ୍ଦିଦୀ ନିରସ୍ତ୍ର ହୋଇ ଖାଇବାର ବ୍ୟବସ୍ଥା କରିବା ପାଇଁ ଚାଲିଯାଆନ୍ତି ।

 

ଆଜି ବହୁତ ରାତି ହେଲା । ଛଅଟା ସୁଦ୍ଧା ଫେରିବା ଲୋକ ରାତି ବାରଟା ବେଳେ ବି ନ ଫେରିବାରୁ ବ୍ୟସ୍ତ ହୋଇଉଠିଲେ ନନ୍ଦିନୀ । ପ୍ରାୟ ରାତି ଗୋଟାଏ ସମୟରେ ପହଞ୍ଚିଲେ ନିତ୍ୟାନନ୍ଦ ବାବୁ । ମୁହଁ ଶଷ୍କ, ସବୁ ଦିନର ସରସତା ଲୀଳା କରୁ ନ ଥିଲା ମୁହଁ ଉପରେ । ଚମକି ପଡ଼ି ପଚାରିଲେ ନନ୍ଦିନୀ, ଦେହ ଖରାପ ହୋଇନି ତ ?

 

ନିତ୍ୟାନନ୍ଦ ବାବୁ ସାବୁନ ଦେଇ ହାତ ମୁହଁ ଧୋଇଲେ ଏବଂ କହିଲେ, କାରଖାନା ବନ୍ଦ ହୋଇ ଯାଇଚି । ଶ୍ରମିକମାନେ ଧର୍ମଘଟ କରିଛନ୍ତି । ମୁଁ ଘେରାଉ ଭିତରେ ଥିଲି ବୋଲି ଆସିବା ପାଇଁ ଏତେ ଡେରି ହେଲା । ନନ୍ଦିନୀ ସ୍ତବ୍‌ଧ ହୋଇ ସବୁ ଶୁଣିଲେ । ତାପରେ ସ୍ୱାମୀଙ୍କ ପାଖରେ ବସିପଡ଼ି କହିଲେ, କଅଣ ହେବ ତାହାଲେ ? ନିତ୍ୟାନନ୍ଦ ବାବୁ ଜ୍ୟୋତିର୍ମୟ ଆକାଶକୁ ଅନାଇ କହିଲେ, କଅଣ ସେମାନଙ୍କୁ ବୁଝେଇବାକୁ ହବ, ସେମାନଙ୍କ ସହିତ ଅମର ସଂପର୍କକୁ ଆହୁରି ଦୃଢ଼ କରିବାକୁ ହେବ । ସେଦିନ ରାତିରେ ଆଉ ଭୋଜନ କଲେନି ନିତ୍ୟାନନ୍ଦ । ପେଟରେ ଭୋକ ନ ଥିଲା । ପାଣି ଗିଲାସେ ସେ ପିଇଦେଇ ଶୋଇପଡ଼ିଲେ ଅସ୍ଥିର ମନରେ । ଧର୍ମଘଟ ମାସେ ହୋଇଗଲା । କାରଖାନା ବନ୍ଦ ହୋଇଯିବା ଯୋଗୁଁ ବିଦେଶକୁ ରତ୍ପାନୀ କରିବା ପାଇଁ ତିଆରି ହେଉଥିବା ଅନେକ ଯନ୍ତ୍ରପାତିର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ଯିବାରୁ ବିଦେଶୀ ସଂସ୍ଥାମାନଙ୍କୁ ଯନ୍ତ୍ରପାତି ଯୋଗା ର ତାରିଖ ଘୁଞ୍ଚାଇ ଦବା ପାଇଁ ଅନୁରୋଧ କରାଗଲା । କେତେ ଡାକ୍ତରଖାନାକୁ ଜରୁରୀ ଭିତ୍ତିରେ ରଞ୍ଜନ ରଶ୍ମି ଯନ୍ତ୍ରପାତି ଯୋଗାଇ ଦବାର ଥିଲା । ତାହା ଆଉ ହୋଇ ପାରିଲା ନାହିଁ । ଦୁରାରୋଗ୍ୟ ବ୍ୟାଧିଗ୍ରସ୍ତ ରୋଗୀମାନେ ଏକସ୍‌ରେ ହୋଇ ନ ପାରି ଡାକ୍ତରଖାନାରୁ ଫେରିବାର ଖବର ପଢ଼ି ନିତ୍ୟାନନ୍ଦ ବାବୁ ଅବସାଦରେ ମ୍ରିୟମାଣ ହୋଇପଡ଼ିଲେ । ବଡ଼ ବାଧିଲା ନିତ୍ୟାନନ୍ଦ ବାବୁଙ୍କୁ । ସେ ଆକୁଳ ହୃଦୟରେ ଅନୁକୂଳ ପରିବେଶର ଅପେକ୍ଷା କରି ରହିଲେ ।

 

ଅଚାନକ ବେଆଇନ୍‌ଧର୍ମଘଟ ଯୋଗୁଁ କର୍ତ୍ତୃପକ୍ଷ କର୍ମଚାରୀମାନଙ୍କୁ ବେତନ ଦେବାରୁ ପ୍ରାୟ ହଜାର କର୍ମଚାରୀଙ୍କୁ ମାସ ଆରମ୍ଭରେ ଦରମା ମିଳିଲା ନାହିଁ । ୟୁନିଅନର ନେତାମାନଙ୍କୁ ଦ୍ୱାରସ୍ଥ ହୁଅନ୍ତେ ଜବାବ ମିଳିଲା-ବ୍ୟସ୍ତ ହୁଏ ନାହିଁ । ଶ୍ରମିକ ନ୍ୟାଯ୍ୟ ଦାବୀ ହାସଲ କରିବାକୁ ସଂଗ୍ରାମ କରିବା ପ୍ରୟୋଜନ । ତ୍ୟାଗ ବିନା ସଂଗ୍ରାମ ଚାଲିବା ଅସମ୍ଭବ । ପ୍ରତିକ୍ରୀୟାଶୀଳ ସ୍ୱୈରାଚାରୀ ପରିଚାଳନା ବିପକ୍ଷରେ ଗଣତାନ୍ତ୍ରୀକ ଦାବୀ ହାସଲ ପାଇଁ ସଂଗ୍ରାମ ଅବ୍ୟାହତ ରଖିବାକୁ ହେବ ।

 

ଅଭାବ ସମୟ । ସମସ୍ତଙ୍କର ଆର୍ଥିକ ସ୍ୱଚ୍ଛଳତା ସେପରି ସହଜ ନୁହେଁ । କେତେ ଜଣଙ୍କର ଝିଅ ବିଭା ଠିକ୍‌ ହୋଇଥିଲା, କିନ୍ତୁ ଆର୍ଥିକ ଅନାଟନ ଯୋଗୁଁ ତାହା ପଛେଇ ଗଲା । କେତେ ଶ୍ରମିକ ଦୁରାରୋଗ୍ୟ ବ୍ୟାଧି ଭୋଗୁଥିଲେ, ସେମାନଙ୍କର ଆବଶ୍ୟକୀୟ ଚିକିତ୍ସା ହୋଇ ପାରିଲା ନାହିଁ; ଏପରିକି ସେମାନଙ୍କର ଦୈନନ୍ଦିନ ଜୀବନଧାରା ବି ବିପର୍ଯ୍ୟସ୍ତ ହୋଇଗଲା ।

 

ନିତ୍ୟାନନ୍ଦ ସବୁ ଶୁଣି ନୀରବରେ ବସି ରହିପାରିଲେ ନାହିଁ । ଅନୁଗତ ଲୋକମାନଙ୍କୁ ସଙ୍କଟ ସମୟରେ ସାହାଯ୍ୟ ନ କଲେ ଭାସିଯିବେ । ଝିଅ ବିଭା ହୋଇ ନ ପାରିଲେ ସେ ବାପ ମାଆଙ୍କୁ କ୍ଷମା ଦେବ ନାହିଁ । ସୁଚିକିତ୍ସା ନ ପାଇ ସ୍ତ୍ରୀ ମରିଗଲେ ତାର ଦୀର୍ଘ ନିଶ୍ୱାସରେ ସ୍ୱର୍ଣ୍ଣପୁରୀ ମଧ୍ୟ ଜଳିଯିବ । ବଢ଼ୁଥିବା ଶିଶୁ ଦୁଧ ବା ପୁଷ୍ଟିକର ଖାଦ୍ୟ ନ ପାଇ ଅଖାଦ୍ୟ ଖାଇ ବଞ୍ଚି ଗଲେ ତାର ହଜିଲା ସ୍ୱାସ୍ଥ୍ୟ ଏବଂ ସାମର୍ଥ ଆଉ କେବେହେଲେ ଫେରି ଆସିବ ନାହିଁ । ଆଉ ବିଳମ୍ବ ନ କରି ସମବାୟ ଭିତିରେ ଗୋଟିଏ ସହାୟକ ଅନୁଷ୍ଠାନ ଖୋଲିଲେ ନିତ୍ୟାନନ୍ଦ । ଅନ୍ୟମାନଙ୍କୁ ପୁରୋଭାଗରେ ରଖି ସେ ରହିଲେ ପଛରେ । ଆର୍ଥିକ ସାହାଯ୍ୟ ନ ଦେଇ ଅନ୍ୟାନ୍ୟ ଧନ୍ଦା ଯୋଗାଇ ସେମାନଙ୍କର ସମସ୍ୟାର କିଞ୍ଚିତ ସମାଧାନ କରିବା ପାଇଁ ବ୍ୟବସ୍ଥା କରାଗଲା ଏବଂ ଅପରିହାର୍ଯ୍ୟ କ୍ଷେତ୍ରରେ ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଦିଆଗଲା ।

 

ସିଧୁ ନାଏକର ଚୁଲୀ ଜଳୁ ନାହିଁ । ମୁଣ୍ଡରେ ଲାଲ ରୁମାଲ ବାନ୍ଧି ଆନ୍ଦୋଳନର ପ୍ରତୀକ ବୋଲି ନିଜକୁ ଅଭିହିତ କରି କାରଖାନା ଆଗରେ ସେ ଅଧିକାଂଶ ସମୟ କଟାଉଥିଲେ ବି ଘରକୁ ଫେରିବା ବେଳେ ଛପି ଛପି ଫେରେ । ଖାଲି ହାତରେ ସ୍ତ୍ରୀ ଏବଂ ପିଲାମାନଙ୍କୁ ଭେଟିବା ପାଇଁ ଭରସା ହୁଏ ନାହିଁ । ତା ନିଜର ଶକ୍ତି ଦେହଟା ବି କ୍ରମଶଃ ଦୁର୍ବଳ ହୋଇପଡ଼ିଲା ଏବଂ ସେ ମନରେ ଆଉ ପୂର୍ବପରି ଉତ୍ସାହ ଅନୁଭବ କଲା ନାହିଁ । ତଥାପି ବାହାରେ ନିଜର ବିପ୍ଳବୀ ଏବଂ ନେତାର ସ୍ୱରୂପକୁ ଆଉ ଟିକିଏ ପ୍ରଜ୍ୱଳିତ କରିଦେବା ପାଇଁ କହିଲା, ଏ ସଂଗ୍ରାମ ପାଇଁ ଆହୁରି ତ୍ୟାଗ, ଆହୁରି ତିତିକ୍ଷା ଆବଶ୍ୟକ । ସର୍ବହରାମାନଙ୍କର ସ୍ୱର୍ଗରାଜ୍ୟ କେବଳ ମାସକର ଧର୍ମଘଟ ଦ୍ୱାରା ପ୍ରତିଷ୍ଠା ହୋଇଯିବ ନାହିଁ ।

 

ତାକୁ ପାଖକୁ ଡାକି ନିଜେ ନିତ୍ୟାନନ୍ଦ ପଚାରିଲେ, ଆହୁରି କେତେ ତ୍ୟାଗ କରିବ ସିଧୁ ।

 

ତାଙ୍କୁ ଏକାନ୍ତରେ ଦେଖି ସଲାମ କରି କହିଲା ଯେ, ନେତାମାନେ କହୁଚନ୍ତି ସଂଗ୍ରାମ ଜାରି ରଖିବା ପାଇଁ ।

 

ନିତ୍ୟାନନ୍ଦ କହିଲେ, କିନ୍ତୁ ସଂଗ୍ରାମ କାହିଁକି, କୋଉଥି ପାଇଁ ଏବଂ କାହା ସହିତ ?

 

ସିଧୁ ଶୁଆପରି ରଟିଲା, ଶ୍ରମିକ ଏକତା ଆଗରେ କର୍ତ୍ତୃପକ୍ଷଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିବ, ସେମାନଙ୍କର ଦାବୀ ମାନିବାକୁ ହବ ।

 

ନିତ୍ୟାନନ୍ଦ କହିଲେ, ତୁମ୍ଭମାନଙ୍କର ନ୍ୟାର୍ଯ୍ୟଦାବୀ ଅବଶ୍ୟ ପୂର୍ଣ୍ଣ ହବା ଉଚିତ । କିନ୍ତୁ ସେ ନ୍ୟାର୍ଯ୍ୟ ଦାବୀ କଅଣ ତାର ତାଲିକା କରିଚି ?

 

ସିଧୁ ଟିକେ ଥତମତ ହୋଇ କହିଲା, କିଛି ମନେ କରିବେ ନାହିଁ ସାର୍‌ । ଧନତନ୍ତ୍ର ଶ୍ରମିକର ଶତୃ । ଅମଲାତନ୍ତ୍ର ଧନତନ୍ତ୍ରର ବାହନ ।

 

ମୁହଁ ଉପରେ ଟିକେ ହସ ଖେଳାଇ କହିଲେ ନିତ୍ୟାନନ୍ଦ, ମାନୁଚି । କିନ୍ତୁ ତୁମେ କେଉଁ ତନ୍ତ୍ରରେ ବିଶ୍ୱାସୀ, ଏଇ ଧର୍ମଘଟ କେଉଁ ତନ୍ତ୍ରର ପ୍ରତିଷ୍ଠା ପାଇଁ ।

 

ମଥାର ନାଲି ରୁମାଲଟାକୁ ଆଉ ଥରେ ଭଲ କରି ବାନ୍ଧି ଦେଇ କହିଲ ସିଧୁ-ଗରୀବଙ୍କ ଆସନ ପ୍ରତିଷ୍ଠା ହେବ । ଆମର ସବୁ ଦାବୀ ପୂରଣ ହେବ...।

 

–ତୁମର ଶ୍ରମିକ ଶାସନ ପ୍ରତିଷ୍ଠିତ ହେଲେ ମଲା କୁକୁରର ଲାସ୍‌ କିଏ ଖଲାସ କରିବ ? ପଚାରିଲେ ନିତ୍ୟାନନ୍ଦ ।

 

–ମୁଁ କରିବି, ନହେଲେ ଅନ୍ୟ ଝାଡ଼ୁଦାରମାନେ କରିବେ । କହିଲା ସିଧୁ ।

–କାହିଁକି ।

–ଝାଡ଼ୁଦାରର କାମ ଅଳିଆ ସଫା କରିବା ।

ବର୍ତ୍ତମାନ ଶାସନରେ ଝାଡ଼ୁଦାରର କର୍ତ୍ତବ୍ୟ କଅଣ ?

ଝାଡ଼ୁଦାରକୁ ସବୁଦିନେ ଅଳିଆ ସଫା କରିବାକୁ ହବ ସାର୍‌ ।

–ମଲା କୁକୁର ଅଳିଆ, ଅସନାର ଅନ୍ତର୍ଭୁକ୍ତ ନୁହେଁ ?

 

ନୀରବ ହୋଇଗଲା ସିଧୁ ନାୟକ । ସହସା ଉତ୍ତର ତୋଳି ପାଇଲା ନାହିଁ । ତାପରେ ରହିଯାଇ କହିଲା, ଭୁଲ ହୋଇ ଯାଇଚି ସାର୍‌ ।

 

ନିତ୍ୟାନନ୍ଦ ବାବୁ ତାକୁ ବୁଝାଇଲେ, ଏ କାରଖାନା ମୋର ବା ପରିଚାଳନା କର୍ତ୍ତୃପକ୍ଷଙ୍କର ନୁହେଁ; ଏହା ସର୍ବସାଧାରଣଙ୍କର, ଦେଶର । ଆମେ ସମସ୍ତେ କର୍ମଚାରୀ । କାମ ବଡ଼ ନୁହେଁ କି ଛୋଟ ନୁହେଁ, ସବୁ କାମରେ ମହତ୍ତ୍ୱ ଅଛି । ତୁମେ ଝାଡ଼ୁଦାର ହୋଇପାର ମୁଁ ଫୋରମ୍ୟାନ ହୋଇପାରେ । କିନ୍ତୁ ସବୁ କାମରେ ମୂଲ୍ୟ ଅଛି, ମହତ୍ତ୍ୱ ଅଛି । ପାର୍ଥକ୍ୟ ହ୍ରାସ ପାଉଛି, ଆହୁରି ପାଇବ । ହାତର ପାଦର ଅଙ୍ଗୁଳି ସମାନ ନୁହେଁ, ସମାଜରେ ସମସ୍ତେ କିପରି ସମାନ ହୋଇଯିବେ ?

 

ସିଧୁ ମଥା ନୁଆଁଇ କହିଲା, ଆପଣ ଏଇ କଥା ସମସ୍ତଙ୍କୁ କହୁ ନାହାନ୍ତି କାହିଁକି ?

 

ନିତ୍ୟାନନ୍ଦ କହିଲେ, ଆଗ ମୁଁ ଶିଖେ, ତାପରେ ଅନ୍ୟମାନେ ଶିଖିବେ । ସିଧୁ ନିମ୍ନ ସ୍ୱରରେ କହିଲା, ମୋର କସୁର ସାର୍‌ । ମୋ କାମ ଆପଣଙ୍କୁ କରିବାକୁ ହେଲା । ଆପଣ ମଲା କୁକୁରର ଲାସ ଉଠାଇ ନେଇଥିଲେ । ନିତ୍ୟାନନ୍ଦ ତା ହାତ ଧରି ପକାଇ କହିଲେ, ଏହି ଦ୍ୱାରା ମୋର ବ୍ୟକ୍ତିତ୍ୱ କମି ଗଲା ନାହିଁ, ମୁଁ ଅଜାତିରେ ଗଲି ନାହିଁ । ସବୁ କାମ ଈଶ୍ୱରଙ୍କର । ସବୁରି ଫଳ ତାଙ୍କରି ଉପରେ କିନ୍ତୁ ଆମେ ତାଙ୍କୁ ଦେଖୁ ନାହୁଁ, ଦେଶକୁ ଦେଖୁଛେ । ଦେଶର ପାଣି ପବନ ଶସ୍ୟ ଖାଇ ବଞ୍ଚିଛେ । ଦେଶ ପକ୍ଷରେ ଯେଉଁ କାମ କ୍ଷତିକାରକ ସେ କାମ କଲେ କାହାର କ୍ଷତି ହବ ଭାବି ଦେଖ । ସିଧୁ ସହଜ ହୋଇ କହିଲା, ଆମର କଣ କାମ କ୍ଷତି ହେଲାଣି ସାର୍‌ । ଝଳେଇ କାରଖାନାର ସନେଇର ଭାରିଜା ବେମାର ପଡ଼ିଥିଲା । ଟଙ୍କା ଅଭାବରୁ ଭଲ ଡାକ୍ତର ଦେଖାଇ ପାରିଲା ନାହିଁ ଯେ ମରିଗଲା । ହୁରିଆର ଝିଅର ବିବାହ ହୋଇ ନପାରି ଭାଙ୍ଗିଗଲା । ସେ ବର ଅନ୍ୟଠାରେ ବିଭା ହୋଇଗଲା । ନିତ୍ୟାନନ୍ଦ ସିଧୂ ହାତକୁ ଗୁଣ୍ଡଦୁଧ ଏବଂ ବିସ୍କୁଟର ପ୍ୟାକେଟଟା ବଢ଼ାଇ ଦେଇ କହିଲେ, ଏହା ଲାଞ୍ଚ ନୁହେଁ, ତୁମ ପରି ଅନେକ ଭାଇମାନଙ୍କ ଅନୁଦାନରୁ ଗଢ଼ି ଉଠିଥିବା ପାଣ୍ଠିରୁ ଖର୍ଚ୍ଚ ହଉଛି । ନେଇଯାଅ ପିଲାମାନଙ୍କୁ ଦବ ।

 

ମଥା ନୁଆଁଇ ଦଣ୍ଡେ ଛିଡ଼ାହୋଇ ରହିଲା ସିଧୁ । ତାପରେ ପୁଡ଼ିଆ ଧରି ଯିବାବେଳେ କହିଲା, ମୋ ଭୁଲର ସଂଶୋଧନ କଲେବି ସନେଇର ଭାରିଜା ଆଉ ଫେରିଆସିବ ନାହିଁ, ହରିଆର ଝିଅ ପାଇଁ ଆଉ ସେଇ ଚାକିରିଆ ବରଟି ବାହୁଡ଼ି ଆସିବ ନାହିଁ ।

 

ନିତ୍ୟାନନ୍ଦ ଆକାଶକୁ ଚାହିଁଲେ । କେତେଗୁଡ଼ିଏ ମେଘ ଭାସି ବୁଲୁଥିଲେ ସୂର୍ଯ୍ୟ ଚାରିପାଖରେ । ଆଲୁଅ ଏବଂ ଛାଇର ଲୁଚକାଳି ଖେଳ ଚାଲୁଥିଲା ପୃଥିବୀ ଉପରେ ।

 

ତା ପରଦିନ ସକାଳ ସାତଟାରେ ପ୍ରତିଦିନ ପରି କାରଖାନା ଅଫିସକୁ ଯିବା ରାସ୍ତାରେ କର୍ମଚାରୀମାନଙ୍କ ପ୍ରଧାନ ପ୍ରବେଶ ଫାଟକ ଆଗରେ ଅନେକ ଲୋକ ରୁଣ୍ଡ ହୋଇଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଦଳ ଦଳ ହୋଇ ଧର୍ମଘଟମାନେ ଏଯାଏ ଫାଟକ ଜଗୁଥିଲେ, କାହାରିକୁ ଭିତରକୁ ଛାଡ଼ି ଦେଉ ନଥିଲେ । ତୁହାକୁ ତୁହା ଧ୍ୱନି ଭାସି ଆସୁଥିଲା ଡାକବାଜି ଯନ୍ତ୍ରରେ । ମଝିରେ ମଝିରେ ବିପ୍ଳବୀ ଏବଂ ଶସ୍ତା ସିନେମା ସଙ୍ଗୀତ ବୋଲା ଯାଉଥିଲା ଧର୍ମଘଟୀମାନଙ୍କ ମଧ୍ୟରେ ନୈତିକ ବଳକୁ ସଜୀବିତ କରି ରଖିବା ପାଇଁ ।

 

ବୁଝିପାରିଲେ ନାହିଁ ନିତ୍ୟାନନ୍ଦ ବାବୁ କାହିଁକି ଏବଂ କିପରି ଏ ପରିବର୍ତ୍ତନ ଘଟିଗଲା । ହଠାତ୍‌ ନୀରବତା ଆସିଲା କୁଆଡ଼ୁ ? ସ୍ଲୋଗାନ ବନ୍ଦ ହୋଇଗଲା କାହିଁକି ? ସେ ସ୍କୁଟରର ଗତି ମନ୍ଥର କରି ଫାଟକ ପାରିହବା ପରେ ଜଣେ ଶ୍ରମିକକୁ ପଚାରିଲେ, କଅଣ ହେଲା, ସବୁ ଇମିତି ଛିଡ଼ା ହୋଇଚ ଯେ ଚୁପଚାପ ହୋଇ । ସେ କହିଲା କାମକୁ ଯିବାପାଇଁ ଅପେକ୍ଷା କରୁଛନ୍ତି ସାର । ଫାଟକ ଖୋଲି ନାହିଁ ।

 

ନିତ୍ୟାନନ୍ଦ ଅବାକ୍‌ ହୋଇଯାଇ କହିଲେ, ଧର୍ମଘଟ ଆଉ ଚାଲୁନାହିଁ ?

–ନା । ଧର୍ମଘଟ ମଝି ରାତ୍ରିରୁ ଉଠାଇ ନିଆଯାଇଚି । କହିଲା ସେ ।

–କିଏ ଉଠାଇ ଦେଉଚି ? ପଚାରିଲେ ନିତ୍ୟାନନ୍ଦ ।

 

–କର୍ମଚାରୀମାନେ । ସମସ୍ତେ ଏକତ୍ର ହୋଇ କାର୍ଯ୍ୟରେ ଯୋଗ ଦେବା ପାଇଁ ସିଦ୍ଧାନ୍ତ ନେଇଚନ୍ତି । ଇଉନିଅନର ନେତାମାନେ ମୁହଁ ଦେଖାଇ ପାରୁନାହାନ୍ତି ।

 

ସେ ଚାଲି ଯାଉଥିଲେ, କିନ୍ତୁ ହଠାତ୍‌ ତାଙ୍କ ସ୍କୁଟର ଆଗରେ ପାଞ୍ଚ ସାତଜଣ ଛିଡ଼ାହୋଇ କହିଲେ, ସମୟ ହୋଇଗଲାଣି ସାର୍‌, ଫାଟକ ଖୋଲିବ ନାହିଁ ?

 

-ଖୋଲିବ, ନିଶ୍ଚୟ ଖୋଲିବ । ଦୃଢ଼ କଣ୍ଠରେ କହିଲେ ନିତ୍ୟାନନ୍ଦ । ସେ ସିକ୍ୟୁରିଟି ଷ୍ଟାଫକୁ ଫାଟକ ଖୋଲିଦବା ପାଇଁ ନିର୍ଦ୍ଦେଶ ଦେଇ ଫୋନଦ୍ୱାରା କର୍ତ୍ତୃପକ୍ଷଙ୍କୁ ଏହି ଶୁଭ ଖବର ଜଣାଇ ଦେଲେ ।

 

ତାଙ୍କୁ ଫାଟକ ପାଖରେ ଦେଖି ସିଧୁ ନାଏକ ତାଙ୍କ ଗଳାରେ ଫୁଲମାଳଟିଏ ଲମ୍ବାଇ ଦେଇ କହିଲା, ଆପଣ ଆଖି ଫିଟେଇ ଦେଇଛନ୍ତି । ଏ ଫୁଲମାଳ ମୋର ଏକା ନୁହେଁ, ସମସ୍ତଙ୍କ ପକ୍ଷରୁ । ଆମ ସମସ୍ତଙ୍କର ଆପଣ ଫୋରମ୍ୟାନ୍‌ ହେଲେ ବି ଆମର ନେତା ।

 

ଅନ୍ୟମାନେ ଧ୍ୱନି ଦେଲେ, କାରଖାନା ଶ୍ରମିକ ଏକଜୁଟ ହୁଅ, ମେସିନ୍‌ ଚକ ଚାଲୁକର, ବନ୍ଦେ ମାତରମ୍‌ ।

 

ନିତ୍ୟାନନ୍ଦ ପ୍ରସନ୍ନ ଚିତ୍ତରେ କାରଖାନା ଚାଲୁ ରଖିବା ପାଇଁ ବୋତାମ ଚିପିଲା ବେଳେ ବିଦ୍ୟୁତ ଝଲକ ପରି ତାଙ୍କ ମନର ପର୍ଦ୍ଦା ଉପରେ ଗୋଟିଏ ଅନନ୍ୟ, ଅନୁପମ ମୂର୍ତ୍ତି ଆର୍ବିଭାବ ହେଲା । ସେ ମୂହୁର୍ତ୍ତକ ବିହ୍ୱଳତାରେ ପ୍ରତ୍ୟକ୍ଷ କଲେ ଜନନୀ ଜନ୍ମଭୂମିର ଶାନ୍ତ, ଶାଶ୍ୱତ, ଶୁଭଦ ରୂପ । ଆପେ ଆପେ ହାତ ଯୋଡ଼ିକ ଏକତ୍ର ହୋଇ କପାଳରେ ଲାଗିଲେ ।

 

ନିତ୍ୟାନନ୍ଦ ସାହି ଅବସରରେ କହିଲେ, ଆମର ପବିତ୍ର ଜନ୍ମଭୂମି କେବଳ ମାଟି ଗୋଡ଼ି, ପାହାଡ଼, ପର୍ବତ, ନଦୀ, ନାଳ, ନଗର ଏବଂ ଜନପଦର ନିର୍ଜୀବ ଭୂଖଣ୍ଡ ନୁହେଁ । ଜନନୀ ଜନ୍ମଭୂମିର ଶାନ୍ତ ଏବଂ ଶାଶ୍ୱତ । ଏହାର ପାଣି, ପବନ, ସମ୍ପଦ ଓ ଶସ୍ୟ ଜଣକର ନୁହେଁ, ସମସ୍ତଙ୍କର । ଏହି କାରଖାନା ଏକ ନିର୍ଜୀବ ଯନ୍ତ୍ରପାତିର ସମାବେଶ କେନ୍ଦ୍ର ନୁହେଁ । ଏହାହିଁ ଜନ୍ମଭୂମିର ସେବା କରିବା ପାଇଁ ଏକ ପବିତ୍ର ମନ୍ଦିର । ଆମେ ସମସ୍ତେ ନିଜ ନିଜର କ୍ଷମତା ଅନୁସାରେ କର୍ତ୍ତବ୍ୟ କଲେ ଜନନୀର ପୂଜା ପୂର୍ଣ୍ଣ ହେବ ।

 

ଆହୁରି କଅଣ କହିଥାଆନ୍ତେ ନିତ୍ୟାନନ୍ଦ । କିନ୍ତୁ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଆସିଲା । ଧିରେ ଧିରେ ସେ କାରଖାନାର ଯନ୍ତ୍ରପାତି ମଧ୍ୟରେ ଅଦୃଶ୍ୟ ହୋଇଗଲେ । ସିଧୁ ନାଏକ ପ୍ରଧାନ ଅଫିସ୍‌ ଆଗରେ ଗୋଟାଏ ବଡ଼ ଲାଲ କନା ଉପରେ ଲେଖି ଲଟକାଇ ଦେଇଥିଲା; ଦରମା ପାଇଁ ନୁହେଁ, ଦେଶ ପାଇଁ କାମ କରୁଛେ ।

 

ତାକୁ ଦେଖି ସମ୍ମତିରେ ହସି ହସିଲେ ନିତ୍ୟାନନ୍ଦ ।

Image